ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ବୀଣାପାଣିଙ୍କର ଆଜି କଟକ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ।

Eminent litterateur Binapani Mohanty passes away

ପରଲୋକରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଛି । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ପୁସ୍ତକ ରଚନା ପାଇଁ ସୁଖ୍ୟାତି ଅର୍ଜନ କରିଥିବା ବୀଣାପାଣି ମହାନ୍ତିଙ୍କୁ ୨୦୨୦ରେ ପଦ୍ମଶୀ ପୁରସ୍କାର ପ୍ରଦାନ କରାଯାଇଥିଲା । ପଦ୍ମଶ୍ରୀ ପୁରସ୍କାର ବ୍ୟତୀତ ସେ ସେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ସାହିତ୍ୟିକା ବୀଣାପାଣ ମହାନ୍ତିଙ୍କ ପରଲୋକ ଖବର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଜାରି ହୋଇଛି । ବୀଣାପାଣିଙ୍କ ବିୟୋଗ ସାହିତ୍ୟ ଜଗତ ଲାଗି ଅପୁରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇବା ସହ ତାଙ୍କର ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦିନ ୧୦ ଟା ସମୟରେ କଟକର ସତୀଚଉରା ଶ୍ମଶାନରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ହେବ ।

ସେହିପରି ପଦ୍ମଶୀ ବୀଣାପାଣି ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆ ସାହିତ୍ୟ ଲାଗି ତାଙ୍କର ଅବଦାନ ଅତୁଳନୀୟ, ତାଙ୍କ ଦ୍ୱାରା ଲିଖିତ ଅନେକ ଲେଖନୀ ଅନ୍ୟ ବାଷାରେ ବହୁ ଆଦୃତ ହୋଇଛି । ତାଙ୍କ ଅମର ଆତ୍ମାର ସଦଗତି ସହ ତାଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିଜର ଟ୍ୱିଟରରେ ଲେଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରୋଲକେରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ନିଜ ଟ୍ୱିଟରରେ ଓଡ଼ିଆ ସାହିତ୍ୟ ଲାଗି ତାଙ୍କ ବିୟୋଗ ଅତୁଳନୀୟ କ୍ଷତି ବୋଲି ଦର୍ଶାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଆ ସାହିତ୍ୟକୁ ସେ ବହୁ ଭାବରେ ସମୃଦ୍ଧ କରିଛନ୍ତି ଏବଂ ତାଙ୍କର ସୃଷ୍ଟି ମାଧ୍ୟମରେ ସେ ଚିର ସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ ଟୁଇଟ୍ କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହିତ ଟୁଇଟରେ ଲେଖିଛନ୍ତି ଯେ, ଓଡିଆ ସାହିତ୍ୟ ଜଗତକୁ ତାଙ୍କ ଅବଦାନ ଅତୁଳନୀୟ । ଏଥିସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା । ବୀଣାପାଣି ମହାନ୍ତିଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ ବୋଲି ଘୋଷଣା କରିଛନ୍ତି । ସେହିପରି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ବୀଣାପାଣି ମହାନ୍ତିଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।