Mahabharat
ବହୁତ ପୁରୁଣା କାଳର କଥା । ସେତେବେଳେ ଦେବତା ଓ ଦାନବଙ୍କର ସବୁବେଳେ ଯୁଦ୍ଧ ଲାଗି ରହୁଥିଲା । ଦେବରାଜ ଇନ୍ଦ୍ର ଥରେ ବସି ଭାବୁଥାନ୍ତି ଦେବତାମାନଙ୍କୁ ଯୁଦ୍ଧରେ ପରାଜୟରୁ ରକ୍ଷା କରିବାକୁ ଜଣେ ଯୋଗ୍ୟ ବଳବାନ ସେନାପତିର ଆବଶ୍ୟକତା ରହିଛି । ସେତିକିବେଳେ ଇନ୍ଦ୍ର ହଠାତ୍ ଜଣେ ନାରୀର କରୁଣ ସ୍ୱର ଶୁଣିପାରିଲେ । ଇନ୍ଦ୍ର ତାଙ୍କ ଭାବନା ରାଜ୍ୟରୁ ଫେରି ଆସି ଦେଖିଲେ କେଶୀ ନାମରେ ଗୋଟେ ଦାନବ ଜଣେ ସୁନ୍ଦରୀ ନାରୀର ହାତ ଧରି ଟାଣୁଛି । ନାରୀ ଜଣକ କହୁଥାନ୍ତି ମୋତେ ରକ୍ଷା କରନ୍ତୁ... ମୋତେ ରକ୍ଷା କରନ୍ତୁ ...।
ଇନ୍ଦ୍ର ସେ ଦାନବ କେଶୀକୁ ଯୁବତୀକୁ ଛାଡିଦେବାକୁ କହିଲାରୁ ସେ ରାଗରେ ଇନ୍ଦ୍ରଙ୍କ ଉପରକୁ ତା'ର ଗଦା ଫୋପାଡିଲା । ଇନ୍ଦ୍ର ତା'ର ଗଦାକୁ ତାଙ୍କ ବଜ୍ରରେ ଭାଙ୍ଗିଦେବାରୁ ସେ ପାହାଡ଼ର ଗୋଟେ ଶୃଙ୍ଗକୁ ଓପାଡି ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଫିଙ୍ଗିଲା । ଇନ୍ଦ୍ର ବଜ୍ର ମାରି ଶୃଙ୍ଗକୁ ଚୁନା କରିଦେବାରୁ ବିଚରା ରାକ୍ଷସ ଭୟରେ ସେଠାରୁ ଧାଇଁ ପଳେଇଲା । ଇନ୍ଦ୍ର ସେ କନ୍ୟାର ପରିଚୟ ମାଗିବାରୁ କନ୍ୟା କହିଲେ, “ମୁଁ ପ୍ରଜାପତିଙ୍କ ଝିଅ ଦେବସେନା । ପୂର୍ବରୁ ମୋ ଭଉଣୀ ଦୈତ୍ୟସେନାକୁ ଏଇ ଦୁଷ୍ଟ ଦାନବ କେଶି ଅପହରଣ କରିନେଇଛି। ଆମେ ଦୁଇ ଭଉଣୀ ଆମ ସହଚରୀମାନଙ୍କ ସହ ନିୟମିତ ଏଇଠିକୁ ବୁଲିବାକୁ ଆସୁ । ଏ ଦାନବ ସବୁବେଳେ ଆମ ପଛରେ ପଡିଥାଏ । ମୋ ଭଉଣୀ ତା' ପାଲରେ ପଡି ତା' ସାଙ୍ଗରେ ଯାଇଛି। ମୁଁ କିନ୍ତୁ କେବେବି ସେ ଦାନବକୁ ଇଚ୍ଛା କରିନି।”
ତାପରେ ଦେବସେନା କହିଲେ, “ହେ ଦେବରାଜ ଆପଣ ଆଜି ମୋତେ ରକ୍ଷା କଲେ । ଏବେ ମୋ ପାଇଁ ଜଣେ ବୀର ଓ ଉପଯୁକ୍ତ ସୁପୁରୁଷ ଖୋଜିଦିଅନ୍ତୁ। ମୋର ଜଣେ ପରାକ୍ରମୀ ପତି ଦରକାର। ଯିଏ ଦେବ, ଦାନବ, ରାକ୍ଷସ, କିନ୍ନର, ପିଶାଚ ଆଦିଙ୍କୁ ସହଜରେ ପରାଜିତ କରିପାରୁଥିବ।” ଦେବସେନାଙ୍କ ପତି କିଏ ହେବେ ସେ ନେଇ ବଡ ଚିନ୍ତାରେ ପଡିଗଲେ ଇନ୍ଦ୍ର । ସେତିକିବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନିଙ୍କର ଅବସ୍ଥାନ ଗୋଟିଏ ସ୍ଥାନରେ ଥାଏ । ସମୟକୁ ଗଣନା କରି ଇନ୍ଦ୍ର ଜାଣିଲେ ଏହି ଦୁର୍ଲଭ ଲଗ୍ନରେ ଅଗ୍ନି ଦେବଙ୍କ ଔରସରୁ ଯଦି ପୁଅଟିଏ ଜନ୍ମ ହୁଅନ୍ତା ତେବେ ସେ ଦେବସେନାଙ୍କ ଉପଯୁକ୍ତ ପତି ହୋଇପାରନ୍ତା । ଇନ୍ଦ୍ର ତାପରେ ଦେବସେନାଙ୍କୁ ସାଙ୍ଗରେ ଧରି ବ୍ରହ୍ମାଙ୍କ ପାଖରେ ପହଞ୍ଚି ଦେବସେନାଙ୍କ ପାଇଁ ବଳବାନ ଶୌର୍ଯ୍ୟବାନ ସ୍ଵାମୀ ମାଗିଲେ । ବ୍ରହ୍ମା କହିଲେ, “ହେ ଇନ୍ଦ୍ର ମୁଁ ସେଇକଥା ଚିନ୍ତା କରୁଥିଲି । ଖୁବ୍ ଶୀଘ୍ର ଜଣେ ବଳଶାଳୀ ପୁତ୍ର ଦେବଲୋକରେ ଜନ୍ମ ନେବ । ସେ ହିଁ ଏ କନ୍ୟାର ସ୍ୱାମୀ ହେବ ଓ ଦେବତାମାନଙ୍କ ସେନାପତି ହୋଇ ତୁମକୁ ଯୁଦ୍ଧରେ ସହଯୋଗ ମଧ୍ୟ କରିବ ।"
ଅଗ୍ନିଦେବବ୍ରହ୍ମାଙ୍କ ପାଖରୁ ଆଶ୍ୱାସନା ପାଇ ଇନ୍ଦ୍ର ସାଙ୍ଗରେ ଦେବସେନାଙ୍କୁ ଧରି ଦେବର୍ଷିମାନେ ଯଜ୍ଞ କରୁଥିବା ସ୍ଥାନକୁ ଗଲେ । ଯଜ୍ଞରୁ ନିଜ ନିଜ ଭାଗ ନେବାକୁ ଦେବତାମାନେ ଆସି ସେଠାରେ ଉପସ୍ଥିତ ଥାଆନ୍ତି । ଅଗ୍ନିଦେବ ଋଷିମାନଙ୍କ ଦ୍ୱାରା ଦିଆ ଯାଉଥିବା ଆହୁତିକୁ ଦେବତାମାନଙ୍କୁ ପ୍ରଦାନ କରୁଥାନ୍ତି । ସେଇଠି ଅଗ୍ନିଦେବ ଯଜ୍ଞ ସ୍ଥଳରେ ଉପସ୍ଥିତ ଥିବା ଋଷିପତ୍ନୀମାନଙ୍କୁ ଦେଖିଲେ । ଋଷିପତ୍ନୀଙ୍କୁ ଦେଖି ଅଗ୍ନିଦେବଙ୍କ ମନରେ କାମ ଭାବ ଜାଗ୍ରତ ହେଲା । ନିଜକୁ ସଞ୍ଜତ କରି ନିଜ ମନ ଭିତରେ ଉଠିଥିବା କାମ ଭାବକୁ ଦମନ କରି ସେ ଭାବିଲେ ଋଷିପତ୍ନୀମାନଙ୍କୁ ବିନା କାରଣରେ ସେ ସ୍ପର୍ଶ କରିପାରିବେନି । ଏହା ଠିକ ବି ନୁହେଁ । ଅଗ୍ନି ଏକ ଉପାୟ ପାଞ୍ଚିଲେ । ସେ ଋଷିମାନଙ୍କ ଘରେ ବ୍ୟବହୃତ ଅଗ୍ନି ହୋଇ ଋଷିପତ୍ନୀମାନଙ୍କୁ ପାଖରୁ ମନଭରି ଦେଖିବାକୁ ଲାଗିଲେ ଓ ତାଙ୍କ ଶିଖାରେ ସେମାନଙ୍କୁ ସ୍ପର୍ଶ ବି କଲେ । କିନ୍ତୁ ସେତିକିରେ ତାଙ୍କ କାମ ଭାବ ପ୍ରଶମିତ ହେଲାନି । ଶେଷରେ ଅଗ୍ନି ତାଙ୍କର ଶରୀର ତ୍ୟାଗର ସିଦ୍ଧାନ୍ତ ନେଇ ଜଙ୍ଗଲକୁ ବାହାରିଲେ ।
ଅଗ୍ନିଙ୍କ ପ୍ରତି ଦକ୍ଷପ୍ରଜାପତିଙ୍କ କନ୍ୟା ସ୍ୱାହାଙ୍କର ଅନେକ ଦିନରୁ ଦୂର୍ବଳତା ଥାଏ । ସେଦିନ ଯେତବେଳେ ସ୍ୱାହା ଜାଣିଲେ ଯେ ଅଗ୍ନି କାମ ଭାବରେ ପୀଡ଼ିତ ହୋଇ ଜଙ୍ଗଲକୁ ଯାଉଛନ୍ତି ସେ ଡେରି ନକରି ତାଙ୍କୁ ଅନୁସରଣ କଲେ । କିନ୍ତୁ ସ୍ୱାହା ନିଜ ରୂପରେ ଅଗ୍ନିଙ୍କ ଆଗକୁ ନଯାଇ ଅନ୍ୟ ଏକ ରୂପ ଧାରଣ କରିବାକୁ ମନସ୍ଥ କଲେ । ଯଜ୍ଞ ସ୍ଥଳରେ ଅଗ୍ନି ଯେଉଁ ଋଷିପତ୍ନୀମାନଙ୍କୁ ଦେଖି କାମ ପୀଡ଼ିତ ହୋଇଥିଲେ ସେମାନଙ୍କ ଭିତରୁ ସେ ପ୍ରଥମେ ଅଙ୍ଗିରା ଋଷିଙ୍କ ପତ୍ନୀ ଶୀବାଙ୍କର ରୂପ ଧରି ଅଗ୍ନିଙ୍କ ପାଖରେ ପହଞ୍ଚିଲେ । ପହଞ୍ଚି କହିଲେ, “ହେ ଅଗ୍ନି ଦେବ ଆପଣଙ୍କ ପ୍ରତି ମୁଁ ଆକର୍ଷଣ ଅନୁଭବ କରୁଛି । ମୁଁ ଅଙ୍ଗିରା ଋଷିଙ୍କ ପତ୍ନୀ ଶୀବା ଆପଣଙ୍କୁ କାମନା କରୁଛି । ଆପଣ ବି ମୋତେ କାମନା କରନ୍ତୁ ଓ ମୋତେ ତୃପ୍ତ କରନ୍ତୁ ।” ଶୀବାଙ୍କ କଥା ଶୁଣି ଅଗ୍ନି ବହୁତ ଖୁସି ହୋଇଗଲେ । ସେଇ ଜଙ୍ଗଲରେ ଦୁହିଁଙ୍କର ମିଳନ ହେଲା ।
ଅଧିକ ପଢ଼ନ୍ତୁ: ବାଲି ତଳେ ଶୋଇଥିବା ଦାନବ ଓ ବ୍ୟାଧର ତତ୍ତ୍ୱ ଜ୍ଞାନ କଥା
ସ୍ୱାହା ଭାବିଲେ ତାଙ୍କୁ ଯଦି କେହି ଅଙ୍ଗିରା ଋଷିଙ୍କ ପତ୍ନୀ ଶୀବାଙ୍କ ରୂପରେ ଦେଖେ ତେବେ ଅନର୍ଥ ହୋଇଯିବ। ତେଣୁ ସେ ଏକ ପକ୍ଷୀ ରୂପ ଧାରଣ କରି ସେଠାରୁ ଉଡ଼ି ଚାଲିଗଲେ ଓ ଯାଇ ବିଭିନ୍ନ ପ୍ରକାରର ଭୟଙ୍କର ପକ୍ଷୀ, ସପ୍ତଫେଣୀ ସାପ ଓ ଭୟାନକ ଜୀବଜନ୍ତୁରେ ପରିପୂର୍ଣ୍ଣ ଶ୍ୱେତ ପାହାଡ଼ ଉପରେ ପହଞ୍ଚିଲେ । ସେଠାରେ ଥିବା ଏକ ସୁନା କୁଅରେ ଅଗ୍ନିଙ୍କ ରେତକୁ ରଖିଲେ । ତାପରେ ସ୍ୱାହା ସପ୍ତଋଷିଙ୍କ ଅନ୍ୟ ପତ୍ନୀମାନଙ୍କ ରୂପ ଧାରଣ କରି ଅଗ୍ନିଙ୍କ ସାଙ୍ଗରେ ସହବାସ କଲେ । ସ୍ୱାହା ଭିନ୍ନ ଭିନ୍ନ ଛଅ ଜଣ ଋଷିପତ୍ନୀଙ୍କ ରୂପ ଧାରଣ କଲେ କିନ୍ତୁ ବଶିଷ୍ଠ ଋଷିଙ୍କ ସ୍ତ୍ରୀ ପତିବ୍ରତା ଅରୁନ୍ଧତୀଙ୍କ ରୂପ ନେଇପାରିଲେନି । ତେଣୁ ସ୍ୱାହା ଛଅ ଥର ପାହାଡ଼ ଉପରେ ଥିବା ସୁନା କୁଣ୍ଡରେ ଅଗ୍ନିଙ୍କ ରେତକୁ ଆଣି ରଖିପାରିଲେ । ସେଇ କୁଣ୍ଡରୁ ଦିବ୍ୟ ତେଜ ଯୁକ୍ତ ପୁଅଟିଏ ଜନ୍ମ ନେଲା । ସ୍ଖଳିତ ରେତରୁ ଜନ୍ମ ନେଇଥିବାରୁ ପୁଅର ନାମ ରଖାଗଲା ସ୍କନ୍ଦ। ଛଅ ଥର କୁଅରେ ରେତ ପଡିଥିବାରୁ ସ୍କନ୍ଦଙ୍କର ଛଅଟି ମୁଣ୍ଡ ଥିଲା। ସ୍କନ୍ଦଙ୍କର ଅନେକ ନାମ ଭିତରୁ କୁମାର ଓ କାର୍ତ୍ତିକେୟ ଅନ୍ୟତମ ।
ମହାବଳଶାଳୀ ସ୍କନ୍ଦ ଜନ୍ମ ହେଲାପରେ ପୃଥିବୀରେ ବିଭିନ୍ନ ପ୍ରକାର ବିତ୍ପତ୍ତି ଆରମ୍ଭ ହେଲା । କେହି କେହି କହିଲେ ସପ୍ତର୍ଷିଙ୍କ ସ୍ତ୍ରୀମାନେ ଅଗ୍ନିଙ୍କ ସହ ସହବାସ କରି ଏ ପୁତ୍ରକୁ ଜନ୍ମ ଦେଇଛନ୍ତି । ଯେଉଁମାନେ ସ୍ୱାହାଙ୍କ ପକ୍ଷୀ ବେଶ ଉଡିଯିବା ବେଳେ ଦେଖିଥିଲେ ସେମାନେ ସେ ପକ୍ଷୀକୁ ଦାୟୀ କଲେ । ସପ୍ତଋଷି ଏ କଥା ସବୁ ଜାଣିଲା ପରେ ଅରୁନ୍ଧତୀଙ୍କୁ ଛାଡି ଅନ୍ୟ ସ୍ତ୍ରୀମାନଙ୍କୁ ତ୍ୟାଗ କଲେ।
ସେପଟେ କୁମାରଙ୍କର ପ୍ରଚଣ୍ଡ ଶକ୍ତି ଦେଖି ଦେବତାମାନେ ଭୟ କରି ଇନ୍ଦ୍ରଙ୍କ ପାଖରେ ପହଞ୍ଚି କହିଲେ, “ହେ ଦେବରାଜ! ଏ ପିଲାକୁ ବିନାଶ ନକଲେ ସେ ତିନି ଭୂବନକୁ ରଖିବନି । ଆପଣଙ୍କୁ ଗାଦିରୁ ହଟେଇ ନିଶ୍ଚୟ ଇନ୍ଦ୍ର ଆସନରେ ବସିବ ।” ଇନ୍ଦ୍ର କହିଲେ ଏତେ ସାନ ପିଲାକୁ ମୁଁ ମାରିବା ଠିକ ହେବନି । ତାପରେ ଇନ୍ଦ୍ର ଦେବଗଣଙ୍କ ପରାମର୍ଶରେ କୁମାରଙ୍କୁ ବିନାଶ କରିବାକୁ ସପ୍ତ ମାତୃକାଙ୍କୁ ପଠେଇଲେ ।
ମାତୃକାମାନେ କୁମାରଙ୍କୁ ମାରିବେ କ'ଣ ଓଲଟି ତାଙ୍କୁ ଦେଖି ସେମାନଙ୍କ ଭିତରେ ମାଆ ଭାବ ଜାଗ୍ରତ ହେଲା । ଭୟଙ୍କର ଉଗ୍ର ସ୍ୱଭାବର ମାତୃକାମାନେ କୁମାରଙ୍କୁ ସୁରକ୍ଷା ଦେଲେ ଓ ସହାୟତା କଲେ । ମାତୃକାମାନେ କୁମାରଙ୍କ ସହ ରହିବା ଜାଣି ଦେବସେନାକୁ ଧରି ସ୍ୱୟଂ ଇନ୍ଦ୍ରଦେବ ସ୍କନ୍ଦଙ୍କ ସହ ଯୁଦ୍ଧ କରିବାକୁ ପହଞ୍ଚିଲେ । ଅଗ୍ନିପୁତ୍ର ସ୍କନ୍ଦ ମହା ପରାକ୍ରମରେ ସିଂହନାଦ କରି ତାଙ୍କ ପାଟିରୁ ପ୍ରଳୟଙ୍କରୀ ଅଗ୍ନି ସୃଷ୍ଟି କଲେ ଓ ଦେବସେନାକୁ ଅଳ୍ପ ସମୟରେ ପରାସ୍ତ କଲେ । ଦେବସେନାଙ୍କ ପରାଜୟ ଦେଖି ଇନ୍ଦ୍ର କାର୍ତ୍ତିକେୟଙ୍କ ଡାହାଣକୁ ବଜ୍ରରେ ପ୍ରହାର କଲେ । ବଜ୍ର ପ୍ରହାର ଫଳରେ କାର୍ତ୍ତିକେୟଙ୍କ ଦେହରୁ ଜଣେ ତେଜବାନ ପୁରୁଷ ଜାତ ହେଲା । ବଜ୍ର ପ୍ରହାରରେ କିଛି ବି କ୍ଷତି ନହେବାରୁ ଇନ୍ଦ୍ର ପରାଜିତ ହୋଇ ଭୟରେ କାର୍ତ୍ତିକେୟଙ୍କ ଶରଣ ନେଲେ ।
କାର୍ତ୍ତିକେୟଙ୍କ ବୀରତ୍ୱ ଏବଂ ତେଜ ଦେଖି ଦେବତା, ଋଷି ଓ ସ୍ୱୟଂ ଇନ୍ଦ୍ର କହିଲେ, “ହେ ପ୍ରଭୁ! ଆପଣ ଏଥର ଇନ୍ଦ୍ରପଦରେ ଅଭିଷିକ୍ତ ହୁଅନ୍ତୁ ।” କାର୍ତ୍ତିକେୟ କିନ୍ତୁ ଇନ୍ଦ୍ର ହେବାକୁ ମନା କଲେ ଓ ଇନ୍ଦ୍ରଙ୍କ ଅନୁରୋଧରେ ଦେବସେନାର ସେନାପତି ହେଲେ । ସ୍ୱାହା ଆସି କାର୍ତ୍ତିକେୟଙ୍କ ପାଖରେ ପହଞ୍ଚି କହିଲେ ପୁଅ ମୁଁ ତୋର ଜନ୍ମ କଲା ମା । ମୋର ଗୋଟେ ଇଚ୍ଛା ପୂରଣ କର । ସ୍ୱାହାଙ୍କର ଇଚ୍ଛା ସେ ତାଙ୍କ ପ୍ରେମୀ ଅଗ୍ନିଙ୍କ ସାଙ୍ଗରେ ରହିବେ । ତାଙ୍କୁ ଅନ୍ୟ କାହାର ଛଦ୍ମ ରୂପ ଧାରଣ କରିବାକୁ ଆଉ ପଡ଼ିବନି । କାର୍ତ୍ତିକେୟ କହିଲେ, ଠିକ ଅଛି ଆଜି ଠାରୁ ହୋମ ଯଜ୍ଞ ସମୟରେ ଅଗ୍ନିରେ ଯାହା ଅର୍ପଣ କରାଯିବ ସେତେବେଳେ ତୁମ ନାମ ‘ସ୍ୱାହା’ ବୋଲି ନିଶ୍ଚୟ ଉଚ୍ଚାରଣ କରାଯିବ । ତୁମେ ଆଜିଠୁ ଅଗ୍ନିଙ୍କ ସହ ସଦା ସର୍ବଦା ସଂଯୁକ୍ତ ହୋଇ ରହିବ ।
କାର୍ତ୍ତିକେୟ ଦେବତାମାନଙ୍କର ସେନାପତି ଭାବରେ ଅଭିଷିକ୍ତ ହେଲାପରେ ଇନ୍ଦ୍ର ଏକଦା କେଶୀ ଦାନବ ପାଖରୁ ରକ୍ଷା କରିଥିବା ଯୁବତୀ ଦେବସେନାଙ୍କୁ ଆଣି କହିଲେ, “ହେ କୁମାର! ଅନେକ ଆଗରୁ ତୁମର ପତ୍ନୀ ତୁମକୁ ଅପେକ୍ଷା କରି ଅଛନ୍ତି । ତାଙ୍କର ପାଣି ଗ୍ରହଣ କର ।” ଦେବତା ଓ ଋଷିମାନଙ୍କ ଉପସ୍ଥିତିରେ ଦେବସେନା ଓ କାର୍ତ୍ତିକେୟଙ୍କ ବିବାହ ସମ୍ପନ୍ନ ହେଲା ।
ଋଦ୍ର, ଉମା, ଅଗ୍ନି, ସ୍ୱାହା ଓ ଛଅ ଋଷିଙ୍କ ପତ୍ନୀ ହେଉଛନ୍ତି ସ୍କନ୍ଦଙ୍କର ଜନ୍ମଦାତା । ଦିନେ ପ୍ରଜାପତି ବ୍ରହ୍ମା ଆସି କାର୍ତ୍ତିକେୟଙ୍କୁ କହିଲେ, "ହେ କୁମାର! ତୁମର ପ୍ରକୃତ ପିତା ମାତା ହେଲେ ମହାଦେବ ଶିବ ଓ ପାର୍ବତୀ । ପୃଥିବୀର ହିତ ସାଧନ ପାଇଁ ଅଗ୍ନିଙ୍କ ଦେହରେ ଶିବ ଓ ସ୍ୱାହାଙ୍କ ଦେହରେ ଉମା ପ୍ରବେଶ କରି ତୁମର ଜନ୍ମ ସଂଭବ କରିଛନ୍ତି । ଦେବସେନାର ସେନାପତି ଭାବରେ ସ୍କନ୍ଦ ଦାନବଙ୍କ ବିରୁଦ୍ଧରେ ଅନେକ ଯୁ୍ଦ୍ଧରେ ଭାଗନେଇ ଅସୁରମାନଙ୍କୁ ସଂହାର କଲେ ଓ ବାର ବାର ହାରୁଥିବା ଦେବତାମାନଙ୍କୁ ଅନେକ ଯୁଦ୍ଧରେ ବିଜୟୀ କରାଇଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mahabharat_1748089911.jpg)