Advertisment

Mahabharat: ରାଜରାଣୀଙ୍କ ଦାସୀ ବେଶ ଓ ପାପୀ ସେନାପତି କଥା

କାହିଁକି ଅର୍ଜୁନଙ୍କ କ୍ଳୀବ ବେଶକୁ ବିଶ୍ୱାସ କଲେନି ରାଜା ବିରାଟ? ଦ୍ରୌପଦୀଙ୍କ ପରିଚାରିକାର ଛଦ୍ମବେଶକୁ କାହିଁକି ପରତେ ଗଲେନି ମହାରାଣୀ ସୁଦେଷ୍ଣା? ଦ୍ରୌପଦୀଙ୍କ ସୌନ୍ଦର୍ଯ୍ୟକୁ ଲୋଭ କରି ଭଉଣୀ ସାଙ୍ଗରେ ମିଶି କୋଉ ଷଡ଼ଯନ୍ତ୍ରର ମନ୍ତ୍ରଣା କଲା କିଚକ? ମହାଭାରତର ବିରାଟ ପର୍ବ ଭିତରେ ଥିବା କାହାଣୀ ସବୁକୁ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
mahabharat

mahabharat

Advertisment

ଯୁଧିଷ୍ଠିର, ଭୀମ ଓ ସହଦେବ ରାଜ ଦରବାରରେ ପହଞ୍ଚି ରାଜା ବିରାଟଙ୍କୁ ସାକ୍ଷାତ କରି ନିଜ ନିଜର ନିର୍ଦ୍ଦିଷ୍ଟ କାମ ପାଇଗଲା ପରେ ରାଜାଙ୍କ ପାଖରେ ଆଉ ଜଣେ ଯୁବକ ଆସି ପହଞ୍ଚିଲେ । ବିରାଟ ରାଜା ତାଙ୍କ ପରିଚୟ ମାଗିବାରୁ ସେ କହିଲେ, “ମହାରାଜ! ମୁଁ ଆଗରୁ ରାଜା ଯୁଧିଷ୍ଠିରଙ୍କ ଘୋଡ଼ାମାନଙ୍କର ଦେଖାରଖା କରୁଥିଲି । ରାଜା ଯୁଧିଷ୍ଠିର ମୋତେ ଗ୍ରନ୍ଥିକ ନାମରେ ଡାକୁଥିଲେ। ମୁଁ ଘୋଡ଼ାମାନଙ୍କର ସ୍ୱଭାବ ପରୀକ୍ଷା, ଦୁଷ୍ଟ ଘୋଡ଼ାକୁ ମଣ କରିବା ଭଲରେ ଜାଣିଛି । ଘୋଡ଼ାମାନଙ୍କ ରୋଗ ଦେଖି ଚିକିତ୍ସା କରିବାରେ ମୋର ନିପୁଣତା ରହିଛି । ଅଶ୍ୱବିଦ୍ୟାରେ ମୋର ବିଶେଷ ପାରଦର୍ଶିତା ରହିଛି । ମୋତେ ଆପଣଙ୍କ ଘୋଡ଼ାମାନଙ୍କର ଦେଖାରଖା କରିବାକୁ ଦାୟିତ୍ୱ ଦେଲେ ମୁଁ ସେ କାମଟି ସୂଚାରୁ ରୂପେ ନିର୍ବାହ କରିପାରିବି ।“

Advertisment

ରାଜା ବିରାଟ ଗ୍ରନ୍ଥିକ ଛଦ୍ମବେଶରେ ଥିବା ନକୁଳଙ୍କୁ ତାଙ୍କ ସମସ୍ତ ଘୋଡ଼ାଙ୍କ ଦାୟିତ୍ୱ ଦେଲେ ।

ଚାରି ଭାଇ ଆଗପଛ ହୋଇ ବିରାଟଙ୍କ ପାଖରେ କାମ ପାଇଲା ବେଳକୁ ଦ୍ରୌପଦୀ ବିରାଟଙ୍କ ରାଣୀହଂସପୁର ପାଖରେ ପହଞ୍ଚିଲେ। ଖଣ୍ଡେ ମଳିନ ଶାଢ଼ୀ ପିନ୍ଧି ସେ କହିଲେ ମୁଁ ସୈରିନ୍ଧ୍ରୀର କାମ କରିବି । କିନ୍ତୁ ତାଙ୍କର ତେଜ ଓ ସୌନ୍ଦର୍ଯ୍ୟ ଦେଖି କେହି ବିଶ୍ୱାସ କଲେନି ରାଜରାଣୀ ପରି ଦିଶୁଥିବା ସ୍ତ୍ରୀଲୋକ ଜଣେ ଦାସୀର କାମ ମାଗୁଛି । ଅନ୍ୟ ପରିଚାରିକାମାନେ ରାଣୀ ସୁଦେଷ୍ଣାଙ୍କୁ ଯାଇଁ ଖବର ଦେଲେ । ରାଣୀ ଦ୍ରୌପଦୀଙ୍କୁ ପାଖକୁ ଡାକି ପରିଚୟ ମାଗିଲେ । ଦ୍ରୌପଦୀ କହିଲେ, “ମୁଁ ଆଶ୍ରୟ ଓ କାମ ଆଶାରେ ଆପଣଙ୍କ ପାଖକୁ ଆସିଛି । ଦ୍ରୌପଦୀଙ୍କ ସୌନ୍ଦର୍ଯ୍ୟ ଓ ରାଜକୀୟ ଶାରୀରିକ ଲକ୍ଷଣ ସବୁ ଦେଖି ରାଣୀ ସୁଦେଷ୍ଣା ପ୍ରଥମେ ପରତେ ଗଲେନି । ସେ କହିଲେ, “ତୁମ ପାଦତଳେ ଶହେ ପୋଇଲି କାମ କରୁଛନ୍ତି ପରି ତୁମର ରୂପକାନ୍ତି । ତୁମେ ପୁଣି ଏଠି କି କାମ କରିବ? ତୁମେ କ'ଣ କୋଉ ଯକ୍ଷର ସ୍ତ୍ରୀ କି? ନା କୋଉ କିନ୍ନରୀ? ତୁମେ ତ ଅପସରୀ, ଦେବକନ୍ୟା ଅବା ନାଗକନ୍ୟା ପରି ମୋତେ ଦିଶୁଛ ।“

Advertisment
mahabharatମହାଭାରତ

ପାଞ୍ଚାଳୀ କହିଲେ, ”ମହାରାଣୀ! ମୁଁ କୌଣସି ଯକ୍ଷ ପତ୍ନୀ କି ଦେବକନ୍ୟା କି ନାଗକନ୍ୟା ନୁହେଁ । ମୁଁ ସାମାନ୍ୟ ଜଣେ ପରିଚାରିକା । ପ୍ରଥମେ ମୁଁ କୃଷ୍ଣଙ୍କ ପତ୍ନୀ ସତ୍ୟଭାମାଙ୍କ ପରିଚାରିକା ଥିଲି । ତାପରେ ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀଙ୍କ ପରିଚର୍ଯ୍ୟା କରୁଥିଲି ।“ ରାଣୀ ସୁଦେଷ୍ଣା କହିଲେ, ”ତୁମେ ଏମିତି ସ୍ୱର୍ଗୀୟ ସୌନ୍ଦର୍ଯ୍ୟର ଅଧିକାରୀ ଯେ ତୁମ ପ୍ରତି ଯେ କୌଣସି ପୁରୁଷ ଆକର୍ଷିତ ହୋଇପଡ଼ିବ। ଆମ ରାଜପ୍ରାସାଦରେ ଏଠି ଅନେକ ପୁରୁଷ ଅଛନ୍ତି । “

ରାଣୀଙ୍କ ଆଶଙ୍କା ଶୁଣି ଦ୍ରୌପଦୀ କହିଲେ ସେପରି କିଛି ବି ଭୟ କରନ୍ତୁନି ମହାରାଣୀ । ଗନ୍ଧର୍ବ ରାଜାଙ୍କର ପାଞ୍ଚ ପୁଅ ମୋର ସ୍ୱାମୀ। ମୋ ଉପରେ ଖରାପ ନଜର ପକଇବା ପୁରୁଷକୁ ସେମାନେ ସହଜରେ ଶୀଘ୍ର ଯମାଳୟକୁ ପଠେଇଦେବେ । ସେମାନେ ସବୁବେଳେ ମୋର ସୁରକ୍ଷା କରନ୍ତି । ମୁଁ ସବୁ ପ୍ରକାର କାମ କରିପାରିବି । ମୁଁ ଅତି ସୁନ୍ଦର କରି ଭିନ୍ନ ଭିନ୍ନ ଶୈଳୀରେ ପୁରନାରୀଙ୍କ କେଶ ବାନ୍ଧିପାରିବି । ସୁଗନ୍ଧ ଦ୍ରବ୍ୟ ତିଆରି କରି ଲେପନ କରିପାରିବି । ବିଭିନ୍ନ ପ୍ରକାରର ଫୁଲକୁ ଏକାଠି କରି ସୁନ୍ଦର ସୁନ୍ଦର ମାଳା ତିଆରି କରିପାରିବି । କେବଳ ଗୋଟିଏ କଥା; କାହାର ପାଦ ଧୋଇବିନି କି କାହାର ଅଇଁଠା ଖାଇବିନି । ସୁଦେଷ୍ଣା ଖୁସି ହେଲେ ଓ ରାଣୀ ଅନ୍ତଃପୁରରେ ଦ୍ରୌପଦୀ ସୈରିନ୍ଧ୍ରୀର ଛଦ୍ମବେଶରେ ରହିଲେ ।

Advertisment

ଅଧିକ ପଢ଼ନ୍ତୁ: ଅଜ୍ଞାତବାସ ଆରମ୍ଭ ଓ ପାଣ୍ଡବଙ୍କ ଛଦ୍ମବେଶ ଧାରଣ ପ୍ରସଙ୍ଗ

ଚାରିଭାଇ ଓ ପାଞ୍ଚାଳୀ ଆସି ବିରାଟ ନଗରୀରେ ଆଶ୍ରୟ ନେଲାପରେ ରାଜ ଦରବାରରେ ନାରୀ ବେଶ ହୋଇ ଅର୍ଜୁନ ପହଞ୍ଚିଲେ । ପରିଚୟ ମାଗିବାରୁ କହିଲେ, “ମୋ ନାମ ବୃହନ୍ନଳା। ମୋର ପିତା ମାତା କେହି ନାହାଁନ୍ତି । ମୁଁ ଗୀତ ଗାଇପାରେ, ନୃତ୍ୟ କରିପାରେ ଓ ବାଦ୍ୟ ଯନ୍ତ୍ର ବାଦନ ବି କରିପାରେ । ତେଣୁ ହେ ରାଜା! ଆପଣ ଆପଣଙ୍କ ଝିଅର ନାଚ ଗୀତର ଶିକ୍ଷକ ଭାବରେ ମୋତେ ନିଯୁକ୍ତି ଦିଅନ୍ତୁ । ଅଳ୍ପ ଦିନରେ ମୁଁ ତାଙ୍କୁ ନାଚ, ଗୀତ ଓ ବାଦ୍ୟରେ ନିପୁଣା କରିଦେବି ।" ରାଜା ଅର୍ଜୁନଙ୍କୁ ଅନ୍ତଃପୁରର କୁମାରୀମାନଙ୍କ ନାଚ ଗୀତ ଶିଖାଇବାକୁ ନିଯୁକ୍ତି ଦେଲେ । କିନ୍ତୁ ଅର୍ଜୁନଙ୍କ ରୂପ ଓ ଶୌର୍ଯ୍ୟ ତାଙ୍କ କ୍ଳୀବ ବେଶ ତଳେ ସମ୍ପୂର୍ଣ୍ଣ ଲୁଚିପାରିନଥିଲା । ତେଣୁ ରାଜା ବିରାଟଙ୍କ ମନରେ ସାମାନ୍ୟ ସନ୍ଦେହ ଥିଲା । ସେ ତାଙ୍କ ଚରଙ୍କୁ ଗୁପ୍ତରେ ବୃହନ୍ନଳାଙ୍କୁ ନିରୀକ୍ଷଣ କରିବାକୁ ଆଦେଶ ଦେଇଥା'ନ୍ତି । ଅନେକ ନିରୀକ୍ଷଣ ପରେ ବି ଚରମାନେ ଅର୍ଜୁନଙ୍କ ପାଖରେ ଅନ୍ୟ କିଛି ବିକୃତି ଲକ୍ଷ୍ୟ କରିପାରିଲେନି ।

ପାଣ୍ଡବ ପାଞ୍ଚଭାଇ ଓ ପାଞ୍ଚାଳୀ ନିଜ ନିଜ କାମରେ ରାଜା ରାଣୀ ଓ ରାଜକର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରି ରଖିଥା'ନ୍ତି । ମଝିରେ ମଝିରେ ମଲ୍ଲ ଯୁଦ୍ଧ ଆୟୋଜନ ହେଉଥାଏ । ବଲ୍ଲବ ରୂପୀ ଭୀମ ବଡ ବଡ ନାମକରା ମଲ୍ଲମାନଙ୍କୁ ହରାଇ ସମସ୍ତଙ୍କର ମନୋରଞ୍ଜନ କରୁଥା'ନ୍ତି । ମଲ୍ଲ ନଥିଲେ ଭୀମ ସିଂହ ଅବା ବାଘ ସାଙ୍ଗରେ ଲଢୁଥା'ନ୍ତି । ଧିରେ ଧିରେ ସମୟ ବିତୁଥାଏ । ପାଣ୍ଡବ ପରିବାର ସବୁ ପ୍ରକାର ଦୁଃଖ କଷ୍ଟ ସହି ଦିନ ଗଣୁଥା'ନ୍ତି କେଉଁଦିନ ସେମାନଙ୍କ ଅଜ୍ଞାତବାସ ଶେଷ ହେବ ।

ମହାରାଣୀ ସୁଦେଷ୍ଣାଙ୍କ ଭାଇ ହେଲା କିଚକ । କିଚକ ମହାବଳଶାଳୀ । ଯୁଦ୍ଧ ବିଦ୍ୟାରେ ନିପୁଣ । ସେନାପତି କିଚକର ଭୟରେ ମତ୍ସ୍ୟ ଦେଶକୁ କେହି ଆକ୍ରମଣ କରନ୍ତିନି। ସେଥିପାଇଁ ଲୋକେ କୁହନ୍ତି, “କିଚକ ବାହୁବଳେ ବିରାଟ ରାଜା” । ଭୀମ ଓ ବଳରାମଙ୍କ ବ୍ୟତୀତ କିଚକଙ୍କ ସମକକ୍ଷ କେହି ମଲ୍ଲ ଯୋଦ୍ଧା ନଥାନ୍ତି । ବିରାଟଙ୍କ ରାଜ୍ୟରେ ତେଣୁ କିଚକ ଅଖଣ୍ଡ କ୍ଷମତା ଭୋଗ କରୁଥା'ନ୍ତି । ତାଙ୍କୁ ଆକଟ କରିବାକୁ କେହି ନଥା'ନ୍ତି ।

ଦିନେ ରାଣୀଅନ୍ତଃପୁରରେ କିଚକର ଆଖି ଦ୍ରୌପଦୀଙ୍କ ଉପରେ ପଡ଼ିଲା । ଅପରୂପା ସୁନ୍ଦରୀ ଶ୍ୟାମଳୀ ଦ୍ରୌପଦୀଙ୍କୁ ଦେଖି କିଚକ ଅଭିଭୂତ ହେଇଗଲା । କାମନା ପୀଡ଼଼ିତ କିଚକ ତା' ଭଉଣୀ ସୁଦେଷ୍ଣାଙ୍କୁ ଯାଇ ପଚାରିଲା, “ତୁମ ରାଣୀଅନ୍ତଃପୁରରେ ସେ ଅପରୂପା ଅପସରୀ ପରି ଦିଶୁଥିବା ସୁନ୍ଦରୀ କିଏ? ମୁଁ ତ ଆଗରୁ କେବେ ତାକୁ ଦେଖିନି । ସୁଦେଷ୍ଣା କହିଲେ, ”ସେ ଆମର ନୂଆ ପରିଚାରିକା ।“

କିଚକ ତାପରେ ଦିନେ ଦ୍ରୌପଦୀଙ୍କୁ ଏକାନ୍ତରେ ଦେଖି କହିଲା, “ହେ ସୁନ୍ଦରୀ ତୁମେ କିଏ? କ'ଣ ପାଇଁ ପରିଚାରିକାର କାମ କରୁଛ? ତୁମେ ତ ରାଣୀଅନ୍ତଃପୁରର ରାଣୀ ହେବାକୁ ଯୋଗ୍ୟ । ତୁମେ ଏଣିକି ମୋର ଏକାନ୍ତପୁରକୁ ଆସି ରୁହ । ତୁମେ ଜାଣିନ ମୋର ସଙ୍ଗିନୀ ହେଲେ ଏହି ବିରାଟ ରାଜ୍ୟର ସମସ୍ତ ଐଶ୍ୱର୍ଯ୍ୟ ତୁମ ପାଦ ପାଖରେ ଆସି ପଡିବ । ପୂରା ରାଜପ୍ରାସାଦର ଦାସ ଦାସୀ ଓ ପରିଚାରିକା ତୁମ ସେବାରେ ଦିନ ରାତି ଲାଗିରହିବେ । ମୋ କଥା ମାନ, ଏମିତି ଏ ଯୌବନ ଓ ରୂପ ସୌନ୍ଦର୍ଯ୍ୟକୁ ନଷ୍ଟ କରନି । ତୁମେ ଏବେ ହଁ କହିଲେ ମୁଁ ମୋର ସବୁତକ ପୁରୁଣା ସ୍ତ୍ରୀଙ୍କୁ ସାଙ୍ଗେ ସାଙ୍ଗେ ତୁମର ଦାସୀ କରିଦେବି ।“

କିଚକର ଚାଟୁ କଥା ସବୁ ଶୁଣି ଦ୍ରୌପଦୀ କହିଲେ, ”ହେ ବୀର ତୁମେ ଉଚ୍ଚକୂଳରେ ଜାତ ହୋଇଛ । ଦେଶର ସେନାପତି ତୁମେ । ସାମାନ୍ୟ କେଶ ପ୍ରସାଧାନ କରୁଥିବା ସୈରୀନ୍ଧ୍ରୀ ମୁଁ । ତୁମର ଜଣେ ନୀଚ ଜାତିର ସୈରିନ୍ଧ୍ରୀକୁ କାମନା କରିବା ଉଚିତ ହେଉନି। ନିଜର ପତ୍ନୀମାନଙ୍କୁ ଛାଡି ଅନ୍ୟ ନାରୀକୁ କାମନା କରିବା ଆର୍ଯ୍ୟ ଧର୍ମର ବିରୁଦ୍ଧାଚରଣ। ତାପରେ ମୁଁ ଜଣେ ବିବାହିତା ନାରୀ। ମୋର ପାଞ୍ଚଜଣ ଗନ୍ଧର୍ବ ପତି ଅଛନ୍ତି । ମୋତେ ସ୍ପର୍ଶ କରିବାର ଦୁଃସାହସ କଲେ ସେମାନେ ତୁମକୁ ଯଥାଶୀଘ୍ର ମୃତ୍ୟୁ ଲୋକକୁ ପଠେଇଦେବେ । ଜାଣି ଜାଣି ମରଣକୁ ବରଣ କରିବା ବୁଦ୍ଧିମାନର କାମ ନୁହେଁ ।

କିଚକ କିନ୍ତୁ କଳେ ବଳେ କୌଶଳେ ଦ୍ରୌପଦୀଙ୍କୁ ଲାଭ କରିବାକୁ ଚାହୁଁଥିଲା । ସେ ଦ୍ରୌପଦୀଙ୍କ ରୂପ ଓ ଯୌବନରେ ଏତେ ମାତ୍ରାରେ ଆସକ୍ତ ହୋଇସାରିଥିଲା ଯେ ନିଜର ହିତାହିତ ଜ୍ଞାନ ହରେଇ ବସିଥିଲା । ଦ୍ରୌପଦୀ ସିଧା ସଳଖ ମନା କଲାପରେ ବି କିଚକ ମହାରାଣୀ ସୁଦେଷ୍ଣାଙ୍କ ପାଖକୁ ଗଲା ଓ କହିଲା ଯେକୌଣସି ଉପାୟରେ ସୈରୀନ୍ଧ୍ରୀକୁ ମୋ ପାଖକୁ ପଠେଇବାର ବ୍ୟବସ୍ଥା କର । ନହେଲେ ମୁଁ ନିଶ୍ଚୟ ମୋ ଜୀବନ ହାରିଦେବି । ପ୍ରଥମେ ସୁଦେଷ୍ଣା କିଚକର ପାପ କଥା ଶୁଣି ମନାକଲେ । ବୁଝେଇବାକୁ ଅନେକ ଚେଷ୍ଟା କଲେ । କିଚକ କିନ୍ତୁ ତା'ର ଭଉଣୀ ସୁଦେଷ୍ଣାଙ୍କ ପାଖରେ ଅନେକ ପ୍ରକାରର ଅନୁନୟ ବିନୟ କଲାପରେ ଶେଷରେ ବାଧ୍ୟରେ ରାଜି ହେଲେ ରାଣୀ। ତାପରେ ଭାଇ ଭଉଣୀ ଏକାନ୍ତରେ ବସି ଉପାୟ ଗୋଟେ ପାଞ୍ଚିଲେ । କଥା ହେଲା କିଚକ ଏକ ଉତ୍ସବ ଆୟୋଜନ କରିବ । ପାଖରେ ମଦ ଓ ମାଂସ ପ୍ରସ୍ତୁତ କରି ରଖିବ । ମଦ ଆଣିବାକୁ ରାଣୀ ସୈରୀନ୍ଧ୍ରୀକୁ କିଚକ ପାଖକୁ ରାତିରେ ପଠେଇବେ । ନିରୋଳା ରାତିରେ ଏକାନ୍ତରେ ନିଜ ଘରେ ସୈରୀନ୍ଧ୍ରୀକୁ ପାଇ ବିରାଟ ମନଲୋଭା କଥା କହି ବଶ କରିବ ।

କଥା ଅନୁସାରେ ସବୁ ଆୟୋଜନ କରାଗଲା । ସେଦିନ ବିଳମ୍ବିତ ରାତିରେ ରାଣୀ ସୁଦେଷ୍ଣା ମଦ ଆଣିବାକୁ ସୈରୀନ୍ଧ୍ରୀକୁ କିଚକପୁରକୁ ପଠେଇଲେ । ଅଧ ରାତିରେ କିଚକପୁରକୁ ଯିବାକୁ ସୈରୀନ୍ଧ୍ରୀ ଭୟ କରୁଥିଲେ । ତେଣୁ ସେ ଅନୁନୟ କରି କହିଲେ, “ମହାରାଣୀ ଆପଣ ଜାଣନ୍ତି କିଚକ ମଦ୍ୟପ ଓ ସେ ନିର୍ଲଜ ମୋ ଉପରେ ପାପ ଆଖି ପକାଇଛି । ଏତେ ରାତିରେ ତା' ପାଖକୁ ଯିବାଟା ମୋତେ ଠିକ୍ ଲାଗୁନି । ଆପଣ ମୋତେ ଛାଡି ଅନ୍ୟ କାହାକୁ ପଠେଇଲେ ଭଲ ହୁଅନ୍ତା । “

ସୁଦେଷ୍ଣା ତ ନିଜେ ଯୋଜନା କରିଛନ୍ତି । ସେ ଦ୍ରୌପଦୀଙ୍କ କଥା ଶୁଣିବେ କେମିତି? ହାତରେ ଗୋଟେ ସୁନାର ପାତ୍ର ଧରେଇ ଦେଇ କହିଲେ ତୁମେ ମୋ ନାମ କହିବ । କହିବ ମହାରାଣୀ ପଠେଇଛନ୍ତି । ବ୍ୟସ୍ତ ହୁଅନି କିଚକ ମୋ ନାମ ଶୁଣିଲେ ତୁମ ପ୍ରତି କେବେବି କୌଣସି ପ୍ରକାରର ଅସଦାଚରଣ କରିବନି ।“

ଦ୍ରୌପଦୀଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ରାଣୀଙ୍କ ଦୟାରେ ସେ ଅନ୍ତଃପୁରରେ ଆଶ୍ରୟ ପାଇଛନ୍ତି । ଆଦେଶ ଅମାନ୍ୟ କରିବା ସମ୍ଭବ ନୁହେଁ । ଦ୍ରୌପଦୀ ବିରାଟ ପାଖକୁ ଯିବା ବାଟରେ ଠାଏ ଠିଆହେଇ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କଲେ । ସୂର୍ଯ୍ୟଦେବ ପାଞ୍ଚାଳୀଙ୍କ ପରିସ୍ଥିତି ଜାଣି ତାଙ୍କୁ ରକ୍ଷା କରିବାକୁ ସଙ୍ଗେ ସଙ୍ଗେ ଏକ ରାକ୍ଷସକୁ ନିଯୁକ୍ତ କଲେ । ତାପରେ ଦ୍ରୌପଦୀ ମନେ ମନେ ଇଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି ନିରୀହ ହରୀଣ ଗୋଟେ ବାଘ ଗୁମ୍ଫାକୁ ଯିବା ପରି ଡରି ଡରି ଧିର ପାଦରେ ଅଗତ୍ୟା ଚାଲିବା ଆରମ୍ଭକଲେ ।

ଅଧିକ ପଢ଼ନ୍ତୁ: ତୃଷ୍ଣାର୍ଥ ପାଣ୍ଡବ ଓ ଅଜଣା ଶୂନ୍ୟବାଣୀ

Mahabharat Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ