ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୩ରୁ ୯୬ ପଇସା ବୃଦ୍ଧି ପାଇଛି ।

ସାଙ୍କେତିକ ଚିତ୍ର

News Summary

ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି

ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୩ରୁ ୯୬ ପଇସା ବଢିଲା

ଡିଲକ୍ସ ବସ୍ କିମି ପ୍ରତି ଭଡ଼ା ୧.୨୯ରୁ ୧.୩୫ ପଇସାକୁ ବୃଦ୍ଧି

ଭୁବନେଶ୍ୱର : ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା ।  ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି  ।ପୂର୍ବରୁ ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସା ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୯୨ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୩ରୁ ୯୬ ପଇସା ବୃଦ୍ଧି ପାଇଛି ।

ସେହିପରି ଡିଲକ୍ସ ବସ୍ ଓ ଏସି ଡିଲକ୍ସ ବସ୍ ଭଡ଼ା ମଧ୍ୟ ବୃଦ୍ଧି କରାଯାଇଛି । ଡିଲକ୍ସ ବସ୍ ଭଡ଼ା କିଲୋମିଟର୍ ପ୍ରିତି ୧.୨୯ ରୁ ୧.୩୫ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର୍ ପିଛା ୧.୫୭ ରୁ ୧.୬୩ ପଇସାକୁ ବୃଦ୍ଧି ଘଟିଛି । ସେହିପରି ସୁପର ପ୍ରିମିୟମ ବସ୍ ଭଡ଼ା ମଧ୍ୟ ବଢ଼ିବା ସହ ୨.୪୪ରୁ ବଢି ୨.୫୩ ପଇସା ବୃଦ୍ଧି ହୋଇଛି ବସ୍ ଭଡ଼ା ।

ରାଜ୍ୟ ଘରୋଇ ମାଲିକ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଛି । ଆଜି ମଧ୍ୟରାତ୍ରୀ ଠାରୁ ବର୍ଦ୍ଧତ ଭଡ଼ା ଲାଗୁହେବ । ବିଭିନ୍ନ ପାରାମିଟର୍ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ କରାଯାଏ । ତୈଳ ଦର ବୃଦ୍ଧି ଓ ହ୍ରାସ ଯୋଗୁଁ ବସ୍ ଭଡ଼ା ବୃଦ୍ଧି କରାଯାଏ । ତେବେ କରୋନା କାଳରେ ବସ୍ ଭଡ଼ା ବଢ଼ିବା ପରେ ଯାତ୍ରୀଙ୍କ ବଜେଟ୍ ଉପରେ ମାଡ଼ କରିବ ବୋଲି କୁହାଯାଉଛି । ସେପଟେ ବସ୍ ଭଡ଼ା ବୃଦ୍ଧି ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ । ବାରମ୍ବାର ବସ୍ ଭଡ଼ା ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ଚାପ ପଡ଼ୁଛି । ତଥାପି ନିରୁପାୟ ଜନତା ।