‘ନା ମୁଁ ତତେ ଭୁଲିବି ନା ତୁ ମତେ ଭୁଲିବୁ’

ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍‌ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି ଫ୍ଲୋର୍‌। ଯିଏ ତାଙ୍କ ରିପୋର୍ଟିଂର ଦିୱାନା ସେମାନେ ଆଜି ବି ସ୍କ୍ରିନ୍‌ରେ ଖୋଜୁଛନ୍ତି ଅରିନ୍ଦମଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଆପଣ ସବୁବେଳେ ମନେ ରହିବେ ଅରିନ୍ଦମ ଭାଇ ।’

Arindam Das

ଅଫେରା ବାଟର ବାଟୋଇ ଓଟିଭିର ଚିଫ୍‌ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସ । ବନ୍ୟା, ବାତ୍ୟା ହେଉ ବା ପୂଜାପାର୍ବଣ, ସବୁଥିରେ ରିପୋର୍ଟିଂ ପାଇଁ ଆଗୁଆ ରହୁଥିଲେ ଅରିନ୍ଦମ । ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏବେ ବି ମନେ ପଡ଼ିଯାଏ ତାଙ୍କର ସେହି ଗ୍ରାଉଣ୍ତ ଜିରୋର ରିପୋର୍ଟିଂ । ସେ ଦିନର ସେହି ହୃଦୟ ବିଦାରକ ଦୃଶ୍ୟ କଥା ମନେ ପକାଇଲେ ଏବେ ବି ଲୋମ ଟାଙ୍କୁରି ଉଠୁଛି । ଏବେ ବି ବିଶ୍ୱାସ ହେଉନି ଯେ, ସେ ଆଜି ଆମ ଗହଣରେ ନାହାନ୍ତି । ବର୍ଷଟେ ବିତିଯାଇଛି।  ଆଜି ବି ବନ୍ୟା ହେଉ ବା ବାତ୍ୟା ହେଲେ ଟିଭିରେ ସିଧା ଲାଇଭ୍‌ କଭ୍‌ରେଜ୍‌ ଚାଲୁଛି, କିନ୍ତୁ ଟିଭି ସ୍କିନ୍‌ଟି କାହିଁକି କେଜାଣି ଖାଲି ଖାଲି ଦିଶୁଛି । ଆଜି ବି କ୍ୟାମେରା ସେହି ମଣିଷକୁ ଖୋଜୁଛି, ଯିଏ ଦିନେ ବନ୍ୟା ବାତ୍ୟାରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ଲାଗି ପଡ଼ୁଥିଲା । ଏବେ ଖାଲି ବାକି ରହିଯାଇଛି ତ ତାଙ୍କର ସ୍ମୃତି । ତାଙ୍କ ସ୍ମୃତିରେ ନିଜର ଅନୁଭୂତିକୁ ବଖାଣିଛନ୍ତି ଓଟିଭିର ସିନିୟର ନ୍ୟୁଜ୍‌ ଆଙ୍କର ଭବାନୀ ମହାପାତ୍ର ।

‘ଔ ସାମ୍ କୁଛ୍ ଅଯିବ୍ ଥି, ୟେ ସାମ୍ ଭି କୁଛ୍ ଅଜିବ୍ ହେ… ଔ କାଲ୍ ଭି ମେରେ ପାସ୍ ପାସ୍ ଥା ଔ ଆଜ୍ ଭି ମେରେ ପାସ୍ ହୈ’… ଫରକ୍ ଆଉ ତଫାତ୍ କେବଳ ଏତିକି ଯେ, ସେଦିନ ସେ ସାଥିରେ ଥିଲା ଆଉ ଆଜି ସେ ସ୍ମୃତିରେ। ସେ ଦିନ ସେ ଡିକାଲି ଭାଇ ବୋଲି କହୁଥିଲା, ଆଉ ଆଜି ସେ ଅରିନ୍ଦମ ଶବ୍ଦଟି ଖାଲିରେ ଫେରି ଆସୁଛି ମୋ ପାଖକୁ। ସବୁ ଜଣାଥିଲା ସମସ୍ତଙ୍କୁ।  ଖବର ପ୍ରଥମ ପୃଷ୍ଠାରୁ ଚତୁର୍ଥ ପୃଷ୍ଠାକୁ, ଆଉ ୪ର୍ଥ ପୃଷ୍ଠାରୁ ସିଧା ସ୍ମୃତିକୁ ।

ହେଲେ କେମିତି ବୁଝେଇବି ମନକୁ ? କେମିତି କହିବି ମନକୁ ଯେ, ସବୁ ଘଟି ଯାଇଥିବା ଘଟଣା ଆଉ ଥରେ ଫେରେନି।  ସମୟ କେବେ ଓଲଟି ଚାହେଁନି। ସେଦିନର ଯନ୍ତ୍ରଣା ଆଜି ବି ଛାତି ଭିତରେ। ସେଦିନର କୋହ ଆଜି ବି ମନ ଭିତରେ। ସେଦିନର ଲୁହ ଆଜି ବି ଆଖି ଭିତରେ। ନ ଜାଣି ଥିବା ଲୋକ RIP ଲେଖି ଭୁଲିଗଲେ ନ ଚିହ୍ନିଥିବା ଲୋକ So Sad କହି ରହିଗଲେ । ହେଲେ ନା ତତେ ଭୁଲି ହେବ ନା ତୋ ଜାଗା ଆଉ କେହି ନେଇ ପାରିବ? ସବୁ ସ୍ମୃତି ଅନୁଭୂତି ତୋ ସହିତ ସାଥିରେ ଚାଲିଗଲା।

 

ରାଗିବାକୁ ଇଛା ହେଉଥିଲେ ବି ସେ ରାଗ ମୋର କାହିଁକି ଲୁହରେ ବୋହିଗଲା। ତୋ ହସ ହସ ମୁହଁ, ତୋ ଚଞ୍ଚଳ ଆଖି, ଆଉ ମତେ ପ୍ରତି କଥାରେ ଛିଗୁଲୋଉଥିବା ଓଠ, ବହୁତ୍ ମନେ ପଡ଼ୁଛିରେ ଅରିନ୍ଦମ । ପ୍ରତି ଥର ଭଳି ଏଥର ବି ଗଣେଶ ପୂଜା ହୋଇଥିଲା ଅଫିସ୍‌ରେ, ଆଉ ବିଧି ନେଇ ଗଣେଶଙ୍କୁ ବିସର୍ଜନ ବି କରାଗଲା । ହେଲେ ନା ତୁ ଥିଲୁ ନା ସେ ଗଣେଶ ପୂଜାର ମଜା । ସବୁ ଯେମିତି ଫିକା ଫିକା ଲାଗୁଥିଲା । ସମସ୍ତଙ୍କ ଆଖି ଯେମିତି ତତେ ଖୋଜୁଥାଏ, ଏକଥା ଜାଣିବି ଯେ, ଅରିନ୍ଦମ ଅଫେରନ୍ତା ବାଟର ବାଟୋଇ।

ଅନେକ କଥା, ଅନେକ ସ୍ୱପ୍ନ ତୋର୍ ବି ଥିଲା। ଅନେକ ବାଟ ଚାଲିବାର ପ୍ରତିଶ୍ରୁତି ତୁ ବି ନେଇଥିଲୁ। ଭୁଲ୍ କାହାର କେଉଁଠି, କିଏ ଭୁଲ୍ ସମୟକୁ ଦେଲେ ତ କିଏ ଘଟଣାକୁ, ହେଲେ ମୁଁ ତ କହିବି ଅରିନ୍ଦମ ବୋଧହୁଏ ସମ୍ପର୍କ ସେତିକି ଦିନର ହିଁ ଥିଲା। ନା ରେ? ଆଜି ବି ତୋ ଗାଁରେ ତୋ ଜାଗା ଖାଲି ପଡ଼ିଛି, ଆଜି ବି ତୋ ନାଁରେ ଲୁହ ଝରୁଛି । ଆଜି ବି ଅରିନ୍ଦମ ସେ ଚା କପ୍ ରେ ତିନି ଚାମଚ୍ ଚିନି ଫିକା ଲାଗୁଛି। ବେଳେ ବେଳେ ଚା’ ପିଇଲା ବେଳେ ବିଭୂତି ଦୁଇ କପ୍ ଚା ବଢ଼ାଇ ଦେଉଛି । ପଚାରିଲେ ଅନ୍ୟମନସ୍କରେ ପଚାରି ଦେଉଛି ଭାଇ ଆସିବେନି କି? ସେ ବି ଜାଣିଛି ଭାଇ ଆଉ କେବେ ଆସିବେନି। ହେଲେ ଅଭ୍ୟାସ ପରା ।

ତୋ ପାର୍ଟନର୍ ପ୍ରଭାତ୍ ସବୁବେଳେ କହୁଛି, ଭାଇ ମୁଁ ନ ଚାହିଁଲେ ବି କ୍ୟାମେରା ଭିତରକୁ ଭାଇ ପଳେଇ ଆସୁଛନ୍ତି । ଆଉ ଦେବାଶିଷ ଏଇ ବନ୍ୟାବେଳେ ତୋତେ ମନେ ପକାଉଥିଲା । କହୁଥିଲା ଭବାନୀ ଭାଇ ବନ୍ୟା ପାଣି ମାଡ଼ି ଆସୁଛି, ମୁଣ୍ଡଳୀ ଯିବାକୁ ମନ କରୁନି । ଗଲା ମାନେ ଅରି ଭାଇ ମନେ ପଡ଼ିବ କହି କାନ୍ଦି ପକାଇଲା ।

କିଏ ମନେ ନ ପକାଉଛି କହିଲୁ? ଜଗଦୀଶ, ହରି, କପିଲ୍, ବିବର୍ତ୍ତନ, ରେଡ୍ଡି, ଅତୁଲ୍ୟ, ବଳରାମ ଭାଇ, ଅର୍ଚ୍ଚନା ସମସ୍ତେ । ଡେସ୍କ୍ କଥା ଛାଡ଼ି ଦେ, ତୋ ଫଟୋ ତୁ ବସୁଥିବା ଜାଗାରେ ହିଁ ବସିଛି । ଛାତି ଫାଟି ଯାଉଛି ରେ, ଜାଣିଲୁ ଏବେ ବନ୍ୟା ହୋଇଥିଲା। ସମସ୍ତେ ଥିଲେ ଆମେ ଭଲ କଲେ, ଭଲ କଭରେଜ୍ ବି ଥିଲା, ହେଲେ ସ୍କ୍ରିନ୍ କାହିଁକି ତତେ ଖୋଜୁଥିଲା ରେ । ଅଫିସ୍‌ରେ ସମସ୍ତେ କହୁଥାଆନ୍ତି, ଖାସ୍ ତୁ ଥାଆନ୍ତୁ…

ହଉ ଛାଡ଼୍, ପଚାରିବାକୁ ଇଛା ହେଉଛି, କେମିତି ଅଛୁ କହିଲୁ, କେଉଁଠି ଅଛୁ ? ଜନ୍ମ ଆଉ ମୃତ୍ୟୁ ଯଦି ଗୋଟେ ପ୍ରକ୍ରିୟା ତାହାଲେ ତୁ କେବେ ଆସିବୁ ? ସତରେ ଅରିନ୍ଦମ୍ ଆମେ ଆଉ କ’ଣ ମିଶି ପାରିବା ? ଆଉ କଣ ମୁଁ ପଚାରି ପାରିବି ଅରିନ୍ଦମ ଏ ଖବରକୁ ନେଇ ଅପଡେଟ୍ କଣ? ଆଉ ତୁ କହୁଥିବୁ, ହଁ ଭବାନୀ । ଛାଡ୍ ଆଉ କଷ୍ଟ ଦେଏନା, ବହୁତ୍ ମନେ ପଡ଼ୁଛୁ । କହିଲୁ ଆଉ କଣ ଭାଇ ବୋଲି ଡାକିବୁନି? ଆଉ କଣ ଚା’ ଖଟିରେ ୧୫ ଟଙ୍କା ପାଇଁ ଝଗଡ଼ା କରିବାନି ? ବୋଧହୁଏ ତାହା ସମ୍ଭବ ନୁହେଁ।

ଗୋଟେ କଥା ଦେବୁ ନା ? ଯେମିତି ସାଥିରେ ଥିଲୁ ସେମିତି ସ୍ମୃତିରେ ରହିବୁ । ନା ମୁଁ ତତେ ଭୁଲିବି ନା ତୁ ମତେ ଭୁଲିବୁ ? ଆମ କଥା ଛାଡ୍, ଘର କଥା ଟିକେ ବୁଝୁଥିବୁ । ଯୋଉଠି ବି ଥା ଭଲରେ ଥା, ଅରିନ୍ଦମ ହେଇ ଥା । ବିଲକୁଲ କୁଲ୍..ବିନ୍ଦାସ୍..ବେଫିକର୍ ବାଦଶାହା… Miss you… ଅରିନ୍ଦମ୍…