Advertisment

Reza Pahlavi: ଇରାନରେ ବିଦ୍ରୋହର ବିଗୁଲ୍ ବଜାଇଥିବା ରେଜା ପହଲବି କିଏ ?

ଇରାନରୁ ନିର୍ବାସିତ ପୂର୍ବତନ ଯୁବରାଜ ତଥା ଦୀର୍ଘ ବର୍ଷ ଧରି ଦେଶରୁ ଦୂରେଇ ରହି ପ୍ରତିଶୋଧ ନେବା ପାଇଁ ପଣ କରିଥିବା ବ୍ୟକ୍ତି ଜଣକ ହେଲେ ରେଜା ପହଲବି । ୧୯୬୭ ମସିହାରେ ମାତ୍ର ୭ ବର୍ଷ ବୟସରେ ତାଙ୍କୁ ଏହି ଉପାଧି ମିଳିଥିଲା। ଇସଲାମିକ୍ କ୍ରାନ୍ତି ପୂର୍ବରୁ ଶେଷ ଶାସକ ରେଜା ଶାହ ପହଲବିଙ୍କ ପୁଅ ରେଜା ପହଲବି ।

ଅଦ୍ୟତନ ହୋଇଛି
ରେଜା ପହଲବି

ରେଜା ପହଲବି

Advertisment

ନିର୍ବାସନ ବଦଳରେ ନିର୍ବାସନ.. ସତ୍ତା ବଦଳରେ ସତ୍ତା .. ଧର୍ମୀୟ ଶାସନର ଅନ୍ତ ଓ ଗଣତନ୍ତ୍ରର ପ୍ରତିଶ୍ରୁତି.. ପ୍ରତିଶୋଧର ନିଆଁ ସତରେ ଖୁବ ଭୟଙ୍କର.. ଯୁଦ୍ଧର ନିଆଁରେ ଧ୍ୱସ୍ତବିଧ୍ୱସ୍ତ ହେଉଥିବା ଇରାନରେ ନୂତନ ଯୁଗର ଆରମ୍ଭ ହେବାର ସମ୍ଭାବନା ଅଛି କି ? ୧୯୭୯ ଇସଲାମିକ କ୍ରାନ୍ତି ଯୋଗୁଁ ଇରାନରେ ସତ୍ତା ହରାଇଥିବା ରାଜବଂଶର ଉତ୍ତରାଧିକାରୀ ସ୍ୱଦେଶ ଫେରିବାକୁ ଯୋଜନା କରିଛନ୍ତି । ଇସଲାମିକ କ୍ରାନ୍ତି ସମୟରେ ଦୀର୍ଘ ୫୦ ବର୍ଷ ଧରି ଇରାନରେ ଚାଲିଥିବା ରାଜବଂଶ ଶାସନର ଅନ୍ତ ହୋଇଥିଲା । ଇସଲାମିକ କଠୋରପନ୍ଥୀ ଏବଂ ଉଗ୍ରବାଦ ଯୋଗୁଁ ଇରାନର ପୂର୍ବତନ ଯୁବରାଜ ରେଜା ପହଲବିଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା । ହେଲେ ଏବେ ସମୟ ଆସିଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ସବୁଠାରୁ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ୪୦ ବର୍ଷ ପୂର୍ବେ ଇରାନ ଛାଡିବାକୁ ବାଧ୍ୟ ହୋଇଥିବା ୧୯ ବର୍ଷୀୟ ବାଳକ ୨୦୨୫ରେ ପୁଣି ଥରେ ଖାମେନେଇଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଦେଶରୁ ବିତାଡ଼ିତ ହୋଇଥିବା ଯୁବରାଜ ସୁଯୋଗକୁ ହାତଛଡ଼ା ନକରି ଆଜି ଖାମେନେଇ ଶାସନର ମୂଳୋତ୍ପାଟନ କରିବାକୁ ଚାହୁଁଛନ୍ତି । ଇରାନରେ ଇସଲାମିକ ଶାସନର ଅନ୍ତ ଘଟାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

Advertisment

ରେଜା ପହଲବି କିଏ ?

ଇରାନରୁ ନିର୍ବାସିତ ପୂର୍ବତନ ଯୁବରାଜ ତଥା ଦୀର୍ଘ ବର୍ଷ ଧରି ଦେଶରୁ ଦୂରେଇ ରହି ପ୍ରତିଶୋଧ ନେବା ପାଇଁ ପଣ କରିଥିବା ବ୍ୟକ୍ତି ଜଣକ ହେଲେ ରେଜା ପହଲବି । ୧୯୬୭ ମସିହାରେ ମାତ୍ର ୭ ବର୍ଷ ବୟସରେ ତାଙ୍କୁ ଏହି ଉପାଧି ମିଳିଥିଲା। ଇସଲାମିକ୍ କ୍ରାନ୍ତି ପୂର୍ବରୁ ଶେଷ ଶାସକ ରେଜା ଶାହ ପହଲବିଙ୍କ ପୁଅ ରେଜା ପହଲବି । ୧୯୭୯ ମସିହାରେ ଇସଲାମିକ୍ ବିପ୍ଳବ ପରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଦେଶରୁ ବହିଷ୍କାର କରାଯାଇଥିଲା। ଏହା ପରେ ରେଜା ପହଲବିଙ୍କୁ ଆଉ ଇରାନରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା। ଏକ ରିପୋର୍ଟ ଅନୁଯାୟୀ, ସେ ଇରାନର ଜାତୀୟ ପରିଷଦ ନାମକ ଏକ ସଂଗଠନ ଗଠନ କରିଛନ୍ତି ଏବଂ ନିରନ୍ତର ଇରାନରେ ଗଣତାନ୍ତ୍ରିକ ଶାସନକୁ ସମର୍ଥନ କରୁଛନ୍ତି।

ବର୍ତ୍ତମାନ ଖାମେନେଇ ନେତୃତ୍ୱ ସରକାର ବିରୋଧରେ ସେ ଖୋଲାଖୋଲି ମୋର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ଗତ କିଛି ଦଶନ୍ଧି ଧରି ଆମେରିକାରେ ନିର୍ବାସନ ଜୀବନ ବିତାଉଥିବା ରେଜା ଶାହ ପହଲବି ଇସଲାମିକ ଶାସନ ବିରୋଧରେ ବୟାନ ଦେଉଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି, ଇସଲାମିକ ଗଣରାଜ୍ୟ ଭୁଶୁଡ଼ି ପଡୁଛି। ନିଜ ଲୋକଙ୍କ ପାଇଁ ଲଢ଼ିବା ବଦଳରେ ବଙ୍କରରେ ଲୁଚି ରହିଛନ୍ତି ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲି ଖାମେନେଇ, ପରିସ୍ଥିତି ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ଖାମେନେଇ ନିଜ ସ୍ୱାର୍ଥସାଧନ ପାଇଁ ଇରାନ ଓ ଇରାନର ଜନତାଙ୍କୁ ଯୁଦ୍ଧମୁହଁକୁ ଠେଲି ଦେଇଛନ୍ତି । ସେଠାରେ ସରକାର ଏବେ ଦୁର୍ବଳ ଓ ଭାଗ ଭାଗ ହୋଇସାରିଛି । ସେଥିପାଇଁ ସମୟ ଥାଉ ଥାଉ ସେନା, ପୋଲିସ ଓ ସୁରକ୍ଷା ବାହିନୀ ଦୁର୍ବଳ ସତ୍ତାଧାରୀଙ୍କୁ ଛାଡ଼ି ସାଧାରଣ ଲୋକଙ୍କ ହିତ ପ୍ରତି ଧ୍ୟାନ ଦେବା ଉଚିତ ।

Advertisment

ଗଣତନ୍ତ୍ରର ପ୍ରତିଶ୍ରୁତି

ପୂର୍ବତନ କ୍ରାଉନ ପ୍ରିନ୍ସ ଦେଶରେ ପୁଣିଥରେ ଗଣତନ୍ତ୍ର ଶାସନ ଆଣିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଇରାନରେ ଆଉ ଗୃହଯୁଦ୍ଧ କି ଅରାଜକତା ଦେଖାଦେବ ନାହିଁ । ଇରାନକୁ ସେ ଶାନ୍ତିପୂର୍ଣ୍ଣ ଉପାୟରେ ଗଣତାନ୍ତ୍ରିକ ଶାସନ ଆଡ଼କୁ ନେଇଯିବାକୁ ଯୋଜନା କରିଥିବା କହିଛନ୍ତି । ବାପାଙ୍କ ସମୟରେ ଚାଲିଥିବା ଶାସନ ପୁଣି ଫେରିବ । ମହିଳାମାନେ ସେମାନଙ୍କ ଅଧିକାର ଫେରିପାଇବେ । ଇରାନକୁ ସ୍ୱାଧୀନତା ଏବଂ ସମାନତାର ଏକ ଦେଶ କରିବାକୁ ଚାହୁଁଥିବା କହିଛନ୍ତି ରେଜା ପହଲବି ।

ଇସଲାମିକ କ୍ରାନ୍ତି ପୂର୍ବରୁ କିପରି ଥିଲା ଇରାନ

ଇସଲାମିକ୍ କ୍ରାନ୍ତି ପୂର୍ବରୁ ରେଜା ଶାହ ପହଲବିଙ୍କ ଶାସନରେ ଇରାନକୁ ସାଂସ୍କୃତିକ ଏବଂ ଧାର୍ମିକ ସ୍ୱାଧୀନତା ଥିବା ଦେଶ ଭାବରେ ବିବେଚନା କରାଯାଉଥିଲା । ସେହି ସମୟରେ ଇରାନରେ ପ୍ରାଧାନ୍ୟ ବିସ୍ତାର କରିଥିଲା ପାଶ୍ଚାତ୍ୟ ସଂସ୍କୃତି, ଆଉ ଏହାର ମୁଖ୍ୟ କାରଣ ଥିଲା ହ୍ୱାଇଟ ରିଭୋଲ୍ୟୁସନ । ଶିକ୍ଷାକୁ ହାଇଟେକ କରାଯାଇଥିଲା ଓ ମହିଳାମାନେ ଭୋଟ ଦେବାର ଅଧିକାର ପାଇଥିଲେ । ମହିଳାଙ୍କୁ ଅନେକ ପ୍ରକାରର ଆଇନଗତ ଅଧିକାର ମଧ୍ୟ ମିଳିଥିଲା । ସେମାନେ ଯେଉଁଠାକୁ ଚାହିଁବେ ଯାଇପାରିବେ, ଯେପରି ଚାହିଁବେ ସେପରି ରହିପାରିବେ। କିନ୍ତୁ ବର୍ତ୍ତମାନ ସମୟରେ ଇରାନର ସ୍ଥିତି ସେପରି ନାହିଁ ।

Advertisment

୧୯୭୯ ପରେ ରାଜତନ୍ତ୍ର ସମ୍ପୂର୍ଣ୍ଣ ରୂପେ ଧର୍ମତନ୍ତ୍ରରେ ପରିବର୍ତ୍ତନ ହୋଇଗଲା। ମୌଳବାଦୀ ଚିନ୍ତାଧାରା ଯୋଗୁଁ ସାଂସ୍କୃତିକ ପ୍ରକାଶନକୁ ନିଷିଦ୍ଧ କରାଯାଇଥିଲା, ଶିକ୍ଷାରେ ଧର୍ମକୁ ସାମିଲ କରିବା ସହ ମହିଳାଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା। ଇସଲାମିକ ବିପ୍ଳବ ପରଠାରୁ, ଇରାନରେ ମହିଳାମାନଙ୍କ ପାଇଁ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା।

ଯୁଦ୍ଧ ପାଇଁ ଖାମେନେଇ ଦାୟୀ

ସୁପ୍ରିମ ଲିଡର ଆୟୋତୁଲ୍ଲା ଖାମେନେଇଙ୍କ ଜିଦ ପାଇଁ ଆଜି ଯୁଦ୍ଧର ଜ୍ୱାଳାରେ ଜଳୁଛି ଇରାନ । ଏଥିପାଇଁ କେବଳ ଖାମେନେଇ ହିଁ ଦାୟୀ । ଇରାନର ଲୋକଙ୍କର ନୁହେଁ ଏ ଯୁଦ୍ଧ କେବଳ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଉଦ୍ଦେଶ୍ୟରେ । ଇସ୍ରାଏଲ ଇରାନର ନାଗରିକମାନଙ୍କୁ କ୍ଷତି ପହଞ୍ଚାଉନାହିଁ, ଏହା କେବଳ ଇରାନ ଶାସନ ଯୋଗୁଁ ଥିବା ବିପଦକୁ ପ୍ରତିହତ କରିବାକୁ ଚେଷ୍ଟା କରୁଛି ।

ଖାମେନେଇଙ୍କ ପାଇଁ ଚ୍ୟାଲେଞ୍ଜ

ରେଜା ପହଲବିଙ୍କ ଏପରି ମନ୍ତବ୍ୟ ଖାମେନେଇଙ୍କ ପାଇଁ ଏକ ସିଧାସଳଖ ଚ୍ୟାଲେଞ୍ଜ। ଇରାନର ବର୍ତ୍ତମାନର ଶାସନ, ରେଜାଙ୍କୁ ପଶ୍ଚିମର ଜଣେ କଣ୍ଢେଇ ବୋଲି ବିବେଚନା କରେ । କାରଣ ତାଙ୍କୁ ଆମେରିକା ଏବଂ ଇସ୍ରାଏଲର ସମ୍ପୂର୍ଣ୍ଣ ସମର୍ଥନ ରହିଥିବା କୁହାଯାଏ ।

କ’ଣ ହେବ ପ୍ରଭାବ ?

ରେଜା ପହଲବିଙ୍କ ଆହ୍ୱାନ କେତେ ପ୍ରଭାବଶାଳୀ ହେବ ଓ ଲୋକେ ସଜାଗ ହେବେ କି ନାହିଁ, ତାହା କହିବା କଷ୍ଟକର। ଏପଟେ ଇରାନରେ ଚାଲିଥିବା ଧାର୍ମିକ ଶାସନ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି, କିନ୍ତୁ ଖାମେନେଇଙ୍କ ଶାସନ ଏବେ ବି ଦୃଢ଼ ସ୍ଥିତିରେ ରହିଛି। ରେଜାଙ୍କ ବକ୍ତବ୍ୟ ପ୍ରେରଣାଦାୟକ ହୋଇପାରେ, କିନ୍ତୁ ପୁଣି ଥରେ କ୍ଷମତାକୁ ଆସିବା ଏତେ ସହଜ ନୁହେଁ, ଏ ପଥ ଲମ୍ବା ଏବଂ ଜଟିଳ। ତଥାପି ଯୁଦ୍ଧ ମଧ୍ୟରେ ତାଙ୍କ ସ୍ୱର ଏକ ନୂତନ ବିତର୍କ ଆରମ୍ଭ କରିଛି । 

Israeli PM Benjamin Netanyahu Israel Ayatollah Ali Khamenei
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ