Advertisment

Mahabharat Story: ମଣିଷଖିଆ ଅସୁର ଓ ଛଦ୍ମଵେଶରେ ଥିବା ଜଣେ ବଳୁଆ ଲୋକର କଥା

କାହିଁକି ପାଳି କରି ଗାଁ ଲୋକେ ଅସୁର ପାଇଁ ଖାଇବା ପଠାଉଥିଲେ? ସେ ମଣିଷ ଖିଆ ଅସୁର ପୁଣି ମଲା କେମିତି ? ଅନ୍ଧାର ରାତିରେ ତାକୁ ମାରିଲା କିଏ? ଯିଏ ମାରିଲା ସେ ଗାଁ ଛାଡି ଲୁଚି ପଳେଇଲା କାହିଁକି? ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
A Story of a human eating demon and a strong man in disguise

A Story of a human eating demon and a strong man in disguise

Advertisment

ଭୀମସେନଙ୍କୁ ବର ଭାବରେ ପାଇ ହିଡିମ୍ବୀ ରାକ୍ଷସୀ ବଡ ଖୁସିରେ ଥାଆନ୍ତି । ଭୀମଙ୍କୁ କାନ୍ଧରେ ବସେଇ ସେ ଅନେକ ଉଚ୍ଚା ଉଚ୍ଚା ପାହାଡ, ଶୃଙ୍ଗ, ମନୋରମ ଉପତ୍ୟକା, ନିରୋଳା ଅରଣ୍ୟ, ପାହାଡି ଜଙ୍ଗଲୀ ଝରଣା ଆଦି ବୁଲେଇଲେ । ଦୁହେଁ ମନଭରି ପରସ୍ପରର ସାନିଧ୍ୟ ଉପଭୋଗ କରୁଥାନ୍ତି । କଥା ଅନୁସାରେ କିନ୍ତୁ ହିଡିମ୍ବୀ ସବୁଦିନ ସଞ୍ଜ ନଇଁଲେ ଭୀମଙ୍କୁ ତାଙ୍କ ମାଆ ଓ ଭାଇଙ୍କ ପାଖରେ ଛାଡିଦେଉଥାନ୍ତି ।

Advertisment

କିଛିଦିନ ପରେ ହିଡିମ୍ବୀ ରାକ୍ଷସୀ ଭୀମଙ୍କ ଔରସରୁ ପୁଅଟିଏ ଜନ୍ମ କଲେ । ପିଲାଟି ଶକ୍ତିଶାଳୀ ଓ ଭୟଙ୍କର ଦିଶୁଥାଏ । ବଡ ମୁହଁରେ ତା'ର ଖୋଲା ଖୋଲା ଆଖି, କଟା କାନ, ତମ୍ବା ରଙ୍ଗର ଟାଉଁସିଆ ବାଳ । ଅଜୀବ ଶରୀର ଗଠନର ସାନ ପିଲାଟି କିନ୍ତୁ ଅତ୍ୟନ୍ତ ପରାକ୍ରମୀ ଦିଶୁଥିଲା । ତା ପାଖରେ ମଣିଷର କିଛି ବିଶେଷ ଗୁଣ ନଥିଲା । ଜନ୍ମର ଅଳ୍ପ ଦିନ ଭିତରେ ସେ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଚାଳନାରେ ଓ ବିଭିନ୍ନ ମାୟା ରଚନାରେ ପାରଙ୍ଗମ ହେଇଗଲା । ହିଡିମ୍ବୀ ତା' ପୁଅର ନାମ ରଖିଲେ ଘଟୋତ୍କଚ।

ଅଧିକ ପଢ଼ନ୍ତୁ: ଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି ଓ ଜଣେ ଅନ୍ଧ ରାଜପୁତ୍ରଙ୍କ ଜନ୍ମ ବୃତ୍ତାନ୍ତ

Advertisment

କୁନ୍ତୀ ଲକ୍ଷ୍ଯ କରୁଥାନ୍ତି ପୁଅ ତାଙ୍କର ନୂଆ ସ୍ତ୍ରୀ ଓ ପୁଅ ପାଇ ବଡ ଆନନ୍ଦରେ ଅଛି । କିନ୍ତୁ ଏଇଠି, ଏଇ ଜଙ୍ଗଲ ଭିତରେ ଆନନ୍ଦରେ ସଂସାର ବସେଇ ସବୁଦିନ ରହିବାର ତ ନାହିଁ । ସମୟ ସୁବିଧା ଦେଖି ହସ୍ତିନାକୁ ପୁଣି ଫେରିବାକୁ ହେବ । କୁନ୍ତୀ ଦିନେ ଭୀମଙ୍କୁ କହିଲେ ଚାଲ ବାପା ଆଗକୁ ଯିବା । ଏଇଠି ଆଉ କେତେଦିନ ରହିବା? ଭୀମ ବୁଝିଗଲେ ମାଆ ତାଙ୍କର କ'ଣ କହିବାକୁ ଚାହୁଁଛନ୍ତି । ଶେଷରେ ଦିନେ ଭୀମ ବଡ ଦୁଃଖର ସହ ପତ୍ନୀ ହିଡିମ୍ବୀ ଓ ପୁଅ ଘଟୋତ୍କଚ ଠାରୁ ବିଦାୟ ନେଲେ । ବାହାରିଲା ବେଳକୁ ଭୀମ, ପୁଅ ଘଟୋତ୍କଚକୁ ସ୍ନେହରେ ଆଉଁଶି ଦେଲାବେଳକୁ ସେ କହିଲା, ବାପା ଯେବେ ବି କିଛି ଦରକାର ପଡେ ତେବେ ମୋତେ କେବଳ ଥରେ ମାତ୍ର ସ୍ମରଣ କରିବେ । ମୁଁ ନିଶ୍ଚୟ ତୁମ ପାଖରେ ପହଞ୍ଚିଯିବି ।

A Story of a man eating demon and a strong man in disguise ମଣିଷଖିଆ ଅସୁର ଓ ଛଦ୍ମଵେଶରେ ଥିବା ଜଣେ ବଳୁଆ ଲୋକର କଥା

ଜଙ୍ଗଲ ରାସ୍ତାରେ ବାଟ ଚାଲୁଥିବା ବେଳେ କୁନ୍ତୀ ଭାବୁଥିଲେ କେବଳ ବିଦୁରଙ୍କୁ ଛାଡିଦେଲେ ହସ୍ତିନାପୁରରେ ତାଙ୍କୁ ଓ ତାଙ୍କ ପରିବାରକୁ ସହାୟତା କଲାପରି ଆଉ କେହି ନାହାଁନ୍ତି । ଭୀଷ୍ମ, କୃପାଚାର୍ଯ୍ୟ, ଦ୍ରୋଣଙ୍କ ପାରି ଜ୍ଞାନୀମାନେ କ'ଣ ଧୃତରାଷ୍ଟ୍ରଙ୍କୁ ଉପଯୁକ୍ତ ଉପଦେଶ ଦେଇ ପାରୁନାହାଁନ୍ତି? ସବୁବେଳେ ମନରେ ଡର ଲାଗିରହୁଥାଏ କାଳେ କେତେବେଳେ ସେମାନେ ଚିହ୍ନା ପଡିଯିବେ । କାଳେ ଦୁର୍ଯ୍ୟୋଧନ କୌଣସି ଗୁପ୍ତଚର ପଠେଇ ସେମାନଙ୍କୁ କିଛି ହଇରାଣ କରିବ । ଆଉଥରେ ଜୀବନରେ ମାରିଦେବାକୁ ଯୋଜନା କରିବ । କୁନ୍ତୀ ନିଜ ପିଲାମାନଙ୍କର ଅବସ୍ଥା ଦେଖି ଭାବୁଥିଲେ, ଆହାଃ ଦେବତାମାନଙ୍କ ସନ୍ତାନ ପୁଣି ରାଜକୁମାର ହୋଇ ବି ସେମାନେ ଭାଗ୍ୟ କଷଣ ପାଇଁ ଦେଖ କେତେ ଦୁଃଖ କଷ୍ଟ ସହୁଛନ୍ତି । ରାଜ ଗାଦୀରେ ବସିବା ପିଲାମାନେ ଜଙ୍ଗଲରେ ବାର ହୀନସ୍ଥା ହୋଇ ଫଳ ମୂଳ ଖାଇ ଅବା ଉପବାସ ରହି ସମୟ କାଟୁଛନ୍ତି । ପାଣ୍ଡବ ଭାଇମାନେ ମାଆ କୁନ୍ତୀଙ୍କୁ ଦେଖି ଠିକ ସେଇପରି ହିଁ ଭାବୁଥା'ନ୍ତି । ଭାବୁଥିଲେ ମାଆ ଆଖିର ଲୁହ ପୋଛିବାକୁ ସେମାନଙ୍କୁ କିଛି ଗୋଟେ କରିବାକୁ ହେବ । କିନ୍ତୁ କ'ଣ କରିବେ ସେମାନେ? ବାଟ କାହିଁ? ଏବେ ସେମାନଙ୍କୁ କିଏ ସହାୟତା କରିବ? କେତେଦିନ ଏମିତି କେବଳ ଜଙ୍ଗଲରୁ ଜଙ୍ଗଲ ବୁଲିବେ? ଦିନେ ସମସ୍ତେ ମିଳିମିଶି ଠିକ କଲେ ଛଦ୍ମ ବେଶରେ ସେମାନଙ୍କୁ ଏଥର ମଝିରେ ମଝିରେ ଜଙ୍ଗଲ ପାଖ ନଗର ଭିତରକୁ ଯିବାକୁ ହେବ ।

Advertisment

ଜନପଦକୁ ପଶିବା ଆଗରୁ ସମସ୍ତେ ବ୍ରାହ୍ଣଣର ଛଦ୍ମ ବେଶ ଧାରଣ କଲେ । ଯିଏ ବି ଦେଖିଲେ ଭାବିବ ଜଣେ ବିଧବା ବ୍ରାହ୍ମଣ ସ୍ତ୍ରୀ ଲୋକ ଓ ତା'ର ପାଞ୍ଚ ପୁଅ । ସେମାନେ କିନ୍ତୁ କୌଣସି ଗାଁରେ ଗୋଟେ ରାତିରୁ ଅଧିକ ସମୟ ରହୁନଥା'ନ୍ତି । ସନ୍ଧ୍ୟାବେଳକୁ ଗାଁରୁ ମାଗି ଯାଚି, ଯିଏ ଯାହା ଖାଇବା ଜିନିଷ ଆଣି କୁନ୍ତୀଙ୍କୁ ଦିଅନ୍ତି । କୁନ୍ତୀ ତାକୁ ସମାନ ଦୁଇ ଭାଗ କରି ଗୋଟେ ଭାଗ କେବଳ ଭୀମଙ୍କୁ ଦିଅନ୍ତି ଓ ଅନ୍ୟ ଭାଗକୁ ଚାରି ଭାଗ କରି ଅନ୍ୟ ପୁଅମାନଙ୍କୁ ଦିଅନ୍ତି । ପୁଅମାନେ ଖାଇସାରିଲା ପରେ ଯାହା ବଳେ ସେ ନିଜେ ଖାଆନ୍ତି ।

ଅଧିକ ପଢ଼ନ୍ତୁ: ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀ ଓ ମୃଗ ମାରି ଅଭିଶାପ ପାଇଥିବା ଜଣେ ରାଜାଙ୍କ କାହାଣୀ

ଏମିତି ସମୟ ବିତୁଥାଏ । ଦିନେ ସେମାନେ ଗୋଟେ ଗାଁରେ ପହଞ୍ଚି ରାତିକ ପାଇଁ ଏକଚକ୍ର ନାମକ ଜଣେ ବ୍ରାହ୍ମଣ ଘରେ ଆଶ୍ରୟ ନେଲେ । ସେଦିନ ରାତିରେ ବ୍ରାହ୍ମଣଙ୍କ ପତ୍ନୀ ବଡ ବ୍ୟସ୍ତ ହେଇ କାନ୍ଦୁଥିବାର ଶୁଣି କୁନ୍ତୀ ପାଖକୁ ଯାଇ ପଚାରିଲେ କଥା କ'ଣ? କ'ଣ ପାଇଁ ତମେ ସ୍ୱାମୀ ସ୍ତ୍ରୀ କାନ୍ଦୁଛ? ତାପରେ ବ୍ରାହ୍ମଣ ଜଣକ ସେମାନଙ୍କ ଦୁଃଖର କାହାଣୀ କହିବାକୁ ଯାଇଁ କହିଲେ ଯେ, ତାଙ୍କ ଗାଁ ପାଖ ଜଙ୍ଗଲରେ କିଛି ମାସ ହେଲାଣି ବକାସୁର ନାମରେ ଗୋଟେ ଦାନବ ଆସି ରହୁଛି । ଆଗରୁ ସେ ଯେତେବେଳେ ତା’ର ଇଚ୍ଛା ସେତେବେଳେ ଗାଁ ଭିତରକୁ ଆସି ଯାହାକୁ ପାଇ ତାକୁ ଖାଇ ଯାଉଥିଲା । ସେଥିପାଇଁ ନଗରବାସୀ ତାକୁ ଏକ ପ୍ରସ୍ତାବ ଦେଇ କହିଲେ ତୁ ଜଙ୍ଗଲରେ ଥା । ଆମେ ବରଂ ପ୍ରତି ପନ୍ଦର ଦିନରେ ତୋ ପାଇଁ ଶଗଡ ଭର୍ତ୍ତି ଖାଦ୍ୟ ପଠେଇବୁ । ଅନେକ ମାସ ହେଲାଣି ଆମେ ସେଇଆ ହିଁ କରୁଛୁ । ଘର ପିଛା ପାଳି କରି ଶଗଡରେ ଖାଦ୍ୟ ପଠଉଛୁ । ଆଉ ସେ ରାକ୍ଷସ ସବୁଥର ଶଗଡକ ଖାଦ୍ୟ ସହ ଶଗଡରେ ଯୋଚା ବଳଦ ଓ ଶଗଡ ଅଡେଇ ନେଇଥିବା ମଣିଷକୁ ବି ଖାଇଦିଏ । ଆଜି ଆମ ଘରର ପାଳି । ଆମର ଗୋଟେ ବୋଲି ପୁଅ । ବାପ କି ପୁଅ କାହାକୁ ତ ଜଣକୁ ରାକ୍ଷସ ପାଖକୁ ଜଙ୍ଗଲ ଯିବାକୁ ହେବ । ସେଇଥିପାଇଁ ଆମ ଘରେ ଏ କାନ୍ଦ ବୋବାଳୀ ।

A Story of a man eating demon and a strong man in disguiseମଣିଷଖିଆ ଅସୁର ଓ ଛଦ୍ମଵେଶରେ ଥିବା ଜଣେ ବଳୁଆ ଲୋକର କଥା

ବ୍ରାହ୍ମଣ ଓ ତାଙ୍କ ସ୍ତ୍ରୀର କଥା ଶୁଣି କୁନ୍ତୀ କହିଲେ ଏଥିପାଇଁ ବ୍ୟସ୍ତ ହୁଅନି । ତୁମର ଗୋଟେ ମାତ୍ର ପୁଅ । ହେଲେ ମୋର ତ ପାଞ୍ଚ ପୁଅ । ମୁଁ ପାଞ୍ଚ ପୁଅରୁ ଗୋଟେ ପୁଅକୁ ମୂର୍ଚ୍ଛିପାରିବି । ଆଜି ଶଗଡ ସାଙ୍ଗରେ ମୋର ଜଣେ ପୁଅ ଯିବ । ଆମମାନଙ୍କୁ ତୁମ ଘରେ ଆଶ୍ରୟ ଦେଇଛ। ମୁଁ ତ ଏତିକି କରିପାରିବି ।

କୁନ୍ତୀଙ୍କ କଥା ଶୁଣି ସେ ବ୍ରାହ୍ମଣ ସ୍ୱାମୀ ସ୍ତ୍ରୀ ବ୍ୟସ୍ତ ହେଇ କହିଲେ, ନା ନା ଆପଣମାନେ ଆମର ଅତିଥି । ଅତିଥିଙ୍କ ସହ ଏପରି ବ୍ୟବହାର କରାଯାଏନି । କିନ୍ତୁ କୁନ୍ତୀ ସେମାନଙ୍କ କଥା ନଶୁଣି ବଡ ମଝିଆ ପୁଅ ଭୀମସେନଙ୍କୁ ଡାକି କହିଲେ - ବାପା ଆଜି ରାତିରେ ତୋତେ ହିଁ ଶଗଡ ନେଇ ଜଙ୍ଗଲକୁ ଯିବାକୁ ହେବ ।

ସେଇଆ ହେଲା । ରାତି ହେଲାରୁ ସମସ୍ତେ ମିଶି ଶଗଡରେ ଅନେକ କିସମର ଖାଦ୍ୟ ଭରିଲେ । ବଳଦ ଯୋଚିଲେ । ତାପରେ ଭୀମସେନ ଶଗଡ ଆଡେଇ ଆଡେଇ ଜଙ୍ଗଲ ଆଡକୁ ଚାଲିଲେ ।

ବ୍ରାହ୍ମଣ ଦମ୍ପତ୍ତି ବଡ ଦୁଃଖର ସହ ଭୀମଙ୍କୁ ବିଦାୟ ଦେଲେ । କିନ୍ତୁ କୁନ୍ତୀ ଓ ଅନ୍ୟ ପାଣ୍ଡବ ଚାରି ଭାଇ ଉପରେ ଉପରେ ଦୁଃଖ ପ୍ରକାଶ କଲେ ସିନା କିନ୍ତୁ ଭିତରେ ଜାଣିଥିଲେ ଆଜି ରାତିରେ ଜଙ୍ଗଲରେ କ'ଣ ଘଟିବାକୁ ଯାଉଛି ।

ଅନ୍ଧାର ରାତି । ଆକାଶର ତରା ମାନଙ୍କର ଯେତିକି ଆଲୋକ ସେତିକି ଆଲୋକରେ ଭୀମ ଶଗଡ ଚଳେଇ ଚାଲିଥା'ନ୍ତି । ଶଗଡ ଭର୍ତ୍ତି ହରେକ ରକମର ଖାଦ୍ୟର ବାସନାରେ ତାଙ୍କ ଭୋକ ବଢି ବଢି ଚାଲିଥାଏ । ଅନେକ ଦିନ ହେଲାଣି ଏମିତିକା ଭୁରି ଭୋଜନ ଭାଗ୍ୟରେ ଜୁଟିନି । ଜଙ୍ଗଲ ଭିତରେ କିଛି ବାଟ ଗଲା ପରେ ଗୋଟେ ପାହାଡ ତଳ ଏକ ବଡ ବରଗଛ ତଳେ ଭୀମ ତାଙ୍କ ଶଗଡ ରଖିଲେ । ଏତେ ପରିମାଣର ସ୍ୱାଦିଷ୍ଟ ଖାଦ୍ୟ ପାଖରେ ନିଜକୁ ଅଟକାଇ ରଖିବାର ପ୍ରଶ୍ନ ନଥିଲା । ତାପରେ ହାଣ୍ଡି ପରେ ହାଣ୍ଡି ଖାଦ୍ୟ ସେ ଖୋଲୁଥା'ନ୍ତି ଓ ଖାଇ ଶେଷ କରୁଥା'ନ୍ତି ।

ଖାଦ୍ୟ ଓ ମଣିଷ ଦେହର ବାସ୍ନା ସେତବେଳକୁ ବକାସୁର ନାକରେ ବାଜି ସାରିଲାଣି । ସେ ତରତରରେ ପାହାଡ ଗୁମ୍ଫାରୁ ତଳକୁ ଓହ୍ଲେଇ ଆସି ଶଗଡ ପାଖରେ ପହଞ୍ଚି ଦେଖେ ତ ଜଣେ ମଣିଷ ଆରାମରେ ବସି ଶଗଡକ ଯାକ ଖାଦ୍ୟ ଖାଇବାରେ ବ୍ୟସ୍ତ । ରାଗରେ ନାକ ପୁଡାରୁ ନିଆଁ ବାହାର କରି, ଦାନ୍ତ ନିକୁଟି ଓ ଆଖିକୁ ଢିମା ଢିମା କରି ବକାସୁର ଭୀମଙ୍କ ଉପରକୁ କୁଦି ପଡିଲା। ହେଲେ ସେଥିରେ ଭୀମଙ୍କ ଖାଇବା ସାମାନ୍ୟ ବ୍ୟାହତ ହେଲାନି । ସେ ଗୋଟେ ହାତରେ ବକାସୁରର ବେକକୁ ଶଗଡ ଦଣ୍ଡାରେ ମାଡି ବସିଲେ ଓ ଅନ୍ୟ ହାତରେ ଆରାମରେ ଖାଇବାରେ ଲାଗିଲେ । ସବୁତକ ବଳ ଖର୍ଚ୍ଚ କରି, ଛାଟି ପିଟି ହେଇ ବି ବକାସୁରର ଜୁ ନଥାଏ ଭୀମଙ୍କ ହାତରୁ ସେ ସହଜରେ ଖସିପାରିବ ।

A Story of a man eating demon and a strong man in disguise ମଣିଷଖିଆ ଅସୁର ଓ ଛଦ୍ମଵେଶରେ ଥିବା ଜଣେ ବଳୁଆ ଲୋକର କଥା

ଭୀମଙ୍କ ଖାଇବା ଶେଷ ହେଲାପରେ ଯାଇଁ ସେ ବକାକୁ ଛାଡିଲେ। ସେତବେଳକୁ ଶଗଡ ଗୋଟାକ ଖାଦ୍ୟ ସେ ଉଦରସ୍ଥ କରିସାରିଥାନ୍ତି । ତାପରେ ସେଇ ଅନ୍ଧାର ରାତିରେ ଜଙ୍ଗଲ ଭିତରେ ଦୁହିଁଙ୍କ ଭିତରେ ଘମାଘୋଟ ଲଢେଇ ଚାଲିଲା । ବଳରେ କେହି କାହାଠାରୁ କମ ନଥିଲେ । କିନ୍ତୁ କିଛି ସମୟ ଲଢେଇ ପରେ ଭୀମ ଶେଷରେ ବକାସୁରର ବେକକୁ ମାଡିବସି ମୋଡିଦେଲେ ।

ପରଦିନ ସକାଳକୁ ଗାଁ ଲୋକ ନିଦରୁ ଉଠି ଦେଖିଲେ ଗାଁ ଆଡକୁ ଶଗଡଟେ ଆସୁଛି । ଦୁଇ ବଳଦ ଶଗଡକୁ ଟାଣି ପାଖକୁ ଆସିଲା ପରେ ସମସ୍ତେ ଦେଖିଲେ ଶଗଡରେ ବକାସୁର ବେକ ମୋଡି ଶୋଇଛି । ଗାଁ ଦାଣ୍ଡରେ ଆସି ଶଗଡ ରହିଲା । କେତେଜଣ ସାହାସର ସହ ବକାସୁର ପାଖକୁ ଯାଇ ଜାଣିଲେ ରାକ୍ଷସ ମରିସାରିଛି । ଅସୁର ମଲା କେମିତି କେହି କିଛି ବୁଝି ପାରିଲେନି । ତାପରେ ସେଦିନର ପାଳିଥିବା ବ୍ରାହ୍ମଣ ସ୍ୱାମୀ-ସ୍ତ୍ରୀ ଗଲା ରାତିର ସବୁ କଥା କହିଲେ । କହିଲେ ତାଙ୍କ ଘରେ ଆଶ୍ରୟ ନେଇଥିବା ଜଣେ ବିଧବା ବ୍ରାହ୍ମଣୀ ଓ ତାଙ୍କ ପାଞ୍ଚ ପୁଅରୁ ଜଣେ କାଲି ଶଗଡ ନେଇ ଜଙ୍ଗଲ ଯାଇଥିଲେ । ଗାଁ ଲୋକେ ସେ ପୁଅକୁ ଖୋଜିଲେ । କିନ୍ତୁ ସେମାନେ କେହି ଆଉ ସେ ଗାଁରେ ନଥିଲେ । କାହାକୁ କିଛି ନକହି ଚୁପ ଚାପ ସେଇ ରାତିରେ ହିଁ ସେମାନେ ଗାଁ ଛାଡି ଚାଲିଯାଇଥିଲେ । କୌଣସି ଗାଁରେ ଗୋଟେ ଦିନରୁ ଅଧିକ ସେମାନଙ୍କର ରହିବାର ନଥିଲା ।

ଅଧିକ ପଢ଼ନ୍ତୁ: ବଂଶରକ୍ଷା ପାଇଁ ଦୁଇ ବିଧବା ବୋହୂଙ୍କ ପାଖକୁ ପର ପୁରୁଷଙ୍କୁ ଡାକି ଆଣିଥିବା ଜଣେ ଶାଶୁର କାହାଣୀ

Mahabharata Special Story Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ