ASO ନିଯୁକ୍ତି ମାମଲାରେ ସରକାରଙ୍କୁ ଅଦାଲତି ଝଟକା ପରେ ଘନଉଛି ବିବାଦ। OPSC ପକ୍ଷରୁ ମେରିଟ୍ ଲିଷ୍ଟ ଖାରଜ ପରେ ତାଲିକାରେ ଥିବା ଚାକିରୀ ଆଶାୟୀଙ୍କ ଏବେ ହଲ୍ଲାବୋଲ। OPSC କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଅସନ୍ତୋଷ ଝାଡ଼ିଛନ୍ତି। ଅଫିସ ସାମ୍ନାରେ ବିକ୍ଷୋଭ କରି ନ୍ୟାୟ ଦାବି କରିଛନ୍ତି। ASO ପଦବୀ ପାଇଁ OPSC ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡ ଆଧାରରେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମର୍ମାହତ କରିଥିବା କହିଛନ୍ତି। OPSC ପକ୍ଷରୁ ନୂଆ ମେରିଟ ଲିଷ୍ଟ ଯଦି ବି ପ୍ରକାଶ ପାଏ, ତେବେ ଏମାନେ ବାଦ୍ ପଡ଼ିବାର ଆଶଙ୍କା କରିଛନ୍ତି।
ତେଣୁ ହାଇକୋର୍ଟଙ୍କ ରାୟ ବିରୋଧରେ ଓପିଏସସି କର୍ତ୍ତୃପକ୍ଷ ସୁପ୍ରିମକୋର୍ଟ ଯାଆନ୍ତୁ, ନଚେତ ଆମେ ଉପର କୋର୍ଟକୁ ଯିବୁ ବୋଲି ଚେତାବନୀ ଶୁଣାଇଛନ୍ତି ASO ମେରିଟ୍ ଲିଷ୍ଟରେ ଥିବା ପ୍ରାର୍ଥୀ। ରାଜ୍ୟର ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ତଥା ASO ପଦ ପାଇଁ ଜାରି ବିଜ୍ଞପ୍ତି ଆଧାରରେ ୧ ଲକ୍ଷ ୪୮ ହଜାର ୮୮୮ ପ୍ରାର୍ଥୀ ଆବେଦନ କରିଥିଲେ। ୨୦୨୨ ଅଗଷ୍ଟ ୨୭ରେ ଲିଖିତ ପରୀକ୍ଷା ବି ଦେଇଥିଲେ। ତେବେ ମୂଲ୍ୟାୟନ ପଦ୍ଧତିରେ ହଠାତ୍ ପରିବର୍ତ୍ତନ ଆଣି ପ୍ରତି ବିଷୟରେ କ୍ବାଲିଂଫାଇଂ ମାର୍କ ବ୍ୟବସ୍ଥା ଲାଗୁ କରିଥିଲା OPSC। ଏବଂ ଗୋଟିଏ
ପଦ ପାଇଁ ଦେଢ଼ ଜଣ ଆଧାରରେ ମୋଟ୍ ୧୧ ଶହ ୪ ପ୍ରାର୍ଥୀଙ୍କର ମେରିଟ୍ ଲିଟ୍ ପ୍ରକାଶ କରିଥିଲା। ଏହାକୁ ନେଇ ଦେଖାଦେଇଥିଲା ତମ୍ବିତୋଫାନ।
ପୂର୍ବ ପ୍ରକାଶିତ ବିଜ୍ଞପ୍ତିରେ ସେଭଳି କିଛି ସୂଚନା ନଥିବା ଦର୍ଶାଇ ଏବଂ ଏହା ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସର ଉଲ୍ଲଂଘନ ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏକାଧିକ ଆଶାୟୀ। ଏପରିକି OPSC ଅଫିସ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ବି ଓହ୍ଲାଇଥିଲେ। ଶେଷରେ ଗତକାଲି ମାମଲାର ରାୟ ପ୍ରକାଶ କରି OPSC ପକ୍ଷରୁ ଜାରି ମେରିଟ୍ ଲିଷ୍ଟକୁ ଖାରଜ କରିଦେଇଥିଲେ ହାଇକୋର୍ଟ।
କୋର୍ଟ କହିଥିଲେ, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏହି ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି OPSCକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ତେବେ ଜଜମେଣ୍ଟ କପି ଆସିଲା ପରେ ରାୟର ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି OPSC ଓକିଲ।
ଏପଟେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ନେଇ ଓପିଏସସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ଆବେଦନକାରୀ। ଅପରପକ୍ଷେ ଓପିଏସସିର ପୂର୍ବତନ ସଦସ୍ୟଙ୍କ କହିବା କଥା, ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କ ବ୍ୟବସ୍ଥା ରହିବା ଉଚିତ୍। କିନ୍ତୁ ତା ପୂର୍ବରୁ ଏଥିପାଇଁ ଆଇନରେ ଆବଶ୍ୟକ ସଂଶୋଧନ ଆଣିବାର ଥିଲା। ଏହି ବାଦବିବାଦ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ଯଦି ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିଲା, OPSC ଏହା କିପରି ଲାଗୁ କଲେ ? ଏଭିତରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ତ ?