• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେବଳ ଟଏଲେଟ୍ କି କ୍ଲକ ରୁମ୍ ନିର୍ମାଣରେ ସୀମିତ ନରହୁ ଶ୍ରୀମନ୍ଦିର ଐତିହ୍ୟକରିଡର ପ୍ରକଳ୍ପ । ବରଂ ଭକ୍ତଙ୍କୁ ସୁଲଭ ଦରରେ ମହାପ୍ରସାଦ ଯୋଗାଣ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧାତ୍ମିକ ପରିବେଶ ସୃଷ୍ଟି ପାଇଁ ହେଉ ସନାତନ ଧର୍ମର ଚାରି ଯଜ୍ଞର ବ୍ୟବସ୍ଥା । ଏଭଳି ଅଭିନବ ପରିକଳ୍ପନା ବିଷୟରେ ପ୍ରସ୍ତାବ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି ଅବଗତ କରାଇଥିବା ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଗଜପତିଙ୍କର କ’ଣ ସେ ଅଭିନବ ପରିକଳ୍ପନା ଆସନ୍ତୁ ଜାଣିବା...

ଭାରତର ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ସ୍ୱତନ୍ତ୍ର । ଯାହାକି ଭଗବାନ ବିଷ୍ଣୁଙ୍କ ଭୋଜନ କ୍ଷେତ୍ର ଭାବେ ପରିଚିତ। ତେଣୁ ଏଠାକୁ ଆସୁଥିବା ପ୍ରତିଟି ଭକ୍ତ ଜଗନ୍ନାଥ ଦର୍ଶନ ସହ ମହାପ୍ରସାଦ ସେବନ ଇଚ୍ଛା ରଖିଥାଏ। ହେଲେ ଆନନ୍ଦ ବଜାରରେ ଅବଢ଼ାର ଅସମାନ ଦର ଓ ସୀମିତ ସ୍ଥାନ ଯୋଗୁଁ ଏଥିରୁ ଅନେକ ଭକ୍ତ ବଞ୍ଚିତ ହେଉଛନ୍ତି। ତେଣୁ ତାର ପ୍ରତିକାର ପାଇଁ ଏକ ଅଭିନବ ପଦକ୍ଷେପ ଭାବେ ଅନ୍ନ ଯଜ୍ଞ କ୍ଷେତ୍ରର ନିର୍ମାଣ ଚିନ୍ତାଧାରା ରହିଥିବା- ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ଗଜପତି କହିଛନ୍ତି- ଏଥିପାଇଁ ୩ ପ୍ରକାର ଭୋଜନ ବ୍ୟବସ୍ଥା ରହିବ। ପ୍ରଥମଟିରେ ବିନାମୂଲ୍ୟରେ ଭକ୍ତଙ୍କୁ ପ୍ରତ୍ୟକ ଦିନ ନିଶୁଳ୍କ ମହାପ୍ରସାଦ ପରଷା ଯିବ। ଦ୍ୱିତୀୟ ବ୍ୟବସ୍ଥା ଆନନ୍ଦ ବଜାରରେ ରହିବ... ଯେଉଁଠି ସ୍ୱଳ୍ପ ଓ ନିର୍ଦ୍ଧାରିତ ମୂଲ୍ୟରେ ଅବଢ଼ା ମିଳିବ। ତୃତୀୟ ଭୋଜନାଳୟଟି ଶୀତତାପ ନିୟନ୍ତ୍ରିତ କୋଠରୀରେ ହେବ। ଯେଉଁଠି ଭକ୍ତମାନେ ସାମାନ୍ୟ ଉଚ୍ଚା ଦରରେ ମହାପ୍ରସାଦ ପାଇବେ।

ତେବେ ଶ୍ରୀମନ୍ଦିର ପ୍ରଶାସନ, ମ୍ୟାନେଜିଂ କମିଟି ଓ ସୁଆର ମହାସୁଆର ନିଯୋଗ ସହ ବିସ୍ତୃତ ଆଲୋଚନା ପରେ ଯାଇ ଏହାର ରୂପରେଖ ଚୂଡ଼ାନ୍ତ ହେବ ଓ ଏଥିପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାଖ ଉତ୍ତର ପାର୍ଶ୍ୱ ମଠର ସହଯୋଗ ନିଆଯିବ ବୋଲି କହିଛନ୍ତି ଗଜପତି।....

ତେବେ ଖାଲି ଅନ୍ନ ଯଜ୍ଞ ନୁହେଁ ସନାତନ ଧର୍ମର ମୂଳ ପିଣ୍ଡ ଭାବେ ବିବେଚିତ ନାମ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଘୃତ ଯଜ୍ଞର ଚିନ୍ତାଧାରା ବି ଆଗକୁ ରହିଥିବା ଓଟିଭିକୁ ଏକ୍ସକ୍ୟୁସିଭ୍ ସାକ୍ଷାତକାରରେ କହିଥିଲେ ଗଜପତି । ଘୃତଯଜ୍ଞ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଗଜପତି କହିଥିଲେ, ବୈଦିକ ପରଂପରାର ମୂଳ ଅଙ୍ଗ ଘୃତ ଯଜ୍ଞ ବା ହୋମ ଯଜ୍ଞ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଏକ ଉତ୍କଳୀୟ କାରୁକାର୍ଯ୍ୟରେ ଭବ୍ୟ ଯଜ୍ଞଶାଳା ନିର୍ମାଣ ହେବ, ଯେଉଁଥିରେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଜମାନଙ୍କ ଦାନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବିଶ୍ୱର ମଙ୍ଗଳ ପାଇଁ ଘୃତାହୃତି ଦିଆଯିବ।

ଏଥିପାଇଁ ୧୬ ଶାସନ ଓ ୩୨ କରବାଡ଼ ବ୍ରାହ୍ମଣ ନିୟୋଜିତ ହେବେ। ସେହିପରି ଏକ ଅଖଣ୍ଡ ନାମ ଯଜ୍ଞ ମଣ୍ଡପ ବି ନିର୍ମାଣ କରାଯିବାର ଯୋଜନା, ଯେଉଁଥିରେ ପୁରୀରେ ରହୁଥିବା ବିଭିନ୍ନ ସଂପ୍ରଦାୟର ମଠମାନଙ୍କରୁ ପାଳି କରି ଭକ୍ତମାମେ ଆସି ନାମ ସଂକୀର୍ତ୍ତନ କରିବେ। ଯାହାକି ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ମନରେ ଆଧାତ୍ମିକ ବାତାବରଣକୁ ଦୃଢ଼ୀଭୂତ କରିବ। ଶେଷରେ ଜ୍ଞାନ ଯଜ୍ଞ କଥା ଉଲ୍ଲେଖ କରି ଗଜପତି କହିଥିଲେ- ଭକ୍ତଟିଏ ମହାପ୍ରଭୁଙ୍କୁ ଦର୍ଶନ କରିବା ଓ ମହାପ୍ରଭୁଙ୍କ ବିଷୟରେ ଜାଣିବା ସମ୍ପୂର୍ଣ୍ଣ ଆଲଗା କଥା। ବାହାରୁ ଆସୁଥିବା ଭକ୍ତଙ୍କୁ ଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଇତିହାସ ସଂପର୍କରେ ଅବଗତ କରାଇବା ଆମର କର୍ତ୍ତବ୍ୟ।

ସେଥିପାଇଁ ଶ୍ରୀମନ୍ଦିର ପାଖରେ ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ ରହିଛି। ଯେଉଁଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଏକ ୨୦ ମିନିତ୍ ଅବଧିର ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ହେବା ସହ ଓଡ଼ିଶା ଇତିହାସ ଓ ଜଗନ୍ନାଥ ସଂସ୍କୃତି ଉପରେ ପୁସ୍ତକ ବିକ୍ରୀ କରାଯିବ। ତାଛଡ଼ା ଜଗନ୍ନାଥ ବଲ୍ଳଭସ୍ଥିତ ବହୁତଳ ପାର୍କିଂର ଉପର ମହଲାରେ ଏକ ଅଡିଟୋରିୟମ୍ କରାଯାଇ ସେଠି ଦେଶ ବିଦେଶର ସାଧୁ ସନ୍ଥଙ୍କୁ ଆଣି ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯାହାକି ଭକ୍ତମାନଙ୍କୁ ଅନନ୍ୟ ଅନୁଭବ ଆଣିଦେବ।...

ତେବେ ସନାତନ ଧର୍ମର ମୂଳ ପିଣ୍ଡ ଉପରୋକ୍ତ ଚାରି ଯଜ୍ଞର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ବି ଏ ନେଇ ପ୍ରକ୍ରିୟା ଆଗକୁ ଆଦୌ ବଢ଼ିନଥିବା କହିଛନ୍ତି ଗଜପତି ମହାରାଜ।...