Advertisment

Mahabharat Story: ଅର୍ଜୁନଙ୍କ ଗୋଧନ ଉଦ୍ଧାର ଓ କର୍ଣ୍ଣଙ୍କ ଗର୍ବଭଙ୍ଗ କଥା

କାହିଁକି କର୍ଣ୍ଣ ଓ ଦୁର୍ଯ୍ୟୋଧନଙ୍କୁ ଦ୍ରୋଣଙ୍କ ପାଖରେ କ୍ଷମା ମାଗିବାକୁ କହିଲେ ଭୀଷ୍ମ? କୌରବ ସେନା ଓ ସେନାପତିଙ୍କୁ ଛାଡି ଅର୍ଜୁନ ଦୁର୍ଯ୍ୟୋଧନ ପଛରେ କାହିଁକି ଯାଇଥିଲେ? କର୍ଣ୍ଣ କେମିତି ହାରିଲେ ଅର୍ଜୁନଙ୍କ ହାତରେ? ମହାଭାରତର ବିରାଟ ପର୍ବ ଭିତରେ ଥିବା କିଛି ଚମତ୍କାର କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

mahabharat

mahabharat

Advertisment

ଅର୍ଜୁନ ତାଙ୍କର ଦିବ୍ୟ ଅସ୍ତ୍ରଶସ୍ତ୍ରକୁ ସାଙ୍ଗରେ ଧରି, ଦେହରେ କବଚ କୁଣ୍ଡଳ ପିନ୍ଧି ମତ୍ସଦେଶର ରାଜକୁମାର ଉତ୍ତରଙ୍କୁ ତାଙ୍କ ସାରଥି କରି କୌରବ ସେନାଙ୍କ ଆଡକୁ ରଥ ଗଡ଼ାଇଲା ବେଳକୁ କୌରବ ସେନାପତି ମାନଙ୍କ ଭିତରେ କଥା କଟା କଟି ଜୋରରେ ଚାଲିଥାଏ । କର୍ଣ୍ଣଙ୍କ ଆତ୍ମ ବଡିମାକୁ କେହି ସହ୍ୟ କି ପସନ୍ଦ କରୁନଥାନ୍ତି । କର୍ଣ୍ଣ ସେଇଠି ଆଚାର୍ଯ୍ୟ ଦ୍ରୋଣଙ୍କ ଉପରେ ଦୋଷ ଲଦିବାରୁ ତାଙ୍କ ପୁଅ ଅଶ୍ୱଥାମା କର୍ଣ୍ଣଙ୍କୁ କଡା କରି କଥା ଚାରିପଦ ଶୁଣେଇଦେଲେ ।

Advertisment

ନିଜ ନିଜ ଭିତରେ ଏପରି ଟଣା ଓଟରା ଓ ବିବାଦକୁ ପସନ୍ଦ କଲେନି ପିତାମହ ଭୀଷ୍ମ । ଭୀଷ୍ମ ଭୀଷଣ କ୍ଷୁବ୍ଧ ହେଇ କହିଲେ “ଆଚାର୍ଯ୍ୟ ଦ୍ରୋଣଙ୍କ ପ୍ରତି ଦୁର୍ଯ୍ୟୋଧନ ଓ ଅଙ୍ଗ ନରେଶ କର୍ଣ୍ଣଙ୍କ ବ୍ୟବହାର ଅତ୍ୟନ୍ତ ଅନୁଚିତ ଓ ଅସଙ୍ଗତ ମଧ୍ୟ । ଦ୍ରୋଣ ଓ କୃପ କେହି କିଛି ଖରାପ କଥା କହିନାହାନ୍ତି । ମୁଁ ମଧ୍ୟ ସେମାନଙ୍କ ସହ ଏକମତ ଯେ ସ୍ଥାନ ଓ କାଳ ହିସାବରେ ଏବେ ଯୁଦ୍ଧ କରିବା ଉଚିତ ନୁହେଁ ।” ତାପରେ ପିତାମହ ଭୀଷ୍ମ କୌରବ ମାନଙ୍କ ପକ୍ଷରୁ ଦ୍ରୋଣ,କୃପ ଓ ଅଶ୍ୱଥାମାଙ୍କୁ କ୍ଷମା ମାଗି କହିଲେ “ଆପଣମାନେ ଆପଣମାନଙ୍କ ମହତ ଗୁଣରେ ଏ ବାଚାଳ କର୍ଣ୍ଣ ଓ ଦୁର୍ଯ୍ୟୋଧନକୁ କ୍ଷମା କରିଦିଅନ୍ତୁ । ସେମାନେ ବୁଝିପାରୁ ନାହାଁନ୍ତି ଆପଣମାନଙ୍କ ପରି ବିଶ୍ୱ ପ୍ରସିଦ୍ଧ ବୀରମାନେ କୌରବ ସେନାଙ୍କ ପକ୍ଷରୁ ଯୁଦ୍ଧ କରିବାକୁ ପ୍ରସ୍ତତ ହେଇ ଅଛନ୍ତି । ଆପଣମାନେ କୌରବ ରାଜ ସିଂହାସନର ଖରାପ କେବେ ଚିନ୍ତା କରିନାହାଁନ୍ତି ।”

ଭୀଷ୍ମ ତାପରେ ଦୁର୍ଯ୍ୟୋଧନଙ୍କୁ ଚାହିଁ କହିଲେ “ଗଣକ ମାନଙ୍କ ଦ୍ୱାରା ଗଣନା କରାଇ ମୁଁ ଜାଣିଛି ପାଣ୍ଡବ ମାନଙ୍କ ବନବାସ ଓ ଅଜ୍ଞାତବାସର ସମୟ ଶେଷ ହେଇସାରିଛି । ପାଣ୍ଡବମାନେ ସତ୍ୟ ଓ ଧର୍ମ ପଥରେ ସଦା ସର୍ବଦା ବାଟ ଚାଲନ୍ତି । ସେମାନେ କେବେବି ସତ୍ୟଭଙ୍ଗ କରିବେନି । ସତ୍ୟଭଙ୍ଗ କରିବାର ଥିଲେ ତୁମେ ଓ ତୁମ ଶକୁନି ମାମୁଁ କପଟ କରି ସେମାନଙ୍କୁ ବନବାସକୁ ଯେବେ ପଠେଇଥିଲ, ସେତବେଳେ ସେମାନେ ଯୁଦ୍ଧ କରି ତାଙ୍କ ରାଜ୍ୟ ନେଇପରିଥାନ୍ତେ । ତୁମେ ଯାହା ସାଙ୍ଗରେ ଏବେ ଯୁଦ୍ଧ କରିବ ତାକୁ ସାମାନ୍ୟ ଭାବନି । ନିଜ ନିଜ ଭିତରେ ବିବାଦ ନକରି ସେନାଙ୍କ ଭିତରେ ଏକତା ଓ ଉତ୍ସାହ କିପରି ଆସିବ ସେ ବିଷୟରେ ବରଂ ଚିନ୍ତା କର ।”

Advertisment

ଭୀଷ୍ମଙ୍କ କଥା ପରେ ଦୁର୍ଯ୍ୟୋଧନ ଓ କର୍ଣ୍ଣ ଉଭୟେ ଦ୍ରୋଣଙ୍କ ପାଖକୁ ଯାଇ କ୍ଷମା ପ୍ରାର୍ଥନା କଲେ । ଆଚାର୍ଯ୍ୟ ଦ୍ରୋଣ କହିଲେ “ଭୀଷ୍ମଙ୍କ ଅନୁରୋଧ ପରେ ମୁଁ କ୍ଷମା ପ୍ରଦାନ କରିସାରିଛନ୍ତି । ଏବେ ପଛ କଥା ଛଡି ଯୁଦ୍ଧ କଥା ଭାବ । ମୁଁ ଯେତିକି ଜାଣିଛି ଅର୍ଜୁନ ନିଶ୍ଚୟ ପ୍ରଥମେ ଦୁର୍ଯ୍ୟୋଧନଙ୍କୁ ଆକ୍ରମଣ କରିବ । ସେଥିପାଇଁ ଆମମାନଙ୍କୁ ପୂର୍ବରୁ ପ୍ରସ୍ତୁତ ହେଇ ରହିବାକୁ ପଡିବ । ପାଣ୍ଡବମାନଙ୍କର ଅଜ୍ଞାତବାସର ଅବଧି ନିଶ୍ଚୟ ଶେଷ ହେଇଛି । ନହେଲେ ଅର୍ଜୁନ ପ୍ରକାଶ୍ୟରେ ଯୁଦ୍ଧ କରିବାକୁ କେବେବି ଆସିନଥାନ୍ତେ ।”

ଆଚାର୍ଯ୍ୟଙ୍କ କଥା ଶୁଣି ଭୀଷ୍ମ କହିଲେ ଦୁର୍ଯ୍ୟୋଧନଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା ଯଦି ଅଛି ତେବେ ତାର ଏକମାତ୍ର ପ୍ରତିକାର ହେଲା କୌରବ ସେନାଙ୍କୁ ଯଥା ଶିଘ୍ର ଚାରି ଭାଗରେ ବିଭକ୍ତ କର । ଗୋଟେ ଭାଗ କେବଳ ଦୁର୍ଯ୍ୟୋଧନଙ୍କୁ ସୁରକ୍ଷା ଦିଅନ୍ତୁ ଓ ସେ ହସ୍ତିନାପୁରକୁ ପ୍ରସ୍ଥାନ କରନ୍ତୁ । ଆଉ ଏକ ଭାଗ ସୈନ୍ୟ ବିରାଟଙ୍କ ଗୋଧନକୁ ଧରି ତାଙ୍କ ପଛରେ ଚାଲନ୍ତୁ । ଅନ୍ୟ ଅଧକ ସୈନ୍ୟ ଆମମାନଙ୍କ ସାଙ୍ଗରେ ଥାଆନ୍ତୁ । ମୁଁ, ଦ୍ରୋଣ, କୃପ, ଅଶ୍ୱଥାମା ଓ କର୍ଣ୍ଣ ମିଳିମିଶି ଅର୍ଜୁନଙ୍କ ସହ ଲଢିବୁ । ସୈନ୍ୟଙ୍କ ଆଗରେ କର୍ଣ୍ଣ ରୁହନ୍ତୁ । ମୁଁ ସେନାଙ୍କ ପଛ ଭାଗରେ ରହିବି । ଅଶ୍ୱଥାମା ବାମପଟରେ ଓ କୃପାଚାର୍ଯ ଦକ୍ଷୀଣପଟରେ ରହି ସୈନ୍ୟ ପରିଚାଳନା କରିବେ । ମଝିରେ ରହିବେ ଦ୍ରୋଣ । ଏହି ଅନୁସାରେ ଆମେ ସୈନ୍ୟ ପରିଚାଳନା ଯଦି କରିବା ତେବେ ସ୍ୱୟଂ ଇନ୍ଦ୍ରଦେବ ତାଙ୍କ ଦେବସେନାଙ୍କୁ ଆଣି ଯୁଦ୍ଧ କଲେବି ଆମମାନଙ୍କ ହାତରେ ପରାଜୟ ଲଭିବେ ।

Advertisment

ଭୀଷ୍ମଙ୍କ କଥା ମାନି ସେନାପତିମାନେ କୌରବ ସେନାଙ୍କୁ ସେହିପରି ପରିଚାଳିତ କରିବାକୁ ଆରମ୍ଭ କଲେ । କିଛି ଦୂରରେ ଅର୍ଜୁନ ତାଙ୍କ ରଥରେ ବସି କୌରବ ସେନାଙ୍କ ସମର ସଜ୍ଜାକୁ ଦୂରରୁ ନିରୀକ୍ଷଣ କରୁଥିଲେ ।

କୌରବଙ୍କ ରଣ କୌଶଳ ଦେଖି ଅର୍ଜୁନ ଯୁବରାଜ ଉତ୍ତରଙ୍କୁ କହିଲେ “ରଥକୁ ଆମର ଏବେ କୌରବ ସେନାଙ୍କ ପାଖକୁ ନିଅ ।” ଉତ୍ତର ରଥକୁ ଆଗକୁ ବଢାଇଲେ । ଅର୍ଜୁନଙ୍କ ପରିଚୟ ପାଇସାରିଲା ପରେ ଯୁବରାଜଙ୍କ ମନରେ ଏବେ ଆଉ ଭୟ ନଥାଏ । ରଥର ବେଗ ବଢାଇବାକୁ ସେ ଘୋଡାମାନଙ୍କ ମୁହଁରେ ବନ୍ଧା ଦଉଡିକୁ ଯୋରରେ ଝିକି ଦେଲେ ।

ପାଖକୁ ଆସିଲା ପରେ ଅର୍ଜୁନ ଚାରି ଆଡକୁ ଭଲରେ ଆଖି ପକେଇ ଉତ୍ତରଙ୍କୁ କହିଲେ “ଯୁବରାଜ ମୁଁ ମୋ ସାମ୍ନାରେ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଅଶ୍ୱଥାମା ଓ କର୍ଣ୍ଣଙ୍କୁ ସ୍ପଷ୍ଟ ଭାବରେ ଦେଖିପାରୁଛି । କିନ୍ତୁ ସେମାନଙ୍କ ସାଙ୍ଗରେ ଦୁର୍ଯ୍ୟୋଧନଙ୍କୁ କିନ୍ତୁ ପାଉନି । ଅନ୍ୟମାନଙ୍କ ସହ ମୋର ବାଦ ନାହିଁ । ମୋର ଇଚ୍ଛା ଥିଲା ସେ ନରାଧମ ଗର୍ବି ଅହଂକାରୀ ଦୁର୍ଯ୍ୟୋଧନକୁ ଆଗ ବନ୍ଦୀ କରିଥାନ୍ତି । ମୋର ଯାହା ଅନୁମାନ ଗୋଧନ ଧରି ସେ ହସ୍ତିନାପୁରକୁ ପଳଉଛି । ଆମକୁ ପ୍ରଥମେ ଗୋଧନକୁ ରକ୍ଷା କରିବାକୁ ପଡିବ । ଏଠି ଅଯଥାରେ ସମୟ ନଷ୍ଟ କରିବାନି । ତୁମେ ଯଥାଶିଘ୍ର ସେ ଦୁର୍ଯ୍ୟୋଧନକୁ ଅନୁଧାବନ କର । ଦକ୍ଷୀଣ ଦିଗରେ କ୍ଷୀପ୍ର ଗତୀରେ ରଥ ଚଳାଅ । ଅନ୍ୟମାନଙ୍କୁ ଏବେ ଛାଡିଦେବା । କେବଳ ସେ ଦୁର୍ଯ୍ୟୋଧନକୁ ସଂହାର କରି ଗୋଧନ ଊଦ୍ଧାର କରି ଫେରିଆସିବା ।”

ଅର୍ଜୁନ ରଥର ଦିଗ ବଦଳାଇବା ପୂର୍ବରୁ ତାଙ୍କ ଗୁରୁ ଦ୍ରୋଣଙ୍କୁ ସମ୍ମାନ ଜଣାଇ ଦୁଇଟି ତୀର ନିକ୍ଷେପ କଲେ । ତୀର ଦୁଇଟି ଦ୍ରୋଣଙ୍କ ପାଦ ପାଖରେ ଆସି ପଡିଲା । ଦ୍ରୋଣ ଅନେକ ବର୍ଷ ପରେ ତାଙ୍କ ପ୍ରୀୟ ଶିଷ୍ୟକୁ ଦେଖି ଖୁସି ହେଇଗଲେ । କିନ୍ତୁ ସେମାନଙ୍କ ଦିଗରେ ଆସୁଥିବା ରଥ ଯେ କାହିଁକି ଅନ୍ୟ ଦିଗରେ ବୁଲିଲା ଦ୍ରୋଣ ହଠାତ୍ ବୁଝିପାରିଲେନି । ମୁହୂର୍ତ୍ତଟେ ପରେ ବୁଝିଲେ ଅର୍ଜୁନ ଏବେ ଦୁର୍ଯ୍ୟୋଧନଙ୍କ ପାଖକୁ ଯାଉଛନ୍ତି । ଦୁର୍ଯ୍ୟୋଧନଙ୍କୁ ସୁରକ୍ଷା ଦେବାକୁ ତୁରନ୍ତ ସେ ସେନାବାହିନୀକୁ ଅର୍ଜୁନଙ୍କ ପଛରେ ଯିବାକୁ ନିର୍ଦେଶ ଦେଲେ ।

ଅର୍ଜୁନଙ୍କ ରଥ ବିଜୁଳି ବେଗରେ ଅଳ୍ପ ସମୟ ଭିତରେ ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚିଗଲା । ଅର୍ଜୁନ ତୀବ୍ରବେଗରେ ଏତେ ସଂଖ୍ୟାରେ ତୀର ବର୍ଷା କଲେଯେ କୌରବ ସେନା ତାଙ୍କର କୌଣସି ମୁକାବିଲା କରିପାରିଲେନି ଓ ତୀର ବର୍ଷା ଭିତରେ କେହି କାହାକୁ ଦେଖି ପାରିଲେନି । ଗାଣ୍ଡିବର ଟଙ୍କାର, ରଥର ନିର୍ଘୋଷ, ମଝିରେ ମଝିରେ ଅର୍ଜୁନଙ୍କ ଶଙ୍ଖ ଧ୍ୱନୀ, ରଥର ପତାକାରେ ବସିଥିବା ଭୂତମାନଙ୍କର ଭୟଙ୍କର କିଳି କିଳା ରଡି ସାଙ୍ଗକୁ ତୀର ବର୍ଷା ଦେଖି ଯୁବରାଜ ଉତ୍ତର ଭାବୁଥିଲେ ଅର୍ଜୁନ ଠିକ କହୁଥିଲେ । ଜଣେ ବୀର ଏକୁଟିଆ ସମଗ୍ର କୁରୁସେନା ସାଙ୍ଗରେ କିପରି ଯୁଦ୍ଧ କରିପାରିବ ସେ ପ୍ରଥମଥର ପାଇଁ ଦେଖୁଥିଲେ ।

ଅର୍ଜୁନଙ୍କୁ ସାମ୍ନା କରିନପାରି କୌରବ ସେନାମାନେ ଅଳ୍ପ ସମୟ ଭିତରେ ଛିନ୍ନଛତ୍ର ହେଇଗଲେ । ଅର୍ଜୁନ ଗୋପାଳକମାନଙ୍କୁ ଗାଈ ଗୋରୁମାନଙ୍କୁ ଏବେ ମତ୍ସ ଦେଶ ଭିତରକୁ ଫେରାଇନେବାକୁ ନିର୍ଦେଶ ଦେଲେ । ତାପରେ ଅର୍ଜୁନ ଆଉ ଥରେ ଦୁର୍ଯ୍ୟୋଧନଙ୍କ ରଥ ପଛରେ ଗୋଡେଇଲେ ।

ଅନ୍ୟମାନେ ଦୁର୍ଯ୍ୟୋଧନଙ୍କୁ ସୁରକ୍ଷା ଦେବାକୁ ସେ ଦିଗରେ ଆସିବାକୁ ବାହାରିଲା ବେଳକୁ ଅର୍ଜୁନ ଯୁବରାଜ ଉତ୍ତରଙ୍କୁ କହିଲେ “ଏବେ ରଥକୁ ସେ ଅଧମ ସୂତପୁତ୍ର କର୍ଣ୍ଣ ପାଖକୁ ନିଅ । ଦୁର୍ଯ୍ୟୋଧନର ଆଶ୍ରୟରେ ରହି ତାର ଗର୍ବ ବହୁତ ବଢିଗଲାଣି । ଆଜି ସେ ମୋ ସହ ଯୁଦ୍ଧ କରି ଜାଣୁ ଯୁଦ୍ଧ କାହାକୁ କୁହନ୍ତି ।”

mahabharatମହାଭାରତ

କର୍ଣ୍ଣ ସବୁବେଳେ ଅର୍ଜୁନଙ୍କ ସହ ସମ୍ମୁଖ ଯୁଦ୍ଧ କରିବାକୁ ଅଭିଳାଷ ରଖିଥାନ୍ତି । ଅର୍ଜୁନଙ୍କ ରଥ କର୍ଣ୍ଣଙ୍କ ରଥ ଦିଗରେ ଆସିବାରୁ ତାଙ୍କୁ ସୁରକ୍ଷା ଦେବାକୁ ବିକର୍ଣ୍ଣ, ରାଜା ଶତୃନ୍ତପ, କର୍ଣ୍ଣଙ୍କ ଭାଇ ସଂଗ୍ରାମଜିତ୍ ଅର୍ଜୁନଙ୍କ ଆଗକୁ ଆସିଲେ । କିନ୍ତୁ ସେମାନଙ୍କ ଦର୍ପ ଅର୍ଜୁନଙ୍କ ତୀର ଆଗରେ ବେଶି ସମୟ ତିଷ୍ଠି ରହିଲାନି । ଅଳ୍ପ ସମୟ ଭିତରେ ଅର୍ଜୁନ ଶରାଘାତ କରି ସେମାନଙ୍କ ରଥସବୁକୁ ଭାଙ୍ଗିପକାଇଲେ । ବିକର୍ଣ୍ଣ ଜୀବନ ରକ୍ଷା କରି ସେଠୁ ପଳେଇଲେ । ବିକର୍ଣ୍ଣ ପଳାୟନ କଲାପରେ ଶତୃନ୍ତପ ରାଗରେ ଅର୍ଜୁନଙ୍କ ଉପରେ ଅସ୍ତ୍ରରେ ପ୍ରହାର କରିବାକୁ ଲାଗିଲେ । ଅର୍ଜୁନ ବାଣ ପ୍ରୟୋଗ କରି ପ୍ରଥମେ ରାଜା ଶତୃନ୍ତପ ଓ ତାଙ୍କ ସାରଥିକୁ ନିହତ କଲେ । ତାପରେ ଅର୍ଜୁନ ତାଙ୍କୁ ଆକ୍ରମଣ କରିବାକୁ ଆସୁଥିବା କର୍ଣ୍ଣଙ୍କ ଭାଇ ସଂଗ୍ରାମଜିତଙ୍କୁ ତାଙ୍କ ଘୋଡା, ସାରଥିଙ୍କ ସହ ହତ୍ୟା କଲେ । ଆପଣା ଭାଇର ମୃତ୍ୟୁରେ ମ୍ରୀୟମାଣ କର୍ଣ୍ଣ ଭୀଷଣ କ୍ରୋଧସହ ଅର୍ଜୁନଙ୍କ ରଥକୁ ଆକ୍ରମଣ କଲେ । ଅର୍ଜୁନଙ୍କ ରଥର ସାରଥି ଯୁବରାଜ ଉତ୍ତର ଓ ଘୋଡା ମାନଙ୍କୁ ଲକ୍ଷ କରି ତୀର ସନ୍ଧାନ କଲେ । କର୍ଣ୍ଣ କିନ୍ତୁ ଅର୍ଜୁନଙ୍କ କପିଧ୍ୱଜ ରଥର ପତାକା ପାଖରେ ଭୟଙ୍କର ଭୂତମାନଙ୍କୁ ଦେଖି ଓ ସେମାନଙ୍କ ସମବେତ ଘୋର ଗର୍ଜନ ସହ ଅର୍ଜୁନଙ୍କ ଗାଣ୍ଡିବର ଟଙ୍କାର ଶୁଣି ଭୟପାଇସାରିଥିଲେ ।

ଯୁଦ୍ଧ ବିଦ୍ୟାରେ ଅର୍ଜୁନ ଓ କର୍ଣ୍ଣ କେହି କାହାଠୁ କମ୍ ନଥିଲେ । ଦୁହେଁ ପରସ୍ପରଙ୍କ ଉପରକୁ ଏତେ ସଂଖ୍ୟାରେ ତୀର ବର୍ଷା କଲେ ଯେ ଉପସ୍ଥିତ ସୈନ୍ୟମାନଙ୍କୁ ଲାଗିଲା ଦୁଇ ବୀର ସେମାନଙ୍କ ଆଖି ଆଗରୁ ହଠାତ୍ ଅଦୃଶ୍ୟ ହେଇଗଲେ । ତୀରଙ୍କ ବର୍ଷା ଭିତରେ ଦୁହିଁଙ୍କ ରଥ ଆଉ ଦିଶୁନଥିଲା । ଦୁହିଁଙ୍କ ଭିତରେ ଘମାଘୋଟ ଯୁଦ୍ଧ କିଛି ସମୟ ଲାଗିଲା ପରେ ଅର୍ଜୁନ ଦୁଇ ହାତରେ ଶର ସନ୍ଧାନ କରି କର୍ଣ୍ଣଙ୍କ ପୁରା ଶରୀରକୁ କ୍ଷତ ବିକ୍ଷତ କରିପକାଇଲେ । କର୍ଣ୍ଣ ଆଉ ବେଶି ସମୟ ଅର୍ଜୁନଙ୍କ ବାଣକୁ ସହ୍ୟ କରି ଯୁଦ୍ଧ କରିପାରିଲେନି । ଶେଷରେ ପରାସ୍ତ ହେଇ ନିଜ ଜୀବନ ବଞ୍ଚାଇ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ ।

ଅଧିକ ପଢ଼ନ୍ତୁ: କର୍ଣ୍ଣଙ୍କ ଅଯଥା ଗର୍ବ ଓ କୌରବସେନାଙ୍କ ଭୟର କାହାଣୀ

Mahabharata Mahabharat Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ