ରାଜଧାନୀରେ ହଲ୍ଲାବୋଲ୍, କଟକରେ ପ୍ରତିବାଦ; ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ

ଜୋର୍ ଧରୁଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି । ରାଜଧାନୀରେ ହଲ୍ଲାବୋଲ ପରେ ଆଜି କଟକରେ ପ୍ରତିବାଦ କରୁଛନ୍ତି ଆଶାୟୀ ।

RI Exam

ଜୋର ଧରୁଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି । ରାଜଧାନୀରେ ହଲ୍ଲାବୋଲ ପରେ ଆଜି କଟକରେ ପ୍ରତିବାଦ କରୁଛନ୍ତି ଆଶାୟୀ । କଟକ ନେତାଜୀ ବସ୍ ଟର୍ମିନାଲ ସ୍ଥିତ ଲାଇବ୍ରେରୀ ସମ୍ମୁଖ କାଠଯୋଡି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇ ପ୍ରତିବାଦ କରିଛନ୍ତି ଆଶାୟୀ । ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଅଯୋଗ୍ୟ ସଂସ୍ଥା SIFYକୁ ପରୀକ୍ଷା ଦାୟିତ୍ୱରୁ ନିବୃତି ଏବଂ ତୁରନ୍ତ ରି-ଏକଜାମ୍ କରିବାକୁ ଆଶାୟୀ ଦାବି ରଖିଛନ୍ତି ।

OSSSCରେ ବ୍ୟାପକ ତ୍ରୁଟି ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ । ଗତକାଲି ଭୁବନେଶ୍ୱରରେ ଆଡମିଟ୍ କାର୍ଡ ଜାଳିଥିଲେ, ଆଜି କଟକ କାଠଯୋଡ଼ିରେ ଡଙ୍ଗା କରି ଭସାଇଛନ୍ତି । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟୁଛି...ସହିବାର ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ତେଜୁଛି ଅସନ୍ତୋଷ । ସରକାରୀ ଚାକିରି ଖଣ୍ଡିକ ଆଶାରେ ଥିବା ମଧ୍ୟବିତ୍ତ ପିଲାଙ୍କ ମଧ୍ୟରେ ବଢ଼ିଛି ଉତ୍ତେଜନା ।

ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି OSSSC ବିରୋଧରେ ଏକାଠି ହେଲେଣି ହଜାର ହଜାର ପରୀକ୍ଷାର୍ଥୀ । ପରୀକ୍ଷା ବିଭ୍ରାଟକୁ ନେଇ ଗତ କିଛିଦିନ ତଳେ ଭୁବନେଶ୍ୱର ଲୋୟର ପିଏମଜି ଛକରେ ପରୀକ୍ଷାର୍ଥୀ ବିକ୍ଷୋଭ କରିଥିଲେ । RI, ARI, ଅମିନ, ICDS ପରୀକ୍ଷା ଆଦି ବାତିଲ ଦାବିରେ ବିକ୍ଷୋଭ କରିଥିଲେ ପରୀକ୍ଷାର୍ଥୀ । ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ ।

ତେବେ OSSSCର ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ଅଭିଯୋଗ ନୂଆ ନୁହେଁ । ଗତ ସେପଟେମ୍ବରରେ ସରକାରୀ ଚାକିରି ବିକ୍ରି ଅଭିଯୋଗ ଆଣି ଗର୍ଜିଥିଲେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭଷ୍ଟକ ଇନସ୍ପେକ୍ଟର ପରୀକ୍ଷାର୍ଥୀ । ଆଉ ଏବେ RI ଅମିନ ପରୀକ୍ଷାରେ ବିଭ୍ରାଟ ସହ ଅନିୟମିତତା ଅଭିଯୋଗ ଉଠିଛି ।

୨୦୨୨ରେ ପେପର୍ ଲିକ୍ ବିବାଦରେ ଛନ୍ଦି ହୋଇଥିବା SIFY ଟେକ୍ନୋଲୋଜିକୁ ୨୦୨୩ରୁ ଏହି ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା ସହ ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳା ଯାଉଥିବା ଅଭିଯୋଗ ଉଠିଛି । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲେ ।

ଅଥଚ ଏଯାଏଁ ସେଭଳି କୌଣସି ନିଷ୍ପତ୍ତି ନିଆ ଯାଇନଥିବା ବେଳେ ପ୍ରଶ୍ନ ଉଠୁଛି, କ’ଣ ହେବ ଅନଲାଇନରେ ଚାଲିଥିବା ଏହି RI ଅମିନ ପରୀକ୍ଷାର ଭାଗ୍ୟ ? ଖୋଲାମେଲାରେ ଚାଲିଥିବା ଏଭଳି ନିଯୁକ୍ତି ପ୍ରକ୍ରିୟା ପଛର ରହସ୍ୟ କ’ଣ ? ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗକୁ ନେଇ ଗତ କିଛିଦିନ ହେଲା ବିବାଦ ମୁଣ୍ଡ ଟେକିଥିବାବେଳେ OSSSC କର୍ତ୍ତୃପକ୍ଷ କାହିଁକି ନିଜ ଆଡୁ ମୁହଁ ଖୋଲୁନାହାଁନ୍ତି, ତାହା ସବୁଠୁ ବଡ଼ ପ୍ରଶ୍ନ ।