Tariff
ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ ନୀତି ଯୋଗୁଁ ବିଶ୍ୱରେ ଆରମ୍ଭ ହୋଇଛି ବାଣିଜ୍ୟ ଯୁଦ୍ଧ । ନିଜ ଦେଶର ନାଗରିକଙ୍କୁ ଖୁସି କରାଇବାକୁ ଯାଇ ଡୋନାଲ୍ଡ ଟ୍ରମ୍ପଙ୍କ ତ୍ୱରିତ ନିଷ୍ପତ୍ତି ଏବେ ସମସ୍ତ ଆମେରିକୀୟଙ୍କୁ ଭୋଗ କରିବାକୁ ପଡ଼ିବ । ଚୀନର ଅଭିବୃଦ୍ଧିକୁ ରୋକିବାକୁ ଯାଇ ଭାରତ ସହ ଅତୀତରେ ହାତ ମିଳେଇଥିଲା ଆମେରିକା, ହେଲେ ହଠାତ ଏବେ ଅସଲ ରଙ୍ଗ ଦେଖାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ଓ ଭାରତ ମଧ୍ୟରେ ସବୁକିଛି ଠିକଠାକ ଚାଲିଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୫ରେ ପୁଣିଥରେ ଆମେରିକାର ମଙ୍ଗ ଧରିବା ପରେ ଭାରତ ଓ ଆମେରିକାର ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏବେ ତାହାର ଓଲଟା ଦେଖିବାକୁ ମିଳୁଛି । ଅନେକ ଚେତାବନୀ ସତ୍ତ୍ୱେ ରୁଷରୁ ଅଶୋଧିତ ତୈଳ କ୍ରୟ କରିବାର କାରଣ ଦର୍ଶାଇ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି । ଫଳରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ପର୍ଯ୍ାୟରେ ପହଞ୍ଚିଛି । ଟ୍ରମ୍ପଙ୍କ ନୂଆ ଟାରିଫ ପଲିସି ଯୋଗୁଁ କେବଳ ଭାରତ ନୁହେଁ ବ୍ରାଜିଲ, କାନାଡ଼ା ସମେତ ବିଶ୍ୱର ଅନେକ ଦେଶ ସହିତ ଆମେରିକାର ସମ୍ପର୍କ ବିଗିଡ଼ି ଯାଇଛି ।
ଆମେରିକା ସହ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ସୁମଧୁର ହେବାରେ ଲାଗିଛି । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ମଧ୍ୟରେ ବନ୍ଧୁତାର ଏକ ନୂତନ ବୀଜ ଅଙ୍କୁରିତ ହେଉଥିବା ଦେଖିବାକୁ ମିଳୁଛି । ଏକ ବିସ୍ତୃତ ଆଲୋଚନା ପରେ ଉଭୟ ଦେଶ ଲିପୁଲେଖ ଘାଟି ଦେଇ ବନ୍ଦ ହୋଇଯାଇଥିବା ବାଣିଜ୍ୟ ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ସୀମାରେ ଉତ୍ତେଜନାର ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଏହି କୂଟନୈତିକ ବନ୍ଧୁତା ଭାରତ ଏବଂ ଚୀନ୍ ଉଭୟଙ୍କ ପାଇଁ ଲାଭଦାୟକ ହେବାର ଅନେକ ସମ୍ଭାବନା ଥିବାବେଳେ ଆମେରିକା ପାଇଁ କଠିନ ହୋଇପାରେ ।
ଭୂ-ରାଜନୈତିକ ସ୍ଥିତି ପରିବର୍ତ୍ତନ ପଛରେ ଆମେରିକା
ଟ୍ରମ୍ପଙ୍କ ଟାରିଫ ୱାର ପାଇଁ ଆମେରିକା ତା’ର ପୂର୍ବ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ହରାଇ ବସିଲାଣି । ଏଥିଯୋଗୁଁ କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନେକ ଦେଶ ସହିତ ମଧ୍ୟ ସମ୍ପର୍କକୁ ଖରାପ କରିଛି। ଟ୍ରମ୍ପଙ୍କ ନିଷ୍ପତ୍ତି ବିଶ୍ୱ ଭୂରାଜନୈତିକ ପରିସ୍ଥିତିରେ ବିରାଟ ପରିବର୍ତ୍ତନ ଆଣିଛି । ୨୦୨୫ରେ ବିଭିନ୍ନ ଦେଶ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶୁଳ୍କ କେବଳ ଆର୍ଥିକ ନୀତି ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ବିଶ୍ୱ ଭୂରାଜନୈତିକ ସନ୍ତୁଳନକୁ ମଧ୍ୟ ଦୋହଲାଇ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ଆରମ୍ଭ ହୋଇଥିବା ଟାରିଫ ୱାର ବା ଶୁଳ୍କ ଯୁଦ୍ଧକୁ ନେଇ ପୁଣି ଚର୍ଚ୍ଚା ଜୋର ହୋଇଛି । ଏହି ପରିବର୍ତ୍ତିତ ବିଶ୍ୱ ଭୂରାଜନୈତିକ ପରିସ୍ଥିତି ଭାରତ ଏବଂ ଚୀନ ଭଳି ପ୍ରତିଦ୍ୱନ୍ଦୀ ଦେଶଗୁଡ଼ିକୁ ମଧ୍ୟ ପରସ୍ପରର ଅତି ନିକଟତର କରିଛି।
ଆମେରିକାର ନୂତନ ଶୁଳ୍କ କ’ଣ?
୨୦୨୫ ଆରମ୍ଭରୁ ଚୀନ୍, ଭାରତ, ଭିଏତନାମ, ବ୍ରାଜିଲ୍, କାନାଡା ଏବଂ ମେକ୍ସିକୋ ଭଳି ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଭାରି ଶୁଳ୍କ ଲାଗୁ କରିଥିଲା ଆମେରିକା । ମୁଖ୍ୟତଃ ଇଲେକ୍ଟ୍ରୋନିକ୍ସ, ଇସ୍ପାତ, ବୟନଶିଳ୍ପ, ଔଷଧ ଏବଂ ସବୁଜ ଶକ୍ତି ପ୍ରଯୁକ୍ତିବିଦ୍ୟା ସହିତ ଜଡିତ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ୨୫-୩୫% ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା । ଟ୍ରମ୍ପ ଏବଂ ତାଙ୍କ ସମର୍ଥକମାନେ ଯୁକ୍ତି ବାଢ଼ିଛନ୍ତି, ଏହି ପଦକ୍ଷେପ ଆମେରିକୀୟ ଉତ୍ପାଦନକୁ ବୃଦ୍ଧି କରିବ, ଘରୋଇ ଚାକିରିକୁ ସୁରକ୍ଷା ଦେବ ଏବଂ ଚୀନର ଏକଚାଟିଆ କାରବାର ଉପରେ ରୋକ ଲଗାଇବ ।
କାହିଁକି ପାଖାପାଖି ହେଲେ ଭାରତ-ଚୀନ ?
ଟାରିଫ ୱାର ଯୋଗୁଁ ଆମେରିକା ସହିତ ବ୍ୟବସାୟ କରୁଥିବା ଦେଶଗୁଡ଼ିକୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି । ଭାରତ ଏବଂ ଚୀନ୍ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ତେଣୁ ପାରମ୍ପରିକ ଭାବରେ ରଣନୈତିକ ପ୍ରତିଦ୍ୱନ୍ଦୀ ଥିବା ଏହି ଦୁଇ ଦେଶ ଏବେ ଆମେରିକାର ଆର୍ଥିକ ନୀତି ବିରୋଧରେ ଏକ ସାମୂହିକ ମୋର୍ଚ୍ଚା ଗଠନ କରିବାକୁ ଆଗେଇ ଆସିଛନ୍ତି । ନିକଟରେ ବ୍ରିକ୍ସ ସମ୍ମିଳନୀ ସମୟରେ,ଭାରତ ଏବଂ ଚୀନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ସକାରାତ୍ମକ ଆଲୋଚନା ହୋଇଥିଲା। ଉଭୟ ଦେଶ ବିକାଶଶୀଳ ଦେଶମାନଙ୍କ ବିରୋଧରେ ହେଉଥିବା ପକ୍ଷପାତମୂଳକ ବାଣିଜ୍ୟ ନୀତିକୁ ବିରୋଧ କରିବାକୁ ସହମତ ହୋଇଥିଲେ।
ଏହା ପରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସିଥିଲେ । ଅନେକ ଆଲୋଚନା ପରେ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଲିପୁଲେଖ ଘାଟି ଦେଇ ବନ୍ଦ ବାଣିଜ୍ୟ ମାର୍ଗ ପୁନଃ ଖୋଲିବା ନିଷ୍ପତ୍ତି ନିଆଯାଇଥିଲା, ଆଉ ଏହା ଆମେରିକାକୁ ଏକ ବଡ଼ ରଣନୈତିକ ଏବଂ ଆର୍ଥିକ ଝଟକା ଦେଇଛି। ଗଲୱାନ୍ ସଂଘର୍ଷ ପରଠାରୁ ଦୁଇ ଦେଶର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିିଥିବା ବେଳେ ଆମେରିକାର ଟାରିଫ ନୀତି ଉଭୟକୁ ସଂଗଠିତ କରିଛି। ଉଭୟ ଦେଶ ଏଥିରୁ କୂଟନୈତିକ ଏବଂ ରଣନୈତିକ ଲାଭ ଉଠାଇ ପାଇପାରିବେ।
ଭାରତ ସପକ୍ଷରେ ଚୀନ
ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବା ପରେ ନୂଆଦିଲ୍ଲୀକୁ ସହଯୋଗ କରିବାକୁ ଆଗେଇ ଆସିଛି ଚୀନ । ଚୀନ୍ ଏହାକୁ ଭାରତ ବିରୋଧରେ ଆମେରିକାର ଦାଦାଗିରି ବୋଲି କହୁଛି । ଏହା ବ୍ୟତୀତ ଚୀନ୍ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତକୁ ଏକ ରଣନୈତିକ ଅଂଶୀଦାର କରିବାକୁ ଯୋଜନା କରିଛି । ଭାରତ ପ୍ରତି ଚୀନର ଉଦାରଶୀଳ ନୀତି ପ୍ରଥମଥର ଦେଖିବାକୁ ମିଳିଛି । ଭାରତ ମଧ୍ୟ ବ୍ୟବସାୟିକ ସୁଯୋଗ ପାଇଁ Global South ଆଡ଼କୁ ଅଧିକରୁ ଅଧିକ ଢଳୁଥିବା ଦେଖିବାକୁ ମିଳୁଛି। ଆମେରିକାର ନୂଆ ଟାରିଫ ନୀତି ଭାରତକୁ ଚିନ୍ତା କରିବାକୁ ବାଧ୍ୟ କରିଛି ।
ଭୂରାଜନୈତିକ ପ୍ରଭାବ କ’ଣ?
ଆମେରିକାର "ଆମେରିକା ଫାଷ୍ଟ’ ନୀତି ଏବେ ବିଶ୍ୱ ନେତୃତ୍ୱ ତୁଳନାରେ ଘରୋଇ ଏଜେଣ୍ଡାକୁ ପ୍ରାଥମିକତା ଦେଉଛି । ଫଳରେ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ବିଶ୍ୱାସର ଅଭାବ ସୃଷ୍ଟି କରିଛି । ଏହାଦ୍ୱାରା ବିଶ୍ୱ ସ୍ତରରେ ଆମେରିକାର ବିଶ୍ୱସନୀୟତାରେ ହ୍ରାସ ପାଇଛି ।
BRICSକୁ ପ୍ରୋତ୍ସାହନ
ଆମେରିକାର ଏହି ପଦକ୍ଷେପ ସହିତ BRICS ଏବେ ଏକ ଆର୍ଥିକ ନୁହେଁ ବରଂ ରାଜନୈତିକ ମଞ୍ଚ ହେବାରେ ଲାଗିଛି । ଭାରତ-ଚୀନର ସହଯୋଗ ଦ୍ୱାରା ଏହି ସଂଗଠନକୁ ଆମେରିକୀୟ ପ୍ରାଧାନ୍ୟ ବିରୋଧରେ ଏକ ବିକଳ୍ପ ଭାବରେ ଦେଖାଯାଉଛି । ଅଗଷ୍ଟ ଶେଷ ସପ୍ତାହ ଏବଂ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସମ୍ମିଳନୀ (SCO) ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପସ୍ଥିତି ଆମେରିକାକୁ ଏକ ନୂତନ ଝଟକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତ-ରୁଷ ଏବଂ ଚୀନ୍ ଏହି ତ୍ରିମୂର୍ତ୍ତି ଆମେରିକୀୟ ଶୁଳ୍କକୁ ମୁକାବିଲା କରିବା ପାଇଁ SCO ଏବଂ BRICSରେ ନିଜସ୍ୱ ମୁଦ୍ରାରେ ବାଣିଜ୍ୟର ଏଜେଣ୍ଡାକୁ ଆଗକୁ ବଢାଇ ପାରିବେ।
ରାଜନୈତିକ ସନ୍ତୁଳନରେ ପରିବର୍ତ୍ତନ
ଭାରତ ପାରମ୍ପରିକ ଭାବରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ଏକ ରଣନୈତିକ ସହଯୋଗୀ ହୋଇଆସିଛି । କିନ୍ତୁ ଏବେ ଏହା ଏକ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା ପରି ମନେ ହେଉଛି, ଯେଉଁଥିରେ ଚୀନ୍ ସହିତ ସମନ୍ୱୟ ମଧ୍ୟ ସାମିଲ କରାଯିବାର ଆବଶ୍ୟକତା ରହିଛି । ଏହି ସମୟରେ ଭାରତ ଏବଂ ଚୀନ୍ ଲଦାଖ ସୀମାରେ ବର୍ଷ ବର୍ଷ ଧରି ଚାଲିଥିବା ଉତ୍ତେଜନାର ସମାଧାନ ପାଇଁ ଏକାଠି କାମ କରୁଛନ୍ତି। ଭାରତ, ଚୀନ୍ ଏବଂ ରୁଷ ସହିତ ପାରମ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରୁଛି ।
ଟେକ୍ନୋଲୋଜି ଓ ସପ୍ଲାଇ ଚେନରେ ପରିବର୍ତ୍ତନ
ଆମେରିକାର ଶୁଳ୍କ ଯୋଗୁଁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ଏବେ ସେମାନଙ୍କର ଯୋଗାଣ ଶୃଙ୍ଖଳାକୁ ଆମେରିକା ବାହାରର ଅନ୍ୟ ବଜାରକୁ ସ୍ଥାନାନ୍ତର କରୁଛନ୍ତି। ଫଳରେ ଭାରତ ଏବଂ ଚୀନ୍ ଉଭୟ ଏହାର ଲାଭ ଉଠାଇ ପାରିବେ। ଉଭୟ ଦେଶ ପ୍ରତିଯୋଗିତା ନକରି ସହଯୋଗର ରାସ୍ତା ଆପଣାଇଲେ ଲାଭ ମିଳିପାରିବ ।
ଭାରତ-ଚୀନ ମଧ୍ୟରେ ବନ୍ଧୁତା ହୋଇଗଲା କି ?
ଭାରତ ଏବଂ ଚୀନ୍ ନିକଟତର ହେବା ସ୍ଥାୟୀ କି ଅସ୍ଥାୟୀ, ତାହା ଆଗାମୀ ମାସ ଗୁଡ଼ିକରେ ସ୍ପଷ୍ଟ ହେବ। କିନ୍ତୁ ଆମେରିକାର ଶୁଳ୍କ ନୀତି ସ୍ପଷ୍ଟ କରିଛି, ଆର୍ଥିକ ନିଷ୍ପତ୍ତିର ପ୍ରଭାବ କେବଳ ବାଣିଜ୍ୟିକ ସଂଖ୍ୟା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ବିଶ୍ୱସ୍ତରୀୟ ମେଣ୍ଟ ଏବଂ ରଣନୈତିକ ଚିନ୍ତାଧାରାକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରେ। କୂଟନୈତିକ ଦୃଷ୍ଟିକୋଣରୁ ଭାରତ ଏବଂ ଚୀନ୍ ମଧ୍ୟରେ ଘନିଷ୍ଠତା ଉଭୟ ଦେଶ ପାଇଁ ଲାଭଦାୟକ। ଆମେରିକାର ଶୁଳ୍କ ପ୍ରତି ଜବାବ ଦେବା ପାଇଁ ଏହା ସଠିକ୍ କୂଟନୈତିକ ପଦକ୍ଷେପ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tariff_1756111720.jpeg)