ଚାଷୀ ଓ ଚାଷର ଉନ୍ନନ୍ନି ପାଇଁ ପାଣିକୁ ବାନ୍ଧି ସରକାର ଡ୍ୟାମ ନିର୍ମାଣ କରି କେନାଲ ଦ୍ୱାରା ପାଣି ଜମିକୁ ପହଁଚାଇଲେ । ହେଲେ ବିଗତ ୪ବର୍ଷ ହେଲାଣି ଚାଷୀକୁ ମିଳୁନି ପାଣି । ଫଳରେ ଚାଷ କାମ ଆଗେଇ ପାରୁନି । ଏପଟେ ଜଳ ନପାଇ ଜଳକର ଦେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ରେଢାଖୋଲ କେରାଣ୍ଡି ଡ୍ୟାମ ପାଣି ଉପରେ ନିର୍ଭର କରୁଥିବା ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି ।
ରେଢାଖୋଲ ବ୍ଲକ ବଡବାହାଲ ପଞ୍ଚାୟତର ଲଡବାହାଲ ଗାଁର କେରାଣ୍ଡି ଡ୍ୟାମରୁ ବଡବାହାଲର ପ୍ରଧାନସାହିରୁ ଲଡବାହାଲ ପ୍ରାୟ ୩ କି.ମି ପର୍ଯ୍ୟନ୍ତ ଲମ୍ବିଥିବା କେନାଲ ଏବେ ଚାଷୀଙ୍କ କାମରେ ଆସୁନି । ନା କେହି କେନାଲର ଯତ୍ନ ନେଉଛି ନା କେହି ମରାମତି କରୁଛି । କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା କେନାଲ ଏବେ ଘାସବୁଦା ହୋଇ ପଡିଛି । ଆଉ ଚାରିଆଡେ ଅଳିଆ ଆବର୍ଜନାରେ ପୋତି ହୋଇଯାଇଛି କେରାଣ୍ଡି କେନାଲ । ଯାହାଫଳରେ ଏବେ ଚାଷ ସମୟରେ ଜମିରେ ପାଣି ମୁନ୍ଦାଏ ବି ମାଡି ନପାରିବାରୁ ଚାଷୀ ନାହିଁନଥିବା ହଇରାଣ ହେଉଛନ୍ତି । ଏପରିକି ଜଳ ଅଭାବ ଯୋଗୁଁ ଅନେକଙ୍କ ଜମି ଏବେ ପଡିଆ ପଡିଛି । ଅନ୍ୟପଟେ ପାଣି ପଞ୍ଚାୟତ ଗଠନ କରାଯାଇ ଏସବୁର ସମାଧାନ କରାଯିବା କଥା ହେଲେ କାମରେ ଆସିପାରୁନି ପାଣି ପଚାଂୟତ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।
କେନାଲର ସମସ୍ୟା ସମ୍ପର୍କରେ ସ୍ୱୀକାର କରିଛନ୍ତି ବିଭାଗୀୟ ଯନ୍ତ୍ରୀ । ତେବେ ପାଣି କିପରି ଜମିକୁ ଯିବ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ଯନ୍ତ୍ରୀ କହିଛନ୍ତି । ରେଢାଖୋଲର ଜୀବନ ରେଖା କୁହାଯାଉଥିବା ଏହି କେରାଣ୍ଡି କେନାଲର ପରିଚାଳନା ବ୍ୟବସ୍ଥା ସହ ଏହାର ରକ୍ଷଣା ବେକ୍ଷଣ ନକଲେ ଆଗାମୀ ଦିନରେ କେରାଣ୍ଡି ଡ୍ୟାମ ତାର ଅସ୍ଥିତ୍ୱ ହରାଇବ ବୋଲି ଆଶଙ୍କା କରାଯାଉଛି ।
(ରିପୋର୍ଟ: ରମାକାନ୍ତ ମହାନନ୍ଦ,ରେଢାଖୋଲ)