Udaan Yatri Cafe
ଭୁବନେଶ୍ୱର ବିମାନ ବନ୍ଦରରେ ଆଉ ମହଙ୍ଗା ନୁହେଁ ବରଂ ଶସ୍ତାରେ ମିଳିବ ଖାଦ୍ୟ ପାନୀୟ । ବିମାନବନ୍ଦର ପରିସରରେ ଉଡାନ ଯାତ୍ରୀ କାଫେର ଉଦଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଯେଉଁଠି ସୁଲଭ ମୂଲ୍ୟରେ ଯାତ୍ରୀମାନେ ଚା, କଫି ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସ୍ୱଳ୍ପ ମୂଲ୍ୟରେ ପାଇପାରିବେ ।
କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ, ଯେଉଁଥିରେ ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇ ପାରିବେ । ଗତବର୍ଷ ଡ଼ିସେମ୍ବର ମାସରେ ପ୍ରଥମେ କଲିକତାରେ ଏହି ଉଡାଣ ଯାତ୍ରୀ କାଫେ ଖୋଲା ହୋଇଥିଲା । ପରେ ଚେନ୍ନାଇ, ଅହମ୍ମଦାବାଦ, ପୁନେ ଏବଂ ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଛି କାଫେ । ଆସନ୍ତା ବର୍ଷକ ମଧ୍ୟରେ ୧୦କୁ ୧୫ ବଡ଼ ବଡ଼ ବିମାନବନ୍ଦରରେ କାଫେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ।
ସାଧାରଣତଃ ଏୟାରପୋର୍ଟରେ ଖାଦ୍ୟ ପାନୀୟର ଦର ଅଧିକ ରହିଥାଏ । ଅନେକ ସମୟରେ ବିମାନ ଯାତ୍ରୀ ଦୁଇ ତିନି ଗୁଣା ଦେଇ ଖାଦ୍ୟ ପାନୀୟ କ୍ରୟ କରିଥାଏ । ଯାହା ସାଧାରଣ ଯାତ୍ରୀଟିଏ ପାଇଁ ଚିନ୍ତାର କାରଣ ପାଲଟିଥାଏ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ 'ଉଡାଣ ଯାତ୍ରୀ କାଫେ' ଆରମ୍ଭ କରାଯାଇଛି । ଯେଉଁଥିଲେ ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାନୀୟ ନେଇ ପାରିବେ ।
ଏହାସହ ଖୁବ୍ଶୀଘ୍ର ଭୁବନେଶ୍ୱର ବିମାନବନ୍ଦର ସଂପ୍ରସାରଣ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଭୁବନେଶ୍ୱର ଏୟାରପୋର୍ଟରେ ଭିଡ଼ ବଢ଼ୁଛି । ସେଥିପାଇଁ ତୃତୀୟ ଟର୍ମିନାଲର ଆବଶ୍ୟକତା ରହିଛି । ଅନ୍ୟପଟେ ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିସାରିଛି । ରାଜ୍ୟ ସରକାର କେବେ କାମ ଆଗକୁ ବଢାଉଛନ୍ତି, ତାକୁ ହିଁ ଅପେକ୍ଷା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମରେ ୩୫୦ ନୂଆ ଏୟାରପୋର୍ଟ ଯୋଜନା ରହିଥିବା ପ୍ରକାଶ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756113184.jpg)