Sleep Divorce: ସ୍ଲିପ ଡିଭୋର୍ସ କ’ଣ ? ଭାରତରେ କାହିଁକି ବଢ଼ୁଛି ବିବାହ ପରେ ଅଲଗା ଶୋଇବାର ଧାରା ?

ଡାକ୍ତରଙ୍କ କହିବା ଅନୁସାରେ ଜଣେ ଲୋକ ପ୍ରତିଦିନ ୭-୮ ଘଣ୍ଟା ଶୋଇବା ଆବଶ୍ୟକ । ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ଭଲ ନିଦ ଆବଶ୍ୟକ, କାରଣ ଏହା କାର୍ଯ୍ୟ ପାଇଁ ଆମ ମନକୁ ଶକ୍ତି ଯୋଗାଇଥାଏ । ନିଦ୍ରା ଅଭାବ ଆମର ଭାବପ୍ରବଣତା ଉପରେ ପ୍ରଭାବ ପକାଇଥାଏ । ଚାକିରିରେ ଭଲ ପ୍ରଦର୍ଶନ କରିବା ପାଇଁ ଶୋଇବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସତ୍ତ୍ୱେ, ପ୍ରାୟ ଅର୍ଦ୍ଧେକ ଲୋକ କହିଛନ୍ତି, ସେମାନେ ନିଦକୁ ପ୍ରାଥମିକତା ଦିଅନ୍ତି ନାହିଁ ।

କ’ଣ ଏହି ସ୍ଲିପ୍ ଡିଭୋର୍ସ

ଶରୀର ଓ ମନର କ୍ଳାନ୍ତିହରଣ କରି ବିଶ୍ରାମ ପ୍ରଦାନ କରିବା ନିଦ୍ରାର ମୁଖ୍ୟ ଲକ୍ଷ୍ୟ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ପ୍ରତି ରାତିରେ ସାତଘଣ୍ଟାରୁ ଆଠଘଣ୍ଟା ନିଦ୍ରାର ସର୍ବାଧିକ ଉପଯୋଗିତା ରହିଛି । ଅଳ୍ପ ପରିମାଣର କିମ୍ବା ମାତ୍ରାଧିକ ନିଦ୍ରା ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ । ରାତିରେ ଭଲ ନିଦ ନ ହେଲେ ହରମୋନଗତ ଅସ୍ଥିରତା ଜନ୍ମେ । କମ୍ ମାତ୍ରାର ନିଦ ଫଳରେ ରୋଗପ୍ରତିରୋଧ ଶକ୍ତି ବାଧାପ୍ରାପ୍ତ ହୋଇଥାଏ । ଦିନ ଥିଲା ଲୋକେ କଠିନ ପରିଶ୍ରମ କରି ଠିକ ସମୟରେ ଶୋଇ ପଡ଼ୁଥିଲେ । ହେଲେ ଆଜିର ଦୁନିଆରେ ଭଲ ନିଦ ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି । ବିଶେଷ କରି ବିବାହିତମାନେ ନିଦ୍ରାହୀନତା ପାଇଁ ଭଲରେ ଶୋଇ ପାରୁନାହାନ୍ତି । ଆଉ ଏଥିପାଇଁ ଚାରିଆଡ଼େ ଏବେ ସ୍ଲିପ ଡିଭୋର୍ସ ଭଳି ମାମଲା ବଢ଼ୁଛି ।

ସ୍ଲିପ ଡିଭୋର୍ସ କ’ଣ ?

ସୁନିଦ୍ରାର ମହତ୍ତ୍ୱ ବିଷୟରେ ସଚେତନତା ବୃଦ୍ଧି ସହିତ ଏକ ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁସାରେ ୭୦% ରୁ ଅଧିକ ଭାରତୀୟ ଦମ୍ପତି ବର୍ତ୍ତମାନ ସ୍ଲିପ ଡିଭୋର୍ସ ପସନ୍ଦ କରୁଛନ୍ତି । ଭଲରେ ଶୋଇବା ପାଇଁ ଅଲଗା ଶୋଇବାକୁ ପସନ୍ଦ କରୁଛନ୍ତି ଦମ୍ପତି । ResMed ୨୦୨୫ର ସର୍ବେକ୍ଷଣ ଅନୁଯାୟୀ, ନିଦ ଛାଡ଼ପତ୍ରରେ ଭାରତ ଆଗୁଆ ରହିଛି । ଭାରତରେ ୭୮% ଦମ୍ପତି ଏହି ଅଭ୍ୟାସରେ ପଡ଼ିଛନ୍ତି, ତା’ପରେ ଚାଇନା (୬୭%) ଏବଂ ଦକ୍ଷିଣ କୋରିଆ (୬୫%) ଅଛନ୍ତି । ୩୦,୦୦୦ ରୁ ଅଧିକ ବ୍ୟକ୍ତିବିଶେଷଙ୍କ ଉପରେ ହୋଇଥିବା ସର୍ଭେରୁ ଜଣାପଡିଛି, ବିଶ୍ୱର କୋଣ ଅନୁକୋଣର ଲୋକେ ସୁନିଦ୍ରା ପାଇଁ ଡହଳବିକଳ ହେଉଛନ୍ତି ।

ଏହି ସର୍ଭେ ଅନୁସାରେ ବ୍ରିଟେନ ଏବଂ ଯୁକ୍ତରାଷ୍ଟ୍ରର ଦମ୍ପତିମାନେ ସମାନ ଭାବରେ ବିଭାଜିତ ହୋଇଛନ୍ତି । ଏଠାରେ ୫୦ ପ୍ରତିଶତ ସର୍ବଦା ଏକାଠି ଶୋଉଥିବା ବେଳେ ୫୦ ପ୍ରତିଶତ ଅଲଗା ଶୋଇବା ପାଇଁ ପସନ୍ଦ କରନ୍ତି । ବୈବାହିକ ଜୀବନରେ ଅଲଗା ଶୋଇବା ଅସଙ୍ଗତ ମନେ ହେଲେ ମଧ୍ୟ ସାମଗ୍ରିକ ସମ୍ପର୍କ ଓ ସ୍ୱାସ୍ଥ୍ୟ ବୃଦ୍ଧି ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ ହୋଇପାରିଛି । କାରଣ ଘୁଙ୍ଗୁଡ଼ି, ଜୋରରେ ନିଶ୍ୱାସ ପ୍ରଶ୍ୱାସ ନେବା, ଅସ୍ଥିର ରହିବା , ଭିନ୍ନ ଶୋଇବା ସମୟ ଏବଂ ଶଯ୍ୟାରେ ସ୍କ୍ରିନ୍ ବ୍ୟବହାର ଯୋଗୁଁ ନିଦରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଏଥିପାଇଁ ହିଁ ଦମ୍ପତି ପୃଥକ ଭାବରେ ଶୋଇବାକୁ ଶ୍ରେୟସ୍କର ମଣୁଛନ୍ତି ।

ସୁଖ ନିଦ୍ରା ଲାଗି ଯେତେବେଳେ ଦମ୍ପତି ମାନେ ଅଲଗା ଅଲଗା ରୁମ, ବେଡ଼ ବା ଅଲଗା ସମୟରେ ଶୋଇଥାଆନ୍ତି ଏହାକୁ ‘ସ୍ଲିପିଂ ଡିଭୋର୍ସ’ ବୋଲି କୁହାଯାଏ । ଶୋଇବା ଛାଡପତ୍ର ସେତେବେଳେ ହୁଏ, ଯେତେବେଳେ ଦମ୍ପତିମାନେ ଏକାଠି ରୁହନ୍ତି କିନ୍ତୁ ଭଲ ନିଦ ପାଇବା ପାଇଁ ଅଲଗା ଶୟନ କକ୍ଷରେ ଶୋଇବାକୁ ପସନ୍ଦ କରନ୍ତି। ସିଧାସଳଖ କହିବାକୁ ଗଲେ ଆରାମଦାୟକ ନିଦ ପାଇଁ ଅଲଗା ଅଲଗା ଶୋଇବାକୁ ‘ସ୍ଲିପ ଡିଭୋର୍ସ’ କୁହାଯାଏ । ଶରୀର ସୁସ୍ଥ ରହିଲେ ମନ ଭଲ ରୁହେ ଓ ଫୂର୍ତ୍ତି ଲାଗେ । ଯେଉଁମାନେ ଭିନ୍ନ ଭିନ୍ନ ଶୋଇବା ବ୍ୟବସ୍ଥାର ବିକଳ୍ପକୁ ବାଛିଛନ୍ତି, ସେମାନେ ସୁନିଦ୍ରାର ଗୁଣବତ୍ତା ଓ ଉତ୍ତମ ଯୌନ ଜୀବନ ସହ ଉନ୍ନତ ସମ୍ପର୍କ ଥିବା ମତ ଦିଅନ୍ତି ।

ତେବେ ସ୍ଲିପ ଡିଭୋର୍ସର କୌଣସି ସମୟ ଅବଧି ନାହିଁ । ପରିସ୍ଥିତିକୁ ଦେଖି ଏହା ଦୀର୍ଘକାଳୀନ କିମ୍ବା ସ୍ୱଳ୍ପ ମିଆଦି ପାଇଁ ହୋଇପାରେ । ଉଦାହରଣ ସ୍ୱରୂପ, ଯଦି ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ ଯଦି କେହି ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି, ତେବେ ଅନ୍ୟ ସାଥୀ ଜଣଙ୍କ କିଛି ଦିନ ପାଇଁ ତାଙ୍କ ଠାରୁ ସ୍ଲିପ୍ ଡିଭୋର୍ସ ନେଇପାରିବେ । ଏଥିପାଇଁ ବିବାହ ଭାଙ୍ଗିବାକୁ ପଡ଼ିବ ନାହିଁ, କେବଳ ନିଜ ଇଚ୍ଛା ଅନୁସାରେ ବିନା କୌଣସି ବାଧାରେ ଶୋଇପାରିବେ ।

ସ୍ଲିପ ଡିଭୋର୍ସର ଲାଭ-

- ଉତ୍ତମ ମାନସିକ ସ୍ୱାସ୍ଥ୍ୟ

- ଉତ୍ତମ ଶାରୀରିକ ସ୍ୱାସ୍ଥ୍ୟ

- ପାରସ୍ପରିକ ସମ୍ପର୍କକୁ ଉନ୍ନତ କରିଥାଏ

- ଭଲ ନିଦ ପ୍ରଡକ୍ଟିଭିଟି ବୃଦ୍ଧି କରିଥାଏ

ତଥାପି ବିଶେଷଜ୍ଞମାନେ ମତ ଦିଅନ୍ତି , ଦମ୍ପତି ଏକାଠି ଶୋଇବାର ନିଜସ୍ୱ ଲାଭ ରହିଛି । ସାଥୀ ସହିତ ଏକ ଶଯ୍ୟା ବାଣ୍ଟିବା ଦ୍ୱାରା ଅକ୍ସିଟୋସିନ୍ ବା 'ପ୍ରେମ ହରମୋନ୍' ନିର୍ଗତ ହୋଇଥାଏ, ଯାହା ଉଦାସୀନତା, ଚିନ୍ତା, ଚାପକୁ ହ୍ରାସ କରିବା ସହ ସମ୍ପର୍କରେ ସନ୍ତୁଷ୍ଟି ପ୍ରଦାନ କରିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି, ଯେଉଁ ଦମ୍ପତିମାନେ ଗୋଟିଏ ଶଯ୍ୟା ବ୍ୟବହାର କରନ୍ତି, ସେମାନଙ୍କୁ ଭାବନାତ୍ମକ ଲାଭ ମିଳିଥାଏ । ଏପରି ଦମ୍ପତିଙ୍କୁ ଯେତେବେଳେ ସାଥୀ ସହ ଶଯ୍ୟା ବାଣ୍ଟିବାର ଅନୁଭୂତି କହିବା ପାଇଁ କୁହାଗଲା, ଉତ୍ତରଦାତାମାନେ ପ୍ରେମ (୫୩%), ଆରାମ (୪୭%), ବିଶ୍ରାମ (୪୧%), ସୁଖ (୨୭%), ଏବଂ ଶାନ୍ତି (୨୧%) କୁ ସେମାନଙ୍କର ସର୍ବୋଚ୍ଚ ଭାବନାରେ ତାଲିକାଭୁକ୍ତ କଲେ ।

ସୁନିଦ୍ରା ପାଇଁ ସଂଘର୍ଷ

ଆଜିକାଲିର ଦ୍ରୁତ ଗତିଶୀଳ ଦୁନିଆରେ କାମ, ପରିବାର, ସାମାଜିକ ଆଶାକୁ ସନ୍ତୁଳିତ କରିବା ପାଇଁ ପ୍ରାଥମିକତା ଦିଆଯାଉଥିବା ଯୋଗୁଁ ସୁନିଦ୍ରା ମିଳିପାରୁ ନାହିଁ । ଚାପ,ଚିନ୍ତା, ଆର୍ଥିକ ସ୍ଥିତି, ମାନସିକ ସ୍ୱାସ୍ଥ୍ୟ ପରି ସମସ୍ୟା ଆଦିକୁ ନିଦ୍ରାହୀନତାର ମୁଖ୍ୟ କାରଣ କୁହାଯାଉଛି । ବିଶେଷ ଭାବରେ ଚାପକୁ ୬୯% ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାରକ ବୋଲି କୁହାଯାଇଛି । ତା’ପରେ ଏହି ତାଲିକାରେ ଅଛନ୍ତି ଦକ୍ଷିଣ କୋରିଆ (୬୭%), ଥାଇଲ୍ୟାଣ୍ଡ (୬୫%), ସିଙ୍ଗାପୁର (୬୫%) ଏବଂ ଜର୍ମାନୀ (୬୧%) । ତେବେ ଜେନ ଜି ପିଢ଼ିର ପିଲାମାନେ ଚିନ୍ତାକୁ (୫୩% )ନିଦ୍ରାରୁ ବଞ୍ଚିତ ହେବାର ଏକ ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି ।

ନିଦ୍ରାହୀନତାର ଶିକାର ହୋଇଥିବା ଜାଣି ସୁଦ୍ଧା ଅନେକ ଲୋକ ସାହାଯ୍ୟ ମାଗିବାରେ ନିଷ୍କ୍ରିୟ ରହିଥାନ୍ତି । ୨୨% ଶୋଇବା ସମସ୍ୟାର ସମାଧାନ କରିବାକୁ ଅନିଚ୍ଛା ପ୍ରକାଶ କରିଥାଆନ୍ତି । ଫଳରେ ସବୁବେଳେ ଚିଡ଼ ଚିଡ଼ ହେବା, ଛୋଟ ଛୋଟ କଥାରେ ବିରକ୍ତ ହେବା, ଏକାଗ୍ରତା ହ୍ରାସ, ସମ୍ପର୍କରେ ତିକ୍ତତା ଏବଂ କାର୍ଯ୍ୟଦକ୍ଷତା ହ୍ରାସ ପରି ସମସ୍ୟା ଦେଖାଦେଇଥାଏ । ଅନ୍ୟପଟେ ପର୍ଯ୍ୟାପ୍ତ ନିଦ ହେଉଥିବା ଲୋକଙ୍କ ଠାରେ ଦୃଢ଼ ମନୋବଳ ଓ ସାମଗ୍ରିକ ସ୍ୱାସ୍ଥ୍ୟରେ ସୁଧାର ଦେଖିବାକୁ ମିଳେ ।

କାର୍ଯ୍ୟସ୍ଥଳ ଓ ସ୍ୱାସ୍ଥ୍ୟ ଉପରେ ନିଦ୍ରାହୀନତାର ପ୍ରଭାବ

ଏକ ସୁସ୍ଥ ଶରୀର ପାଇଁ ନିଦର ଯଥେଷ୍ଟ ଆବଶ୍ୟକତା ରହିଛି। ରାତିରେ ବିଳମ୍ବରେ ଶୋଇବା ଦ୍ୱାରା ଏହାର ସିଧା ପ୍ରଭାବ ହରମୋନ ଉପରେ ପଡ଼ିଥାଏ। ଏହା ଦ୍ୱାରା ମେଦବହୁଳତା, ପିମ୍ପଲ ଭଳି ସମସ୍ୟା ଦେଖା ଦେଇଥାଏ। ଅନିଦ୍ରା ହେବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ । ଏହା ଦ୍ୱାରା ଷ୍ଟ୍ରେସ୍, ଆଙ୍ଗଜାଇଟି, ଡିପ୍ରେସନ୍ ଭଳି ରୋଗର ଶିକାର ହେବାର ଆଶଙ୍କା ରହିଥାଏ। ଏହାଦ୍ୱାରା ପାଚନ ତନ୍ତ୍ର ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ମେଟାବୋଲିଜିମ୍ ଖରାପ ହେବା ସହ ମୋଟାପା ବୃଦ୍ଧି ପାଇଁ ଥାଏ। ଯାହା ପରବର୍ତ୍ତୀ ସମୟରେ ହାର୍ଟ ଡିଜିଜ ଭଳି ସମସ୍ୟାର କାରଣ ସାଜେ। ନିଦ୍ରାହୀନତା ଦ୍ୱାରା ଶରୀରର ଶକ୍ତି ହ୍ରାସ ପାଏ ଯାହାକି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ।

ଡାକ୍ତରଙ୍କ କହିବା ଅନୁସାରେ ଜଣେ ଲୋକ ପ୍ରତିଦିନ ୭-୮ ଘଣ୍ଟା ଶୋଇବା ଆବଶ୍ୟକ । ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ଭଲ ନିଦ ଆବଶ୍ୟକ, କାରଣ ଏହା କାର୍ଯ୍ୟ ପାଇଁ ଆମ ମନକୁ ଶକ୍ତି ଯୋଗାଇଥାଏ । ନିଦ୍ରା ଅଭାବ ଆମର ଭାବପ୍ରବଣତା ଉପରେ ପ୍ରଭାବ ପକାଇଥାଏ । ଚାକିରିରେ ଭଲ ପ୍ରଦର୍ଶନ କରିବା ପାଇଁ ଶୋଇବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସତ୍ତ୍ୱେ, ପ୍ରାୟ ଅର୍ଦ୍ଧେକ ଲୋକ କହିଛନ୍ତି, ସେମାନେ ନିଦକୁ ପ୍ରାଥମିକତା ଦିଅନ୍ତି ନାହିଁ ।

ସର୍ବେକ୍ଷଣ କରାଯାଇଥିବା ଦେଶମାନଙ୍କ ମଧ୍ୟରେ ସର୍ବାଧିକ ଭାରତରେ ୮୦% କର୍ମଚାରୀ ବିଶ୍ୱାସ କରନ୍ତି ଯେ ସେମାନଙ୍କ ନିଯୁକ୍ତିଦାତା ନିଦ୍ରାର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତି । ତଥାପି ୪୭% ନିଦ୍ରା ଅଭାବରୁ ଅସୁସ୍ଥ ଛୁଟି ନେଇଛନ୍ତି। ଏଥିସହ ପ୍ରାୟ ଅଧା (୪୯%) ଭାରତୀୟ ଉତ୍ତରଦାତା ସପ୍ତାହରେ ଅତି କମରେ ତିନିଥର ଶୋଇବାକୁ ସଂଘର୍ଷ କରୁଥିବାବେଳେ ୩୭% କାର୍ଯ୍ୟ ରାତି ୯ ଟା ପରେ ଆରମ୍ଭ ହେଉଥିବାରୁ ପ୍ରାକୃତିକ ନିଦ୍ରା ଚକ୍ର ବ୍ୟାହତ ହୋଇଥାଏ ଓ ନିଦ୍ରାହୀନତାର ଆଶଙ୍କା ବୃଦ୍ଧି କରିଥାଏ ବୋଲି କହିଛନ୍ତି।

ନିଦ ଓ ଲିଙ୍ଗଗତ ଅସମାନତା

ଅଧ୍ୟୟନ ଅନୁଯାୟୀ, ଭାରତରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ନିଦ୍ରାହୀନତାର ଶିକାର ହୁଅନ୍ତି । ମହିଳାଙ୍କୁ ସପ୍ତାହରେ ହାରାହାରି ୩.୮୩ ରାତି ଭଲ ନିଦ ହେଉଥିବା ବେଳେ ପୁରୁଷମାନେ ୪.୧୩ ରାତି ଭଲରେ ଶୋଇପାରନ୍ତି । ହରମୋନରେ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେଉଁଥିପାଇଁ ୨୯% ପୁରୁଷ ଓ ୩୮% ମହିଳା ଶୋଇବାକୁ ସଂଘର୍ଷ କରନ୍ତି । କର୍ମକ୍ଷେତ୍ରରେ ନିଦ୍ରାର ପ୍ରଭାବ ମଧ୍ୟ ମହିଳାଙ୍କ ମଧ୍ୟରେ ଅଧିକ ସ୍ପଷ୍ଟ ଦେଖାଯାଏ । ୧୭% ଭାରତୀୟ ମହିଳା ୧୨% ପୁରୁଷଙ୍କ ତୁଳନାରେ ଖରାପ ନିଦ ହେତୁ ଅସୁସ୍ଥ ହୋଇ ଛୁଟି ନିଅନ୍ତି ।
ସ୍ଲିପ ଡିଭୋର୍ସର ବଢ଼ୁଥିବା ଧାରା ନିଦ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାର ଗୁରୁତ୍ୱକୁ ସୂଚିତ କରେ । ପୃଥକ ଭାବରେ ଶୋଇବା ଅନେକ ଦମ୍ପତିଙ୍କ ପାଇଁ ଏକ ବ୍ୟବହାରିକ ସମାଧାନ ହୋଇପାରେ । ଏଥିପାଇଁ ସୁନିଦ୍ରାର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।