Advertisment

Nutrients: ଟିକେ ଟିକେ କଥାରେ ଆପଣଙ୍କ ଛୁଆ ଚିଡ଼ଚିଡ଼ା ହେଉଛି କି...ଜାଣନ୍ତୁ କାରଣ ଓ ପ୍ରତିକାର

ଆପଣଙ୍କ ଘରେ କେହି ଛୋଟ ଛୁଆ ଟିଭି ଦେଖୁଥିବା ବେଳେ କେବେ ଆପଣ ଯଦି ରିମୋଟ୍ ଛଡ଼େଇ ନିଅନ୍ତି କିମ୍ୱା ଚ୍ୟାନେଲ ବଦଳେଇବାକୁ ଚେଷ୍ଟା କରନ୍ତି, ସେମାନେ କିପରି ପ୍ରତିକ୍ରିୟାଶୀଳ ହୋଇଉଠନ୍ତି। ଏପରି ପରିସ୍ଥିତି ଯଦି କେବେ ଆପଣଙ୍କ ସହ ହେଉଛି ତେବେ ଏହି ଲେଖାଟି ଆପଣଙ୍କ ପାଇଁ।

ଅଦ୍ୟତନ ହୋଇଛି
Dietary habits and malnutrition of children

Dietary habits and malnutrition of children

Advertisment

ଆପଣଙ୍କ ଘରେ କେହି ଛୋଟ ଛୁଆ ଟିଭି ଦେଖୁଥିବା ବେଳେ କେବେ ଆପଣ ଯଦି ରିମୋଟ୍ ଛଡ଼େଇ ନିଅନ୍ତି କିମ୍ୱା ଚ୍ୟାନେଲ ବଦଳେଇବାକୁ ଚେଷ୍ଟା କରନ୍ତି, ସେମାନେ କିପରି ପ୍ରତିକ୍ରିୟାଶୀଳ ହୋଇଉଠନ୍ତି। ଏପରି ପରିସ୍ଥିତି ଯଦି କେବେ ଆପଣଙ୍କ ସହ ହେଉଛି ତେବେ ଏହି ଲେଖାଟି ଆପଣଙ୍କ ପାଇଁ। ଆସନ୍ତୁ ଜାଣିବା ଆଜିକାଲି ଛୁଆମାନଙ୍କର ଚିଡ଼ଚିଡ଼ା ସ୍ୱଭାବର କାରଣ କ’ଣ ଏବଂ କିପରି ଆପଣ ଏହାକୁ ଏଡ଼େଇ ପାରିବେ।

Advertisment

କେବେ ଆପଣ ଭାବିଛନ୍ତି କି, ଆପଣଙ୍କ ୨/୩ ବର୍ଷର ଛୁଆ କାହିଁକି ଛୋଟ ଛୋଟ କଥାରେ ରାଗିଯାଉଛି, ଘରର ସବୁ ଜିନିଷ ଫୋପଡ଼ା ଫିଙ୍ଗା କରୁଛି, ଅଭିମାନ କରୁଛି, ତେବେ ଆମେମାନେ ଏହା ଏକ ବୟସାଗତ ତଥା ସାମୟିକ ବ୍ୟବହାର ବୋଲି କହି ଚୁପ୍ ରହିଯାଉ। କିନ୍ତୁ ଏହି ବ୍ୟବହାର ପରବର୍ତ୍ତୀ ସମୟରେ ଯେ ଅତ୍ୟନ୍ତ ଖରାପ ହୋଇଯାଏ ତାହା ଆମେ ଭାବି ନଥାଉ। ବେଳେ ବେଳେ ଏହା ଠିକ୍ ମଧ୍ୟ ହୋଇଯାଏ। କିନ୍ତୁ ଏହି ବ୍ୟବହାର ପଛରେ ଭିଟାମିନ୍ ଅଭାବ ଜନିତ ସମସ୍ୟା ମଧ୍ୟ ରହିଛି। କିଛି ମିନେରାଲ ତଥା ଭିଟାମିନ୍‌ର ଅଭାବ ରହିଲେ ଛୁଆର ମସ୍କିଷ୍କ ଏବଂ ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ।

ଆମ ଦେଶରେ ତଥା ରାଜ୍ୟରେ ପୁଷ୍ଟିହୀନତା ଜନିତ ସମସ୍ୟା ଖୁବ୍ ସାଧାରଣ ଏବଂ ଅନେକ ଛୁଆ ଆଜି ବି ଅପପୁଷ୍ଟି ଯୋଗୁଁ ଅନେକ ଶାରୀରିକ ତଥା ମାନସିକ ରୋଗର ଶିକାର ହେଉଛନ୍ତି। ଦୃଷ୍ଟିବାଧିତ, ଅସ୍ଥିଜନିତ ଦୁର୍ବଳତା, ଭିଟାମିନ୍ ସି ଅଭାବ ଜନିତ ସମସ୍ୟା, ରୋଗ ପ୍ରତିରୋଧକ ଶକ୍ତି କମ୍ ହେବା, ଚିଡ୍ ଚିଡ଼ା ହୋଇଯିବା ବା ମୁଡ଼୍ ସ୍ୱିଙ୍ଗ୍ ହେବା ପରି ଲକ୍ଷଣ ଦେଖାଗଲେ ଆପଣମାନେ ସତର୍କ ହୋଇଯିବା ଆବଶ୍ୟକ। ଏହା ବ୍ୟତୀତ କେତେକ ଲକ୍ଷଣ ହେଲା ଚର୍ମ ଶୁଖିଲା ଦେଖାଯିବା, ଡାଇରିଆ, ଠିକ୍‌ରେ ପାଠ ନପଢ଼ିବା କିମ୍ୱା କୌଣସି କାମ ବା ଖେଳ ଆଦିରେ ମନ ନ ଲାଗିବା।

Advertisment

ଏକ ପୁଷ୍ଟିକର ସନ୍ତୁଳିତ ଆହାର ତଥା ପୋଷକ ବା ନ୍ୟୁଟ୍ରିଏଣ୍ଟର ବାହ୍ୟ ସପ୍ଲିମେଣ୍ଟ ଦିଆଯାଇ ଏହି ଅଭାବକୁ ନିୟନ୍ତ୍ରଣ କରାଯାଇପାରିବ। ମୁଖ୍ୟତଃ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ସି, ଡି, ମ୍ୟାଗ୍ନେସିୟମ୍, ଓମେଗା ୩ ପ୍ରଭୃତି ଖାଦ୍ୟସାର ରହିଥିବା ଖାଦ୍ୟ ଦେବାରୁ ଆରମ୍ଭ କରିବା ଆବଶ୍ୟକ। ଏଗୁଡ଼ିକ ଶିଶୁର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ପୋଷକ ଉପାଦାନ। ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ବେଳେ ଭିଟାମିନ୍ ଏ ଓ ଡି ଶରୀରରେ କୌଣସି ଇନଫେକସନ୍ କମାଇଥାଏ।

ବିଭିନ୍ନ ପ୍ରକାର ଶାଗ, ପନିପରିବା, କଞ୍ଚା ପରିବା ଯେପରି କି କାକୁଡ଼ି ଗାଜର ଆଦି ଛୁଆକୁ ନିୟମିତ ଦେବା ଦ୍ୱାରା ଭିଟାମିନ୍ ଜନିତ ଅଭାବ ପୁରା ହୋଇଥାଏ। ମାଛ, ଅଣ୍ଡା, ଅଳ୍ପ ପରିମାଣରେ ଶୁଦ୍ଧ ଘିଅ ହେଉଛି ସ୍ନେହସାରର ଉତ୍ତମ ଉତ୍ସ। ଏହା ସହ ବୁଟ ଡାଲି, ମୁଗ ଡାଲି ପ୍ରଭୃତି ଗଜା କରି ଏବଂ ଡାଲି କରି ମଧ୍ୟ ଦେଇପାରିବେ ଯାହା ପୁଷ୍ଟିସାରର ଅଭାବ ଦୂର କରିବ। ହେଲେ ଯଦି ଆପଣଙ୍କ ଛୁଆ କୌଣସି ଖାଦ୍ୟ ଖାଇବାରେ ଅନିଛା ପ୍ରକାଶ କରେ କିମ୍ୱା ଭୋକ ନ ହେଉଥାଏ, ତେବେ ଡାକ୍ତର କିମ୍ୱା ନ୍ୟୁଟ୍ରିସନିଷ୍ଟଙ୍କ ପରାମର୍ଶ ନେବା ସହ ଆପଣ ମଲଟିଭିଟାମିନ୍ ସପ୍ଲିମେଣ୍ଟ ବି ଦେଇପାରିବେ।

Advertisment

ଖାଦ୍ୟରେ ଉପଯୁକ୍ତ ଖାଦ୍ୟସାର ପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଖାଇବା ସମୟର ପରିବେଶ। ଆପଣ କିପରି ଆପଣଙ୍କ ଛୁଆକୁ ଖାଇବାକୁ ଦେଉଛନ୍ତି କିମ୍ୱା ଖୁଆଉଛନ୍ତି, ତାହା ଖୁବ୍ ମହତ୍ତ୍ୱପୂର୍ଣ୍ଣ। ଆଜିକାଲି ସହଜରେ ଛୁଆର କାମ ସାରିବା ପାଇଁ ଯେପରି ମାଆମାନେ ମୋବାଇଲରେ କାର୍ଟୁନ୍ ବାହାର କରି ଛୁଆଙ୍କୁ ଧରେଇଦେଉଛନ୍ତି, ଯାହା କି ଛୁଆର ମାନସିକ ବିକାଶରେ ଅତ୍ୟନ୍ତ ପ୍ରଭାବ ପକାଏ। ଖାଇବା ସମୟରେ ଛୁଆ ଖାଦ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ମୁଁ ପ୍ରାୟ ସମୟରେ ଦେଖେ ମା’ ମାନେ କୁହନ୍ତି, ମୋ ଛୁଆ ତ ଚୁଡ଼ା, ମୁଢ଼ି, ପନି ପରିବା ଏସବୁ ଚାହୁଁ ବି ନାହିଁ। ଅନେକ ପରିବାରରେ ଛୁଆ ପାଇଁ ଓ ମାଆ ବାପାଙ୍କ ପାଇଁ ଅଲଗା ଖାଇବା ପ୍ରସ୍ତୁତ ହୁଏ। ଛୁଆମାନେ ଆମର ନିତିଦିନିଆ ଖାଦ୍ୟ ଚୁଡ଼ା ମୁଢ଼ି ଆଦି ଖାଇବାକୁ ଇଛା କରନ୍ତି ନାହିଁ।

ଛୁଆମାନଙ୍କ ଖାଦ୍ୟାଭ୍ୟାସ ଶିଶୁ ଅବସ୍ଥାରୁ ହିଁ ସଜଡ଼ା ଗଲେ ପରେ ଆଉ କୌଣସି ଅସୁବିଧା ହୁଏ ନାହିଁ। ଛୁଆମାନଙ୍କ ଦାନ୍ତ ସମ୍ପୂର୍ଣ୍ଣ ଉଠିସାରିବା ପରେ ଧିରେ ଧିରେ ଆପଣ ଯାହା ଖାଆନ୍ତି ଠିକ୍ ସେହି ଖାଦ୍ୟ ହିଁ ଛୁଆକୁ ଦେବା ଆରମ୍ଭ କରନ୍ତୁ। ପ୍ରାରମ୍ଭିକ ସମୟରେ ଆଳୁ, ଗାଜର, ଅମୃତ ଭଣ୍ଡା ଦେଇ ପରେ ଅନ୍ୟ ପରିବା, ପନିର ଓ ମାଛ ଅଣ୍ଡା ଅଦି ଦିଅନ୍ତୁ। ଖାଦ୍ୟ ଖୁଆଇବା ବେଳେ ଛୁଆକୁ ସେହି ଖାଦ୍ୟ ସମ୍ବନ୍ଧୀୟ ଗପ ବା ବିଭିନ୍ନ କଥା କୁହନ୍ତୁ। ଯେପରିକି, ଆଳୁରେ କଣ ରହିଛି ଏବଂ ଏହାର ଆକାର ଉପରେ କିଛି ମଜା କଥା କହିବା, ଏପରି କରି ଆପଣ ଅନ୍ୟ ପରିବାକୁ ନେଇ ଛୁଆ ମନରେ କୌତୁହଳ ସୃଷ୍ଟି କରିପାରିବେ।

ଛୁଆମାନଙ୍କୁ ଚକୋଲେଟ୍, କେକ୍ ଆଦିରୁ ଦୂରେଇବା ପାଇଁ ଏହି ନାମରେ ଅନ୍ୟ ଖାଦ୍ୟ ଦିଅନ୍ତୁନି। ଏହା ଦ୍ୱାରା ଧିରେ ଧିରେ ଆପଣ ଦେଉଥିବା ଖାଦ୍ୟକୁ ବି ସେ ଖାଇବ ନାହିଁ। ଯେପରି କେତେକ ମାଆ ଛୁଆଙ୍କୁ ଆଇସକ୍ରିମ୍ ବୋଲି ଫଳ ଦିଅନ୍ତି, ଚକୋଲେଟ୍ ବୋଲି କହି ଡ୍ରାଏଫ୍ରୁଟସ୍ ଦିଅନ୍ତି। ହେଲେ ଆପଣଙ୍କର ମନେ ରଖିବା ଉଚିତ୍ ଯେ, ଛୁଆ ବଡ଼ ହେଲା ପରେ ଆପଣ ଦେଉଥିବା ଖାଦ୍ୟକୁ ମଧ୍ୟ ଖାଇବା ବନ୍ଦ କରିଦେବ। ଏଣୁ କୌଣସି ଖାଦ୍ୟକୁ ଭୁଲ ନାମ ଦେଇ ଛୁଆକୁ ଦେବା ଠିକ୍ ନୁହେଁ। ଆପଣ ଚକୋଲେଟ୍‌ର ବିଭିନ୍ ଖରାପ ଦିଗ ବିଷୟରେ ଛୁଆକୁ ଗପ ଆଦି କହି ବୁଝାଇପାରିବେ।

ଟିଭି, ମୋବାଇଲ୍, ଆଇପ୍ୟାଡ୍ ଇତ୍ୟାଦି ବିଭିନ୍ନ ମାଧ୍ୟମରେ ଛୁଆର ଧ୍ୟାନ ହଟାଇ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରତି ଛୁଆମାନଙ୍କର ଆଗ୍ରହ ଶେଷ କରିଦେଉଛେ। ଏଣୁ ଆମକୁ ଆମ ଛୁଆମାନଙ୍କର ଖାଦ୍ୟ ଖାଇବାର ପ୍ରବୃତ୍ତିକୁ ବଦଳାଇବାକୁ ହେବ। ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶରେ ଭିଟାମିନ୍ ଏ ଓ ପ୍ରତିଷେଧକ ଟୀକାକରଣ ବା ଭ୍ୟାକ୍ସିନେସନ୍ କରିବା ସହ ପୋଷଣଯୁକ୍ତ ସନ୍ତୁଳିତ ଖାଦ୍ୟ ଦେବା ଦ୍ୱାରା ଆପଣଙ୍କ ଛୁଆ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବ।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutrients Nutrient-rich Food
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ