Advertisment

Parshurama Kshetriya Annihilation:  ମାତୃହନ୍ତା ପୁଅ ଓ ନିକ୍ଷତ୍ରୀୟ ପୃଥିବୀର କଥା

Mahabharat Story: ପିତାଙ୍କ ଆଦେଶରେ କିଏ ନିଜ ଜନ୍ମକଲା ମାଆକୁ ହତ୍ୟା କରିଥିଲେ? କୋଉ ଦୋଷ କରିଥିଲେ ଋଷି ପତ୍ନୀ ଯେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଲା? କାହିଁକି ହଜାରେ ହାତ ଥିବା ରାଜାକୁ ଜଣେ ତପସ୍ୱୀ ହତ୍ୟା କଲେ? କାହିଁକି ଏକୋଇଶି ଥର ପୃଥିବୀରୁ କ୍ଷତ୍ରୀୟମାନଙ୍କୁ ଲୋପ କଲେ ସେ? ଏମିତି ଆହୁରି ଅନେକ କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
Mahabharat

Mahabharat

Advertisment

ଲୋମଶ ଋଷିଙ୍କ ସାଙ୍ଗରେ ପାଣ୍ଡବଙ୍କ ଚାରିଭାଇ ଓ ଦ୍ରୌପଦୀ ଅନେକ ତୀର୍ଥ ଭ୍ରମଣ କଲାପରେ ସମୁଦ୍ର କୂଳରେ କଳିଙ୍ଗ ଦେଶରେ ଆସି ପହଞ୍ଚିଲେ । ଯୁଧିଷ୍ଠିରଙ୍କୁ ଲୋମଶ କହିଲେ, ଯେଉଁ ଦେଶରେ ବୈତରିଣୀ ନଦୀ ବହୁଛି ସେଇ ଦେଶକୁ କଳିଙ୍ଗ କୁହାଯାଏ । ନଦୀର ଉତ୍ତର ତୀରରେ ଋଷିମାନେ ବାସ କରୁଥିଲେ ଓ ଯଜ୍ଞ କରୁଥିଲେ । ଏଇଠି ରୁଦ୍ରଦେବ ଯଜ୍ଞର ପଶୁକୁ ଅପହରଣ କରୁଥିଲେ । ଦେବତାମାନେ ତାଙ୍କୁ ସନ୍ତୁଷ୍ଟ କରିବାକୁ ସ୍ତବ କରି ବୁଝାଇଲେ ଯଜ୍ଞର ପୂରା ଭାଗକୁ ନନେଇ ଉତ୍ତମ ଓ ସଦ୍ୟଜାତ ଭାଗ ନିଅନ୍ତୁ । ଶିବ ରାଜି ହେଲେ ।

Advertisment

ଲୋମଶ ସେଇ ସ୍ଥାନର ମହାତ୍ମ୍ୟ ସହ ଯୋଡା ଅନେକ କାହାଣୀ କହିଲେ ଓ ପାଣ୍ଡବଙ୍କ ଚାରିଭାଇ ଏବଂ ଦ୍ରୌପଦୀ ବୈତରଣୀରେ ସ୍ନାନ କରି ପିତୃଲୋକକୁ ତର୍ପଣ କଲେ । ତାପରେ ସେମାନେ ମହେନ୍ଦ୍ରଗିରିରେ ପହଞ୍ଚି ରାତ୍ରୀ ଯାପନ କଲେ । ସେଠାରେ ଭୃଗୁ, ଅଙ୍ଗିରା,କଶ୍ୟପ ଓ ବଶିଷ୍ଠ ବଂଶୀୟ ତପସ୍ୱୀମାନେ ବାସ କରୁଥିଲେ । ଲୋମଶ ସେମାନଙ୍କ ସହ ଯୁଧିଷ୍ଠିରଙ୍କ ପରିଚୟ କରାଇଲେ । ପର୍ଶୁରାମଙ୍କ ଅନୁଗତ ଅକୃତବର୍ଣ୍ଣଙ୍କୁ ଯୁଧିଷ୍ଠିର ପଚାରିଲେ ସେ କେମିତି ପର୍ଶୁରାମଙ୍କୁ ଦର୍ଶନ କରିପାରିବେ । ଅକୃତବର୍ଣ୍ଣ କହିଲେ, ହେ ରାଜା ଆପଣଙ୍କ ଆସିବା ଖବର ସେ ପାଇଛନ୍ତି । ଖୁବ ଶୀଘ୍ର ଆପଣ ତାଙ୍କର ଦର୍ଶନ ପାଇବେ । ତାପରେ ଯୁଧିଷ୍ଠିରଙ୍କ ଅନୁରୋଧରେ ଅକୃତବର୍ଣ୍ଣ ପର୍ଶୁରାମଙ୍କ ବୃତ୍ତାନ୍ତ କହିବାକୁ ଲାଗିଲେ ।

ଅନେକ ବର୍ଷ ତଳେ କାନ୍ୟକୁବ୍ଜ ଦେଶରେ ମହାବଳ ପରାକ୍ରମୀ ଗାଧି ନାମରେ ଜଣେ ରାଜା ଶାସନ କରୁଥାନ୍ତି । ଏକଦା ସେ ଜଙ୍ଗଲରେ ବାସ କରିବାକୁ ମନସ୍ଥ କଲେ । ରାଜାଙ୍କର ସତ୍ୟବତୀ ନାମରେ ଗୋଟେ ଅତି ସୁନ୍ଦରୀ ଅପସରୀ ପରି ଝିଅଟିଏ ଥାଏ । ସେଇ ଝିଅକୁ ବିବାହ କରିବାକୁ ବନବାସୀ ରାଜା ଗାଧିଙ୍କୁ ଭୃଗୁଙ୍କ ପୁଅ ଋଚୀକ ଋଷି ପ୍ରସ୍ତାବ ଦେଲେ । ଗାଧି କହିଲେ ଆମ ବଂଶରେ ପୂର୍ବପୁରୁଷରୁ କନ୍ୟାଦାନର ଗୋଟେ ନିୟମ ପ୍ରଚଳିତ ଅଛି । ଆମ ଘରର ଝିଅକୁ ବିବାହ କରିବାକୁ ହେଲେ ହଜାରେ ଘୋଡା ଦେବାକୁ ହେବ । ସବୁ ଘୋଡାଙ୍କର ରଙ୍ଗ ପାଣ୍ଡୁର ହୋଇଥିବ, କାନର ଭିତର ପଟ ଲାଲ ଓ ବାହାର ପଟ କଳା ରଙ୍ଗର ହେଇଥିବ, ଘୋଡା ସବୁ ବଳୁଆ ହୋଇଥିବେ ଓ ଭଲରେ ଦୌଡି ପାରୁଥିବେ । ତୁମେ ସନ୍ୟାସୀ ଲୋକ । ଏତେ ଘୋଡା କୋଉଠୁ ଆଣିବ? । ଗାଧିଙ୍କ କଥାରେ କିନ୍ତୁ ଋଚୀକ ରାଜି ହୋଇ କହିଲେ, ସେ ଘୋଡା ଯୋଗାଡ କରିପାରିବେ । କହିଲେ ସିନା ହେଲେ ଏତେ ଘୋଡା ସେ ଆଣିବେ କୋଉଠୁ? ସେଉଠୁ ଋଚୀକ ଚାଲିଲେ ଜଳର ଦେବତା ବରୁଣଙ୍କ ପାଖକୁ । ବରୁଣ ଋଚୀକ ଋଷିଙ୍କୁ ହଜାରେ ଘୋଡା ଦେଲେ । ସମୁଦ୍ର ଭିତରୁ ହଜାରେ ଘୋଡା ଯେଉଁଠୁ ବାହାରିଲେ ସେ ସ୍ଥାନକୁ ଅଶ୍ୱତୀର୍ଥ କୁହାଗଲା । ଘୋଡାଙ୍କ ସାଙ୍ଗରେ ଦେବତାମାନେ ବି ଋଚୀକ ଋଷିଙ୍କ ସାଙ୍ଗରେ ବରଯାତ୍ରୀ ହୋଇ ଆସିଲେ । ହଜାରେ ଘୋଡା ପାଇ ଗଙ୍ଗା ତଟ କାନ୍ୟକୁବ୍ଜ ଠାରେ ଗାଧି ତାଙ୍କ ଝିଅ ସତ୍ୟବତୀଙ୍କୁ ଋଚୀକ ଋଷିଙ୍କୁ ବିବାହ ଦେଲେ । ବିବାହର କିଛି ଦିନ ପରେ ଭୃଗୁ ମହର୍ଷି ତାଙ୍କ ପୁଅ ଓ ବୋହୁଙ୍କୁ ଦେଖିବାକୁ ଆସିଲେ । ପୁଅ ଋଚୀକଙ୍କ ସାଙ୍ଗରେ ବୋହୂ ସତ୍ୟବତୀଙ୍କୁ ଦେଖି ଭୃଗୁ ଖୁସି ହେଲେ ଓ ବୋହୂକୁ ବର ଦେବାକୁ ଚାହିଁଲେ । ସତ୍ୟବତୀ ନିଜ ପାଇଁ ଓ ନିଜ ମାଆଙ୍କ ପାଇଁ ପୁତ୍ର କାମନା କଲେ । ମହର୍ଷି ଭୃଗୁ କହିଲେ, ଠିକ ଅଛି ମୁଁ ତୁମ ମାଆ ଝିଅଙ୍କ ପାଇଁ ଯଜ୍ଞ ଚାରୁ ପ୍ରସ୍ତୁତ କରିବି । ତୁମେ ଗୋଟେ ଡିମିରି ଗଛକୁ ଓ ତୁମ ମାଆ ଗୋଟେ ଓସ୍ତ ଗଛକୁ ଆଲିଙ୍ଗନ କରିବ । ତାପରେ ମୁଁ ପ୍ରସ୍ତୁତ କରିଥିବା ଚାରୁ ଖାଇ ସାରିଲା ପରେ ଦୁହେଁ ଗର୍ଭବତୀ ହେବ ।

Advertisment

ଅଧିକ ପଢ଼ନ୍ତୁ: ବର୍ଷା କରାଉଥିବା ଜଣେ ଋଷିପୁତ୍ରଙ୍କ ଅପହରଣର ବୃତ୍ତାନ୍ତ

କିନ୍ତୁ ମାଆ ଝିଅ ଭୁଲରେ ଓଲଟା ଗଛକୁ ଆଲିଙ୍ଗନ କଲେ । କିଛିଦିନ ପରେ ଭୃଗୁ ଫେରି ସତକଥା ଜାଣିପାରି ସତ୍ୟବତୀଙ୍କୁ କହିଲେ, ମାଆ ତୋର ଯେଉଁ ପୁଅ ହେବ ସେ ବ୍ରାହ୍ମଣ ହେଲେ ବି କ୍ଷତ୍ରୀୟ ଗୁଣ ଆଚରଣ କରିବ । ତୋ ମାଆ ଯେଉଁ ପୁଅ ଜନ୍ମ କରିବେ ସେ କ୍ଷତ୍ରୀୟ କୂଳରେ ରହି ବ୍ରାହ୍ମଣ ପରି ଜୀବନ ବଞ୍ଚିବ । ଭୃଗୁଙ୍କ କଥା ଶୁଣି ସତ୍ୟବତୀ ଦୁଃଖୀ ହୋଇଗଲେ ଓ ଭୃଗୁଙ୍କୁ ବାର ବାର କିଛି ପ୍ରତିକାର ପାଇଁ ଅନୁରୋଧ କଲେ । କହିଲେ, ମୋ ପୁଅ ନୁହେଁ ମୋ ନାତି ବରଂ କ୍ଷତ୍ରୀୟ ଗୁଣ ଆଚରଣ କରୁ, କିନ୍ତୁ ମୋର ଇଚ୍ଛା ମୋ ପୁଅ ଜଣେ ଶ୍ରେଷ୍ଠ ତପସ୍ୱୀ ହେଉ । ସତ୍ୟବତୀଙ୍କ ଅନୁରୋଧ ଓ ପ୍ରସ୍ତାବ ଶୁଣି ମହର୍ଷି ଭୃଗୁ କହିଲେ ହଉ ସେଇଆ ହେଉ । କିଛି ଦିନ ପରେ ସତ୍ୟବତୀ ପୁଅଟିଏ ଜନ୍ମ କଲେ । ପୁଅର ନାମ ରଖାଗଲା ଜମଦଗ୍ନି । ଖୁବ ଶୀଘ୍ର ଜମଦଗ୍ନି ନିଜକୁ ଜଣେ ବିଶିଷ୍ଟ ବେଦଜ୍ଞ ଓ ନିଷ୍ଠାବାନ ତପସ୍ୱୀ ଭାବରେ ପ୍ରତିଷ୍ଠା କରାଇଲେ ।

Mahabharatମହାଭାରତ

ପ୍ରସନ୍ନଜିତ୍ ନାମରେ ଜଣେ ରାଜା ଥାଆନ୍ତି । ତାଙ୍କର ଝିଅର ନାମ ରେଣୁକା । ଜମଦଗ୍ନିଙ୍କର ସେଇ ରେଣୁକାଙ୍କ ସହ ବିବାହ ହେଲା । ଜମଦଗ୍ନିଙ୍କର ଔରସରୁ ରେଣୁକା ପାଞ୍ଚଟି ପୁତ୍ର ସନ୍ତାନ ଜନ୍ମ ଦେଲେ । ସବୁଠାରୁ ବଡ ପୁଅର ନାମ ରୁମନ୍ୱାତ । ତା ତଳକୁ ସୁଷେଣ, ବସୁ ଓ ବିଶ୍ୱାବସୁ । ଶେଷ ପୁଅର ନାମ ରାମ ଦିଆଗଲା । ସବୁ ପୁଅଙ୍କ ଭିତରେ ସବାସାନ ପୁଅ ରାମ ସବୁଠୁ ତେଜବାନ ଓ ସର୍ବଗୁଣ ସମ୍ପନ୍ନ ଥିଲେ ।

Advertisment

ଥରେ ପାଞ୍ଚଭାଇ ମିଶି ଜଙ୍ଗଲକୁ ଫଳ ମୂଳ ସଂଗ୍ରହ କରିବାକୁ ଯାଇଥାନ୍ତି । ରେଣୁକା ଗାଧୋଇବା ପାଇଁ ଆଶ୍ରମ ପାଖରେ ଥିବା ନଦୀକୁ ବାହାରିଲେ । ଗାଧୋଇ ଫେରିଲା ବେଳକୁ ରେଣୁକା ଦେଖିଲେ ମାର୍ତ୍ତିକା ଦେଶର ରାଜା ଚିତ୍ରରଥ ବେକରେ ପଦ୍ମମାଳ ପକେଇ ତାଙ୍କ ପତ୍ନୀଙ୍କ ସହ ଜଳକ୍ରୀଡା କରୁଛନ୍ତି । ଐଶ୍ୱର୍ଯ୍ୟବନ୍ତ ଓ ସୁଦର୍ଶନ ରାଜା ଚିତ୍ରରଥଙ୍କୁ ଦେଖି ରେଣୁକାଙ୍କ ମନରେ ସହସା କାମଭାବ ଜାଗ୍ରତ ହେଲା । ରେଣୁକା ଆଶ୍ରମ ଫେରିଆସିଲେ ସିନା କିନ୍ତୁ ଆଶ୍ରମରେ ତାଙ୍କୁ ଦେଖୁ ଦେଖୁ ତପସ୍ୱୀ ଜମଦଗ୍ନୀ ସବୁ ଜାଣିଗଲେ । ଆପଣା ପତ୍ନୀଙ୍କର ଏପରି ମାନସିକ ବ୍ୟଭିଚାରକୁ ସହଜରେ ସେ ଗ୍ରହଣ କଲେନି । ଅନେକ ପ୍ରକାରର କଟୁ କଥା କହି ତିରସ୍କାର କଲେ । ସେତିକିବେଳେ ବଡ ଚାରି ପୁଅ ଆଶ୍ରମ ଫେରିଆସିଲେ । ତପସ୍ୱୀ ଜମଦଗ୍ନୀ ବଡପୁଅ ରୁମନ୍ୱାତଙ୍କୁ କହିଲେ ମୋର ଆଦେଶ ଏଇ ମୁହୂର୍ତ୍ତରେ ତୁମେ ତୁମ ମାଆକୁ ହତ୍ୟା କର । ବଡ ପୁଅ ଜଡ଼ପ୍ରାୟ ଛିଡା ହୋଇ ରହିଲେ ସିନା, କିଛି କହିପାରିଲେନି କିମ୍ବା କରିପାରିଲେନି । ତାପରେ ତପସ୍ୱୀ ଜମଦଗ୍ନୀ ଅନ୍ୟ ତିନି ପୁଅଙ୍କୁ ସମାନ ଆଦେଶ ଦେଲେ । ସେମାନେ ବି ଚୁପ ଚାପ ଠିଆ ହୋଇ ରହିଲେ । ତାଙ୍କ ଆଦେଶ ପାଳନ କରିନଥିବାରୁ ଜମଦଗ୍ନୀ ପୁଅମାନଙ୍କୁ ବୁଦ୍ଧି ଭ୍ରଷ୍ଟ ହେବାକୁ ଅଭିଶାପ ଦେଲେ । ଏହି ସମୟରେ ସବା ସାନପୁଅ ରାମ ଆଶ୍ରମକୁ ଫେରିଲେ । ରାମଙ୍କୁ ଦେଖୁ ଦେଖୁ ଜମଦଗ୍ନୀ ସେଇ ଏକା ଆଦେଶ ଦେଇ କହିଲେ, ହେ ରାମ ତୁମେ ଏଇ ମୁହୂର୍ତ୍ତରେ ତୁମର ଏଇ ବ୍ୟଭିଚାରୀ ମାଆକୁ ହତ୍ୟା କର ।

ରାମ ତାଙ୍କ ବାପା ଜମଦଗ୍ନୀଙ୍କୁ କୌଣସି ପ୍ରଶ୍ନ ପଚାରିଲେନି । ସାଙ୍ଗେ ସାଙ୍ଗେ ଆଦେଶ ପାଳନ କରି ହାତରେ ଧରିଥିବା ଫାର୍ଶାରେ ରେଣୁକାଙ୍କ ମୁଣ୍ଡ କାଟି ଶରୀରରୁ ଅଲଗା କରିଦେଲେ ।

ରେଣୁକାଙ୍କ ମୃତ୍ୟୁ ପରେ ଜମଦଗ୍ନୀଙ୍କ ରାଗ ଥଣ୍ଡା ହେଲା । ସେ ଅତ୍ୟନ୍ତ ପ୍ରୀତ ହୋଇ ସାନପୁଅ ରାମଙ୍କୁ କହିଲେ, ହେ ପୁତ୍ର! ତୁମେ ମୋ ଆଦେଶକୁ ବିନା ଦ୍ୱିଧାରେ ଗ୍ରହଣ କରି ନିଜ ମାଆକୁ ହତ୍ୟା କରିଛ । ତେଣୁ ମୁଁ ତୁମ ଉପରେ ଖୁସି ହୋଇ ବର ପ୍ରଦାନ କରିବାକୁ ଚାହୁଁଛି । କ'ଣ ମାଗୁଛ ମାଗ । ରାମ ହାତ ଯୋଡି କହିଲେ, ମୋ ମାଆଙ୍କୁ ଆପଣ ଜୀବନ୍ୟାସ ଦିଅନ୍ତୁ ଓ ତାଙ୍କ ମୃତ୍ୟୁ ଘଟଣା ତାଙ୍କର ସ୍ମରଣରେ ନରହୁ । ମୋତେ ମାତୃବଧ ପାପ ନଲାଗୁ । ମୋର ଅନ୍ୟ ଭାଇମାନଙ୍କୁ ଆପଣ କ୍ଷମା କରି ଦିଅନ୍ତୁ । ଯୁ୍ଦ୍ଧରେ ମୋର କେହି ପ୍ରତିଦ୍ୱନ୍ଦୀ ନ ରୁହନ୍ତୁ ଓ ମୋର ପରମାୟୁ ଦୀର୍ଘ ହେଉ । ଜମଦଗ୍ନୀ କହିଲେ 'ତଥାସ୍ତୁ'।

ଦିନେ ଆଶ୍ରମରେ ପୁଅମାନେ ନଥାନ୍ତି । ଏକା ଜମଦଗ୍ନୀ ଓ ରେଣୁକା ଆଶ୍ରମ କାମ କରୁଥାନ୍ତି । ସେତିକିବେଳେ ରାଜା କୀର୍ତ୍ତିବୀର୍ଯ୍ୟ ଆସି ଆଶ୍ରମରେ ପହଞ୍ଚିଲେ । ରେଣୁକା ରାଜାଙ୍କ ସତ୍କାର କରିବାକୁ ବାହାରିଲେ । କିନ୍ତୁ ରାଜା କୀର୍ତ୍ତିବୀର୍ଯ୍ୟ କିଛି ଗ୍ରହଣ କଲେନି, ଓଲଟି ଆଶ୍ରମର ଗଛ ବୃକ୍ଷକୁ ନଷ୍ଟ କରିବା ସହ ଆଶ୍ରମର ହୋମଧେନୁର ବାଛୁରୀକୁ ହରଣ କରିନେଲେ । ରାମ ଫେରି ଦେଖିଲେ ଆଶ୍ରମ ଛାରଖାର । ହୋମଧେନୁ କାନ୍ଦୁଛନ୍ତି । ଜମଦଗ୍ନୀ ଓ ରେଣୁକାଙ୍କ ପାଖରୁ ସବୁକଥା ରାମ ଶୁଣିସାରି ଭୀଷଣ ରାଗିଗଲେ ଓ କୀର୍ତ୍ତିବୀର୍ଯ୍ୟଙ୍କ ପାଖରେ ପହଞ୍ଚିଲେ । କୀର୍ତ୍ତିବୀର୍ଯ୍ୟଙ୍କର ହଜାରେ ହାତ ଥିଲା । ରାମ ତାଙ୍କ ଫାର୍ଶାରେ କୀର୍ତ୍ତିବୀର୍ଯ୍ୟଙ୍କ ହାତ ସବୁ ହାଣି ପକାଇଲେ । ଏ ଘଟଣା ପରେ କୀର୍ତ୍ତିବୀର୍ଯ୍ୟଙ୍କ ପୁଅମାନେ ପ୍ରତିଶୋଧ ନେବାକୁ ଚାହିଁଲେ । ସେମାନେ ସାଙ୍ଗ ହୋଇ ଦିନେ ଜମଦଗ୍ନୀଙ୍କ ଆଶ୍ରମରେ ପହଞ୍ଚି ଆକ୍ରମଣ କଲେ । ବ୍ରହ୍ମର୍ଷି ଜମଦଗ୍ନୀ କିନ୍ତୁ ସେମାନଙ୍କୁ କୌଣସି ପ୍ରକାର ପ୍ରତିରୋଧ କଲେନି । ସେମାନେ ନିରସ୍ତ୍ର ବୃଦ୍ଧ ତପସ୍ୱୀ ଜମଦଗ୍ନୀଙ୍କୁ ଶହ ଶହ ତୀର ମାରି ସେଇଠି ହତ୍ୟା କଲେ । ରାମ ଆଶ୍ରମକୁ ଫେରିଲା ବେଳକୁ ସବୁ ସରିସାରିଥିଲା । ରାମ ତାପରେ ଜମଦଗ୍ନୀଙ୍କ ଅନ୍ତେଷ୍ଟି କର୍ମ ସାରି ପ୍ରଥମେ କୀର୍ତ୍ତିବୀର୍ଯ୍ୟଙ୍କ ପୁଅମାନଙ୍କୁ ଖୋଜି ଖୋଜି ହତ୍ୟା କଲେ । ତାପରେ କୀର୍ତ୍ତିବୀର୍ଯ୍ୟଙ୍କ ଅନୁଗତ ଥିବା କ୍ଷତ୍ରୀୟମାନଙ୍କୁ ହତ୍ୟା କରିବାକୁ ଲାଗିଲେ । ପରଶୁରେ କ୍ଷତ୍ରୀୟମାନଙ୍କୁ ହତ୍ୟା କରିଥିବାରୁ ରାମଙ୍କୁ ପର୍ଶୁରାମ କୁହାଯାଏ । ରାମ ପୂରା ଏକୋଇଶ ବାର ପୃଥିବୀକୁ ନିକ୍ଷତ୍ରୀୟ କଲେ ଓ କ୍ଷତ୍ରୀୟମାନଙ୍କ ରକ୍ତରେ ସମନ୍ତପଞ୍ଚକ ନାମରେ ପାଞ୍ଚୋଟି ହ୍ରଦ ନିର୍ମାଣ କଲେ । ସେଇ ହ୍ରଦ ପାଖରେ ପିତୃପୁରୁଷଙ୍କୁ ତର୍ପଣ କଲା ବେଳକୁ ରାମଙ୍କୁ ତାଙ୍କ ପିତାମହ ଋଚିକ ଦର୍ଶନ ଦେଲେ ଓ କ୍ଷତ୍ରୀୟମାନଙ୍କୁ ଆଉ ହତ୍ୟା କରିବାକୁ ବାରଣ କଲେ । ପିତାମହଙ୍କ କଥା ମାନି ରାମ ଅନେକ ଯଜ୍ଞ କଲେ ଓ କଶ୍ୟପ ଋଷିଙ୍କୁ ପୃଥିବୀ ଦାନ କରି ମହେନ୍ଦ୍ରଗିରିକୁ ଆସି ବାସ କରିବାକୁ ଲାଗିଲେ ।

 ପର୍ଶୁରାମଙ୍କ ବିଷୟରେ ଅକୃତବର୍ଣ୍ଣଙ୍କ ଠାରୁ ଯୁଧିଷ୍ଠିର ସବୁ କଥା ଶୁଣି ବହୁତ ଖୁସି ହେଲେ । ଚତୁର୍ଦ୍ଦଶୀ ଦିନ ପର୍ଶୁରାମଙ୍କ ଦର୍ଶନ ମିଳିଲା । ଭାଇ ଓ ପତ୍ନୀଙ୍କୁ ସାଙ୍ଗରେ ନେଇ ଯୁଧିଷ୍ଠିର ପର୍ଶୁରାମଙ୍କୁ ପୂଜା କଲେ । ପରଦିନ ସକାଳୁ ଲୋମଶ ଋଷିଙ୍କ ସହ ମିଶି ଦକ୍ଷିଣକୁ ଯାତ୍ରା ଆରମ୍ଭ କଲେ ।

ଅଧିକ ପଢ଼ନ୍ତୁ: ବିନ୍ଧ୍ୟ ଗିରିର ଗର୍ବ ଭଙ୍ଗ ଓ ହରିଣୀର ମଣିଷ ପିଲା ଜନ୍ମ ପ୍ରସଙ୍ଗ

Mahabharat Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ