ପ୍ରେମ ଆଉ ବିବାହକୁ ନେଇ ଆଜିକାଲି ଯୁବପିଢିଙ୍କ ମାନିସିକତା ଅନେକ ବଦଳି ଯାଇଛି । ଏମାନଙ୍କ ପାଇଁ ପ୍ରେମ ଆଉ ବିବାହ ବେଳେବେଳେ ଏକ ଚୁକ୍ତି ଆଉ ବୁଝାମଣା ଭିତରେ ସୀମିତ ରହିଯାଉଛି । ଏହାକୁ ନେଇ ଅପରାଧିକ କାର୍ଯ୍ୟକଳାପ ତଥା ଆତ୍ମହତ୍ୟା ପରି ଘଟଣା ମଧ୍ୟ ଚିନ୍ତାଜନକ ବେଗରେ ବୃଦ୍ଧି ପାଉଛି । କହିବାକୁ ଗଲେ, ପ୍ରେମ ଶବ୍ଦରେ ଥିବା ସେଇ ମଧୁର ଅନୁଭୂତିଟି ଯେମିତି କ୍ଷଣସ୍ଥାୟୀ ହୋଇ ଯାଉଛି । ଗୋଟିଏ ପଟେ ବିବାହ ବିଚ୍ଛେଦ ଏକ ସାଧାରଣ କଥା ହୋଇ ଯାଇଥିବାବେଳେ ‘ଲିଭ ଇନ’ରେ ରହିବା ଏକ ଆବଶ୍ୟକତା ହୋଇପଡିଲାଣି ।
ଆଜକାଲି ଲିଭ-ଇନ ପରମ୍ପରା ବଢି ବଢି ଚାଲିଛି । ବିବାହ ପରେ ଆମେ ଜଣଙ୍କ ସହ ନିଜର ସୁଖ, ସୁବିଧା, ସମୟକୁ ସେୟାର କରିଥାଉ । ଲିଭ-ଇନରେ ଏସବୁ ସେୟାରିଂ ବିବାହ ପୂର୍ବରୁ ହୋଇଥାଏ । ତେବେ ବିବାହ ପୂର୍ବରୁ ଲିଭଇନରେ ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ମଜବୁତ ହେଉଛି କି ? ଲିଭ-ଇନ ସମ୍ପର୍କ ପରବର୍ତ୍ତୀ ସମୟର ଫାଟକୁ ଦୂରେଇ ପାରୁଛି କି ? କ’ଣ କହୁଛନ୍ତି ଏକ୍ସପର୍ଟ ଆସନ୍ତୁ ଜାଣିବା ।
Also Read
ମୁମ୍ବାଇରେ ରହୁଥିବା ଜଣେ ସାଇକୋଥେରାପିଷ୍ଟ ତଥା ଲାଇଫ କୋଚ୍ ଆରତୀ ଚାୱଲାଙ୍କ କହିବା ଅନୁଯାୟୀ, ଆଜିକାଲି ବିଭିନ୍ନ କାରଣରୁ ବିବାହ ବିଚ୍ଛେଦ ଘଟୁଛି । ଦ୍ରୁତ ଗତିରେ ଧାଉଁଥିବା ଜୀବନଶୈଳୀ, ଧୈର୍ଯ୍ୟର ଅଭାବ ଏବଂ ସହିବା ଶକ୍ତିର ଅଭାବ ହିଁ ବିବାହ ବିଚ୍ଛେଦର ମୁଖ୍ୟ କାରଣ ପାଲଟିଛି । ଏମିତି ଦିନ ଥିଲା ଯେଉଁଠି ପ୍ରେମିକ ବା ପ୍ରେମିକା ବର୍ଷ ବର୍ଷ ଅପେକ୍ଷା କରୁଥିଲେ ଦେଖା କରିବା ପାଇଁ, ପରିବାର ଲୋକଙ୍କୁ ମନାଉଥିଲେ । ମନେଇବା ପାଇଁ ଚିଠି ଲେଖୁଥିଲେ । ହେଲେ ଏସବୁ ଆଜିକାଲି ଖୁବ ସହଜ ହୋଇଗଲାଣି । ମୋବାଇଲ ସ୍କ୍ରିନରେ ବାମ-ଡାହାଣକୁ ଆଙ୍ଗୁଠି ହଲାଇଦେଲେ ଏ ସମସ୍ୟାର ସମାଧାନ ହୋଇଯାଉଛି । ଆଉ ଯଦି ଏହା ସମ୍ଭବ ହୋଇ ନ ପାରୁଛି ତେବେ ସେମାନେ ଏହାକୁ ପଛରେ ପକାଇ ଆଗେଇ ଯିବାକୁ ପସନ୍ଦ କରୁଛନ୍ତି ।‘
ଚାୱାଲଙ୍କ କହିବା ଅନୁସାରେ, ଆଜିକାଲି ଗୋଟିଏ ସମ୍ପର୍କ ଖରାପ ହୋଇଗଲେ ଆଉ ଏକ ସୁଯୋଗ ସହଜରେ ମିଳି ଯାଉଛି । ବିବାହ ବିଚ୍ଛେଦର ଅନ୍ୟ ଏକ କାରଣ ହେଉଛି ଅର୍ଥନୈତିକ ଚାପ । ଅଧିକାଂଶ ଦମ୍ପତ୍ତି ଆଜିକାଲି କାମ କରୁଛନ୍ତି ଏବଂ ରୋଜଗାର କ୍ଷମତା ରଖୁଛନ୍ତି । ଅର୍ଥନୈତିକ ପ୍ରସଙ୍ଗ ଅନେକ ସମୟରେ ଅଶାନ୍ତିର କାରଣ ହେଉଛି । ଯଦି ଦମ୍ପତ୍ତି ତାଙ୍କର ଅର୍ଥନୈତିକ ଲକ୍ଷ୍ୟ ହାସଲ କରି ନ ପାରୁଛନ୍ତି ତେବେ ଏହା ଦାମ୍ପତ୍ୟ ଜୀବନର ଦୁଃଖ ଏବଂ ଦ୍ୱନ୍ଦ୍ୱର କାରଣ ପାଲଟୁଛି ।
ଦିଲ୍ଲୀ ସ୍ଥିତ ରିଲେସନସିପ କାଉନସିଲର ରୁଚି ରୁହୁଙ୍କ କହିବା ଅନୁଯାୟୀ, ଆଧୁନିକ ସମାଜ ବ୍ୟକ୍ତିଗତ ବିକାଶ ଏବଂ ଖୁସିକୁ ବହୁତ ବେଶୀ ମହତ୍ୱ ଦେଉଛି । ସେଥିପାଇଁ ଗୋଟିଏ ସମ୍ପର୍କ ଅସମ୍ପୂର୍ଣ୍ଣ ଲାଗିଲେ ବା ଖୁସି ଦେଇ ନ ପାରିଲେ ତାହାକୁ ସେହିଠାରେ ସେମାନେ ଶେଷ କରି ଦେଉଛନ୍ତି ।
ସେ କହିଛନ୍ତି, ବିବାହ ବିଚ୍ଛେଦ ଆଜିକାଲି ଉପେକ୍ଷିତ ଶବ୍ଦ ହୋଇ ନାହିଁ ବା ସାମାଜିକ କଳଙ୍କ ରୂପରେ ଦେଖା ଯାଉନି । ଏହା ଲୋକଙ୍କ ପାଇଁ ଏକ ସହଜ ସୁଯୋଗର ବାଟ ହୋଇପାରିଛି । ଅନେକ ବ୍ୟକ୍ତି ନିଜ ଜୀବନସାଥୀ, ପ୍ରେମ ଏବଂ ସମ୍ପର୍କଠାରୁ ବହୁତ ଅଧିକ, ଅବାସ୍ତବ ଆଶା ରଖିଥାନ୍ତି । ଅନେକ ସମୟରେ ମିଡିଆରୁ ଦେଖି ସେମାନେ ପ୍ରଭାବିତ ହୋଇଥାନ୍ତି । ହେଲେ ବାସ୍ତବତା ଏପରି ଅବାସ୍ତବ ଆଶାକୁ ପୂରଣ କରିପାରି ନ ଥାଏ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ମନମାଳିନ୍ୟ ଆରମ୍ଭ ହୋଇଥାଏ ।
ରୁହୁ ଆହୁରି କହିଛନ୍ତି, ଏପରି ହେବା ଦ୍ୱାରା ସମ୍ପର୍କ ବିଷାକ୍ତ ତଥା ଅସନ୍ତୁଳିତ ହୋଇଥାଏ ଯାହା ମାନସିକ ଶାନ୍ତିକୁ ପ୍ରଭାବିତ କରିଥାଏ । ଏପରି ସ୍ଥିତିରେ ଲୋକଙ୍କୁ ନିଜ ମାନସିକ ଶାନ୍ତିକୁ ବେଶି ଗୁରୁତ୍ୱ ଦେବାକୁ ପଡିଥାଏ ।
ତେଣୁ ଏପରି ସ୍ଥିତିରେ ଲିଭ-ଇନ ସମ୍ପର୍କ କେତେଦୂର ସୁରକ୍ଷା ଦେଇ ପାରିବ ? ବିଶ୍ଳେଷକଙ୍କ କହିବା ଅନୁଯାୟୀ, କିଛି ଅଧ୍ୟୟନରୁ ଜଣାପଡିଛି, ଯେଉଁ ଦମ୍ପତ୍ତି ବିବାହ ପୂର୍ବରୁ ଲିଭ-ଇନରେ ରହିଛନ୍ତି ସେମାନେ ନିଜ ସମ୍ପର୍କକୁ ନେଇ ଖୁବ ସନ୍ତୁଷ୍ଟ । ସେମାନଙ୍କ ସମ୍ପର୍କରେ ଏକ ସ୍ଥାୟୀତ୍ୱ ଦେଖିବାକୁ ମିଳିଥାଏ ଏବଂ ଉଭୟଙ୍କ ମଧ୍ୟରେ ବୁଝାମଣା ବି ଭଲ ଥାଏ । ଅବଶ୍ୟ ଅନ୍ୟକେତେକଙ୍କ ମତରେ ଏହା ଏକ ‘ସହବାସ ନିଷ୍କ୍ରିୟତା’କୁ ବୁଝାଇଥାଏ । ଏହାର ଅର୍ଥ ଦମ୍ପତି ସମ୍ପର୍କ ନୁହେଁ ସୁବିଧା ପାଇଁ ବିବାହ କରିଥାନ୍ତି ବୋଲି ରୁଚି ରୁହୁ କହନ୍ତି ।
ଏ ନେଇ ରୁଚି ରୁହ କହନ୍ତି, ବିବାହ ପୂର୍ବରୁ ଲିଭ-ଇନରେ ରହିବା ଦ୍ୱାରା ସମସ୍ତଙ୍କର ସମସ୍ୟାର ସମାନ ସମାଧାନ ହୋଇ ପାରି ନ ଥାଏ । ତେବେ ଏହାଦ୍ୱାରା ଦମ୍ପତି ପରସ୍ପରର ଅଭ୍ୟାସ, ଖୁସି ଏବଂ ସମସ୍ୟାକୁ ସାମ୍ନା କରିବାର କ୍ଷମତାକୁ ବୁଝିବାରେ ସାହାଯ୍ୟ କରଥାଏ ।
ଆରତୀ ଚାୱାଲା ମଧ୍ୟ ଏକଥା ସ୍ୱୀକାର କରିଛନ୍ତି ଯେ, ଲିଭ-ଇନ ସମ୍ପର୍କ ଦମ୍ପତିଙ୍କୁ ପରସ୍ପରକୁ ଅଧିକ ଭାବେ ବୁଝିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ସେମାନେ କେବଳ ରୁମ୍ମେଟ୍ ଭାବେ ନୁହେଁ ବରଂ ଆଗାମୀ ୪୦-୫୦ ବର୍ଷର ଜୀବନସାଥୀ ଭାବେ ଏକାଠି ରହିବାର ଆବଶ୍ୟକତାକୁ ବୁଝି ପାରିଥାନ୍ତି । ଗୋଟିଏ ଦମ୍ପତି ପାଇଁ ମାନସିକ ପ୍ରସ୍ତୁତି ଖୁବ ମହତ୍ୱପୂର୍ଣ୍ଣ । ଏହି ମାନସିକ ପ୍ରସ୍ତୁତି ସେମାନେ ବିବାହ ପୂର୍ବରୁ କରିଥାନ୍ତି ।
ଲିଭ-ଇନ ଗୋଟିଏ ଦମ୍ପତିକୁ ସେମାନଙ୍କର ରୁଟିନ ଲାଇଫ ଏବଂ ଅଭ୍ୟାସ ସହ ପରିଚିତ କରାଇଥାଏ । ଏଥିରେ ଆଶ୍ଚର୍ଯ୍ୟ ହେବାର ସମ୍ଭାବନା କମ ଥାଏ । ଅନେକ କ୍ଷେତ୍ରରେ ଦେଖା ଯାଉଛି, ଲିଭ-ଇନରେ ବିବାହ ବିଚ୍ଛେଦ ଆଶଙ୍କା କମ ଥାଏ । କାରଣ ମୌଳିକ ଜିନିଷ ବିଷୟରେ ସେମାନେ ଆରମ୍ଭରୁ ଅଭ୍ୟସ୍ତ ଥାଆନ୍ତି ।