ବରକୁ ୯୫, କନ୍ୟାକୁ ୮୪ : ହନିମୁନ୍ ପାଇଁ ଅଷ୍ଟ୍ରେଲିଆ ଯିବେ ନବଦମ୍ପତି

ଯେଉଁ ଚର୍ଚ୍ଚରେ ପ୍ରଥମ ଦେଖା ହୋଇଥିଲା, ସେଠାରେ କଲେ ପ୍ରେମ ବିବାହ ।

ବ୍ରିଟେନରେ ଏକ ନିଆରା ପ୍ରେମକାହାଣୀକୁ ନଇ ଚର୍ଚ୍ଚା

‘ଅଗର ତୁମ କିସି ଚିଜ୍‌ କୋ ଦିଲ୍‌ ସେ ଚାହୋ, ତୋ ସାରି କାୟନାଥ ଉସେ ତୁମସେ ମିଲାନେ ମେ ଲଗଯାତି ହେ’ । ଓମ ଶାନ୍ତି ଓମ ଚଳଚ୍ଚିତ୍ରର ଏହି ଲୋକପ୍ରିୟ ସଂଳାପ ଆଜି ଅକ୍ଷରେ ଅକ୍ଷରେ ସତ ହୋଇଛି । ବୟସର ଅପରାହ୍ନରେ ସଫଳ ହୋଇଛି ବୃଦ୍ଧ ବୃଦ୍ଧାଙ୍କ ଅଧୁରା ପ୍ରେମକାହାଣୀ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୯୫ ବର୍ଷିୟ ବର ଓ ୮୪ ବର୍ଷିୟା କନିଆ । ବ୍ରିଟେନରେ ଏପରି ଏକ ନିଆରା ପ୍ରେମକାହାଣୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

୮୪ ବର୍ଷିୟା ବେନେରି ୱିଲିୟମ୍ସ ଏବଂ ୯୫ ବର୍ଷ ବୟସ୍କ ଜୁଲିୟମ୍‌ ମୟଲ୍ । ଉଭୟେ ଉଭୟଙ୍କ ପ୍ରେମରେ ଅନ୍ଧ । ଆଜି ଠାରୁ ୨୩ ବର୍ଷ ପୂର୍ବେ ସେମାନେ ଏକ ଚର୍ଚ୍ଚରେ ପରସ୍ପରକୁ ଭେଟିଥିଲେ । ପ୍ରଥମ ଦେଖାରେ ହିଁ ପ୍ରେମ ହୋଇ ଯାଇଥିଲା । ହେଲେ ସେତେବେଳେ ଜୁଲିୟମ୍‌ ମୟଲ, ବେନେରି ୱିଲିୟମ୍ସଙ୍କୁ ପ୍ରେମ ନିବେଦନ କରିପାରିନଥିଲେ । ମନର କଥା ମନରେ ରହିଯାଇଥିଲା । ହେଲେ ଭଗବାନଙ୍କ ଲୀଳା ଥିଲା ଅତି ବିଚିତ୍ର । ପୁଣି ଥରେ ସେମାନଙ୍କର ଦେଖା ହେଲା । ଏଥର କିନ୍ତୁ ଡେରି କରିନଥିଲେ   ଜୁଲିୟମ୍‌ ।

 ବୟସର ସାୟାହ୍ନରେ ହୃଦୟ ଖୋଲି ପ୍ରେମିକା ସାମ୍ନାରେ ସେ ନିଜ ପ୍ରେମ ଜାହିର କରିଥିଲେ । ଆଉ ବେନେରି ମଧ୍ୟ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ।  ସେହି ଅଧୁରା ପ୍ରେମ କାହାଣୀକୁ ସତ କରିବାକୁ ଯାଇ ଚଳିତ ବର୍ଷ ଫେବୃଆରୀ ମାସରେ ଶେଷରେ ବିବାହ ପ୍ରସ୍ତାବ ଦେଇଥିଲେ ଜୁଲିୟମ୍‌ । ଆଉ ତା’ପରେ ମେ ୧୯ରେ ଉଭୟେ ୟୁକେର ସେହି ଚର୍ଚ୍ଚରେ ବିବାହ କରିଛନ୍ତି, ଯେଉଁଠାରେ ସେମାନଙ୍କର ପ୍ରଥମ ଦେଖା ହୋଇଥିଲା ।

୪୦ ଜଣ ବନ୍ଧୁଙ୍କ ଗହଣରେ ବିବାହ ହୋଇଛି

କଲଭାରୀ ବାପ୍ଟିଷ୍ଟ ଚର୍ଚ୍ଚରେ ଖୁବ ଧୁମଧମାରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ବିବାହ ଉତ୍ସବରେ ପ୍ରାୟ ୪୦ ରୁ ଅଧିକର ପରିବାର ଲୋକ ଉପସ୍ଥିତ ଥିଲେ । ତେବେ ବିବାହ କରିବା ପରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ଦମ୍ପତି । ଏହା ସେମାନଙ୍କ ଜୀବନରେ ଖୁବ ଅପ୍ରତ୍ୟାଶିତ ଓ ଏକ ନୂଆ ଆରମ୍ଭ ବୋଲି କହିଛନ୍ତି । ବର୍ତ୍ତମାନ ନବଦମ୍ପତି ଏକାଠି ରହି ବାକି ଜୀବନ କଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଚଳିତ ବର୍ଷ ଶେଷରେ ଜୁଲିଆନଙ୍କ ଜନ୍ମମାଟି ଅଷ୍ଟ୍ରେଲିଆରେ ହନିମୁନ୍‌ ମନାଇବେ ବୋଲି କହିଛନ୍ତି ।