Child Care: ପିଲାମାନଙ୍କ କ୍ରୋଧ ପଛରେ ଥିବା ବିଜ୍ଞାନ: କ୍ରୋଧର ୧୦ଟି ପ୍ରକୃତ କାରଣ ଓ ସମାଧାନ

ପିଲାମାନଙ୍କର କ୍ରୋଧ ଆମକୁ କ’ଣ କହିଥାଏ ଏବଂ ବୁଝାମଣା ଓ ଧୈର୍ଯ୍ୟର ସହିତ ଆମେ କିପରି ଏହାର ସମାଧାନ କରିପାରିବା, ଏହି ଆଲେଖ୍ୟ ତାକୁ ବୁଝିବାର ଏକ ପ୍ରୟାସ ।

ପିଲାମାନଙ୍କର କ୍ରୋଧ ପଛରେ ଥିବା ବିଜ୍ଞାନ

ସାନ ସାନ ପିଲାଙ୍କର ହଠାତ୍ ରାଗିଯିବା, ଚିଡ଼ି ବିରକ୍ତ ହେବା ଆପଣଙ୍କୁ କେବେ ଆଶ୍ଚର୍ଯ୍ୟ କରିଛି କି? ପିଲାଙ୍କର ଏହି ରାଗ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ଆସିପାରେ - ଯେପରିକି ଦୋକାନରେ, ପାର୍କରେ କିମ୍ବା ଶୋଇବା ପୂର୍ବରୁ ।  ପ୍ରାୟତଃ, ଆମେ ଏହାକୁ କେବଳ 'ଟାଣ୍ଟ୍ରମ୍' ଭାବରେ ଅଣଦେଖା କରୁ। କିନ୍ତୁ ସେମାନଙ୍କ ରାଗ ପଛରେ ହୁଏତ ଏକ ଗଭୀର କାରଣ ଥାଇପାରେ ବୋଲି କେବେ ଆପଣଙ୍କ ମନରେ ଆସିଛି କି? ଆପଣ କେବେ ଭାବିଛନ୍ତି କି ଏହା କେବଳ ସାଧାରଣ 'କ୍ରୋଧ' ନୁହେଁ, ସେମାନଙ୍କ ଭିତରେ ଲୁଚି ରହିଥିବା କିଛି ଭାବନା ଯାହା ସେମାନେ କିପରି ପ୍ରକାଶ କରିବାକୁ ହେବ ଜାଣି ପାରନ୍ତି ନାହିଁ?

ମୋର ବୁଝାମଣା ଏବଂ ଅଭିଜ୍ଞତାରୁ, ମୁଁ ଲକ୍ଷ୍ଯ କରିଛି ଯେ ପିଲାମାନଙ୍କର ଏହି କ୍ରୋଧ ସେମାନଙ୍କର ଆବଶ୍ୟକତା ଏବଂ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ଏକ ଲକ୍ଷଣ । କେବେକେବେ ଏହା ତାଙ୍କ ଇଚ୍ଛାକୁ ପ୍ରକାଶ କରିବାର ଏକ ଉପାୟ ବି ।  ପିଲାମାନଙ୍କର ଏହି ରାଗ ଆମକୁ କ’ଣ କହିଥାଏ ଏବଂ ବୁଝାମଣା ଓ ଧୈର୍ଯ୍ୟର ସହିତ ଆମେ କିପରି ଏହାର ସମାଧାନ କରିପାରିବା, ଏହି ଆଲେଖ୍ୟ ତାହା ବୁଝିବାର ଏକ ପ୍ରୟାସ ।

ପିଲାମାନଙ୍କ କ୍ରୋଧ ପଛର ବିଜ୍ଞାନ:

କ୍ରୋଧ ବା ଟାଣ୍ଟ୍ରମ୍ କେବଳ ହଠାତ୍ ଘଟୁଥିବା ଏକ ଘଟଣା ନୁହେଁ, ବରଂ ତା' ପଛରେ ଏକ କାରଣ ଅଛି । ଛୋଟ ପିଲାମାନଙ୍କର ମସ୍ତିଷ୍କ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ, ଏବଂ ଏହି କାରଣରୁ ସେମାନେ ସେମାନଙ୍କର ଭାବନାକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିବାରେ ସବୁବେଳେ ସକ୍ଷମ ହୋଇ ପାରନ୍ତି ନାହିଁ । ପ୍ରତ୍ୟେକ ଥର ଯେତେବେଳେ ମୁଁ ଏକ ଶିଶୁର ଟାଣ୍ଟ୍ରମ୍ ସାମ୍ନା କରେ, ଏହା ସ୍ପଷ୍ଟ ହୋଇଯାଏ ଯେ ସେ କିଛି ଗୋଟିଏ ପ୍ରକାଶ କରିବାକୁ ଚାହୁଁଛି, ଯାହାକୁ ସେ ଶବ୍ଦରେ କହିପାରୁ ନାହିଁ । ଏହି ସହଜ କଥା ଟିକକ ଯେଉଁଦିନ ଆପଣ  ବୁଝିଯିବେ ସେଇଦିନଠୁ ତାଙ୍କ ରାଗ ଓ କଥାକୁ ଅଧିକ ସହାନୁଭୂତିର ସହ ବୁଝି ସମାଧାନ କରି ପାରିବେ ।

ପିଲାମାନଙ୍କର କ୍ରୋଧର ପ୍ରକୃତ ଅର୍ଥ: ୧୦ ଗୁରୁତ୍ୱପୂର୍ଣ୍ଣ କଥା

୧. ବୁଝିବାର ଅଭାବ:

ଅନେକ ସମୟରେ ପିଲାମାନେ ନିଜ ଭାବନାକୁ ଶବ୍ଦରେ ପ୍ରକାଶ କରିବାକୁ ସକ୍ଷମ ହୁଅନ୍ତି ନାହିଁ ଏବଂ ଏପରି ପରିସ୍ଥିତିରେ ସେମାନଙ୍କ କ୍ରୋଧ ସେମାନଙ୍କ ପାଇଁ ଯୋଗାଯୋଗର ମାଧ୍ୟମ ପାଲଟିଯାଏ। ମୋର ଥରେ ତିନି ବର୍ଷର ଝିଅଟିଏ ସହିତ ଏହିପରି ଅନୁଭୂତି ଗୋଟିଏ ଥିଲା। ଝିଅଟି ସବୁବେଳେ ଜଳଖିଆ ଖାଇବା ସମୟରେ କାନ୍ଦୁଛି ବୋଲି ତା' ବାପାମାଆ କହିଥିଲେ। ମୁଁ ବି ସେଇଆ ଦେଖିଲି । ପ୍ରଥମ ଥର ତ କାନ୍ଦିବାର କାରଣ ମୁଁ ବୁଝିପାରିଲି ନାହିଁ, କିନ୍ତୁ ପରେ ଟିକେ ମିଶିବା ପରେ ଜାଣିଲି ଯେ ତାକୁ ସେ ଜଳଖିଆର ସ୍ୱାଦ ଭଲ ଲାଗୁନାହିଁ ଏବଂ ସେ ଏହାକୁ କିପରି କହିବ ବୁଝିନପାରି ରାଗୁଛି। ଏପରି ପରିସ୍ଥିତିରେ କ୍ରୋଧ ତା' ପାଇଁ ଯୋଗାଯୋଗର ମାଧ୍ୟମ ହୋଇଗଲା । ଆମେ ପିଲାମାନଙ୍କର ଏହି ଭାଷାକୁ ଚିହ୍ନିବାରେ ସକ୍ଷମ କି? ଏହା ଧ୍ୟାନ ଦେବା ଜରୁରୀ ଯେ ଏହା ସାଧାରଣ କ୍ରୋଧ ନୁହେଁ, କିନ୍ତୁ ତାଙ୍କର ଅସନ୍ତୋଷ, ଇଚ୍ଛା ବା ଭାବନାକୁ ପ୍ରକାଶ କରିବାର ପ୍ରୟାସ ।  ସେମାନଙ୍କର ଭାଷା ବୁଝିବାକୁ ସମୟ ଲାଗେ, କିନ୍ତୁ ଥରେ ଆମେ ତାହା ବୁଝିଗଲେ ଏହା ସେମାନଙ୍କ ସହିତ ଆମର ସମ୍ପର୍କକୁ ବହୁତ ସହଜ କରିଥାଏ ।

ପିଲାମାନଙ୍କର କ୍ରୋଧର ପ୍ରକୃତ ଅର୍ଥ: ୧୦ ଗୁରୁତ୍ୱପୂର୍ଣ୍ଣ କଥା

୨. ଅଧିକ ଭାବପ୍ରବଣତା:
ପ୍ରତ୍ୟେକ ପରିବେଶରେ ପିଲାମାନନେ ସହଜ ଅନୁଭବ କରନ୍ତି ନାହିଁ । ଛୋଟ ପିଲାଙ୍କ ପାଇଁ ନୂଆ, ଜନଗହଳିପୂର୍ଣ୍ଣ ଏବଂ କୋଳାହଳମୟ ସ୍ଥାନ, କ୍ଲାନ୍ତିକର ମନେ ହୋଇପାରେ  ଯାହାକି ତାଙ୍କ କ୍ରୋଧର ଏକ କାରଣ । ଥରେ ଗୋଟିଏ ବାହାଘରକୁ ମୋ ସାଙ୍ଗ ତା'ର କୁନି ପୁଅଟିକୁ ଧରି ଆସିଥାଏ । କିଛି ସମୟ ପର୍ଯ୍ୟନ୍ତ ସେ ଠିକ୍ ଠାକ୍ ଥିଲା। କିଛି ସମୟ କୋଳରେ ରହୁଥିଲା ତ କିଛି ସମୟ ଆଙ୍ଗୁଳି ଧରି ଚାଲୁଥିଲା । ଟିକେ ପରେ କିନ୍ତୁ ସେ ପୁରା ଅଥୟ ହୋଇ କାନ୍ଦିଲା । ମୁଁ ତାକୁ ତରତରରେ ଗହଳି ଭିତରୁ ଗୋଟିଏ ଫାଙ୍କା ଜାଗାକୁ ଆଣିବା ପରେ ଯାଇ ତା' କାନ୍ଦ ଥମିଲା । ପିଲାମାନଙ୍କ ପାଇଁ ଏକାସାଙ୍ଗରେ ଏତେ ଲୋକ, ଏତେ କଥା, ସମସ୍ତଙ୍କର  ଭିନ୍ନ ଭିନ୍ନ ବ୍ୟବହାରର ଆଦି ଅନୁଭୂତିଗୁଡ଼ିକୁ ବୁଝିବା ଏବଂ ପରିଚାଳନା କରିବା କଷ୍ଟକର ହୋଇପଡ଼େ । ଯଦି ଆମେ ବୁଝିପାରୁ ଯେ ଏପରି ପରିବେଶରେ ସେମାନଙ୍କ ମନ ହୁଏତ ଖରାପ ଥାଇପାରେ, ତେବେ ଆମେ ସେମାନଙ୍କୁ ଏକ ନୀରବ ସ୍ଥାନକୁ ନେବାର ବ୍ୟବସ୍ଥା କରିପାରିବା । ଏହା ସେମାନଙ୍କୁ ଆରାମ ଦେବ ଏବଂ ସେମାନଙ୍କ ମାନସିକ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବ ।

୩. ସୀମା ପରୀକ୍ଷା:
ପ୍ରତ୍ୟେକ 'ନା' ର ନିଜସ୍ୱ କାରଣ ଅଛି । ପିଲାମାନେ ପ୍ରାୟତଃ ସେମାନଙ୍କର କେତେ ସ୍ୱାଧୀନତା ଅଛି ଏବଂ କେଉଁଠାରେ ସେମାନଙ୍କୁ ବାଧା ଦିଆଯିବ ତାହା ଜାଣିବା ପାଇଁ ବଡ଼ମାନଙ୍କ ସାମ୍ନାରେ ଯାବତୀୟ ହରକତ କରନ୍ତି । ପିଲାଟେ ଯେତେବେଳେ ବଡ଼ମାନେ ମନା କରୁଥିବା ସବୁ 'ନା’କୁ ଚ୍ୟାଲେଞ୍ଜ କରି ତା'ର ଓଲଟା କାମଟି କରେ, ସମସ୍ତେ ଭାବନ୍ତି ପିଲାଟା ଖୁବ୍ ଜିଦଖୋର; କିନ୍ତୁ ପ୍ରକୃତ କଥା ହେଲା ତାକୁ କେଉଁ କାମ କେତେ ବାଟ ଯାଏ କରିବାକୁ ଦିଆଯାଉଛି ତାର ପରୀକ୍ଷା କରିବା । ପିଲାମାନେ ଯେତେବେଳେ ଏହି ଉପାୟରେ ପରୀକ୍ଷା କରନ୍ତି, ସେତେବେଳେ ବୁଝିବାକୁ ହେବ ଯେ, ସେମାନେ ସେମାନଙ୍କ ଆଖପାଖର ପରିବେଶକୁ ବୁଝିବା ପାଇଁ ପ୍ରୟାସ କରୁଛନ୍ତି । ସେମାନଙ୍କୁ ନିରାପଦ ଏବଂ ସୁସଂଗତ ପରିସର ଯୋଗାଇଦେବା କେବଳ ସେମାନଙ୍କୁ ନିରାପଦ ମନେ କରାଏ ନାହିଁ, ବରଂ ସେହି ପରିସର ସେମାନଙ୍କ ସ୍ୱାଧୀନତାର ମହତ୍ତ୍ୱ ବୁଝିବାରେ ମଧ୍ୟ ସାହାଯ୍ୟ କରେ ।

୪. ସ୍ୱାଧୀନତାର ଅନୁଭବ:
ପିଲାମାନେ ବଢ଼ିବା ସହିତ ସେମାନଙ୍କ ଭିତରେ ନିଷ୍ପତ୍ତି ନେବାକୁ ଏବଂ ନିଜେ କିଛି କରିବାକୁ ଇଚ୍ଛାଟେ ବଢ଼େ। ପିଲାଟେ ନିଜେ ଜୋତା ପିନ୍ଧିବାକୁ ଚେଷ୍ଟା କଲାବେଳେ ଆପଣ ଯଦି ସାହାଯ୍ୟ କରିବେ, ସେ ରାଗିକି ଜୋତା ଫୋପାଡି ଦେବ। ଏହା ତା'ର ସ୍ୱାଧୀନତା ହାସଲ କରିବାର ଅବା 'ମୁଁ ନିଜେ ଏହା କରିପାରିବି'ର ସଙ୍କେତ ।  ଆମେ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ଏବଂ ସେମାନଙ୍କୁ ନିଜେ କିଛି କରିବା ପାଇଁ ସୁଯୋଗ ଦେବା ଉଚିତ୍ । ଏହା କେବଳ ସେମାନଙ୍କର ଆତ୍ମବିଶ୍ୱାସକୁ ବଢ଼ାଇନଥାଏ ବରଂ ସ୍ୱାଧୀନତାର ଭାବନାକୁ ମଧ୍ୟ ଦୃଢ଼ କରିଥାଏ ।  ଆମକୁ ଦେଖିବାକୁ ହେବ ଯେ, ଆମେ ସେମାନଙ୍କୁ ନିଜକୁ ପ୍ରମାଣ କରିବାର ସୁଯୋଗ ଦେଉଛୁ କି?

୫.ଶାରୀରିକ ଆବଶ୍ୟକତା:
ପିଲାମାନଙ୍କର କ୍ରୋଧର ଏକ ମୁଖ୍ୟ କାରଣ ହେଉଛି ସେମାନଙ୍କର ଶାରୀରିକ ଆବଶ୍ୟକତା ।  ଭୋକ, ଥକାପଣ କିମ୍ବା ନିଦ୍ରାର ଅଭାବ ସେମାନଙ୍କୁ କ୍ରୋଧିତ କରିପାରେ । ଖାଇବା ସମୟ ପୂର୍ବରୁ କିମ୍ବା ଶୋଇବା ଆଗରୁ ପିଲାମାନେ ରାଗି କାନ୍ଦିବାର ଅନେକ ଜଣ ଲକ୍ଷ୍ୟ କରିଥିବେ । ସେମାନଙ୍କୁ ନିୟମିତ ଖାଦ୍ୟ ଏବଂ ବିଶ୍ରାମ ଦେବା ଦ୍ୱାରା ସେମାନଙ୍କ ରାଗିବାର ମାତ୍ରା କମିଯାଏ ।

୬. ଧ୍ୟାନ ଆକର୍ଷଣ କରିବାର ଚେଷ୍ଟା :
ବେଳେବେଳେ ପିଲାମାନେ କ୍ରୋଧିତ ହୁଅନ୍ତି କାରଣ ସେମାନେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହାଁନ୍ତି ।  କେବେକେବେ ଦେଖିଥିବେ ପିଲାଟିର କଥା ନଶୁଣି କି ତା ଖେଳ ନଦେଖି ବଡ଼ମାନେ ଯଦି ନିଜ ଭିତରେ କଥା ହେବେ, ତେବେ ସେ ପାଟି କରେ ନ ହେଲେ ଫିଙ୍ଗା ଫୋପଡ଼ା କରେ । ଏକାକୀ ଅନୁଭବ କଲାବେଳେ ସେ ଏମିତି କରେ। ପିଲାମାନଙ୍କର ଭିତରେ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଅନୁଭବ କରିବାର ଇଚ୍ଛା ଥାଏ । ଯଦି ଆମେ ସେମାନଙ୍କୁ ଆଶ୍ୱାସନା ଦେଉ ଯେ, ସେମାନେ ଆମ ପାଇଁ ସ୍ୱତନ୍ତ୍ର ତେବେ ସେମାନେ ଆଉ ରାଗିବେ ନାହିଁ। ପ୍ରେମ ଏବଂ ସ୍ନେହର ଏହି ନିଶ୍ଚିତତା ସେମାନଙ୍କର ସୁରକ୍ଷା ଭାବନାକୁ ଦୃଢ କରେ ଏବଂ କ୍ରୋଧକୁ ମଧ୍ୟ ହ୍ରାସ କରେ ।

୭. ଭାବନାକୁ ବୁଝିବାରେ ଅସୁବିଧା:
ପିଲାମାନଙ୍କ ଭିତରେ ଭାବନାକୁ ବୁଝିବା ଏବଂ ପରିଚାଳନା କରିବାର କ୍ଷମତା ବିକାଶ ହୋଇନଥାଏ । ପିଲାଟେ ଖେଳିବା ବେଳେ ସେ ତିଆରି କରିଥିବା ଆକାରଟି ଯଦି ଭାଙ୍ଗିଯାଏ ସେ କାନ୍ଦିବା ଆରମ୍ଭ କରିଦିଏ।  ସେ ଜିନିଷଟି ନଭାଙ୍ଗୁ ବୋଲି ଭାବିଥାଏ କିନ୍ତୁ ଫଳାଫଳ ଓଲଟା ହେଲେ ସେ ଗ୍ରହଣ କରିନପାରି କାନ୍ଦେ। ପିଲାମାନେ ସେମାନଙ୍କର ଭାବନାକୁ ବୁଝି  କିପରି ପରିଚାଳନା କରିବେ ତାହା ଯଦି ଶିଖାଇବା, ତେବେ  ତାହା ସେମାନଙ୍କ ଜୀବନକୁ ସହଜ କରିବ ।

୮. ଧୈର୍ଯ୍ୟର ଅଭାବ:
ପିଲାମାନଙ୍କ ପାଇଁ ଅପେକ୍ଷା କରିବା କାମଟି ଅତ୍ୟନ୍ତ କଷ୍ଟକର । ଥରେ ଛୋଟ ଝିଅଟିଏ ଝୁଲଣରେ ଝୁଲିବା ପାଇଁ ଅପେକ୍ଷା କଲାବେଳେ ବିରକ୍ତ ହେଉଥିଲା । ମୁଁ ଧୀରେ ଧୀରେ ତା ସହ ଗପି ବୁଝାଇବାକୁ ଚେଷ୍ଟା କଲି ଏବଂ ସେ ଯେତେବେଳେ ଧୈର୍ଯ୍ୟର ସହ ଅପେକ୍ଷା କଲା ମୁଁ ତାକୁ ପ୍ରଶଂସା ବି କଲି । ଧୀରେ ଧୀରେ ଧୈର୍ଯ୍ୟ ଧରିବାଟା ପିଲାମାନଙ୍କ ଅଭ୍ୟାସରେ ପକାଇଲେ ସେମାନଙ୍କର ରାଗ କମିଯାଏ । ସେମାନଙ୍କର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କୌଶଳ ଯାହା ଭବିଷ୍ୟତରେ ସେମାନଙ୍କୁ ବହୁତ ସାହାଯ୍ୟ କରିବ ।

୯. ନୂଆ କୌଶଳ ଶିଖିବାରୁ ହତାଶା :
ପିଲାମାନେ ନୂଆ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରନ୍ତି, ଏବଂ ଯେତେବେଳେ ସେମାନେ ବିଫଳ ହୁଅନ୍ତି, ନିରାଶ ହୋଇଯାଆନ୍ତି । ମୁଁ ଥରେ ଏକ କୁନି ପିଲାକୁ ଭେଟିଥିଲି ଯିଏ ବାରମ୍ବାର ଜୋତା ବାନ୍ଧିବାକୁ ଚେଷ୍ଟା କରୁଥିଲା ଏବଂ ବିଫଳ ହେଉଥିଲା । ତାକୁ ସାହାଯ୍ୟ କରି ଟିକେ ଆତ୍ମବିଶ୍ୱାସ ଦେବାକୁ ଚେଷ୍ଟା କଲାପରେ ସେ ଯେତେବେଳେ ସଫଳତା ପାଇଲା ସେତେବେଳେ ଖୁସିରେ ନାଚିଗଲା।  ପିଲାମାନଙ୍କର ନିରାଶା ପଛରେ କାରଣ ହେଲା,  ସେମାନେ ନିଜେ କିଛି ନୂଆ ଶିଖିବାକୁ ଚାହାଁନ୍ତି ।  ଯଦି ଆମେ ସେମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କୁ ବୁଝାଇବା ଯେ ବିଫଳତା ବି ନୂଆ କଥା ଶିଖିବାର ଏକ ଅଂଶ, ତେବେ ସେମାନେ ଅଧିକ ଆତ୍ମବିଶ୍ୱାସୀ ହେବେ ।

୧୦. ବାପାମାଆଙ୍କ ପ୍ରତିକ୍ରିୟା :

କେଉଁ ପ୍ରକାରର ଆଚରଣ ବାପାମାଆଙ୍କ ଦୃଷ୍ଟି ଆକର୍ଷଣ କରେ ତାହା ପିଲାମାନେ ଶୀଘ୍ର ବୁଝିଯାଆନ୍ତି । ମୁଁ ଏମିତି ପିଲାକୁ ଭେଟିଥିଲି, ଯିଏ ଯେତେବେଳେ କିଛି ଚାହେଁ ସେତେବେଳେ ରାଗିକରି ବ୍ୟବହାର କରେ। କିନ୍ତୁ ମୁଁ ଯେତେବେଳେ ଶାନ୍ତ ରହି ଧୈର୍ଯ୍ୟର ସହ ତାକୁ ଧୀରେସୁସ୍ଥେ ବୁଝାଇବା ଆରମ୍ଭ କଲି, ସେତେବେଳେ ସେ ବୁଝିଲା ଯେ ତା ରାଗର କୌଣସି ଫଳାଫଳ ନାହିଁ ।  ସଂଯମତା ଏବଂ ଧୀରସ୍ଥିର କଥାବାର୍ତ୍ତା ପିଲାମାନଙ୍କୁ ଶିଖାଏ ଯେ ସେମାନେ ବିନା କ୍ରୋଧରେ ମଧ୍ୟ ସେମାନଙ୍କ କଥା ରଖିପାରିବେ ।

ଶାନ୍ତିପୂର୍ଣ୍ଣ ଏବଂ ଗଠନମୂଳକ ଢଙ୍ଗରେ ପିଲାମାନଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବାର ଉପାୟ ।

ମୋର ଅନୁଭୂତିରୁ, କିପରି ଶାନ୍ତିପୂର୍ଣ୍ଣ ଭାବରେ ପିଲାମାନଙ୍କର କ୍ରୋଧକୁ ନିୟନ୍ତ୍ରଣ କରିହେବ ତା'ର କେତୋଟି ଉପାୟ ନିମ୍ନରେ ଦେଇଛି।

ଶାନ୍ତ ରୁହନ୍ତୁ ଏବଂ ସହାନୁଭୂତିଶୀଳ ଉପାୟ ଅବଲମ୍ବନ କରନ୍ତୁ: ପିଲାମାନେ ଆମର ମନୋବଳକୁ ଅନୁଭବ କରିପାରନ୍ତି । ଯେତେବେଳେ ଆମେ ଶାନ୍ତ ରହୁ, ଏହା ମଧ୍ୟ ସେମାନଙ୍କୁ ଶାନ୍ତ ଅନୁଭବ କରାଏ। “ମୁଁ ଜାଣେ ତୁମେ ରାଗିଛ, ଚାଲ ସାଙ୍ଗ ହୋଇ ଗଭୀର ନିଶ୍ୱାସ ନେବା” ପରି କିଛି କଥା ପ୍ରାୟତଃ କାମ କରେ ।

ବିକଳ୍ପ ଦିଅନ୍ତୁ: ପିଲାମାନଙ୍କୁ ନିଜ ପାଇଁ ବାଛିବାର ସୁଯୋଗ ଦିଅନ୍ତୁ।  ଯେପରି, “ତୁମେ ଏକ ବହି ପଢ଼ିବାକୁ କିମ୍ବା ଖେଳିବାକୁ ଚାହୁଁଛ କି?”  ଏହା ସେମାନଙ୍କୁ ଚିନ୍ତା କରିବାର ସୁଯୋଗ ଦିଏ ଏବଂ ସେମାନଙ୍କୁ ଅଧିକ ନିୟନ୍ତ୍ରଣରେ ରହିବାର ଅନୁଭବ ଦିଏ।

ଲମ୍ବା ଓ ଗଭୀର ନିଶ୍ୱାସ ନେବା ଅଭ୍ୟାସ କରାନ୍ତୁ: ପିଲାମାନଙ୍କୁ ଶାନ୍ତ ରହିବାରେ ସାହାଯ୍ୟ କରିବା ପାଇଁ  ଗଭୀର ନିଶ୍ୱାସ ନେବା ଶିଖାଇବା ଏକ ଭଲ ଉପାୟ ।

ନିୟମିତ ରୁଟିନ୍ ତିଆରି କରନ୍ତୁ: ନିୟମିତ ଭୋଜନ, ଖେଳିବା, ଏବଂ ଶୋଇବା ରୁଟିନ୍ ରଖିବା ସେମାନଙ୍କର ଶାରୀରିକ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ, ଯାହା ବାରମ୍ବାର ରାଗିବାର ପରିମାଣକୁ ହ୍ରାସ କରିପାରେ ।

ପିଲାମାନଙ୍କର କ୍ରୋଧ କେବଳ ଉଦବେଗ ଜନିତ ନୁହେଁ;  ବରଂ ତାହା ସେମାନଙ୍କର ମନର ଭାବନାକୁ ପ୍ରକାଶ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ।  ମୋର ଅଭିଜ୍ଞତାରୁ ଦେଖିଛି, ପିଲାମାନଙ୍କର ଏହି କ୍ରୋଧ ଭିତରେ ଅନେକ ଜିନିଷ ପ୍ରତିଫଳିତ ହୁଏ।  ଯଦି ଆମେ ଏହାକୁ ଗ୍ରହଣ କରିବା ଏବଂ ଧୈର୍ଯ୍ୟର ସହିତ ପ୍ରତିକ୍ରିୟା ରଖିବା ତେବେ ପିଲାର କେବଳ ରାଗ ଓ ଜିଦ୍ କମ୍ ହେବ ନାହିଁ ବରଂ ସେମାନଙ୍କ ସହିତ ଆମର ସମ୍ପର୍କକୁ ଆହୁରି ପ୍ରଗାଢ଼ କରିବ ।

ଆମକୁ ବୁଝିବାକୁ ହେବ ଯେ,  ପିଲା ଯେତେଥର ରାଗେ, ସେତେଥର ଆମ ପାଇଁ, ଆମ ପିଲାମାନଙ୍କୁ ଓ ନିଜକୁ ଭଲ ଭାବରେ ବୁଝିବା ଏବଂ ପରିସ୍ଥିତିକୁ ସଠିକ୍ ଦିଗରେ ପରିଚାଳନା କରିବା ପାଇଁ ସୁଯୋଗ ମିଳିଥାଏ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)