ମୁକ୍ତ ଆକାଶରେ ଉଡ଼ିବାର ଇଚ୍ଛା : ଲାଲଗଡ଼ ଛାଡ଼ି ଏବେ ଟେଲରିଂ ଶିଖାଉଛନ୍ତି ସୁଲୋଚନା

ସେ ଏବେ ପୋଷାକ ତିଆରି କରି ପେଟ ପୋଷୁଛନ୍ତି ।

ଲାଲଗଡ଼ରୁ ସୁଲୋଚନାଙ୍କ ସଂଘର୍ଷର କାହାଣୀ

ଲାଲଗଡ଼ରୁ ସୁଲୋଚନାଙ୍କ ସଂଘର୍ଷର କାହାଣୀ । ପୂର୍ବରୁ ବନ୍ଧୁକ ଧରୁଥିଲେ ଏବେ ଟେଲର ମାଷ୍ଟର । ୧୪ ବର୍ଷ ବୟସରେ ଘର ଛାଡ଼ିଥିଲେ, ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ଏରିଆ କମାଣ୍ଡର ଭାବେ ଲାଲ୍ କରିଡର ନେତ୍ରୀ ସାଜିଥିଲେ । ସମୟ ସହ ସ୍ଥିତି ବଦଳିଛି । ଏବେ ପୋଷାକ ତିଆରି କରି ପେଟ ପୋଷିବା ସହ ଅନ୍ୟଙ୍କୁ ଦେଉଛନ୍ତି ମାଗଣା ଟ୍ରେନିଂ ।

ଆଖିରେ ଆଖିଏ ସ୍ୱପ୍ନ । ଅସରନ୍ତି ଆକାଶରେ ପୁଣି ଥରେ ଉଡ଼ିବାର ଆଶା । ନୂଆ ଜୀବନ ଆରମ୍ଭ କରିବାର ଜିଦଖୋର୍ ନିଶା । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ମେଘପାଳ ପଞ୍ଚାୟତର ଟାମ୍ପରସିଂହାରର ସୁଲୋଚନା ଗଡ଼ନାୟକଙ୍କୁ ଦେଇଛି ନୂଆ ପରିଚୟ । ଏବେ ସେ ସୁଲୋଚନା ମିର୍ଦ୍ଧା ଓରଫ ଗୀତା ନାଁରେ ପରିଚିତ । ମାଓ ସଙ୍ଗଠନର ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ ଜୋନ୍ ଏରିଆ କମାଣ୍ଡର ସୁଲୋଚନା ଏବେ ଟେଲର ମାଷ୍ଟର । ଜେଲରୁ ଫେରିବା ପରେ ସେ ମେଘପାଳ ଛକରେ ଆତ୍ମନିର୍ଭରଶୀଳ ହୋଇ ଛୋଟିଆ ଟେଲର ଦୋକାନଟିଏ କରିଛନ୍ତି । ତା ସହ ସ୍ଥାନୀୟ ଯୁବତୀଙ୍କୁ ଦେଉଛନ୍ତି ମାଗଣା ଟ୍ରେନିଂ । ଅନ୍ଧାରୀ ମୂଲକର ଅଙ୍କାବଙ୍କା ବାଟ ଛାଡ଼ି ସେ ଏବେ ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ।

୨୦୦୪ ଡିସେମ୍ବର ମାସରେ ବୟସ ମାତ୍ର ୧୪ ବୟସରେ ମାଓ ନେତା ଗିରିଶ ମାହାତୋଙ୍କ ନେତୃତ୍ୱରେ ସଙ୍ଗଠନରେ ସାମିଲ ହୋଇଥିଲେ ଗୀତା । ପରେ ଏରିଆ କମାଣ୍ଡର ଓ ପ୍ଲାଟୁନ୍ କମାଣ୍ଡର ଭାବେ ଦାୟିତ୍ଵ ତୁଲାଇଥିଲେ । ସେଠାରେ ବନ୍ଧୁ ସହଯୋଗୀ ଟାମ୍ପରସିଂହାର ଗଣେଶ ମିର୍ଦ୍ଧାଙ୍କୁ ପ୍ରେମ ବିବାହ କରିଥିଲେ । ସ୍ୱାମୀ ୨୦୦୭ ଓ ସେ ୨୦୧୧ରେ ପୋଲିସ୍ ହାତରେ ଧରା ପଡ଼ି ଜେଲ୍ ଦଣ୍ଡ ଭୋଗିଥିଲେ । ହେଲେ ସେଠାରୁ ଫେରିବା ପରେ କେବେ ପଛକୁ ଫେରି ଚାହିଁନାହାନ୍ତି। ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଆତ୍ମନିର୍ଭରଶୀଳ ହୋଇଛନ୍ତି ।

ବରେନ୍ଦ୍ର ନାଥ ପଣ୍ଡା