୨୮ ବର୍ଷୀୟ ବରୁଣ ଗୋଟେ ମଲ୍ଟିନ୍ୟାସନାଲ୍ ଆଇ.ଟି. କମ୍ପାନୀରେ କାମ କରନ୍ତି । ସେ ସେଠାକାର ମିଷ୍ଟର ପରଫେକ୍ଟ, ମାନେ ଭଲ କର୍ମଚାରୀ । ଡେରି ରାତି ଯାଏ କାମ କରିବା, ଖରାବେଳେ ଖାଇବା ସମୟରେ କାମ ଛାଡି ନଯିବା, ଶନିବାର-ରବିବାର ପରି ଛୁଟି ଦିନରେ ବି କାମ କରିବା ତା ଚାକିରିର ଅଭିନ୍ନ ଅଙ୍ଗ ପାଲଟି ଯାଇଥିଲା । କିନ୍ତୁ ମୁଁ ତାକୁ ଭେଟିବା ବେଳକୁ ସେ ଟିକେ ନୀରବ ଲାଗୁଥିଲା । ଯେମିତିକି ତା ସ୍ପୃହାତକ ମରିଯାଇଛି । ପଚାରିଲାରୁ କହିଲା; "ଆଜିକାଲି ଅଫିସ୍ ଆସି ମୁଁ ଲଗ୍ ଇନ୍ କରେ ଓ ମେସିନ୍ ପରି ଯେତିକି କାମ ଦିଆଯାଏ ସେତିକି ହିଁ କରେ । ତା' ଠାରୁ ଅଧିକା କିଛି ଆଉ ନିଜ ଆଡୁ ମାଡିବସି କରେନି । ମୁଁ କରିପାରିବିନି ବି । ମୁଁ ଅଳସୁଆ ନୁହେଁ । କିନ୍ତୁ ଲମ୍ବା ସମୟ ଧରି ନିଜର ସମୟ, ସାମର୍ଥ୍ୟ, ଆଗ୍ରହ, ଦକ୍ଷତା ସବୁକିଛି ଦେବା ପରେ କ'ଣ ମିଳିଲା ମୋତେ? ମୁଁ ସତରେ ଥକିଗଲିଣି ।"
ସେ ଅଫିସରେ କାହାକୁ ଏକଥା କହିନାହିଁ । କିନ୍ତୁ ସେ ମାନସିକ ସ୍ତରରେ ନିଜ ପୁରୁଣା କାମ କରିବା ଅଭ୍ୟାସରୁ ନିଜକୁ ଓହରାଇ ନେଇଛି । ସେ ଏବେବି ସେଇ ଗହଳି ଓ କାମ ଭିତରେ ରହୁଛି କିନ୍ତୁ ଆଗ ପରି ଆଉ ଓଭର କମିଟେଡ ବା ଅତି ପ୍ରତିବଦ୍ଧ ହୋଇ ନୁହେଁ । ସେ ସେଇ ଗୋଷ୍ଠୀ ଭିତରେ ସାମିଲ୍ ହୋଇଯାଇଛି ଯେଉଁମାନେ କାମରୁ ନୀରବରେ ଓହରି ଆସୁଛନ୍ତି । ଏହାକୁ କ୍ୱାଇଟ୍ କୁଇଟିଂ କୁହାଯାଉଛି ।
Also Read
ବରୁଣଙ୍କ କଥାରୁ ଜଣାପଡେ, ବର୍ତ୍ତମାନ ସମୟରେ କାମ କରିବାକୁ ନେଇ ସମସ୍ତଙ୍କର ଦୃଷ୍ଟିକୋଣ କିପରି ହଠାତ୍ ବଦଳିବାରେ ଲାଗିଛି । କାମକୁ ଆଉ ଜୀବନର କେନ୍ଦ୍ର ନୁହେଁ ଜୀବନର କେବଳ ଗୋଟିଏ ଅଂଶ ଭାବରେ ଗ୍ରହଣ କରାଯାଉଛି । ସମୟସୀମା, କାମ କେତେ କରିହେବ, ଜୀବନ ଓ କାମ ଭିତରେ ସନ୍ତୁଳନ ଓ ବର୍ଣ୍ଣଆଉଟ୍ ରୁ ନିଜକୁ ବଞ୍ଚେଇ ରଖିବାକୁ ଚେଷ୍ଟା କରାଯାଉଛି । ଟକ୍ସିକ ପ୍ରଡକ୍ଟିଭିଟି ଓ ଟକ୍ସିକ ୱାର୍କ କଲଚରକୁ ପ୍ରତିରୋଧ କରାଯାଉଛି । ତେଣୁ ଏବେର ସମୟକୁ ଆଣ୍ଟି ହସଲ ଆନ୍ଦୋଳନର ଯୁଗ କୁହାଯାଉଛି ।
ଆଣ୍ଟି-ହସଲ୍ କଲଚର୍ ବା ତରତରରେ କାମ କରିବା କ'ଣ?
ବର୍ଷ ବର୍ଷ ଧରି ହଡବଡିରେ ସକାଳୁ-ସକାଳୁ, ଡେରି ରାତି ଯାଏଁ, ଖାଇବା ପିଇବା ଭୁଲି ପଡିଉଠି ପରିଶ୍ରମ କରିବାକୁ ବଡ କରି ଦେଖାଯାଉଥିଲା । ତାକୁ ପ୍ରାଧାନ୍ୟ ଦିଆଯାଉଥିଲା । କିନ୍ତୁ ଆଜିକାଲି ଅଧିକରୁ ଅଧିକ ଲୋକ ଏମିତି ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି ।
ଆଣ୍ଟି-ହସଲ୍ କଲଚରର ଅର୍ଥ କାମ ଛାଡିଦେବା କି କାମ ନକରିବା ନୁହେଁ । ଏହାର ଅର୍ଥ ସଫଳ ହେବାର ଭ୍ରମରେ ରହି ମାନସିକ ସ୍ୱାସ୍ଥ୍ୟର ବଳି ଦେବାକୁ ମନା କରିବା । ଏହା ପ୍ରଶଂସା ବା ଗୋଟେ ଲେବଲ୍ ପାଇବା ଅପେକ୍ଷା ଜୀବନକୁ ବାଛିବା ଏବଂ ଅତ୍ୟଧିକ ଉତ୍ପାଦନଶୀଳ ହେବା ଅପେକ୍ଷା ସ୍ୱାସ୍ଥ୍ୟକୁ ବାଛିବାକୁ ବୁଝାଏ । ଏହା କିଛି ନକରିବା ବିଷୟରେ ନୁହେଁ; ଏହା ପର୍ଯ୍ୟାପ୍ତ କାର୍ଯ୍ୟ କରିବା ଓ ତା ସତ୍ତ୍ୱେ ନିଜ ଶାନ୍ତି ରକ୍ଷା କରିବା ବିଷୟରେ ।
ଅଧିକ ପଢ଼ନ୍ତୁ: ଆବେଗଗତ ଚାପ କ'ଣ ? ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ କ’ଣ ?
ଟକ୍ସିକ ପ୍ରଡକ୍ଟିଭିଟିର ବିଭିନ୍ନ ରୂପ-
୧.କ୍ୱାଇଟ୍ କୁଇଟିଙ୍ଗ ବା ଚୁପଚାପ୍ ଓହରିଯିବା
ଏହାର ଅର୍ଥ କେବଳ ଆବଶ୍ୟକ କାମ କରିବା । ଏତଦ୍ ବ୍ୟତୀତ କୌଣସି ଅବୈତନିକ ଓଭରଟାଇମ୍ ନୁହେଁ କି ଯେପର୍ଯ୍ୟନ୍ତ କାମଟେ ଉଭୟଙ୍କ ପାଇଁ ଲାଭଦାୟକ ହୋଇନାହିଁ ସେପର୍ଯ୍ୟନ୍ତ କୌଣସି ଅତିରିକ୍ତ ଲକ୍ଷ୍ୟ ବି ହାତକୁ ନେବା ନୁହେଁ । ବରୁଣ କହିଲେ, "ମୁଁ ସବୁ କଥାରେ ହଁ କହିବା ଏବେ ବନ୍ଦ କରିଦେଇଛି । ଆପଣ ବିଶ୍ୱାସ କରିବେନି ମୋର ମାନସିକ ସ୍ୱାସ୍ଥ୍ୟ ଆଗଠୁ କେତେ ଭଲ ହୋଇଯାଇଛି!"
୨.ଟକ୍ସିକ୍ ପ୍ରଡକ୍ଟିଭିଟି
ଏହା ହେଉଛି ପ୍ରତି ମୁହୂର୍ତ୍ତରେ କିଛି ନା କିଛି କରିବାର ବା ପ୍ରଡକ୍ଟିଭ୍ ହେବାର ଅସ୍ୱାସ୍ଥ୍ୟକର ଆବେଗ । ଛୁଟିଦିନରେ ବି ଇ-ମେଲ୍ ଦେଖିବା, ବିଶ୍ରାମ ନନେବା ଏବଂ ଧୀରେ ସୁସ୍ଥେ କାମ କରିବା ପାଇଁ ଦୋଷୀ ଅନୁଭବ କରିବା ଆଦି ଏହାର ଅଂଶ । ଆମ ଭିତରୁ ଅନେକ ଲୋକଙ୍କ ଭିତରେ ଏମିତି ବିଶ୍ୱାସ ତିଆରି କରାଯାଇଛି ଯେ, ଯଦି ସେମାନେ କାମ ନକରୁଛନ୍ତି, ତାହେଲେ ତାଙ୍କୁ ସମୟ ବର୍ବାଦ କରୁଛନ୍ତି ବୋଲି ଲାଗୁଛି ।
୩.ବାଉଣ୍ଡରିଜ୍ ଓଭର ବର୍ଣ୍ଣଆଉଟ୍
ଜଣେ ଯେତେବେଳେ ଉଭୟ ମାନସିକ ଓ ଶାରୀରିକ ଭାବେ କ୍ଲାନ୍ତ ହୋଇଯାଏ ଏବଂ ତା' ଭିତରର ସବୁ ଉତ୍ସାହ ଓ ଉର୍ଜା ପୋଡି ପାଉଁଶ ହୋଇଯାଏ ତାକୁଇ ବର୍ଣ୍ଣଆଉଟ୍ କୁହାଯାଏ । ତେଣୁ ଜୀବନ ଓ କାମ ଭିତରେ ଏକ ସ୍ପଷ୍ଟ ବ୍ୟବଧାନ ରହିବା ଉଚିତ୍ । ଆପଣଙ୍କର ସକାଳ, ସଞ୍ଜ, ସପ୍ତାହାନ୍ତ ବା ମାନସିକ ତ୍ସୁସ୍ଥତାକୁ ରକ୍ଷା କରିବା ସ୍ୱାର୍ଥପରତା ନୁହେଁ, ଏହା ଅତ୍ୟନ୍ତ ଜରୁରୀ ।
୪. ରାଡିକାଲ୍ ସେଲ୍ଫ କେୟାର୍
କେବଳ ତ୍ୱଚାର ଯତ୍ନ ନେବା କି ସ୍ପା ଡେ ନୁହେଁ । ଏହାର ଅର୍ଥ ସଠିକ୍ ଉପାୟରେ ଓ ନିୟମିତ ଭାବରେ ନିଜର ଶାରୀରିକ, ଭାବନାତ୍ମକ ଓ ମାନସିକ ରକ୍ଷଣାବେକ୍ଷଣ କରିବା । ନିଦ, ଚିକିତ୍ସା, ନାହିଁ କହିବା, ଟକ୍ସିକ ପରିବେଶ ଛାଡିବା ଆଦି କାମ କରନ୍ତୁ। ଏହାଦ୍ୱାରା ଆପଣ ଫମ୍ପା ହୋଇଯିବା ପୂର୍ବରୁ କି ସରିଯିବା ଆଗରୁ ନିଜକୁ ବଞ୍ଚାଇ ରଖିପାରିବେ ।
ଏବେ କାହିଁକି ଏତେସବୁ ପରିବର୍ତ୍ତନ?
• ଦୁନିଆ ବଦଳିବା ସଙ୍ଗେ ସଙ୍ଗେ ସମସ୍ତେ ବଦଳିଲେ
• ମହାମାରୀ କାର୍ଯ୍ୟକ୍ଷେତ୍ରରେ ସମୟସୀମା ରହିବା କଥାକୁ ଝାପ୍ସା କରିଦେଲା ଏବଂ ଭିନ୍ନ ବାଟ ଚିନ୍ତା କରିବାକୁ ବାଧ୍ୟ କଲା
• ଘରୁ କାମ କରିବା ବ୍ୟବସ୍ଥାଟି ଆଠ ଘଣ୍ଟାରୁ ଯାଇ ୨୪/୭ ହୋଇଗଲା
• ବର୍ଣ୍ଣଆଉଟ୍ ର ସମାଧାନ ନକରି ତାକୁ ସ୍ୱାଭାବିକ ବୋଲି ଧରି ନିଆଗଲା
• ଜେନ୍ ଜେଡ୍ ଓ ମିଲେନିଆଲ୍ସ ଫ୍ଲେକ୍ସିବିଲିଟି, ସମ୍ମାନ ଓ ଆବେଗଗତ ସୁରକ୍ଷା ଦାବି କରିବା ଆରମ୍ଭ କଲେ
• ମାନସିକ ସ୍ୱାସ୍ଥ୍ୟକୁ ଆଉ ଟାବୁ ଭାବେ ନଦେଖି ପ୍ରାଥମିକତା ଦେବା ଆରମ୍ଭ ହେଲା
ଟକ୍ସିକ ପ୍ରଡକ୍ଟିଭିଟିର ଲକ୍ଷଣ-
• ଆରାମ କରିବା ସମୟରେ ଚିନ୍ତିତ ବା ଦୋଷୀ ଅନୁଭବ କରିବା
• ବାଧ୍ୟତାମୂଳକ ଭାବେ କାମ ଇ-ମେଲ୍ ସବୁ ଚେକ୍ କରିବା
• ନିଜର କିଛି ମୂଲ୍ୟ ନାହିଁ ଓ ସଫଳତା ନିଜ ମୂଲ୍ୟ ସହ ଜଡିତ ବୋଲି ଭାବିବା
• ମାସ ମାସ ଧରି କାମରୁ ବିରତି ନେଇ ବି ପ୍ରକୃତରେ କେବେ ଛୁଟି କାଟି ନପାରିବା
• ଚାକିରି ଛାଡିବା କିମ୍ବା ଦାୟିତ୍ୱରୁ ଗାଏବ ହୋଇଯିବା ବିଷୟରେ କଳ୍ପନା କରିବା
• ବ୍ୟସ୍ତ ରହିବା ଓ ମୂଲ୍ୟବାନ ରହିବା କଥାକୁ ଏକା ଭାବି ଦ୍ୱନ୍ଦରେ ପଡିବା
ଯଦି ବିଶ୍ରାମ ନେବା ବିଫଳତା ପରି ମନେହୁଏ, ତାହେଲେ ଆପଣ କାମ କରୁନାହାଁନ୍ତି - ଆପଣ ଭିତରେ ଭିତରେ ଭାଙ୍ଗି ପଡୁଛନ୍ତି ।
ଜୀବନ ଓ କାମରେ ସନ୍ତୁଳନ ଫେରି ପାଇବାର ସରଳ ଉପାୟ:
୧.ରିଡିଫାଇନ୍ ପ୍ରଡକ୍ଟିଭିଟି
ସବୁ ଅଗ୍ରଗତି ଦୃଶ୍ୟମାନ ହୁଏନାହିଁ । ନିଜ ମନର ଯତ୍ନ ନେବା, ନାହିଁ କରିବା କିମ୍ବା ବିଶ୍ରାମ କରିବା ବି ପ୍ରଡକ୍ଟିଭ୍ ହୋଇପାରେ । ସଫଳତାର ନିଜସ୍ୱ ପରିଭାଷା ତିଆରି କରନ୍ତୁ । ଆଜି ମୁଁ କ'ଣ ହାସଲ କଲି ଭାବିବା ପରିବର୍ତ୍ତେ ଆଜି ମୁଁ କିପରି ଅନୁଭବ କଲି ଭାବନ୍ତୁ । କେବଳ ଆଉଟପୁଟ୍ ନୁହେଁ, ସୁସ୍ଥତା ପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ ।
୨.ଡିଜିଟାଲ୍ ସମୟସୀମା ସ୍ଥିର କରନ୍ତୁ
ଛୋଟ ଛୋଟ ସିଫ୍ଟରେ ଗୋଟିଏ ଗୋଟିଏ କାମ ନେଇ ଆଗ ଆରମ୍ଭ କରନ୍ତୁ । ଯେପରିକି;
-ସନ୍ଧ୍ୟା ୭ଟା ପରେ କୌଣସି ଇମେଲ୍ ଦେଖନ୍ତୁ ନାହିଁ
-ଦିନରେ ୧ ଘଣ୍ଟା ପାଇଁ ନିଜ ଫୋନ୍ କୁ ଫ୍ଲାଇଟ୍ ମୋଡ୍ ରେ ରଖନ୍ତୁ
-ମିଟିଙ୍ଗ ପରି ନିଜ ପାଇଁ "ମି ଟାଇମ୍" ରଖି କ୍ୟାଲେଣ୍ଡରରେ ସେ ସମୟକୁ ବ୍ଲକ୍ କରନ୍ତୁ
ଯଦି ଆପଣ କେବେ ନିଜକୁ ଆରାମ କରିବା ପାଇଁ ସୁଯୋଗ ଦେଇନାହାଁନ୍ତି, ତାହେଲେ ଆପଣ କହିପାରିବେ ନାହିଁ ଯେ ଆପଣ କାମ ବହୁତ କରୁଛନ୍ତି ।
୩.ନାଁ କହିବାର ପାୱାର ବ୍ୟବହାର କରନ୍ତୁ
ଅତିରିକ୍ତ କାମ, ସାମାଜିକ ଆଶା କିମ୍ବା ନିଖୁଣତାପୂର୍ଣ୍ଣ କାମକୁ ନାହଁ କରିବା ଶରୀରରେ ମସଲ୍ ବା ମାଂଶପେଶୀ ତିଆରି କରିବା ପରି କାର୍ଯ୍ୟ । ଆପଣଙ୍କୁ ଏହାକୁ ଅଭ୍ୟାସ କରି ତିଆରି କରିବାକୁ ପଡିବ । ଆପଣ କିଛି କଥା ବିନମ୍ର, ସ୍ପଷ୍ଟ ଭାବରେ କହିପାରିବେ ଯାହା ଆପଣଙ୍କୁ ମୁକ୍ତ କରିବ । ଉଦାହରଣ ସ୍ୱରୂପ;
-ମୁଁ ସାହାଯ୍ୟ କରିବାକୁ ଚାହୁଁଛି, କିନ୍ତୁ ମୁଁ ଆଜି ପୂରା ବ୍ୟସ୍ତ ଅଛି ।
-ଆମେ ଆସନ୍ତା ସପ୍ତାହରେ ଏ ବିଷୟରେ ଆଲୋଚନା କରିପାରିବା କି?
-ଏ କାମଟି ଏବେ ମୋ କ୍ଷମତା ଭିତରେ ନାହିଁ ।
୪.କେବଳ କାମ ନୁହେଁ, ଖୁସି ପାଇଁ ବି ସମୟ ସ୍ଥିର କରନ୍ତୁ
ଆମେ ଅତ୍ୟଧିକ କାମ କଲେ ଥକି ଯାଆନ୍ତି ନାହିଁ, ବରଂ ଆମେ ଯାହା କରିବାକୁ ଭଲପାଆନ୍ତି ତାହା କମ୍ କରିବା ଦ୍ୱାରା ଥକିଯାଆନ୍ତି । ଚେଷ୍ଟାକରନ୍ତୁ-
-ସପ୍ତାହରେ ଅନ୍ତତଃ ଗୋଟିଏ ଘଣ୍ଟା ବଗିଚା କାମ, ପେଣ୍ଟିଙ୍ଗ, ଶୋଇବା କି ଚାଲିବା ପରି ଅନପ୍ରଡକ୍ଟିଭ୍ କାମ କରିବାକୁ ଚେଷ୍ଟା କରନ୍ତୁ ।
-ଆରାମ, ଚିନ୍ତନ ବା ମଜାମସ୍ତି ପାଇଁ ମାସର ଗୋଟିଏ ଦିନକୁ ନୋ ୱାର୍କିଙ୍ଗ ଡେ ଭାବେ ରଖନ୍ତୁ ।
୫.ନିଜର ଯତ୍ନ ନେବାର ଅଭ୍ୟାସ କରନ୍ତୁ
ଉପହାର ବଦଳରେ ନିଜର ଯତ୍ନ ନେବାକୁ ନିଜ କାମ ଭିତରେ ରଖନ୍ତୁ । ଆପଣଙ୍କର ଶାନ୍ତି ଆଦୌ ବିଳାସ ନୁହେଁ, ଏହା ଆପଣଙ୍କର ମୂଳ ଆଧାର ।
• ମାନସିକ ସୁସ୍ଥତା ପାଇଁ ଛୁଟି ନିଅନ୍ତୁ
• ନିୟମିତ ଠିକ୍ ସମୟରେ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ
• ଯଦି ସମ୍ଭବ ହୁଏ ତେବେ ଟକ୍ସିକ୍ ଟିମ୍ ଭିତରୁ ବାହାରି ଆସନ୍ତୁ
• କ୍ଲାନ୍ତ ଲାଗିଲେ ଅପରାଧବୋଧ ବିନା ନିଶ୍ଚିନ୍ତରେ ଶୋଇପଡନ୍ତୁ
୬.କାର୍ଯ୍ୟସ୍ଥଳରେ ଆପଣ କ'ଣ ପାରିବେ ନାହିଁ ତାହା ଜଣାନ୍ତୁ
ଆପଣ କଠୋର ହେବା ଦରକାର ନାହିଁ, କେବଳ ସଚ୍ଚୋଟ ହୁଅନ୍ତୁ । କୁହନ୍ତୁ;
• ମୁଁ ସନ୍ଧ୍ୟା ୬ଟା ପରେ ଉପଲବ୍ଧ ହେବିନାହିଁ, କିନ୍ତୁ ସକାଳେ ସବୁଠୁ ଆଗ ମୁଁ ଜବାବ ଦେବି ।
• ମୋତେ ମାନସିକ ବିଶ୍ରାମର ଆବଶ୍ୟକତା ଅଛି । ମୁଁ କିଛି ଘଣ୍ଟା ପାଇଁ ଅଫଲାଇନ୍ ରହିବି ।
• ମୁଁ ଏବେ ଆଉ ଗୋଟେ ପ୍ରୋଜେକ୍ଟ ନେଇପାରିବି ନାହିଁ । କିନ୍ତୁ ଯିଏ ଏଥିରେ ସାହାଯ୍ୟ କରିପାରିବେ ସେମିତି ଜଣଙ୍କର ନାଁ କହିପାରିବି ।
ଆଜିଠୁ କଣ କରିପାରିବେ:
• ନିଜ କ୍ୟାଲେଣ୍ଡରରୁ ଗୋଟିଏ ଅନାବଶ୍ୟକ ପ୍ରତିଶ୍ରୁତି ବାତିଲ୍ କରନ୍ତୁ ।
• ତିନୋଟି ଜିନିଷ ଲେଖନ୍ତୁ ଯାହା ଆପଣଙ୍କୁ କ୍ଲାନ୍ତ କରୁଛି । ଦେଖନ୍ତୁ ତା ଭିତରୁ କେଉଁଟିକୁ କମ୍ କରିପାରିବେ ବା ଛାଡିପାରିବେ ।
• ୧୫ ମିନିଟ୍ ଲେଖାଏଁ ହେଉ ପଛେ ମୋବାଇଲ୍ ନଦେଖି ଡିଜିଟାଲ୍ ବିରତି ନେବାର ଅଭ୍ୟାସ କରନ୍ତୁ ।
• ଆପଣ ନିଜ ମାନସିକ ଶାନ୍ତି ରକ୍ଷା କେମିତି କରୁଛନ୍ତି, ସେ ବିଷୟରେ ଜଣେ ବନ୍ଧୁଙ୍କୁ ଜଣାନ୍ତୁ ।
ଦୁନିଆ ହୁଏତ ଆପଣଙ୍କ ଚାକିରି, ଦରମା, ଆପଣଙ୍କ କାର୍ଯ୍ୟଦକ୍ଷତା ବା ଆଉଟପୁଟ୍ ଆଧାରରେ ଆପଣଙ୍କୁ ପରିଚୟ ଦେବାର ଚେଷ୍ଟା କରିପାରେ । କିନ୍ତୁ ଆପଣ ଗୋଟେ ମେସିନ୍ ନୁହଁନ୍ତି, ଆପଣ ଜଣେ ବ୍ୟକ୍ତି - ଯାହା ପାଖରେ ଭାବନା ଅଛି, ଲିମିଟେସନ୍ ଅଛି ଓ ଆରାମ୍ କରିବାର ଅଧିକାର ଅଛି । କାମ କରି କରି ବର୍ଣ୍ଣଆଉଟ୍ ହୋଇଯିବା କୌଣସି ସମ୍ମାନର କଥା ନୁହେଁ, ବିଶ୍ରାମ ନେବାଟା ଗୋଟେ ପୁରସ୍କାର ନୁହେଁ, ସନ୍ତୁଳନ ରଖିବାର ଚେଷ୍ଟା କରିବା ଦୁର୍ବଳତା ନୁହେଁ, ଏହା ବୁଦ୍ଧିମତା ।
ଚୁପଚାପ୍ ଛାଡିଦେବା ବା କ୍ୱାଇଟ୍ କୁଇଟିଙ୍ଗ ହାର୍ ମାନିବା ନୁହେଁ । ଏହା ନିଜର ଶାନ୍ତିକୁ ପ୍ରାଧାନ୍ୟ ଦେବା । ନିଜର ଯତ୍ନ ନେବା ଭୋଗବିଳାସ ନୁହେଁ, ଏହା ପ୍ରତିବାଦର ଏକ ରୂପ । ନାହିଁ କହିବା ପ୍ରତ୍ୟାଖ୍ୟାନ ନୁହେଁ, ଏହା ଆତ୍ମସମ୍ମାନ । ଦୁନିଆ ଆପଣଙ୍କ ଠାରୁ ବାକି ସବୁକିଛି ମାଗିବା ପୂର୍ବରୁ ଆପଣ ନିଜକୁ ବାଛନ୍ତୁ ।