Advertisment

Mahabharat Story: ଯୁଦ୍ଧ କ୍ଷେତ୍ରରୁ ଭୟାତୁର ଯୁବରାଜଙ୍କ ପଳାୟନର ପ୍ରୟାସ କଥା

କାହିଁକି ରଥରୁ ଡେଇଁ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରୁଥିଲେ ବିରାଟ ରାଜାଙ୍କ ପୁଅ? କ'ଣ କହି ତାଙ୍କୁ ଅର୍ଜୁନ ବୁଝାଇଲେ? ପାଣ୍ଡବମାନଙ୍କ ପ୍ରକୃତ ପରିଚୟ ଜାଣିଲା ପରେ ରାଜକୁମାର ଉତ୍ତର କିପରି ପ୍ରତିକ୍ରିୟା ଦେଲେ? ନାରୀ ବେଶରେ ଥାଇ ବି ତାଙ୍କୁ ଅର୍ଜୁନ ବୋଲି କାହିଁକି ଅନୁମାନ କଲେ ଦ୍ରୋଣ? ଏଇ ସବୁ ରୋଚକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
mahabharat

mahabharat

Advertisment

କୌରବସେନାଙ୍କୁ ପରାସ୍ତ କରି ଆପଣା ଗୋଧନକୁ ଫେରାଇନେବାକୁ ପଣ କରି ଆସିଥିବା ଯୁବରାଜ ଉତ୍ତର ତାଙ୍କ ସାମ୍ନାରେ କୌରବ ବୀରମାନଙ୍କୁ ଦେଖି ଭୟ ପାଇଗଲେ । ସାରଥୀ ସାଜିଥିବା ବୃହନ୍ନଳା ରୂପୀ ଅର୍ଜୁନଙ୍କୁ କହିଲେ, ଚାଲ ଶୀଘ୍ର ଏଠାରୁ ପଳାୟନ କରିବା । ମୁଁ ଏତେ ବଡ ବଡ ବୀରଙ୍କ ସହ ଏକା ଯୁଦ୍ଧ କରିପାରିବିନି ।

Advertisment

ଅର୍ଜୁନ କିନ୍ତୁ ଯୁବରାଜ ଉତ୍ତରଙ୍କ କଥା ନଶୁଣି ତାଙ୍କ ରଥକୁ କୌରବସେନାଙ୍କ ଆହୁରି ନିକଟକୁ ନେଇଗଲେ । ଅର୍ଜୁନ ହସି ହସି କହିଲେ, “ହେ ଯୁବରାଜ! ଆପଣ ରାଣୀଅନ୍ତଃପୁରର ରମଣୀମାନଙ୍କୁ ଆତ୍ମବଡିମା ଦେଖାଇ କହିଆସିଛନ୍ତି ପରା ଯୁଦ୍ଧରେ ବିଜୟୀ ହୋଇ ଫେରିବେ । ଏବେ ଏମିତି ଭୟରେ ଛତ୍ରଭଙ୍ଗ କରି ପଳାୟନ କଲେ କ'ଣ କହିବେ ସେମାନଙ୍କୁ? ଆପଣଙ୍କ ବୀରପଣର ମାନସମ୍ମାନ ରହିବ ତ? କୁଳରେ ଆପଣଙ୍କର କଳଙ୍କ ଲାଗିବ । ମୋତେ ପୁଣି ଅନୁରୋଧ କରି ସାରଥୀ କରିଛନ୍ତି । ମୁଁ ତ କଥା ଦେଇ ଆସିଛି ମତ୍ସ୍ୟ ଦେଶ ପକ୍ଷରୁ ରାଜା ବିରାଟଙ୍କ ପାଇଁ ଯୁଦ୍ଧ କରିବି । ଏବେ ଫେରିଯିବାର ରାସ୍ତା କିଛି ନାହିଁ । ତେଣୁ ଭୟ ଛାଡନ୍ତୁ ଓ ବୀର ଦର୍ପରେ ଶତ୍ରୁଙ୍କ ସହ ଯୁଦ୍ଧ କରନ୍ତୁ ।

ଯୁବରାଜ ଉତ୍ତର କିନ୍ତୁ ଭୟରେ ଅର୍ଜୁନଙ୍କ କୌଣସି କଥା ଶୁଣିବା ଅବସ୍ଥାରେ ନଥିଲେ । ସେ କହିଲେ, “କୌରବମାନେ ପୁରା ଗୋଧନ ନେଇଯାଆନ୍ତୁ କି ପୁରା ଦେଶକୁ ନେଇ ଯାଆନ୍ତୁ, ମୋତେ ସମସ୍ତେ ଭୀରୁ ବୋଲି କୁହନ୍ତୁ, ପିତା ଅଯୋଗ୍ୟ ପୁତ୍ର ବି କୁହନ୍ତୁ, ମୁଁ କଦାପି ଏମାନଙ୍କ ସାଙ୍ଗରେ ଯୁଦ୍ଧ କରିବିନି ।” ଏତିକି କହି ରାଜକୁମାର ଉତ୍ତର ତାଙ୍କ ଅସ୍ତ୍ରଶସ୍ତ୍ର ଛାଡି ରଥରୁ ତଳକୁ ଡେଇଁ ପଛକୁ ଦୌଡିବାକୁ ଆରମ୍ଭ କଲେ । ଅର୍ଜୁନ ତାଙ୍କୁ ଧରିବାକୁ ରଥରୁ ଓହ୍ଲାଇ ପଛେ ପଛେ ଧାଇଁଲେ । ଅର୍ଜୁନ କହୁଥାନ୍ତି, “ହେ ଯୁବରାଜ ଯୁଦ୍ଧ କ୍ଷେତ୍ରରୁ ଏମିତି ଭୟରେ ପଳାୟନ କରିବା କ୍ଷତ୍ରୀୟ ଧର୍ମ ନୁହେଁ ।”

Advertisment

ଅଳ୍ପ ଦୂରରୁ କୌରବ ସେନା ଏ ଦୃଶ୍ୟ ଦେଖି କିଛି ବୁଝି ପାରୁନଥିଲେ । ସେମାନେ ଦେଖୁଥିଲେ ଯୁଦ୍ଧ କରିବାକୁ ଆସିଥିବା ଯୁବକ ଜଣେ ରଥରୁ ଡେଇଁ ପଳାୟନ କରୁଛି ଓ ତା ପଛେ ପଛେ ମୁଣ୍ଡରେ ବେଣୀ ପକେଇ ଲାଲ ଶାଢୀ ପିନ୍ଧି ଆଉଜଣେ ଧାଉଁଛି । ଯୁଦ୍ଧ କ୍ଷେତ୍ରରେ ଏମିତି ଏକ ଅଜବ ଦୃଶ୍ୟ ଦେଖି କୌରବସେନାମାନେ ହସି ପକାଇଲେ ।

ଦୃଶ୍ୟଟି ଦେଖି ସେମାନଙ୍କ ଭିତରେ ଆଲୋଚନା କିନ୍ତୁ ଆରମ୍ଭ ହେଇଗଲା । ଆଚାର୍ଯ୍ୟ ଦ୍ରୋଣ କହିଲେ, “ଏ ନିଶ୍ଚୟ ଅର୍ଜୁନଙ୍କ ଛଡା ଆଉ କେହି ନୁହେଁ । ଭଲରେ ଦେଖ ପୁରୁଷ ଜଣେ ନାରୀ ବେଶ ପଡିଲା ପରି ଦିଶୁଛି । ଅର୍ଜୁନ ହିଁ କପଟରେ ନପୁଂସକ ବେଶରେ ଆସିଛି । ନହେଲେ ଏକା ଏକା କୌରବ ସେନାଙ୍କ ଆଗକୁ ଆସିବାର ଆଉ କେହିବି ସାହସ କରିବେନି । କିନ୍ତୁ ଦ୍ରୋଣଙ୍କ କଥା ଦୁର୍ଯ୍ୟୋଧନ ଓ କର୍ଣ୍ଣ ଆଦିଙ୍କୁ ଯୁକ୍ତିଯୁକ୍ତ ଲାଗିଲାନି। ସେମାନେ କହିଲେ, ଅର୍ଜୁନଙ୍କ ପରି ବୀର କେବେବି ଜଣେ ନପୁଂସକର ବେଶରେ ଯୁଦ୍ଧ କ୍ଷେତ୍ରକୁ ଆସିବନି ।

Advertisment

ସେପଟେ ରାଜକୁମାର ଉତ୍ତରଙ୍କୁ ଗୋଡେଇ ଗୋଡେଇ ଅର୍ଜୁନ ଯେତେବେଳେ ଧରିଲେ ସେତେବେଳେ କାନ୍ଦ କାନ୍ଦ ହୋଇ ଉତ୍ତର କହିଲେ, “ହେ ବୃହନ୍ନଳା ଦୟାକରି ମୋତେ ଛାଡିଦିଅ । ରଥ ବୁଲେଇ ଚାଲ ଏଇଠୁ ରାଜଧାନୀକୁ ଫେରିଯିବା । ମୁଁ କଥା ଦେଉଛି ତୁମକୁ ଅନକେ ଧନ ରତ୍ନ ସହ ହାତୀ, ଘୋଡା ଓ ସୁନ୍ଦର ଗୋଟେ ରଥ ଉପହାରରେ ଦେବି । ତୁମେ ଜାଣିଛ ମୁଁ ମୋ ବାପା ମାଆଙ୍କର ଏକମାତ୍ର ପୁତ୍ର ସନ୍ତାନ । ମୋର କିଛି ହୋଇଗଲେ ସେମାନେ ବଡ ଦୁଃଖରେ ସମୟ କାଟିବେ । ଏବେବି ସମୟ ଅଛି ରଥ ଫେରାଅ ଓ ଜୀବନ ଧରି ରାଜଧାନୀକୁ ଫେରିଚାଲ ।“

ଅର୍ଜୁନ କିନ୍ତୁ ଯୁବରାଜ ଉତ୍ତରଙ୍କର କୌଣସି କଥା ଶୁଣିଲେନି । ବରଂ ତାଙ୍କୁ ଜୋର ଜବରଦସ୍ତିରେ ଆଣି ରଥରେ ବସେଇଲେ ଓ କହିଲେ, “ଭୟ କରନି ତୁମକୁ ଯୁଦ୍ଧ କରିବାକୁ ପଡିବନି । ମୁଁ ଯୁଦ୍ଧ ବିଦ୍ୟା ଭଲ ରୂପରେ ଜାଣେ । ଏବେ ମୁଁ ଏହି କୌରବସେନାଙ୍କ ସହ ଯୁଦ୍ଧ କରିବି । ତୁମେ ମୋ ଜାଗାରେ ବସ ଓ ରଥ ଚଲାଇବାର ଦାୟିତ୍ୱ ନିଅ । ମୁଁ ଅଳ୍ପ ସମୟ ଭିତରେ ଏ କୌରବସେନାଙ୍କୁ ପରାସ୍ତ କରିବି ଓ ଆମେ ଆମ ଗୋଧନ ନେଇ ରାଜଧାନୀକୁ ଫେରିବା ।“

ବିରାଟଙ୍କ ନଗରୀକୁ ପ୍ରବେଶ ପୂର୍ବରୁ ପାଣ୍ଡବମାନେ ଶ୍ମଶାନ ପାଖ ଏକ ଶମି ଗଛରେ ସେମାନଙ୍କ ଅସ୍ତ୍ର ଶସ୍ତ୍ରକୁ ଲୁଚେଇ ରଖିଥିଲେ । ଅର୍ଜୁନ ଉତ୍ତରଙ୍କୁ କହିଲେ, “ହେ ରାଜକୁମାର ରଥକୁ ସେଇ ଶମୀ ଗଛ ପାଖକୁ ନେଇ ଚାଲ ।”

ରଥ ଅନ୍ୟ ଦିଗରେ ଯିବା ଦେଖି ଆଚାର୍ଯ୍ୟ ଦ୍ରୋଣ କହିଲେ ମୁଁ ସ୍ଥିର ନିଶ୍ଚିନ୍ତ ଏ ନପୁଂସକ ବେଶଧାରୀ ମଣିଷଟି ଅର୍ଜୁନ ଛଡା ଆଉ କେହି ନୁହେଁ । ଅର୍ଜୁନ ଦିବ୍ୟଅସ୍ତ୍ର ପ୍ରାପ୍ତ ପରେ ଅତ୍ୟନ୍ତ ବଳଶାଳୀ ହୋଇସାରିଛି। ବାର ବର୍ଷ ବନବାସ ପାଇଁ ଭୀଷଣ କ୍ରୋଧରେ ଅଛି। ଏବେ ତାକୁ ସାମ୍ନା କରିବାକୁ କେହି ବୀର ଆମମାନଙ୍କ ଭିତରେ ଥିବା ପରି ମୋତେ ଲାଗୁନି ।“ ଦ୍ରୋଣଙ୍କ କଥା ଶୁଣି କର୍ଣ୍ଣ ବିରକ୍ତ ହୋଇ କହିଲେ, ”ଗୁରୁଦେବ ମୁଁ ଓ ଦୁର୍ଯ୍ୟୋଧନ ଥାଉ ଥାଉ ଆପଣ ସେ ଅର୍ଜୁନର ପ୍ରଶଂସା କ'ଣ ପାଇଁ କରୁଛନ୍ତି?“ ଦୁର୍ଯ୍ୟୋଧନ କହିଲେ, ”ସେ ଅର୍ଜୁନ ହେଉ କି ଆଉ କିଏ ହେଉ? ସେଥିରେ କ'ଣ ଫରକ ଅଛି? ସେ ଯଦି ସତରେ ଅର୍ଜୁନ ହୋଇଥିବ ତେବେ ଆଜି ଚିହ୍ନାପଡିବ । ଖୁସିର କଥା ପାଣ୍ଡବମାନେ ଆଉ ବାରବର୍ଷ ପାଇଁ ବନବାସରେ ଯିବେ । ଯଦି ଆଉ କେହି ହେଇଥିବ ତେବେ ତାପାଇଁ ମୋର ଗୋଟେ ମାତ୍ର ଶର ଯଥେଷ୍ଟ ହେବ ।“

ଶମି ଗଛ ପାଖରେ ରଥ ପହଞ୍ଚିଲା ପରେ ଅର୍ଜୁନ ଯୁବରାଜ ଉତ୍ତରଙ୍କୁ କହିଲେ, “ରାଜକୁମାର ଏବେ ଏ ଗଛକୁ ଚଢ । ତୁମେ ସାଙ୍ଗରେ ଆଣିଥିବା ଅସ୍ତ୍ରଶସ୍ତ୍ର ଆମ ସାମ୍ନାରେ ଛିଡା ହୋଇଥିବା ବୀରମାନଙ୍କର କିଛିବି କ୍ଷତି କରିବନି । ଗଛର ଶାଖାରେ ମୋର ଅସ୍ତ୍ରଶସ୍ତ୍ର ଓ କବଚ ଗୋପନରେ ବନ୍ଧାହୋଇ ରହିଛି । ସେ ସବୁକୁ ଶୀଘ୍ର ତଳକୁ ଆଣ ।“

ବୃହନ୍ନଳା ରୂପୀ ଅର୍ଜୁନଙ୍କ କଥା ଶୁଣି ରାଜକୁମାର ଉତ୍ତର କହିଲେ, ”ଏ ଗଛରେ ଗୋଟେ ମଲା ମଣିଷର ପଚା ଶବ ବନ୍ଧା ଅଛି ବୋଲି ମୁଁ ଶୁଣିଛି । ମୁଁ କ୍ଷତ୍ରୀୟ । କୌଣସି ପଚା ଶବ ସ୍ପର୍ଶ କରିପାରିବିନି । ଦୟାକରି ମୋତେ ଏମିତି ଅନୁରୋଧ କରନି" । ରାଜକୁମାରଙ୍କ ଦ୍ୱିଧା ଦେଖି ଅର୍ଜୁନ ହସି ହସି କହିଲେ, ”ଅସ୍ତ୍ରଶସ୍ତ୍ର ସବୁ ଚମଡାରେ ଏକତ୍ର ବନ୍ଧା ହୋଇ ଶବପରି ଦିଶୁଛି । ସେଇଟି ପ୍ରକୃତ ଶବ ନୁହେଁ, ପାଣ୍ଡବମାନଙ୍କ ଅସ୍ତ୍ର । ର୍ନିଦ୍ୱନ୍ଦରେ ଗଛ ଚଢ ଓ ଅସ୍ତ୍ର ସବୁକୁ ତଳକୁ ଆଣ ।“ ରାଜକୁମାର ଉତ୍ତର ଗଛ ଚଢିଲେ ଓ ଚମଡାରେ ବନ୍ଧା ଅସ୍ତ୍ର ପୁଟୁଳିକୁ ତଳକୁ ଆଣିଲେ । ପୁଟୁଳି ଖୋଲିଲା ପରେ ଅସ୍ତ୍ରମାନଙ୍କର ତେଜ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଶରୀର ରୋମାଞ୍ଚିତ ହୋଇଗଲା । ସେ ଅର୍ଜୁନଙ୍କୁ ପଚାରିଲେ, “ହେ ବୃହନ୍ନଳା ଏ ସବୁ ମୁଁ କ'ଣ ଦେଖୁଛି ? ଏ ଦିବ୍ୟ ତେଜବାନ ଅସ୍ତ୍ର ସବୁ କାହାର? ଏଠି କାହିଁକି ଏମିତି ରଖାଯାଇଛି? ”

ଅର୍ଜୁନ କହିଲେ, “ବ୍ୟସ୍ତ ହୁଅନି ଯୁବରାଜ । ଏ ଅସ୍ତ୍ରଶସ୍ତ୍ର ସବୁ ପାଣ୍ଡବମାନଙ୍କର । ସେମାନେ ଏବେ ଅଜ୍ଞାତ ବାସରେ ଅଛନ୍ତି । ସେଥିପାଇଁ ପାଞ୍ଚ ଭାଇ ସେମାନଙ୍କ ଅସ୍ତ୍ରକୁ ଏଇଠି ଲୁଚେଇ ରଖିଛନ୍ତି ।“

ଯୁବରାଜ ଉତ୍ତର ପାଣ୍ଡବମାନଙ୍କ ବିଷୟରେ ଅଧିକ ଜାଣିବାକୁ ଚାହିଁଲେ । କହିଲେ, ମୁଁ ତ ଶୁଣିଥିଲି ହସ୍ତିନା ରାଜଦରବାରରେ ସେମାନେ ପଶା ଖେଳରେ ହାରି ବନବାସରେ ଯାଇଛନ୍ତି । ତୁମେ ପାଣ୍ଡବଙ୍କ ପାଖରେ କାମ କରୁଥିଲ ବୋଲି ପରା କହୁଥିଲ । ଏବେ ସେମାନେ କୋଉଠି ଓ ସେମାନେ ଲୁଚେଇ ରଖିଥିବା ଅସ୍ତ୍ର ଏଠି ଅଛି ବୋଲି ତୁମେ କେମିତି ଜାଣିଲ?

ଅର୍ଜୁନ କହିଲେ, “ହେ ରାଜକୁମାର! ପାଣ୍ଡବମାନେ ଛଦ୍ମବେଶରେ ଗୋଟେ ବର୍ଷ ପାଇଁ ଅଜ୍ଞାତବାସରେ ଅଛନ୍ତି । ସେମାନେ ସମସ୍ତେ ତୁମର ଆଖପାଖରେ ଅଛନ୍ତି । ତୁମେ ସେମାନଙ୍କୁ ଚିହ୍ନି ପାରୁନ । ତୁମ ବାପାଙ୍କ ପାଖରେ ରାଜ ଦରବାରରେ ଯେଉଁ କଙ୍କ ସବୁଦିନ ପଶା ଖେଳୁଛନ୍ତି ସେ ହେଉଛନ୍ତି ଧର୍ମରାଜ ଯୁଧିଷ୍ଠିର । ତୁମ ରାଜପ୍ରାସାଦର ରନ୍ଧନଶାଳରେ ବଲ୍ଲଭ ନାମରେ ଯିଏ ପାଚକ କାମ କରୁଛନ୍ତି ସେ ହେଉଛନ୍ତି ମହାବଳଶାଳୀ ଭୀମସେନ । ଯେଉଁ ସୈରୀନ୍ଧ୍ରୀ ଉପରେ ପାପ ନଜର ପକାଇ ତୁମ ମାମୁଁ ସେନାପତି ବିରାଟର ମୃତ୍ୟୁ ହେଲା ସେ ହେଉଛନ୍ତି ପାଞ୍ଚ ପାଣ୍ଡବଙ୍କ ମହାରାଣୀ ଦ୍ରୌପଦୀ । ତୁମ ଘୋଡାଶାଳର ଘୋଡାମାନଙ୍କର ଦେଖାରଖା କରୁଥିବା ଗ୍ରନ୍ଥିକ ହେଉଛନ୍ତି ନକୁଳ । ରାଜାଙ୍କ ଗାଈମାନଙ୍କର ସେବା କରୁଥିବା ତନ୍ତ୍ରୀପାଳ ହେଲେ ସହଦେବ । ମୁଁ ନିଜେ ଅର୍ଜୁନ। ବୃହନ୍ନଳା ରୂପରେ ତୁମ ଭଉଣୀ ଉତ୍ତରାକୁ ନାଚ ଗୀତ ଶିଖାଉଛି ।“

ଅର୍ଜୁନଙ୍କ କଥା ଶୁଣି ରାଜକୁମାର ଉତ୍ତର ପ୍ରଥମେ ବିଶ୍ୱାସ କଲେନି । ସେ ଆଖିରେ ସନ୍ଦେହ ରଖି ପଚାରିଲେ, “ତୁମେ ଯଦି ସତରେ ଅର୍ଜୁନ ତେବେ ତୁମର ଦଶଟି ନାମ ମୋତେ ଆଗ କୁହ ।” ଅର୍ଜୁନ ଆଉଥରେ ହସିଲେ ଓ କହିଲେ, “ତେବେ ଶୁଣ ମୋର ଦଶ ନାମ ହେଲା; ଫାଲଗୁନୀ, ଜିଷ୍ଣୁ, କିରୀଟୀ, ଶ୍ୱେତବାହାନ,ବୀଭତ୍ସୁ, ବିଜୟ,କୃଷ୍ଣ, ସବ୍ୟସାଚୀ, ଧନଞ୍ଜୟ ଓ ଅର୍ଜୁନ ।” ନାମ ଶୁଣି ରାଜକୁମାର ଉତ୍ତର ପଚାରିଲେ ସେ ସବୁ ନାମକରଣର ପଛର ଯଥାର୍ଥ କାରଣ ମଧ୍ୟ ମୋତେ କୁହ । ଅର୍ଜୁନ ତାଙ୍କର ଦଶ ନାମ ପଛର କାରଣ ଗୋଟି ଗୋଟି କରି ଯୁବରାଜ ଉତ୍ତରଙ୍କୁ ଜଣେଇଲେ।

ସବୁକଥା ଶୁଣିସାରିଲା ପରେ ରାଜକୁମାର ଉତ୍ତରଙ୍କର ସନ୍ଦେହ ମୋଚନ ହେଲା ଓ ସେ ଅର୍ଜୁନଙ୍କୁ ପ୍ରଣାମ କରି କହିଲେ, “ ହେ ଅର୍ଜୁନ ଅଜାଣତରେ ଯାହାକିଛି ଏଣୁତେଣୁ କହିଛି ସେଥିପାଇଁ ମୋତେ କ୍ଷମା କରିଦିଅନ୍ତୁ। ଏବେ ମୋ ମନରେ ଅପୂର୍ବ ସାହସ ଭରିଯାଇଛି ଓ ଭୟର ଲେଶମାତ୍ର ପ୍ରଭାବ ନାହିଁ । ଏବେ ରଥ କୁଆଡକୁ ଚଳେଇବି ଆଦେଶ ଦିଅନ୍ତୁ । ଏବେ ମୋତେ ସେ କୌରବସେନାଙ୍କ ମଝିକୁ ରଥ ନେବାକୁ ଇଚ୍ଛା ହେଉଛି ।“

ଅର୍ଜୁନ ତାଙ୍କର ଅସ୍ତ୍ର ଗ୍ରହଣକରି ଅନ୍ୟ ଅସ୍ତ୍ର ସବୁକୁ ଶମୀ ଗଛରେ ପୂର୍ବ ସ୍ଥାନରେ ଝୁଲେଇବାକୁ ଉତ୍ତରଙ୍କୁ କହିଲେ ।

ଅଧିକ ପଢ଼ନ୍ତୁ: ଅର୍ଜୁନଙ୍କ ସାରଥୀ ରୂପ ଓ ବିରାଟ ଯୁବରାଜଙ୍କ ଭୟ ବୃତ୍ତାନ୍ତ 

Mahabharat Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ