ମଣିଷ ଓ ପକ୍ଷୀର ଭିନ୍ନ ଏକ ପ୍ରେମ କାହାଣୀ, ଖୁସି ଦେଲା ଦୁଃଖ ବି ଦେଲା କୋକୋ

ଘରେ ଶୁଆ ରଖିବା ବେଆଇନ୍ । ଏହା ଶୁଣି ଭୋ ଭୋ ହୋଇ କାନ୍ଦିଲେ ସସ୍ମିତା । ହେଲେ ପ୍ରେମ ବଡ ନା ଆଇନ ବଡ । ଏମିତି ଏକ ଦୋଛକିରେ ପଡିଗଲେ ସେ । ଆପଣ କୁହନ୍ତୁ ନା କିଏ ବଡ । 

ମଣିଷ ଓ ପକ୍ଷୀର ପ୍ରେମ କାହାଣୀ

ମଣିଷ ଓ ପକ୍ଷୀର ଏକ ନିଆରା ପ୍ରେମ କାହାଣୀକୁ ନେଇ ଏବେ ଭାରି ଚର୍ଚ୍ଚା । କଟକ ସହରରେ ରହୁଥିବା ପ୍ରଫେସର ସସ୍ମିତା ବେହେରାଙ୍କ ପରିବାର ଏଇମିତି ଏକ ପକ୍ଷୀ ପ୍ରେମରେ ପଡିଛନ୍ତି । ଏଇ ପକ୍ଷୀଟି ହେଉଛି ଶୁଆ  ‘କୋକୋ‘ । ଆହତ ହୋଇଥିବା କୋକୋକୁ ସେ ବର୍ଷକ ତଳେ ଉଦ୍ଧାର କରି ଘରକୁ ଆଣିଥିଲେ । ବାସ୍ , ତା ପରଠୁ କୋକୋ ପାଲଟିଗଲା ତାଙ୍କ ଘରର ସଦସ୍ୟ । 

କୋକୋକୁ ସେ ଘରକୁ ଆଣିବା ପରେ ପୁଅ ଭଳି ପାଳିଲେ । ତାକୁ ସେ କେବେ ପଞ୍ଜୁରୀରେ ରଖିନଥିଲେ । ଘର ସଦସ୍ୟଙ୍କ ପରି ଘର ଭିତରେ ବୁଲୁଥିଲା କୋକୋ । କାନ୍ଧରେ ବସୁଥିଲା, ଗୋଡରେ ବସୁଥିଲା । ଘର ବାହାରକୁ ଆସି ଗଛରେ ବି ବସୁଥିଲା । ତା ପାଇଁ କୌଣସି ବନ୍ଧନ ନଥିଲା । ତେବେ ସେ ସସ୍ମିତାଙ୍କ ପ୍ରେମରେ ବାନ୍ଧି ହୋଇ ସାରିଥିଲା । ତା ପାଇଁ ସବୁବେଳେ ଖାଇବା ଖଞ୍ଜା ହୋଇ ରହୁଥିଲା । ନାଁ ଧରି ଡାକିଲେ ପ୍ରତ୍ୟୁତ୍ତର ଦେଉଥିଲା । 

ତେବେ କିଛିଦିନ ତଳେ ମାସ୍କ ପିନ୍ଧିଥିବା କିଛି ଲୋକଙ୍କୁ ଦେଖି ହଠାତ୍  କୋକୋ ଡରିଯାଇଥିଲା । ବୋଧ ହୁଏ ଡରରେ ଉଡି ଚାଲିଗଲା । ବହୁତ ଖୋଜାଖୋଜି କରିବା ପରେ ବି ମିଳିନଥିଲା କୋକୋ । କୋକୋକୁ ପାଇ ଫେରାଇଦେଲେ, 5 ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କଲେ ସସ୍ମିତା । କଟକ ସହରରେ ଏ ସଂପର୍କରେ ପୋଷ୍ଟର ମାରିଲେ । ଗଣମାଧ୍ୟମରେ ସୂଚନା ବି ଦେଲେ । କୋକୋ ନିଖୋଜ ହୋଇଯିବା ପରେ ଠିକରେ ଖିଆପିଆ ବି କରିପାରିଲେନି ସସ୍ମିତା ।

 

ତେବେ ନିଖୋଜ ହେବାର 12 ଦିନ ପରେ ଶୁଆକୁ ଭୁବନେଶ୍ୱରର କେଶୁରା ଅଞ୍ଚଳରୁ କୁଆଖାଇ ନଦୀ କୂଳରୁ ଉଦ୍ଧାର କରାଗଲା । ଜଣେ ବ୍ୟକ୍ତି କୋକୋକୁ ପାଇ ସସ୍ମିତାଙ୍କୁ ଖବର ଦେଲେ । ଭୁବନେଶ୍ୱରରୁ କୋକୋକୁ ନେଇ କଟକ ଗଲେ ସସ୍ମିତା । କହିଲେ ଏହା ତାଙ୍କ ଜୀବନର ଏକ ଆନନ୍ଦର ମୁହୂର୍ତ୍ତ । ତାକୁ ପାଇବା ଏକ ମିରାକିଲ୍ ବୋଲି କହିଲେ । 
ସସ୍ମିତାଙ୍କ ଏଇ ଖୁସି ବେଶୀ ସମୟ ରହିଲାନି । ତାଙ୍କ ଘରେ ପହଞ୍ଚିଗଲେ ବନ ବିଭାଗର କର୍ମଚାରୀ । କାହିଁକି ନା ଘରେ ଶୁଆ ରଖିବା ବେଆଇନ୍ । ଏହା ଶୁଣି ଭୋ ଭୋ ହୋଇ କାନ୍ଦିଲେ ସସ୍ମିତା । ହେଲେ ପ୍ରେମ ବଡ ନା ଆଇନ ବଡ । ଏମିତି ଏକ ଦୋଛକିରେ ପଡିଗଲେ ସେ । ଆପଣ କୁହନ୍ତୁ ନା କିଏ ବଡ । 

ଶେଷରେ ସର୍ତ୍ତ ରଖି କୋକୋକୁ ଛାଡିବାକୁ ରାଜି ହେଲେ ସସ୍ମିତା ।  କୋକୋ ଭଲରେ ରହିବ । ଡାକ୍ତର ତାର ଚିକିତ୍ସା କରିବେ । ସେ ମଝିରେ ମଝିରେ କୋକୋକୁ ଦେଖିବାକୁ ଆସିବେ । ତାହା ହିଁ ହେଲା । ବନ ବିଭାଗ କର୍ମଚାରୀ କୋକୋକୁ ନେଇଗଲେ । କାନ୍ଦି କାନ୍ଦି ଶୁଆକୁ ବିଦାୟ ଦେଲେ ସସ୍ମିତା । ସତରେ ପୁଅ ଭଳି ପାଳିଥିବା କୋକୋ ପାଇଁ ତାଙ୍କର ବାତ୍ସଲ୍ୟ ମମତାର ତୁଳନା ନାହିଁ । ଇତିହାସରେ ଲିପିବଦ୍ଧ ହୋଇଗଲା ଏକ ନିଆରା ପ୍ରେମ କାହାଣୀ ।