ରାଜ୍ୟ ସରକାରଙ୍କ ଚରମ ଅବହେଳା : ଓଡ଼ିଶାରୁ କୋଲକାତାକୁ ଉଠିଯିବ ICCR କାର୍ଯ୍ୟାଳୟ

ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଜମି ନମିଳିବାରୁ ନିଷ୍ପତ୍ତି। ସଂସ୍କୃତି ବିଭାଗ ସଚିବଙ୍କୁ ଚିଠି ଲେଖି ଜଣାଇଲେ କର୍ତ୍ତୃପକ୍ଷ ।

ଏହା ପଛର କାରଣ ହେଉଛି ରାଜ୍ୟ ସରକାରଙ୍କ ଚରମ ଅବହେଳା ।

ଭୁବନେଶ୍ୱରରୁ କୋଲକାତାକୁ ଉଠିଯିବ,ICCR ବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ ରିଲେସନ୍ସର ଆଞ୍ଚଳିକ କାର୍ଯ୍ୟାଳୟ । ବାରମ୍ବାର ଚିଠି ସତ୍ତ୍ୱେ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଜମି ନମିଳିବାରୁ ଏମିତି ନିଷ୍ପତ୍ତି ନେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏନେଇ ସଂସ୍କୃତି ବିଭାଗ ସଚିବଙ୍କୁ ଚିଠି ଲେଖି ଚଳିତ ମାସ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଶେଷ ମାସ ବୋଲି ଜଣାଇଛନ୍ତି ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ । ଏଭଳି ନିଷ୍ପତ୍ତିକୁ ନେଇ ସଂସ୍କୃତି ବିଶାରଦ ଏବଂ ଗବେଷକମାନେ ଖପ୍ପା ହୋଇଥିବା ବେଳେ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଏନେଇ ସେ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ।

ଆଉ ଓଡିଶାରେ ରହିବନି ଆଇସିସିଆର ବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ ରିଲେସନ୍ସର ଅଆଞ୍ଚଳିକ କାର୍ଯ୍ୟାଳୟ । ଆସନ୍ତା ମାସଠାରୁ ଏହି କାର୍ଯ୍ୟାଳୟର ବଦଳିବ ଠିକଣା । କୋଲକାତାର ରବିନ୍ଦ୍ର ନାଥ ଟାଗୋର ବା କୋଲକାତା ସ୍ଥିତ ଜୋନ କାର୍ଯ୍ୟାଳୟ ହେବ ନୂଆ ଠିକଣା । ଏନେଇ ଆଇସିସିଆର ଷ୍ଟାଚୁଟାରୀ ବଡି ନିଷ୍ପତ୍ତି ନେଇଥିବା ସଂସ୍କୃତି ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଆଇସିସିଆର ଆଞ୍ଚଳିକ ନିର୍ଦ୍ଦେଶକ ମିନାକ୍ଷୀ ମିଶ୍ର । ମାତ୍ର ନିଷ୍ପତ୍ତି ପଛର କାରଣ କଣ ଚିଠିରେ ଲେଖି ନାହାନ୍ତି କି ପ୍ରତିକ୍ରିୟା ପାଇଁ ପଚାରିଥିଲେ ମଧ୍ୟ ପ୍ରତିକ୍ରିୟା ରଖିନାହାନ୍ତି ।

କିନ୍ତୁ ଏହା ପଛର କାରଣ ହେଉଛି ରାଜ୍ୟ ସରକାରଙ୍କ ଚରମ ଅବହେଳା । ଦୀର୍ଘ ଦିନ ଧରି ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଜମି ବିବାଦ । ୨୦୧୬ ମସିହା ଠାରୁ ଆବଶ୍ୟକ ଜମି ପାଇଁ ସାଧାରଣ ପ୍ରଶାସନ ସହ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ଏନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଉ ନଥିବାରୁ ଏମିତି ନିଷ୍ପତ୍ତି ନେଇଛି ବୈଦଶିକ ବ୍ୟାପାର ମନ୍ତ୍ରଣାଳୟ । ତେବେ ଏନେଇ ସଂସ୍କୃତି ମନ୍ତ୍ରୀଙ୍କୁ ପଚାରିବାରୁ ସେ ନୂଆ କରି ଦାୟିତ୍ୱ ନେଇଥିବାରୁ ବିଶେଷ କିଛି ଜାଣି ନାହାନ୍ତି, ହେଲେ ସେ ଖୁବଶୀଘ୍ର ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

୪ ବର୍ଷ ତଳେ ହିଁ କାର୍ଯ୍ୟାଳୟ ସ୍ଥାନାନ୍ତରଣ ପାଇଁ ସରକାରୀସ୍ତରରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ସେତେବେଳେ ହିଁ ଏହାକୁ ନେଇ ତୀବ୍ର ବିରୋଧ ଆଉ ପ୍ରତିବାଦ ଦେଖିବାକୁ ମିଳିଥିଲା । ଏମିତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଆଇସିସିଆରକୁ ଚିଠି ଲେଖିବା ପରେ ନିଷ୍ପତ୍ତି ସ୍ଥଗିତ ରହିଥିଲା । ଏବେ କିନ୍ତୁ ହଠାତ ଏମିତି ନିଷ୍ପତ୍ତିକୁ ନେଇ ଖପ୍ପା ସଂସ୍କୃତି ଗବେଷକ ଓ କଳାକାର ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ କେନ୍ଦ୍ର ସରକାର ତୁରନ୍ତ ଏ ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।

ରାଜ୍ୟର ଲୁକ୍କାୟିତ ଲୋକକଳାକୁ ଲୋକଲୋଚନକୁ ଆଣିବା, ଦେଶବିଦେଶର ଏହାର ବହୁଳ ପ୍ରଚାର ପ୍ରସାର ସହ ଅନୁନ୍ନତ ରାଷ୍ଟ୍ରର ପିଲାଙ୍କୁ ଆଣି ଓଡିଶା ସଂସ୍କୃତି ଓ କଳା ବିଷୟରେ ଶିକ୍ଷା ଦାନ କରିବା ଥିଲା ଅଇସିସିଆରର ଲକ୍ଷ୍ୟ । ଆଉ ସେଥିପାଇଁ ୨୦୦୯ରେ କଟକ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଖୋଲିଥିଲା ଏହାର ଆଞ୍ଚଳିକ କାର୍ଯ୍ୟାଳୟ । ପରେ ୨୦୧୫ରୁ ପଳାଶପଲ୍ଲୀ ସ୍ଥିତ ଏକ ଭଡା ଘରେ ଚାଲି ଆସୁଛି ଏହି କାର୍ଯ୍ୟାଳୟ ।