Advertisment

Jeweled Ring: ଇରାନର ସୁପ୍ରିମ ଲିଡର ପିନ୍ଧୁଥିବା ରତ୍ନଖଚିତ ମୁଦିର ରହସ୍ୟ କ’ଣ ?

ଇରାନର ବର୍ତ୍ତମାନର ସୁପ୍ରିମ ଲିଡର ଖାମେନେଇ ପିନ୍ଧଥିବା ମୁଦି ରୂପାରେ ତିଆରି ହୋଇଥିବା ବେଳେ ଏଥିରେ ଲାଗିଛି ହଳଦିଆର ରଙ୍ଗର ଏକ ରତ୍ନ ପଥର । ଅନ୍ୟ ମଣି ତୁଳନାରେ କମ ମୂଲ୍ୟର ହୋଇଥିଲେ ସୁଦ୍ଧା ଧାର୍ମିକ ମାନ୍ୟତା ଥିବାରୁ ସେଠାରେ ଏହି ପଥରଟି ବହୁତ ଲୋକପ୍ରିୟ ।

ଅଦ୍ୟତନ ହୋଇଛି
ରତ୍ନଖଚିତ ମୁଦି

ରତ୍ନଖଚିତ ମୁଦି

Advertisment

ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଘନଘନ ମିଶାଇଲ ମାଡ଼, ଡ୍ରୋନ ଆଟାକରେ କମ୍ପି ଉଠୁଛି ଉଭୟ ଦେଶ । ଗତ 7 ଦିନ ଧରି ଚାଲିଥିବା ଯୁଦ୍ଧ ଥମିବାର ନାମ ନେଉନି । କେହି କାହାକୁ ଛାଡ଼ିବାକୁ ନାରାଜ.. ଅପରେସନ ରାଇଜିଂ ଲାୟନ ଅଧୀନରେ ଇରାନର ପରମାଣୁ ଠିକଣା, ସୈନ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ କରି ଚାଲିଛି ଇସ୍ରାଏଲ । ଜବାବରେ ଇରାନର ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶ କ୍ରମେ ଇସ୍ରାଏଲ ଉପରେ ବାଲିଷ୍ଟିକ ମିସାଇଲ ଓ ଡ୍ରୋନ ଆକ୍ରମଣ କରୁଛି ତେହରାନ ।

Advertisment

ତେବେ ଏହି ଲଢ଼େଇ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲି ଖାମେନେଇଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । କେତେବେଳେ ତାଙ୍କର ଭାରତ କନେକ୍ସନକୁ ନେଇ ଆଲୋଚନା ହେଉଛି ତ କେତେବେଳେ ସେ ପିନ୍ଧୁଥିବା ରତ୍ନଖଚିତ ମୁଦିକୁ ନେଇ ଚର୍ଚ୍ଚା ହେଉଛି ।
ଭିଡିଓ କିମ୍ବା ଫଟୋରେ ଆୟାତୁଲ୍ଲା ଅଲ୍ଲି ଖାମେନେଇଙ୍କର ଗୋଟିଏ ଜିନିଷ ସାଧାରଣ ଥାଏ, ତାହା ହେଲା ତାଙ୍କ ହାତରେ ଶୋଭା ପାଉଥିବା ରତ୍ନପଥର ଖଚିତ ମୁଦି । ଇସଲାମିକ କ୍ରାନ୍ତି ଆଣିଥିବା ରୁହଲ୍ଲାହ ଖୁମୈନୀ ମଧ୍ୟ ତାଙ୍କ ଶାସନ କାଳରେ ଲାଲ, ବାଦାମୀ, ନୀଳ ପଥର ଖଚିତ ମୁଦି ପିନ୍ଧିବା ପାଇଁ ପସନ୍ଦ କରୁଥିଲେ । ରତ୍ନ ଖଚିତ ମୁଦି ପିନ୍ଧିବା କେବଳ ସେମାନଙ୍କର ସଉକ ନୁହେଁ ବରଂ ଏହା ସିଆ ଆଧ୍ୟାତ୍ମିକ ପରମ୍ପରାର ଏକ ଅଂଶ ବୋଲି କୁହାଯାଏ । ଧାର୍ମିକ ମାନ୍ୟତା ଥିବାରୁ ଇରାନର ବିଭିନ୍ନ ଧର୍ମସ୍ଥଳୀରେ ଏଭଳି ରଙ୍ଗର ପଥରରେ ଖଚିତ କାମ ଦେଖିବାକୁ ମିଳେ ।

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନେକ ଅଦୃଶ୍ୟ ଦିଗ ଉପରେ ଲୋକଙ୍କର ଧ୍ୟାନ ଆକର୍ଷିତ ହେଉଛି । ଉଦାହରଣ ସ୍ୱରୂପ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ରତ୍ନମୁଦି । ଏହି ରତ୍ନ ବା ମଣିଗୁଣିକୁ ସେଠାରେ ଶୁଭ ବୋଲି ବିବେଚନା କରାଯାଏ । ଏହି କାରଣରୁ ଇରାନର ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଅନେକ ପ୍ରକାରର ରତ୍ନ ପଥର ଖଚିତ ପିନ୍ଧନ୍ତି।

Advertisment

ଇରାନର ବର୍ତ୍ତମାନର ସୁପ୍ରିମ ଲିଡର ଖାମେନେଇ ପିନ୍ଧଥିବା ମୁଦି ରୂପାରେ ତିଆରି ହୋଇଥିବା ବେଳେ ଏଥିରେ ଲାଗିଛି ହଳଦିଆର ରଙ୍ଗର ଏକ ରତ୍ନ ପଥର । ଅନ୍ୟ ମଣି ତୁଳନାରେ କମ ମୂଲ୍ୟର ହୋଇଥିଲେ ସୁଦ୍ଧା ଧାର୍ମିକ ମାନ୍ୟତା ଥିବାରୁ ସେଠାରେ ଏହି ପଥରଟି ବହୁତ ଲୋକପ୍ରିୟ ।

କେବଳ ହଳଦିଆ ନୁହେଁ, ଖାମେନେଇ ଅନେକ ସମୟରେ ନୀଳ-ସବୁଜ ରଙ୍ଗର ପଥର ଖଚିତ ମୁଦି ମଧ୍ୟ ପିନ୍ଧନ୍ତି । ଏହି ରଙ୍ଗର ମୁଦି ଧାରଣ କରିବା ଦ୍ୱାରା ବ୍ୟକ୍ତିବିଶେଷଙ୍କ ଉନ୍ନତି ହେବା ସହ ଅନେକ ଲାଭ ମିଳୁଥିବା ବିଶ୍ୱାସ କରାଯାଏ । ବେଳେ ବେଳେ ତାଙ୍କ ହାତରେ ଧଳା ପଥରର ମୁଦି ମଧ୍ୟ ଦେଖିବାକୁ ମିଳେ । ଏହି ରଙ୍ଗର ମୁଦି ପିନ୍ଧିବା ଦ୍ୱାରା ଜୀବନରେ ଶାନ୍ତି ଆସେ ବୋଲି କୁହାଯାଏ ।

Advertisment

ସେହିପରି ଇରାନର ପ୍ରଥମ ସର୍ବୋଚ୍ଚ ନେତା ରୁହେଲ୍ଲା ଖୁମୈନି ଲାଲ ରଙ୍ଗର ପଥର ଖଚିତ ମୁଦି ପିନ୍ଧୁଥିଲେ । ଏହାକୁ ସିଆ ପରମ୍ପରାରେ ଅତ୍ୟନ୍ତ ଉଚ୍ଚମାନର ପଥର ଭାବରେ ବିବେଚନା କରାଯାଏ, ଯାହାକୁ ରୂପା ସହିତ ପିନ୍ଧିବାର ପରମ୍ପରା ରହିଛି ।

ଖାମେନେଇଙ୍କ ସମେତ ଅନେକ ବଡ଼ ବଡ଼ ଧାର୍ମିକ ନେତାମାନେ ପ୍ରାୟତଃ ଏପରି ପଥରର ମୁଦି ପିନ୍ଧିଥିବା ଦେଖିବାକୁ ମିଳେ। ଏହି ଧାରା ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ପ୍ରଚଳିତ। ନୀଳ-ସବୁଜ ପଥରକୁ ଇରାନର ଜାତୀୟ ପଥର ମଧ୍ୟ କୁହାଯାଏ। ପାରସ୍ୟରେ ଏହାର ଅର୍ଥ ହେଲା ବିଜୟ। ଏହି ପଥର ଶହ ଶହ ବର୍ଷ ଧରି ଇରାନୀ ସଂସ୍କୃତିର ଏକ ଅଂଶ ହୋଇ ରହିଛି, ଯାହା ସେଠାକାର ଗମ୍ବୁଜ ଏବଂ ମସଜିଦର ଭିତର ଭାଗରେ ମଧ୍ୟ ଦେଖବାକୁ ମିଳେ। ତେବେ ଏହି ଦୁଇ ନେତାଙ୍କ ଯୋଗୁଁ ସମଗ୍ର ସିଆ ସମ୍ପ୍ରଦାୟରେ ବିଶେଷକରି ଇରାନ, ଇରାକ ଏବଂ ଲେବାନନରେ ଏପରି ପଥରର ଚାହିଦା ଏବଂ ଧାର୍ମିକ ସ୍ଥିତି ବୃଦ୍ଧି ପାଇଛି ।

ଇରାନର ବଜାରରେ ଏପରି ପଥର ଦେଖିବାକୁ ମିଳେ । ଏହି ଦୁର୍ଲଭ ପଥର ଗୁଡ଼ିକ ଏବେ ଅନଲାଇନ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ, ଯାହାର ମୂଲ୍ୟ ପ୍ରାୟ ୧୦ ଡଲାରରୁ ଆରମ୍ଭ କରି ୩୦୦୦ ଡଲାର ପର୍ଯ୍ୟନ୍ତ ରହିଛି । ଇରାନୀ ମହିଳାମାନେ ମଧ୍ୟ ଅତି ଆଗ୍ରହ ସହକାରେ ଏହି ପଥର ଖଚିତ ଅଳଙ୍କାର ପିନ୍ଧିନ୍ତି ।

ଦେଶର ପାରମ୍ପରିକ ବଜାରରେ ଆଜି ବି ଏହି ପଥରଗୁଡ଼ିକର ଖୁଚୁରା ବିକ୍ରୟ କରାଯାଏ । ଯେଉଁଠାରେ କାରିଗର ମାନେ ନିଜେ ପଥର ଖୋଦେଇ କରିବାକୁ ବସିଥାଆନ୍ତି, ଆଉ ଲୋକମାନେ ଡିଜାଇନ, ଧାତୁ ଓ ପଥର ବାଛିବା ପରେ ମନ ମୁତାବକ ମୁଦି ତିଆରି କରିଦିଅନ୍ତି । ବିବାହ ଓ ଅନ୍ୟ ଉତ୍ସବରେ ଏପରି ପଥରକୁ ସୁରକ୍ଷା କବଚ ଭାବରେ ଲୋକମାନେ ଧାରଣ କରନ୍ତି ।

ଇରାନରେ ଉଚ୍ଚ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ପ୍ରସିଦ୍ଧ ଜେମଷ୍ଟୋନକୁ ନେଇ ଅନେକ କାହାଣୀ ରହିଛି । ଏଥିରେ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡସ କର୍ପସର କମାଣ୍ଡର କାସିମ୍ ସୁଲେମାନିଙ୍କ ସହ ଜଡିତ ଘଟଣା ବିଷୟରେ ପ୍ରାୟତଃ ଚର୍ଚ୍ଚା ହୁଏ। ଖାମେନେଇଙ୍କ ସବୁଠାରୁ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ ଥିବା କାସିମ୍ ସୁଲେମାନିଙ୍କର ସିରିଆ, ଇରାକ, ଲେବାନନ, ୟେମେନ ପର୍ଯ୍ୟନ୍ତ ପ୍ରଭାବ ରହିଥିଲା । ସିଆ ସମ୍ପ୍ରଦାୟରେ ଜଣେ ନାୟକ ଭାବରେ ବିବେଚିତ ସୁଲେମାନଙ୍କର ମଧ୍ୟ ଅନେକ ଶତ୍ରୁ ଥିଲେ।

ଜାନୁଆରୀ ୨୦୨୦ରେ ବାଗଦାଦ ବିମାନବନ୍ଦରରେ ସୁଲେମାନଙ୍କ ଗାଡ଼ି ଉପରେ ହୋଇଥିବା ଏକ ଡ୍ରୋନ୍ ଆକ୍ରମଣରେ ସେ ଜୀବନ ହରାଇଥିଲେ। ଆମେରିକା ସରକାରଙ୍କ ନିର୍ଦ୍ଦେଶରେ କରାଯାଇଥିବା ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଥିଲା । ଫଳରେ ମୃତକଙ୍କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଲାଲପଥର ଥିବା ଏକ ରୂପା ମୁଦି ପିନ୍ଧିଥିବାରୁ ସୁଲେମାନଙ୍କୁ ଚିହ୍ନଟ କରାଯାଇଥିଲା । ସେହି ମୁଦି ପିନ୍ଧି ଅନେକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ ସୁଲେମାନ ।

ସିଏନଏନ ସମେତ ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ମୁଦି ବିଷୟରେ ଆଲୋଚନା ହୋଇଥିଲା । ସେହି ପଥର ଖଚିତ ମୁଦି ଯୋଗୁଁ ହିଁ ତାଙ୍କୁ ଚିହ୍ନଟ କରାଯାଇ ପାରିଥିଲା । ଏହା ପରେ ଇରାନୀ ଗଣମାଧ୍ୟମରେ ଏକ ଫଟୋ ଜାରି କରାଯାଇଥିଲା, ଯେଉଁଥିରେ ମୁଦି ପିନ୍ଧିଥିବା ଅଧା ପୋଡ଼ା ହାତ ନଜର ଆସୁଥିଲା । ଏହି ଘଟଣା ପରେ ଅନେକ ଲୋକ ସୁଲେମାନଙ୍କ ସ୍ମୃତିରେ ସମାନ ପ୍ରକାରର ମୁଦି ପିନ୍ଧିବା ଆରମ୍ଭ କରିଥିଲେ ।

Israeli PM Benjamin Netanyahu Jewellery Israel Ayatollah Ali Khamenei
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ