ଆଜି ବିଶ୍ୱ ପରିବେଶ ଦିବସ । ଓନ୍ଲି ଓ୍ୱାନ୍ ଆର୍ଥ ବା କେବଳ ଗୋଟିଏ ପୃଥିବୀ ଅର୍ଥାତ୍ ପୃଥିବୀର ସୁରକ୍ଷା ନକଲେ, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ବି ନାହିଁ ବୋଲି ବାର୍ତ୍ତା ରହିଛି । ସାରା ମାନବଜାତିକୁ କେବଳ ପରିବେଶ ସୁରକ୍ଷା ନୁହେଁ, ବରଂ ନିଜର ଭବିଷ୍ୟତ ସୁରକ୍ଷା ପାଇଁ ଚେତାଇ ଦେଉଥିବା ଏହି ବାର୍ତ୍ତା, ବହୁ ବର୍ଷ ତଳୁ ପ୍ରତିଫଳିତ ହୋଇସାରିଛି । ହେଲେ ଆମ ରାଜ୍ୟ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର । ସମୁଦ୍ର ଘରକୁ ଗିଳିବା ପରେ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ । ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଗଞ୍ଜାମ ପୋଡ଼ମପେଟା ଗାଁରେ ଅନେକ ପରିବାର ଗୁଡ଼ିକୁ ଉଚ୍ଛନ୍ନ କରି ସମୁଦ୍ର ଯାହା ଛଡ଼ାଇ ନେଇଛି, ତା କଣ କେବେ ସତରେ ଫେରିବ? ଏଠାରେ ପ୍ରାୟ ପ୍ରାୟ ୨ଶହ ମତ୍ସଜୀବୀ ପରିବାର ରହୁଥିଲେ ହେଲେ ଏବେ ୧୦ରୁ ଅଧିକ ଘର ସମୁଦ୍ର ଗର୍ଭରେ ଲୀନ ହୋଇସାରିଥିବା ବେଳେ, ଆଉ କିଛି ଭଙ୍ଗା ଦଦରା କାନ୍ଥ ନିଜ ନିଜ ଦିନ ଗଣୁଛନ୍ତି । ରାଜ୍ୟ ସରକାର କିଛି ଲୋକଙ୍କୁ ODRP ଘର ଯୋଗାଇ ସ୍ଥାନାନ୍ତର କରିଥିବା ବେଳେ, ଆଉ କିଛି ଏବେବି ବଞ୍ଚିତ ଅଛନ୍ତି ।
ସେପଟେ ଛତ୍ରପୁର ବ୍ଲକ୍ ଆର୍ଯ୍ୟପଲ୍ଲୀ ଗାଁର ଭବିଷ୍ୟତ ବି ଆଗାମୀ ବର୍ଷ କେଇଟାରେ କଣ ହେବାକୁ ଯାଉଛି । ଗାଁ ଶେଷରେ ଥିବା ଏଇ ସାମୁଦ୍ରିକ ଥାନା ତାର ଜଳ ଜଳ ପ୍ରମାଣ ଦେଉଛି । ଦିନେ ଏଠାରୁ ଗୋଟେ କିଲୋମିଟର ଦୂରରେ ଥିବା ସମୁଦ୍ର, ଏବେ ୨୦ ମିଟର ଦୂରରେ ଛକି ବସିଛି । ତେଣୁ ଗାଁକୁ ସମୁଦ୍ର ଗ୍ରାସିବା ଆଗରୁ ତଟ ସୁରକ୍ଷା ପାଇଁ ସ୍ଥାୟୀ କଂକ୍ରିଟ ବନ୍ଧ ତିଆରି କରିବାକୁ ଆତଙ୍କିତ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି ।
ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ ଏସବୁ ବଡ଼ ବଡ଼ ମଞ୍ଚରେ, ଜ୍ଞାନୀ ଗୁଣିଙ୍କ ଲେଖାରେ ଖୁବ୍ ଭାରି ଭାରି ଶବ୍ଦ ଭଳି ଲାଗୁଥାଇ ପାରେ । କିନ୍ତୁ ତାର ପ୍ରଭାବ ଯେ କେତେ ଦାରୁଣ, କେତେ କରୁଣ ତାହା ଓଡ଼ିଶାର ହତାଭାଗା ସାତଭାୟାବାସୀଙ୍କୁ ପଚାରିଲେ ଜଣାପଡିଥାଏ । କେନ୍ଦ୍ରାପଡ଼ା ଜିଲ୍ଲାର ସାତ ସାତଟି ଗାଁକୁ ସମୁଦ୍ର ନିଶ୍ଚିହ୍ନ କରିଦେଇଛି । ହାତଗଣତି କେଇ ଗଣ୍ଡା ପରିବାରକୁ ଛାଡ଼ିଦେଲେ, ସାତଭାୟାର ସ୍ଥିତିକୁ ଦେଖି ସମସ୍ତେ ଗାଁଛାଡ଼ି ଚାଲିଯାଇଛନ୍ତି । ସେଇ ରାଜନଗର ବ୍ଲକ୍ର ୨୦ କିଲୋମିଟର ଦୂର ପେଣ୍ଠ ବାସିନ୍ଦାଙ୍କ ଛାତିରେ ଛନକା ପଶୁଛି ।
ତେବେ ଗଞ୍ଜାମ ପୋଡ଼ମପେଟା ଓ କେନ୍ଦ୍ରାପଡ଼ା ସାତଭାୟା ସମୁଦ୍ରକୂଳ ମାନବଜାତି ପାଇଁ ଗୋଟିଏ ଗୋଟିଏ ଶିକ୍ଷା ଶିକ୍ଷା ସତର୍କ ରହିବାର, ପରିବେଶକୁ ସୁରକ୍ଷା ଦେବାର ନହେଲେ ଆମ ପାଖରେ ବିନାଶ ଛଡ଼ା, ଆଉ କୌଣସି ବି ବିକଳ୍ପ ନାହିଁ ସେଇ ବାର୍ତ୍ତା ଦିଆଯାଇଛି ।