Advertisment

ସ୍ଥାୟୀ ନିଯୁକ୍ତି ଦାବିରେ ଗର୍ଜିଲେ ସରକାରୀ ଠିକା କର୍ମଚାରୀ

ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ।

ଅଦ୍ୟତନ ହୋଇଛି
Opposition parties support protest of contractual employees in Bhubaneswar

Opposition parties support protest of contractual employees in Bhubaneswar

Advertisment

ଢୁ ଢୁ ବର୍ଷା... ଛତାମୟ ଲୋୟର ପିଏମଜି... ପ୍ରତିକୂଳ ପାଗ ଭିତରେ ଭିଡ଼ ଏତେ ଯେ ସୋରିଷ ପକାଇବାକୁ ବି ସ୍ଥାନ ନାହିଁ। ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଏବଂ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ଭଳି ତିନି ପ୍ରମୁଖ ଦାବି ନେଇ ହଜାର ହଜାର ଠିକା କର୍ମଚାରୀଙ୍କ ରଣ ହୁଙ୍କାରରେ ଥରିଲା ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ। ବିଧାନସଭା ସମ୍ମୁଖରୁ ମାଷ୍ଟର କ୍ୟାଣ୍ଟିନ୍ ପ୍ରାୟ ଏକ କିଲୋମିଟର ବ୍ୟାପୀ ଲୋୟର ପିଏମଜିର ଏ ରାସ୍ତା ହୋଇଥିଲା। ଏମିତି ଲୋକାରଣ୍ୟ ଶିକ୍ଷାରୁ ସ୍ବାସ୍ଥ୍ୟ, ଗୃହରୁ ରାଜସ୍ବ ଭଳି ରାଜ୍ୟ ସରକାରଙ୍କ ପ୍ରାୟ ୪୨ ବିଭାଗର ୩୦ ହଜାରରୁ ଅଧିକ ଠିକା କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

Advertisment

ତୁହାକୁ ତୁହା ବର୍ଷାକୁ ଖାତିର ନକରି ନିଜ ଦାବିକୁ ଜୋରଦାର ଢଙ୍ଗରେ ଜାହିର କରିଥିଲା। ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସଂଘର ଅଭିଯୋଗ, ରାଜ୍ୟର ଆର୍ଥିକ ଦୁରବସ୍ଥା ବେଳେ ସରକାର ଠିକା ନିୟମ ପ୍ରଚଳନ କରିଥିଲେ। ଚାକିରି ଆଶାରେ ସେମାନେ ବାଧ୍ୟବାଧକତାରେ ଗ୍ରହଣ କରିଥିଲେ। ଏବେ ଆର୍ଥିକ ସ୍ଥିତିରେ ଉନ୍ନତି ସତ୍ତ୍ୱେ ସେମାନଙ୍କ ପ୍ରତି ଅବିଚାର କାହିଁକି? ଗୋଟିଏ ବିଭାଗରେ ସମାନ କାମ କରି ସ୍ଥାୟୀ କର୍ମଚାରୀ ସପ୍ତମ ବେତନ କମିଶନର ସୁବିଧା ପାଉଥିବା ବେଳେ ଆଜିର ମହଙ୍ଗା ଯୁଗରେ ମାତ୍ର ୮ରୁ ୧୩ ହଜାର ଟଙ୍କାରେ ସେମାନେ ପରିବାର ଚଳାଇବେ କେମିତି?

ଏପଟେ ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ। ବିଜେପି କହିଛି, ରାଜ୍ୟରେ ନିୟମିତ କର୍ମଚାରୀଙ୍କ ସଂଖ୍ୟା ନଗଣ୍ୟ ହେବାକୁ ବସିଥିବା ବେଳେ ଏବେ ପ୍ରଶାସନିକ କାର୍ଯ୍ୟ ତୁଲାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି ଚୁକ୍ତି ଭିତ୍ତିକ କର୍ମଚାରୀ କିନ୍ତୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ମୂଲିଆ ଭଳି ଖଟାଇବା ସହ ସରକାର ଅତ୍ୟାଚାର କରୁଛନ୍ତି। ସେହିଭଳି ଯୁବବର୍ଗଙ୍କ ବାରମ୍ବାର ଆନ୍ଦୋଳନ ପରେ ବି ସରକାର ଆଦୌ କର୍ଣ୍ଣପାତ କରୁନଥିବା କହିଛି କଂଗ୍ରେସ। ତେଣେ ବିରୋଧୀଙ୍କ ଅଭିଯୋଗ ନେଇ ଜବାବ ରଖିଛି ବିଜେଡି।

Advertisment

ପୂର୍ବରୁ ୨୦୧୮ ଓ ୨୦୨୧ରେ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ। ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ସମ୍ପୂର୍ଣ୍ଣ ଦାବି ପୂରଣ ହୋଇନଥିଲା। ତେଣୁ ଏଥର ମାସେ ଭିତରେ ଦାବି ପୂରଣ ନହେଲେ, ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି ସଂଘ।

ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ, ହରିହର ଚାନ୍ଦ ଓ କପିଳ ପ୍ରଧାନଙ୍କ ରିପୋର୍ଟ 

Employment Contractual
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ