ହୁତୁହୁତୁ ହୋଇ ଜଳୁଥିବା ଜଉ ଘରୁ ସୁଡଙ୍ଗରେ ପଶି ପାଣ୍ଡବ ପାଞ୍ଚ ଭାଇ ଓ ମାଆ କୁନ୍ତୀ ସିଧା ଜଙ୍ଗଲରେ ଯାଇଁ ବାହାରିଲେ। ଚାରି ଆଡେ ଅନ୍ଧକାର। ମୁହଁକୁ ମୁହଁ ଦିଶୁନଥାଏ । ଅନ୍ଧାରରେ ଜଙ୍ଗଲ ଭିତରେ ରାସ୍ତା ଜାଣିବାର ଏକ ମାତ୍ର ଉପାୟ ହେଲା ଆକାଶର ତାରା । ତାରାଙ୍କୁ ଦେଖି ଦେଖି ସେମାନେ ହାତ ଧରାଧରି ହୋଇ ଉତ୍ତର ଦିଗକୁ ଚାଲିଲେ ।
ମନରେ ଭୟ କେହି ପଛରେ ଆସୁନି ତ? ବିରୋଚନ ମଲା ନା ଆଉ କିଛି ଜାଲ ବିଛାଇଛି । ଶୀଘ୍ର ଶୀଘ୍ର ଦୂରକୁ ପଳେଇ ଯିବାରେ ମଙ୍ଗଳ। ଜଙ୍ଗଲ ଭିତରେ ଅନ୍ଧାର, କଣ୍ଟା ଝଟା, ଖାଲ ଖମା ଭିତରେ ଶୀଘ୍ର ଚାଲି ହେଉନଥାଏ । ତେଣୁ ଭୀମସେନ ମାଆ କୁନ୍ତୀଙ୍କୁ କାନ୍ଧରେ, ନକୁଳ ସହଦେବଙ୍କୁ ଦୁଇ କାଖରେ, ଯୁଧିଷ୍ଠିର ଓ ଅର୍ଜୁନଙ୍କୁ ତାଙ୍କର ଦୁଇ ବାହାରେ ବସେଇ ଏକା ଏକା ଦୃତପାଦରେ ଚାଲିବାକୁ ଲାଗିଲେ । ଅନେକ ପାହାଡ଼ି ନଦୀ, ଝରଣା ଓ ଅଙ୍କା ବଙ୍କା ରାସ୍ତା ଟପି ଅନେକ ଦୂର ପର୍ଯ୍ୟନ୍ତ ସାରା ରାତି ଓ ତା' ପର ସାରା ଦିନ ସେ ବାଟ ଚାଲୁଥା'ନ୍ତି । ଶେଷରେ ଭୀମ ଏକ ଅଜବ ଦୁର୍ଗମ ଜଙ୍ଗଲ ଭିତରେ ପ୍ରବେଶ କଲେ । ଚାରିପଟରୁ ହିଂସ୍ର ପଶୁଙ୍କ ଭୟଙ୍କର ଚିତ୍କାର ଓ ପକ୍ଷୀଙ୍କ କୋଳାହଳପୂର୍ଣ୍ଣ କଳରବ ଶୁଭୁଥାଏ । ସନ୍ଧ୍ୟା ନଇଁ ଆସୁଥାଏ । ଜଙ୍ଗଲ ବେଳକୁ ବେଳ ଆହୁରି ଅଧିକ ନିର୍ଜନ, ରହସ୍ୟମୟ ଓ ଭୟଙ୍କର ଲାଗୁଥାଏ । ଲାଗୁଥାଏ ଯେମିତି କୋଉ ପଟରୁ ତୋଫାନ ଗୋଟେ ମାଡି ଆସୁଛି ।
ଭୀମଙ୍କୁ ଛାଡି ଆଗକୁ ବଢିବାର ଧାପେ ବଳ କାହା ପାଖରେ ଆଉ ବାକି ନଥାଏ। ସମସ୍ତେ କହିଲେ ଆଜି ରାତିକ ଏଇଠି ରହିଯିବା । ଶୋଷରେ ବି ତଣ୍ଟି ଅଠା ହେଇସାରିଲାଣି । ଭୀମ ଅନ୍ୟମାନଙ୍କୁ ଏକ ବଡ ଡିମିରି ଗଛ ତଳେ ବସି ଅପେକ୍ଷା କରିବାକୁ କହି ପାଣି ସନ୍ଧାନରେ ବାହାରିଗଲେ । ଅଳ୍ପ ଦୂରରେ ଏକ ବେଶ ବଡ଼ ହ୍ରଦ ଦେଖିଲେ ସେ । ପ୍ରଥମେ ହ୍ରଦର ଥଣ୍ଡା ପାଣିରେ ଭଲରେ ଗାଧୁଆ ପାଧୁଆ ସାରି ସାଙ୍ଗରେ ପାଣି ଧରି ଫେରିଲେ ଭୀମ । ଫେରି ଆସି ଦେଖିଲେ ଭୋକ, ଅନିଦ୍ରା ଓ କ୍ଲାନ୍ତିରେ ସମସ୍ତେ ମାଟି ଅଉ ପଥର ଉପରେ ଶୋଇ ପଡିଛନ୍ତି ।
ସେଇଠି ଛିଡା ହୋଇ ଭୀମସେନ ତାଙ୍କ ମାଆ ଓ ଭାଇମାନଙ୍କୁ ଚାହିଁଲେ । ଆହାଃ ବାରଣବନ୍ତର ଭବ୍ୟ ଘରର ନରମ ଶେଜରେ କାହାକୁ ବି ନିଦ ହେଇନଥିଲା, ହେଲେ ହେଇ ଦେଖ, ଏ ନିକାଞ୍ଚନ ବଣ ଭିତରେ ମାଟି ପଥର ଉପରେ, ଗଛ ଚେରରେ ମୁଣ୍ଡ ରଖି କେତେ ଆରାମରେ ନିଶ୍ଚିନ୍ତରେ ସମସ୍ତେ ଶୋଇ ପଡିଛନ୍ତି । ମାଆ କୁନ୍ତୀଙ୍କୁ ଅନେଇ ଭୀମ ଭାବୁଥାନ୍ତି ରାଜକୁମାରୀ, ରାଜରାଣୀ ମାଆ ତାଙ୍କର ଶେଷରେ ଧୂଳି ମାଟିର ଶେଯରେ ହେଇ ପଡିଛନ୍ତି । ତା' ପାଖରେ ହାୟ ବୀର ଯୋଦ୍ଧା ଭାଇମାନେ ବି କି ଅସହାୟ ହୋଇ ଏମିତି ଶୋଇପଡ଼ିଛନ୍ତି । ଭୀମଙ୍କ ଆଖିରେ ନିଦ ନାହିଁ । ସେ ଜାଣିଥିଲେ ଏ ଅଜଣା ଭୟଙ୍କର ଜଙ୍ଗଲରେ ଅନ୍ୟମାନେ ଶୋଇଥିବା ବେଳେ ତାଙ୍କ ଦାୟିତ୍ୱ ଅନିଦ୍ରା ରହି ସେମାନଙ୍କୁ ଜଗି ରହିବା ।
ସେଇ ଜଙ୍ଗଲରେ ହିଡିମ୍ବା ନାମରେ ଗୋଟେ ଭୟଙ୍କର ରାକ୍ଷସ ତା' ଭଉଣୀ ହିଡିମ୍ବୀ ସହ ଗୋଟେ ଡେଙ୍ଗା ଶାଳ ଗଛରେ ରହୁଥାଏ । ପାଣ୍ଡବମାନେ ସେ ଜଙ୍ଗଲରେ ପଶିବା ବେଳରୁ ରାକ୍ଷସ ହିଡିମ୍ବା ନାକରେ ମଣିଷ ବାସ୍ନା ବାଜିଲାଣି । ନୂଆ ମଣିଷଙ୍କ ଉଷୁମ ରକ୍ତ ଓ କଅଁଳିଆ ମାଂସ ଖାଇବାକୁ ତା'ର ବଡ ଲୋଭ । ସେଉଠୁ ହିଡିମ୍ବା ରାକ୍ଷସ ତା' ଭଉଣୀକୁ ପଠେଇ କହିଲା, ଯା ଦେଖ କିଏ ସବୁ ଆସିଛନ୍ତି । କେତେଜଣ ଆସିଛନ୍ତି । ସେ ମଣିଷମାନଙ୍କୁ ମାରି ମୋ ପାଖକୁ ଆଣ । କାହିଁରେ କେତେ ଦିନ ହେଲାଣି ପାଟିରେ ମଣିଷ ମାଉଁଷ ବାଜିନି ।
ହିଡିମ୍ବା ରାକ୍ଷାସୁଣୀ ଗଛରୁ ଓହ୍ଲାଇ ପାଣ୍ଡବମାନଙ୍କ ପାଖକୁ ବାହାରିଲା । ଅଳ୍ପ ଦୂରରୁ ଦେଖିଲା ଜଣେ ସ୍ତ୍ରୀ ଲୋକ ଓ ତା' ପାଖରେ ଚାରିଜଣ ଲୋକ ଶୋଇଛନ୍ତି ଓ ଆଉ ଜଣେ ସୁନ୍ଦର ବଳୁଆ ଯୁବକ ସେଇଠି ସେମାନଙ୍କୁ ଜଗି ବସିଛି । ଭୀମସନେଙ୍କ ବଳିଷ୍ଠ ଚେହେରା ଓ ସୁନ୍ଦର ରୂପକାନ୍ତୀ ଦେଖି ହିଡିମ୍ବୀ ମନରେ କାମନା ଜାଗ୍ରତ ହେଲା । ତାକୁ ଲାଗିଲା ଏହି ଯୁବକ ହିଁ ତା'ର ବର ହେବାକୁ ଉପଯୁକ୍ତ ମଣିଷ । ସେଉଠୁ ହିଡିମ୍ବୀ ତତକ୍ଷଣାତ୍ ତା'ର କଦାକାର ଅସୁନ୍ଦର ରାକ୍ଷସୀ ରୂପ ବଦଳାଇ, ଜଣେ ରୂପସୀ ଯୁବତୀ ପାଲଟି ଗଲା ଓ ଅଳସ ଚାଲିରେ ଭୀମଙ୍କ ପାଖରେ ଆସି ପହଞ୍ଚିଲା ।
ଅଗନା ଅଗନି ବନସ୍ତ ଭିତରେ ଅପରୂପା ଯୁବତୀକୁ ଦେଖି ଭୀମ ଆଶ୍ଚର୍ଯ୍ୟ ହେଲେ ଓ ସନ୍ଦେହ ବି କଲେ । ତାଙ୍କ ସନ୍ଦେହକୁ ସତ କରି ଯୁବତୀ ଜଣକ କହିଲା, ପ୍ରକୃତରେ ସେ ଜଣେ ରାକ୍ଷସୀ ଓ ତା' ନାମ ହିଡିମ୍ବୀ । ତା' ଭାଇର ନାମ ହିଡିମ୍ବା । ସେଇ ଭାଇ ହିଁ ତାକୁ ପଠେଇଛି ତୁମମାନଙ୍କୁ ମାରି ତା' ପାଖକୁ ନେବା ପାଇଁ । ହେଲେ ତୁମକୁ ଦେଖି ମୋ ଭିତରେ ପ୍ରେମ ଭାବ ଉଦ୍ରେକ ହେଉଛି। ତୁମକୁ ମୁଁ ମୋର ସ୍ୱାମୀ ଭାବରେ ବରଣ କରିବାକୁ ଚାହେଁ । ଚାଲ ଆମେ ବିବାହ କରିବା ଓ ଅନ୍ୟ କେଉଁଆଡେ ଗୋଟେ ପଳେଇ ଘର ସଂସାର କରି ରହିବା । ତୁମେ ଜାଣିନ ମୁଁ ଆକାଶରେ ଉଡିପାରେ । ତୁମକୁ ଧରି ମୋ ଭାଇ ଆସିବା ଆଗରୁ ଏ ଯାଗା ଛାଡି ପଳେଇବି ।
ରାକ୍ଷସୀର କଥାରେ ଭୀମସେନ ବିରକ୍ତି ପ୍ରକାଶ କଲେ । କହିଲେ ମୁଁ କେବଳ ତୋ ଭାଇ ନୁହେଁ କୋଉ ରାକ୍ଷାସ କି ରାକ୍ଷାସୀକୁ ଭୟ କରେନି । ଡାକ ତୋ ଭାଇକୁ ସେ ମୋତେ ଆଜି ଚିହ୍ନିବ ମୁଁ କିଏ । ଦେଖ, ମୋ ମା ଆଉ ମୋ ଭାଇମାନେ କ୍ଲାନ୍ତ ହୋଇ ଶାନ୍ତିରେ ଶୋଇଛନ୍ତି । ବେଶି ଗୁରାଳି ନକରି ଏଉଠୁ ପଳା। ଭଲରେ କହୁଛି, ମୋତେ ବିରକ୍ତ କରେନି କି ରଗାନି ।
ଭୀମଙ୍କର ବିରକ୍ତି ଓ କଟୁ କଥା ପରେ ବି ହିଡିମ୍ବୀ ରାକ୍ଷସୀ ସେ ସ୍ଥାନ ଛାଡି ଗଲାନି । ଓଲଟି କହିଲା, ଦେଖ ଏବେ ମୋ ଭାଇ ଆସିଲେ ସତରେ କାହାକୁ ବି ଛାଡିବନି । ଚାଲ ତୁମେ ମାଆ ଓ ଭାଇଙ୍କୁ ବି ସାଙ୍ଗରେ ଧରି ଏ ଜଙ୍ଗଲ ଛାଡି ପଳେଇବା । ତୁମେ ଜାଣିନ ମୋ ଭାଇ କେତେ ବଳୁଆ ଆଉ ଭୟଙ୍କର ।
ହିଡିମ୍ବୀର କଥାରେ ଭୀମ କିଛି ନକହି ଚରମ ବିରକ୍ତିରେ ମୁହଁ ବୁଲେଇ ଅନ୍ୟ ଦିଗକୁ ଅନେଇଲେ ।
ସେତେବେଳକୁ ଗଛ ଉପରୁ ଓହ୍ଲାଇ ହିଡିମ୍ବୀର ପାଣ୍ଡବମାନଙ୍କ ପାଖକୁ ଆସିବା ଭିତରେ ବେଶ ଗୁଡିଏ ସମୟ ବିତିଗଲାଣି । ହିଡିମ୍ବା ଅପେକ୍ଷା କରି କରି ଶେଷରେ ରାଗି ଗର୍ଜନ କରି କରି ତା' ଭଉଣୀକୁ ଡାକି ଡାକି ଆସିଲା । ତ୍ରିପଣ୍ଡ କଳା, ଲାଲ ରଙ୍ଗର ଆଖି, ଟାଉଁଶିଆ ଜଟା ପରି କେଇ କେରା ବାଳ । ମୁନିଆ ମୁନିଆ ଦାନ୍ତ ଓ ବିରାଟ ଏକ ଜିଭ ଲହ ଲହ କରି ପାହାଡ ଆକାରର ରାକ୍ଷସ ମାଡି ଆସୁଥାଏ ।
ପାଣ୍ଡବମାନଙ୍କ ପାଖରେ ପହଞ୍ଚି ସେ ଆଗ ତା' ଭଉଣୀର ମନଲୋଭା ମଣିଷ ବେଶକୁ ଦେଖି ଭୀଷଣ ବିରକ୍ତ ହେଲା । କହିଲା ତୁ ପୁରା ରାକ୍ଷସ କୁଳର ନାଁ ପକେଇଲୁ । ସାମନ୍ୟ ମଣିଷକୁ ଦେଖି ତୋ ଭିତରେ କାମନା ଜାଗ୍ରତ ହେଲା । ମୁଁ ପଠେଇଥିଲି କାହିଁକି, ତୁ କରୁଛୁ କ'ଣ? ରୂପ ବଦଳେଇ ରଙ୍ଗ ଦେଖାଉଛୁ? ତୁ ମୋ କ୍ରୋଧ କଥା ବି ଭୁଲିଗକୁ ? ରହ ମୁଁ ଆଗ ତୋତେ ମାରିବି ତାପରେ ଏ ମଣିଷମାନଙ୍କୁ ମାରି ତାଙ୍କ ଉଷୁମ ରକ୍ତ ପିଇବି ।
ହିଡିମ୍ବା ରାକ୍ଷସ ତା' ଭଉଣୀ ହିଡିମ୍ବୀ ଆଡକୁ ଝପଟି ଆସିଲା ବେଳକୁ ତାକୁ ବାଟରେ ଭୀମ ବାଧା ଦେଲେ ଓ କହିଲେ, ଆରେ ଦୁଷ୍ଟ ରାକ୍ଷସ ମୁଁ ଥାଉ ଥାଉ ତୁ ଜଣେ ନାରୀକୁ ମୋ ଆଗରେ ମାରିପାରିବୁନି । ଭୀମଙ୍କ କଥା ଶୁଣି ହିଡିମ୍ବା ଆହୁରି ରାଗିଗଲା ଓ ଗଛ ତଳେ ଶୋଇଥିବା ପାଣ୍ଡବମାନଙ୍କୁ ଅନେଇଲା । ଭୀମ କହିଲେ ତୁ ଆଗ ମୋ ସହ ଲଢ, ତାପରେ ମୋ ଶୋଇଥିବା ଭାଇମାନଙ୍କ କଥା ଚିନ୍ତା କରିବୁ । ଏତିକି କଥା ପରେ ମହାବଳୀ ଭୀମ ଓ ରାକ୍ଷସ ହିଡିମ୍ବା ଭିତରେ ଘମାଘୋଟ ଲଢେଇ ଆରମ୍ଭ ହେଇଗଲା । ଦୁହିଁଙ୍କ ଗର୍ଜନ ତର୍ଜନ, ଗଡା ଗଡି ଓ ଭିଡା ଓଟରାରେ ଆଖ ପାଖର ଅନେକ ଗଛ ଉପୁଡି ପଡୁଥାନ୍ତି । ଯୁଦ୍ଧର ଶବ୍ଦରେ ଭାଇ ଓ ମାଆ କାଳେ ଉଠିପଡିବେ ଭାବି ଭୀମ ହିଡିମ୍ବାକୁ ଜଙ୍ଗଲର ଅନ୍ୟ ଦିଗକୁ ଟାଣି ନେଲେ ।
ଭୀମଙ୍କ ଶତ ସତର୍କତା ପରେ ବି ହିଡିମ୍ବାର ଗର୍ଜନରେ ପ୍ରଥମେ କୁନ୍ତୀ ଓ ପରେ ପରେ ଅନ୍ୟମାନଙ୍କର ନିଦ ଭାଙ୍ଗିଗଲା । କୁନ୍ତୀ ନିଦରୁ ଉଠି ଦେଖିଲେ ତାଙ୍କ ପାଖରେ ଦିବ୍ୟ ସୁନ୍ଦରୀ ଯୁବତୀ ଜଣେ ଠିଆ ହେଇଛି । ଏମିତି ଏକ ସ୍ଥାନରେ ଓ ଅସମୟରେ ଯୁବତୀକୁ ଦେଖି କୁନ୍ତୀ ଆଶ୍ଚର୍ଯ୍ୟ ହେଇ ତା'ର ପରିଚୟ ମାଗିଲେ । ଯୁବତୀ କହିଲା ସେ ହିଡିମ୍ବୀ । ଏ ଜଙ୍ଗଲ ତା' ଭାଇ ହିଡିମ୍ବା ରାକ୍ଷସର । ମୋର ସେଇ ଭାଇ ସାଙ୍ଗରେ ଆପଣଙ୍କ ପୁଅ ଏବେ ଲଢୁଛନ୍ତି । ସମସ୍ତେ ଦେଖିଲେ କିଛି ଦୂରରେ ଭୀମ ଓ ହିଡିମ୍ବାର ଘମା ଘୋଟ ଲଢେଇ ଚାଲିଛି ।
ଅର୍ଜୁନ ଇସାରରେ ଭୀମଙ୍କୁ କହିଲେ ଆଉ ଡେରି କାହିଁକି? ସେପଟେ ପୂର୍ବ ଆକାଶରେ ସିନ୍ଦୁରା ଫାଟିଲାଣି । ଆମେ ଏଠି ବେଶୀ ସମୟ ରହିପାରିବାନି । ତାପରେ ସକାଳ ହେଲେ ରୁଦ୍ର ବେଳାରେ ରାକ୍ଷସର ବଳ ବଢିଯିବ ଓ ସେ ବିଭିନ୍ନ ମାୟା ଯୁଦ୍ଧ ଆରମ୍ଭ କରିଦେବ। ଭୀମ ବି ଆଉ ବେଶୀ ସମୟ ନେଲେନି । ହୁଦସ୍ତ ହିଡିମ୍ବାର ଗୋଡକୁ ଧରି ଉପରକୁ ଉଠେଇନେଲେ ଓ ଶହେ ଭେରା ଚାରିଦିଗରେ ଚକ୍ରପରି ଘୁରେଇ ପକେଇଲେ । ତାପରେ ଦୁଇ ଗୋଡକୁ ଫାଡି ରାକ୍ଷସକୁ ପୁରା ଦୁଇ ଫାଳ କରି ଚିରିଦେଲେ । ହିଡିମ୍ବାର ମୃତ୍ୟୁ ହେଲା ।
ହିଡିମ୍ବାକୁ ମାରି କୁନ୍ତୀ ଓ ପଞ୍ଚୁ ପାଣ୍ଡବ ସେ ସ୍ଥାନରୁ ବାହାରି ଚାଲିବାକୁ ଆରମ୍ଭ କରି କିଛି ବାଟ ଯାଇଁ ଦେଖିଲେ ହିଡିମ୍ବୀ ସେମାନଙ୍କ ପଛେ ପଛେ ଚାଲିଛି । ହିଡିମ୍ବୀକୁ ପଛରେ ଦେଖି ଭୀମସେନ ପୁଣିଥରେ ରାଗିଗଲେ ଓ କହିଲେ ତୋ ଭାଇପରି ତୋତେ ବି ମରିବାକୁ ହେବ । ମାୟାବୀ ରାକ୍ଷସଙ୍କୁ ମୋର ଭରସା ନାହିଁ । ଭୀମଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ, ନା ବୃକୋଦର କ୍ରୋଧର ଆବେଶରେ କୌଣସି ସ୍ତ୍ରୀ ଲୋକକୁ ମାରିବା ଠିକ ନୁହେଁ। ତୁମେ ତ ତା ବଳଶାଳୀ ଭାଇକୁ ମାରିସାରିଛ । ଏ ବିଚାରୀ ଆମର କ'ଣ କ୍ଷତି କରିପାରିବ । ତାପରେ ସେ ତ ଆମର କିଛି କ୍ଷତି କରିନି ।
କୁନ୍ତୀ ଓ ଯୁଧିଷ୍ଠିରଙ୍କୁ ହିଡିମ୍ବୀ କହିଲା, ମୁଁ ମୋର ବନ୍ଧୁ ପରିଜନ ସମସ୍ତଙ୍କୁ ଛାଡି ସାରିଛି ଓ ଭୀମଙ୍କୁ ମୋର ବର ଭାବରେ ବରଣ କରିସାରିଛି । ମୋତେ ମୋ ଇଚ୍ଛା ପୁରଣ କରିବାକୁ ଦୟାକରି ଅନୁମତି ଦିଅନ୍ତୁ । ଭୀମଙ୍କ ସହ ମୋ ବାହାଘର କରି ଦିଅନ୍ତୁ ।
ରାକ୍ଷସୀର ଅନୁରୋଧ ଶୁଣି ଯୁଧିଷ୍ଠିର କହିଲେ, ତୁମର ଭୀମସେନଙ୍କ ସହ ବିବାହରେ ଆମର କିଛି ଆପତ୍ତି ନାହିଁ । ଭୀମସେନ ଯଦି ରାଜି ତୁମେ ତାଙ୍କୁ ସାଙ୍ଗରେ ନେଇ ପାର । ଦିନ ବେଳା ସେ ତୁମ ସାଙ୍ଗରେ ରହିବେ । କିନ୍ତୁ କଥା ଦିଅ ସବୁଦିନ ସନ୍ଧ୍ୟା ପୂର୍ବରୁ ତାଙ୍କୁ ଆଣି ଆମ ପାଖରେ ଛାଡିଦେଇ ଯିବ ।
କୁନ୍ତୀ, ଯୁଧିଷ୍ଠିର ଓ ଭୀମସେନଙ୍କ ଅନୁମତି ନେଇ ହିଡିମ୍ବୀ ମନଖୁସିରେ ଏଥର ଭୀମଙ୍କୁ ଧରି ଆକାଶ ମାର୍ଗକୁ ଉଠିଗଲେ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)