‘ଗୀତିନାଟ୍ୟ ନ ବଞ୍ଚିଲେ ବୈଷ୍ଣବ ପାଣି ବଞ୍ଚିବେ ନାହିଁ’

ସେ ନଟନଟିଙ୍କ ମାଧ୍ୟମରେ ସମାଜ ସଂସ୍କାର କଥା ହେଉ ଅଥବା ମହାଭାରତ, ରାମାୟଣ ପରି ପବିତ୍ର ଗ୍ରନ୍ଥର ବିଷୟବସ୍ତୁକୁ ନେଇ ନାଟକ ମାଧ୍ୟମରେ ନୃତ୍ୟ ଗୀତର ପରିବେଷଣ ହେଉ; ଏକାଧାରରେ ସେ ଥିଲେ କବି, ଲେଖକ, ସାହିତ୍ୟିକ, ସମାଜ ସଂସ୍କାରକ, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ଓ ସର୍ବୋପରି ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହିନ ସମ୍ରାଟ। ତାଙ୍କ ସହଜ ସରଳ ଭାଷା ମାଧ୍ୟମରେ ମଞ୍ଚରେ ଗୀତିନାଟ୍ୟ ଏକା ଥରକେ ଲୋକଙ୍କ ମନକୁ ଛୁଇଁ ପାରୁଥିଲା। ସେଇଥି ପାଇଁ ତ ସେ ଗଣମାନସର କବି, ଗଣକବି ବୈଷ୍ଣବ ପାଣି।

ଆଜି ଗଣକବିଙ୍କର ଜୟନ୍ତୀ

ସେ ନଟନଟିଙ୍କ ମାଧ୍ୟମରେ ସମାଜ ସଂସ୍କାର କଥା ହେଉ ଅଥବା ମହାଭାରତ, ରାମାୟଣ ପରି ପବିତ୍ର ଗ୍ରନ୍ଥର ବିଷୟବସ୍ତୁକୁ ନେଇ ନାଟକ ମାଧ୍ୟମରେ ନୃତ୍ୟ ଗୀତର ପରିବେଷଣ ହେଉ; ଏକାଧାରରେ ସେ ଥିଲେ କବି, ଲେଖକ, ସାହିତ୍ୟିକ, ସମାଜ ସଂସ୍କାରକ, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ଓ ସର୍ବୋପରି ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହିନ ସମ୍ରାଟ। ତାଙ୍କ ସହଜ ସରଳ ଭାଷା ମାଧ୍ୟମରେ ମଞ୍ଚରେ ଗୀତିନାଟ୍ୟ ଏକା ଥରକେ ଲୋକଙ୍କ ମନକୁ ଛୁଇଁ ପାରୁଥିଲା। ସେଇଥି ପାଇଁ ତ ସେ ଗଣମାନସର କବି, ଗଣକବି ବୈଷ୍ଣବ ପାଣି। ଆଜି ସେହି ଗଣକବିଙ୍କର ୧୩୯ତମ ଜନ୍ମ ଜୟନ୍ତୀ। ହେଲେ ଏହି କବିଙ୍କୁ ଆମେ କେମିତି ମନେରଖିଛୁ? କେମିତି ତାଙ୍କ ସ୍ମୃତିକୁ ସାଇତିଛୁ? ସେ ବିଷୟରେ ଜାଣିନେବା ଏହି ରିପୋର୍ଟରୁ।

ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତୀ

ସ୍ଵର ଆଉ ବାଦ୍ୟ ସାଙ୍ଗକୁ ଅଭିନୟ ଦେଖିଲେ ଯେ କେହି ବି କହିବେ ଏହା ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ। ଆଉ ଏହାରି ପଛରେ ତମାମ ଜୀବନ କଟାଇଥିବା ସେହି ମହାନ କବିଙ୍କ ଗାଁ ହେଉଛି କୋଠାପଦା। ଏଇଠି ଜନ୍ମ ନେଇଥିଲେ କବି। ଆଉ ଏଇଠୁ ହିଁ ପ୍ରାଣ ପ୍ରତିଷ୍ଠା ହୋଇଥିଲା ଗୀତିନାଟ୍ୟର। ଏବେ ବି ଥିବା ଚାଳ ଘରଟି କବିଙ୍କ କଥା ମନେ ପକେଇଦିଏ। କବିଙ୍କ ସ୍ମୃତି କହିଲେ ଏକ ଭଙ୍ଗା ବାକ୍ସ ଭିତରେ ପିଢ଼ି ପରେ ପିଢ଼ି ସାଇତା ହୋଇ ରଖାଯାଇଥିବା ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଏଥିରେ ରହିଛି କବିଙ୍କ ଚଷମା, ଦୁଆତ, କଲମ, ମାଳି, ଚୌକି, ହ୍ୱିସିଲ୍‌ ଆଉ ନିଜ ହାତଲେଖା ସେ ସମୟର କିଛି ପାଣ୍ଡୁଲିପି।

ଗଣକବି ବୈଷ୍ଣବ ପାଣିଙ୍କ ପାଣ୍ଡ୍ତୁଲିପି ଓ ଛାପା ପୁସ୍ତକ

ଏ ଦୁର୍ମୂଲ୍ୟ ସ୍ମୃତି ସବୁକୁ ସାଇତି ରଖିବା ପାଇଁ ପ୍ରଶାସନ ପଦକ୍ଷେପ ନେଉ ନାହାନ୍ତି ବୋଲି କବିଙ୍କ ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ପରପିଢି ପାଇଁ ଏ ସବୁ ଦୁର୍ମୂଲ୍ୟ ସ୍ମୃତିସବୁକୁ ରଖିବା ପାଇଁ ଏକ ମ୍ୟୁଜିୟମ ପ୍ରତିଷ୍ଠା କରିବା ପାଇଁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ୧୯୫୪ ମସିହାରେ ତତ୍କାକାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଥିବା ବେଳେ ସେ ମାହାଙ୍ଗାସ୍ଥ ମହାବୀର ବିଦାପିଠକୁ ଆସିଥିଲେ। ସେତେବେଳେ ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ ମଧ୍ୟ କରିଛନ୍ତି। ଗାଁ ଲୋକେ ମଧ୍ୟ ତାଙ୍କ ସ୍ଵରରର ସ୍ଵର ମିଳାଇଛନ୍ତି।

ଗଣକବି ବ୍ୟବହାର କରୁଥିବା କିଛି ସାମଗ୍ରୀ

ଖାଲି ସେତିକି ନୁହେଁ, ଏହି ଗାଁ ଏବଂ ତା’ର ଆଖପାଖ ଗାଁରେ ବୈଷ୍ଣବ ପାଣି ଗୀତିନାଟ୍ୟର ବହୁ କଳାକାର ଏବେ ବି ଅଛନ୍ତି। ଯଦିଓ ଆଧୁନିକତା ଭିତରେ ଗୀତିନାଟ୍ୟର ଆଦର କମିଛି ହେଲେ ଏବେ ବି ସେମାନଙ୍କ ପ୍ରତିଟି କଳାଚାତୁରୀ ସେମିତି ମନେଅଛି। ରାଜ୍ୟ ସଂସ୍କୃତି ବିଭାଗ ଏମାନଙ୍କ ମଧ୍ୟରୁ ବହୁ କଳାକାରଙ୍କୁ ଏଯାଏଁ କୌଣସି ପ୍ରୋତ୍ସାହନ ରାଶି ଦେବା ତ ଦୂରର କଥା କଳାକାର ଭତ୍ତାଟିଏ ମଧ୍ୟ ଦେଇ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏପଟେ ଏବେ ବି ଅଧାପାନ୍ତରିଆ ହୋଇପଡିଛି କବିଙ୍କ ସ୍ମୃତି ସମ୍ବଳିତ ରଘୁନାଥ ଜିୟୁ ମଠ ଓ ରଙ୍ଗମଞ୍ଚ ଓ ବିରୂପା କୂଳର ସେ ଅତି ପରିଚିତ ହର ଧୋବଣୀ ଘାଟ। ଯେଉଁଠି କବିଙ୍କର ଶେଷ ଜୀବନ କଟିଥିଲା।

ଗଣକବିଙ୍କ ସମାଧି ସ୍ଥଳ

ଗ୍ରାମବାସୀ ତଥା ଗୀତିନାଟ୍ୟ କଳାକାର ସୁବାସ ଚନ୍ଦ୍ର ବେହେରା ଏହାକୁ ନେଇ ମଧ୍ୟ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ସରକାର ଏହି କଳାକାରମାନଙ୍କୁ ବାଛି ସେମାନଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ସେ ଦାବି କରିଛନ୍ତି। ସେହିପରି ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ତଥା ଗଣକବି ସ୍ମୃତି ସଂସଦର ସହ ସମ୍ପାଦକ ବିଶ୍ୱେଶ୍ୱର ମହାନ୍ତି କହିଛନ୍ତି ଯେ ଏବେ ଗୀତିନାଟ୍ୟ ନ ବଞ୍ଚିଲେ ବୈଷ୍ଣବ ପାଣି ବଞ୍ଚିବେ ନାହିଁ। ଏବେ ତାଙ୍କ ଗୀତିନାଟ୍ୟର କାଳଜୟୀ ମାଦକତା ଧୀରେ ଧୀରେ ମରିଯାଉଛି। ଯେପରି ଘୁମୁରା, ଛଉନୃତ୍ୟ ଯେପରି ମାନ୍ୟତା ମିଳିଛି, ସେପରି ଭାବେ ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟକୁ ମାନ୍ୟତା ଦେବାକୁ ସଂସ୍କୃତି ବିଭାଗ ପାଖରେ ସେ ଦାବି କରିଛନ୍ତି।