ରକ୍ଷକ ସାଜିଲା ଭକ୍ଷକ ! ପୋଲିସ୍ ନାଁରେ ଛେଳି ଚୋରି ଅଭିଯୋଗ

ଛେଳି ଚୋରି କଲେ ପୋଲିସ୍ ବାବୁ । ଧନ, ଜନକୁ ସୁରକ୍ଷା ଦେବେ କ’ଣ ନିଜେ ଚୋରି କଲେ । ଏବେ ଅଭିଯୋଗ ଦେବାକୁ ସାଧାରଣ ମଣିଷ ଯିବ କୁଆଡ଼େ ?

୨ଟି ଛେଳି ନେଇ ମାରି କରି ଖାଇ ଦେଇଛନ୍ତି ପୋଲିସ୍‌

 ରକ୍ଷକ ସାଜିଲା ଭକ୍ଷକ । ପୋଲିସ ବିରୋଧରେ ଚୋରି ଅଭିଯୋଗ ହୋଇଛି । କଥାଟା ଅଜବ ଲାଗିପାରେ ଶୁଣିବା ପାଇଁ ଗଜବ ଲାଗିପାରେ କିନ୍ତୁ ସତ ! ସାରା ରାଜ୍ୟରେ ଜିରୋନାଇଟ ସେଲିବ୍ରେସନକୁ ବାରଣ କରିବା ପାଇଁ ଜାଡ ଶୀତରେ ପୋଲିସ ଡ୍ୟୁଟି କରୁଥିବା ବେଳେ ସିନ୍ଧେକେଲା ଥାନା ଘେରାଉ କରିଥିଲେ ସାଧରଣ ଲୋକେ । ସାଧାରଣ ଲୋକଙ୍କ ଛେଳି ଚୋରି କରି ଭୋଜି କରୁଥିଲେ ପୋଲିସ ବାବୁ । ଠିକ ସମୟରେ ଛେଳି ମାଳିକ ଯାଇ ଜାଗା ଉପରେ ପହଞ୍ଚିଥିଲା । କିନ୍ତୁ ଚୋରି ମାନିବା ତ ଦୂରର କଥା, ଓଲଟା ଛେଳି ମାଳିକକୁ ଅଟକ ରଖିଥିଲେ ପୋଲିସ ବାବୁ । କଥା ପ୍ରଘଟ ହେଲା ପରେ ଥାନା ଘେରାଉ କଲେ ସାଧାରଣ ଲୋକେ । ଅନୁପସ୍ଥିତ ଥିବା ଥାନାବାବୁ ବିଳିମ୍ବିତ ରାତିରେ ପହଞ୍ଚି ଲୋକଙ୍କୁ ବୁଝାସୁଜା କଲେ । କିନ୍ତୁ ପୋଲିସର ଛେଳି ଚୋରିକୁ ନେଇ, ଏବେ ଚର୍ଚ୍ଚା ସ୍କାନରରେ ଏଏସଆଇ ।

ସଂକୀର୍ତ୍ତନ ଗୁରୁ ନାମକ ବ୍ୟକ୍ତିଙ୍କ ଦୁଇଟି ଛେଳି ଚୋରି କରିନେଇଥିଲେ ପୋଲିସ ବାବୁ । ସବୁଦିନ ଭଳି ସଂକୀର୍ତ୍ତନଙ୍କ ଛେଳି ଏଣେ ତେଣେ ବୁଳୁବୁଳୁ ଥାନା ଭିତରେ ଥିବା କଅଁଳିଆ ପତ୍ର ଖାଇବାକୁ ପଶି ଯାଇଥିଲା । ଛେଳି ଦେଖି ଲୋଭ ସମ୍ଭାଲି ପାରିନଥିଲେ ଥାନାର ଏସ୍. ଆଇ ସୁମନ ମଲ୍ଲିକ । କିଛି ସହଯୋଗୀଙ୍କ ସହାୟତାର, ଦୁଇଟି ଛେଲିକୁ କାବୁ କରି ତୁରନ୍ତ ହାଣି ପକାଇଥିଲେ । ହେଲେ ଛେଳି ଖୋଜି ଖୋଜି ନପାଇବାରୁ ଥାନା ଭିତରେ ପହଞ୍ଚିଥିଲେ ସଂକୀର୍ତ୍ତନଙ୍କ ଝିଅ । ଆଉ ପୋଲିସ୍ ବାବୁ ଛେଳିକୁ ହାଣୁଥିବା ଦେଖି ବାପାଙ୍କୁ ଖବର ଦେଲେ । ଉଭୟ ବାପା,ଝିଅ ପ୍ରତିବାଦ କରି ରକ୍ତ ଜୁଡୁବୁଡୁ ଛେଳିକୁ ଥାନାରୁ ଧରି ଆଣୁଥିବା ବେଲେ ନାଲି ଆଖି ଦେଖାଇଥିଲେ ପୋଲିସ ବାବୁ । ଛେଳି ମାଳିକକୁ ଥାନାରେ ଅଟକ ରଖିଦେଲେ ।

ତେବେ ଏହି କଥା ଶେଷରେ ପ୍ରଘଟ ହେଲା । ଚୋରି କରି ପୋଲିସ ବିରୋଧରେ ସିନାଜୋରୀର ଅଭିଯୋଗ ଆସିଲା । ଖୋଦ ଚୋରି କରି ପୋଲିସର ଦାଦାଗିରି ବିରୋଧରେ ଏକାଠି ହେଲେ । ସାଧାରଣ ଲୋକେ ଥାନା ଘେରାଉ କଲେ । ପରିସ୍ଥିତି ବିଗୁଡିଥିବା ଦେଖି ସଂପୃକ୍ତ ଏସ୍.ଆଇ ସୁମନ ମଲ୍ଳିକକୁ ଫେରାର କରାଇଦେଲେ ଅନ୍ୟ ସହଯୋଗୀ । ବିଲମ୍ବିତ ରାତି ଯାଏ, ଥାନାକୁ ଘେରାଉ କରି ରଖିଥିଲେ ସିନ୍ଧେକେଲାର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସାଧାରଣ ଲୋକେ । ଅଟକ ଛେଳି ମାଳିକ ସଂକିର୍ତ୍ତନ ଗୁରୁଙ୍କୁ ଥାନାରୁ ଛାଡିଦେଲା ପୋଲିସ । ଆଉ ଠିକ ଏତିକି ବେଳେ ଥାନାରେ ଏଣ୍ଟ୍ରି ମାରିଥିଲେ ଥାନା ବାବୁ ଆଲୋକ କୁମାର ବେହେରା । ପରିସ୍ଥିତି ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

ଛେଳି ମାଳିକ ଓ ତାଙ୍କ ଝିଅ ସମେତ ଅନ୍ୟ ଲୋକ ମାନଙ୍କୁ ନିଜ ଚାମ୍ବରକୁ ଡକାଇ ମିଠା ମିଠା ଧମକ ଦେଲେ ଥାନାବାବୁ । କହିଲେ ଶଗଡଗାଡିରେ ଲୋକ ମଲେ, କିଛି ଦୋଷ ନାହିଁ । କିନ୍ତୁ ମଟରଗାଡି ଦୁର୍ଘଟଣାରେ ଲୋକ ମରିଗଲେ, ଡ୍ରାଇଭରକୁ ବେଲ ମିଲିଯାଏ । ପରୋକ୍ଷରେ ଥାନାବାବୁ କହିଥିଲେ, ପୋଲିସ ବିରୋଧରେ ଅଭିଯୋଗ କଲେ କିଛି ଲାଭ ।

 

ମନୋରଞ୍ଜନ ଯୋଶୀ ଓ ଅନ୍ତିମ ପାଣିଗ୍ରାହୀଙ୍କ ରିପୋର୍ଟ