ପାକ୍ ପ୍ରାୟୋଜିତ ଆତଙ୍କବାଦ
ଆତଙ୍କ, ଅସ୍ଥିରତା, ଘୃଣା, ବିଦ୍ୱେଷ ସୃଷ୍ଟି କରି ପବିତ୍ର ମାଟିକୁ କଳୁଷିତ କରିବା ଆତଙ୍କବାଦୀ ଓ ଆତଙ୍କବାଦର ମୂଳ ଉଦ୍ଦେଶ୍ୟ । ଏହା ଏପରି ଏକ ପଶୁବାଦୀ ପ୍ରବୃତ୍ତି, ଯାହାର କୌଣସି ଜାତି ନାହିଁ, ଧର୍ମ ନାହିଁ, ସମାଜ ନାହିଁ କିମ୍ବା ରାଷ୍ଟ୍ର ନାହିଁ। ପ୍ରତିଶୋଧର ମିଛ ନିଆଁରେ ଧର୍ମର ମାୟାଜାଳ ରଚି ନୀରିହ ଜନତାଙ୍କ ଜୀବନକୁ ଖିନଭିନ କରେ ଆତଙ୍କବାଦ । ସ୍ୱାର୍ଥରେ ଅନ୍ଧ ବିଧ୍ୱଂସକାରୀ ସଇତାନଙ୍କ ଦ୍ୱାରା କରାଯାଉଥିବା ଏକ ସାମୂହିକ ହିଂସାତ୍ମକ ପ୍ରୟାସ ହେଉଛି ଆତଙ୍କବାଦ । ଭାରତ ଦୀର୍ଘ ସମୟ ଧରି ଆତଙ୍କବାଦର ଶିକାର ହୋଇଆସିଛି। ଭାରତ-ପାକିସ୍ତାନ ସୀମାରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ସାଧାରଣ ହୋଇଗଲାଣି।
ହିଂସା ଏବଂ ରକ୍ତପାତ ଭଳି ମାନବ ବିରୋଧୀ କାର୍ଯ୍ୟକଳାପ ମାଧ୍ୟମରେ ଅଶାନ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି କରି ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଏଥିଯୋଗୁଁ ବହୁ ପରିମାଣର ଜୀବନ ଏବଂ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି। ଜାତି, ଧର୍ମ, ଭାଷା ଏବଂ ଅଞ୍ଚଳକୁ ମାଧ୍ୟମ ଭାବରେ ବ୍ୟବହାର କରୁଥିବା ଆତଙ୍କବାଦୀମାନେ ଦେଶର ପ୍ରଗତି ପଥରେ ଏକ ବଡ଼ ସ୍ପିଡ୍ ବ୍ରେକର ।
ଆତଙ୍କବାଦ ମାନବ ସମାଜ ପାଇଁ ଏକ କଳଙ୍କ। ଏହା ଆଞ୍ଚଳିକ ସ୍ତରରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିସ୍ତାରିତ। ଏହାକୁ ଦୂର କରିବା ପାଇଁ ସାମାଜିକ ସ୍ତରରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ସଂଗଠିତ ଏବଂ ସମନ୍ୱିତ ପ୍ରୟାସ ଆବଶ୍ୟକ। ଆଜି ଆତଙ୍କବାଦର ଗମ୍ଭୀରତା ଯୋଗୁଁ ବିଶ୍ୱର ସମସ୍ତ ଦେଶ ଆତଙ୍କବାଦର ମୁକାବିଲା ପାଇଁ ସାମୂହିକ ପ୍ରୟାସ କରୁଛନ୍ତି। ଭାରତ ସରକାର ମଧ୍ୟ ଏହାକୁ ମୁକାବିଲା କରିବା ପାଇଁ ଠୋସ୍ ପଦକ୍ଷେପ ନେଉଛନ୍ତି।
ଆତଙ୍କବାଦୀମାନଙ୍କୁ ଦେଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ କରିବାକୁ ଉତ୍ସାହିତ କରାଯାଉଛି। ସାମାଜିକ ଏବଂ ଆର୍ଥିକ ଅସମାନତା ଦୂର କରିବା ସହିତ, ସରକାର ଶିକ୍ଷା, ଦାରିଦ୍ର୍ୟ ଏବଂ ବେକାରୀ ପ୍ରତି ଉପଯୁକ୍ତ ଧ୍ୟାନ ଦେବା ଆବଶ୍ୟକ ଯାହା ଦ୍ଵାରା ଯୁବପିଢ଼ିଙ୍କୁ ବିପଥଗାମୀ ହେବାରୁ ରୋକାଯାଇପାରିବ। ଏଥିପାଇଁ ବିଶ୍ୱସ୍ତରୀୟ, ଅନ୍ତର୍ଜାତୀୟ, ଜାତୀୟ, ସାମାଜିକ, ଇତ୍ୟାଦି ସମସ୍ତ ସ୍ତରରେ ପ୍ରୟାସ କରାଯିବା ଉଚିତ।
ବିଡ଼ମ୍ବନାର ବିଷୟ ଏହାର ବିପରୀତ ପାକିସ୍ତାନ ଆଜି ବି ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ସହ ଏହାକୁ ଅସ୍ତ୍ର କରି ଭାରତ ବିରୋଧରେ ଛଦ୍ମ ଯୁଦ୍ଧ ଚଳାଇଛି । ଭାରତ ନାମ ଶୁଣିବା ମାତ୍ରେ ପାକିସ୍ତାନୀ ଜନତା ହୁଅନ୍ତୁ କି ସରକାର ବେଶ ଉତ୍ସାହିତ ହୋଇଯାଆନ୍ତି । ସମସ୍ତ ଯନ୍ତ୍ରଣା ଏବଂ କଷ୍ଟକୁ ଭୁଲି ଭାରତକୁ କିପରି କ୍ଷତି ପହଞ୍ଚାଇବେ ସେ ବିଷୟରେ ଚିନ୍ତା କରିବାରେ ବ୍ୟସ୍ତ ହୋଇଯାଆନ୍ତି । ସ୍ୱାଧୀନତା ପରଠାରୁ ଏହି ଦେଶ କାଶ୍ମୀରରେ ଆତଙ୍କବାଦର ବୀଜ ବୁଣି ଆସିଛି । ପଡ଼ୋଶୀ ଦେଶର ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ କେବଳ ଭାରତ ପର୍ଯ୍ୟନ୍ତ ସୀମିତ ନୁହେଁ, ଏହା ଇସଲାମିକ ଦେଶଗୁଡ଼ିକୁ ମଧ୍ୟ ଚିନ୍ତାରେ ପକାଇଛି।
ଏଥିପାଇଁ ପାକିସ୍ତାନ ମାଟିରେ ଅନେକ ଆତଙ୍କବାଦୀ ଗୋଷ୍ଠୀ ଗଠନ କରାଯାଇଛି। ଇସଲାମିକ ଦେଶ ଗୁଡ଼ିକର ପରସ୍ପର ସମ୍ମନ୍ଧ ଭଲ ଥିବ ବୋଲି ସମସ୍ତଙ୍କ ଧାରଣା ଧିବ, କିନ୍ତୁ ପାକିସ୍ତାନର ସେନା ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଅନ୍ୟମାନଙ୍କ ଘରେ ନିଆଁ ଲଗାଇବା ପାଇଁ ଧର୍ମକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିଆସିଛି । ପଡ଼ୋଶୀ ଆଫଗାନିସ୍ତାନ ସମେତ ଅନେକ ଇସଲାମିକ ଦେଶରେ ଏହାର ଆତଙ୍କବାଦୀ ନେଟୱାର୍କ ବିସ୍ତାର କରିଛି ।
ପାକିସ୍ତାନର ମାନସ ସନ୍ତାନ ତାଲିବାନ
ସତୁରି ଦଶକର ଶେଷ ଭାଗରେ ଯେତେବେଳେ ସୋଭିଏତ୍ ୟୁନିଅନ୍ (ବର୍ତ୍ତମାନ ରୁଷ) କାବୁଲ ଉପରେ ଆକ୍ରମଣ କରିଥିଲା, ସେତେବେଳେ ଆମେରିକା ଏବଂ ସାଉଦି ଆରବ ପାକିସ୍ତାନର ସାହାଯ୍ୟ ନେଇଥିଲେ। ସେଠାକାର ଗୁଇନ୍ଦା ସଂସ୍ଥା, ଆଇଏସଆଇ, ଜିହାଦୀ ଯୋଦ୍ଧାମାନଙ୍କୁ ତାଲିମ ଦିଆଯାଇଥିଲା , ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଇ ରୁଷ ସହିତ ଲଢ଼ିବା ପାଇଁ ଆଫଗାନିସ୍ତାନ ପଠାଇଥିଲା। ଏହି ଯୁଦ୍ଧ ଆଇଏସଆଇ ମୁହଁରେ ରକ୍ତ ଲଗେଇ ଦେଇଥିଲା। ରୁଷ, ଆଫଗାନିସ୍ତାନ ଛାଡିବା ପରେ ମଧ୍ୟ ସେ ଖେଳକୁ ଆଗକୁ ନେବା ଜାରି ରଖିଥିଲେ। ଆଉ ଏଇଠାରେ ତାଲିବାନର ବୀଜ ବୁଣାଯାଇଥିଲା, ଯାହା ଆଫଗାନିସ୍ତାନକୁ ଏକ ଗଣତାନ୍ତ୍ରିକ ଦେଶରୁ ଏକ ମୌଳବାଦୀ ଦେଶରେ ପରିଣତ କରିଥିଲା। ତାଲିବାନ ସିଧାସଳଖ ପାକିସ୍ତାନର ସୃଷ୍ଟି ଥିଲା। ଏବେ ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଦୂରତା ଥିଲେ ମଧ୍ୟ ପାକିସ୍ତାନ ଅନ୍ୟ ଉପାୟରେ ଆଫଗାନିସ୍ତାନକୁ ହଇରାଣ କରୁଛି।
ଶିଆ ବହୁଳ ଦେଶ ଇରାନକୁ ଡର
ଇରାନ ଏକ ଶିଆ ବହୁଳ ଦେଶ ହୋଇଥିବା ବେଳେ ପାକିସ୍ତାନ ସୁନ୍ନି ମୌଳବାଦୀ ଦେଶ । ପାକିସ୍ତାନର ଧାରଣା, ଇରାନ ଶକ୍ତିଶାଳୀ ହୋଇଗଲେ ସୁନ୍ନିମାନେ ଦୁର୍ବଳ ହୋଇଯିବେ। ତେଣୁ ସେ ଇରାନର ସୀମାରେ ଅସ୍ଥିରତା ବୃଦ୍ଧି କରିଚାଲିଛି। ଇରାନ ପ୍ରତି ପାକିସ୍ତାନର ଶତ୍ରୁତାର ଆଉ କିଛି କାରଣ ମଧ୍ୟ ରହିଛି । କାରଣ ଏହି ଦେଶର ଭାରତ ଏବଂ ଆଫଗାନିସ୍ତାନ ସହିତ ଭଲ ସମ୍ପର୍କ ରହିଛି । ଏପରି ସ୍ଥିତିରେ ପାକିସ୍ତାନ ଇରାନର ସୀମାରେ ଜୈଶ ଅଲ-ଆଦଲ ଏବଂ ସିପାହ-ଏ-ସାହାବା ଭଳି ଶିଆ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଉତ୍ସାହିତ କରିଆସୁଛି । ଉଭୟଙ୍କ ଲକ୍ଷ୍ୟ ହେଉଛି ଇରାନରୁ ଶିଆ ଶକ୍ତିକୁ ହଟାଇବା, ଏଥିପାଇଁ ତାଙ୍କୁ ଇସଲାମାବାଦରୁ ସମର୍ଥନ ମିଳୁଛି ।
ଦାତା ସହ ଶତ୍ରୁତା
ପାକିସ୍ତାନ ଏପରି ଏକ ଦେଶ, ଯିଏ କାହାର ନୁହେଁ । ସମୟ ସୁଯୋଗ ଆସିଲେ କେଉଁ ସମୟରେ ଚୋଟ ମାରିବ କହିହେବ ନାହିଁ । ସାଉଦି ଆରବ ସବୁବେଳେ ପାକିସ୍ତାନ ସପକ୍ଷରେ ଠିଆ ହୋଇଥିଲେ ମଧ୍ୟ ତା’ ସହ ଧୂର୍ତ୍ତତା କରିବାକୁ ଚେଷ୍ଟା କରିଛି । ପାକିସ୍ତାନ ଏକ ଶକ୍ତିଶାଳୀ ଇସଲାମିକ ଦେଶ ସହିତ ସିଧାସଳଖ ବିବାଦ କରିପାରିବ ନାହିଁ, ତେଣୁ ବୁଲେଇ ବାଙ୍କେଇ ଦେଶକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । ତାଙ୍କ ବିଚାରଧାରା ମାଧ୍ୟମରେ ସେଠାରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା ହୋଇଥିଲା। ପ୍ରକୃତ କଥା ହେଲା ଆଫଗାନିସ୍ତାନରେ ସୋଭିଏତ୍ ଯୁଦ୍ଧ ସମୟରେ ସାଉଦି ଆରବ ପାକିସ୍ତାନକୁ ଏକ ମୋହରା ଭାବରେ ବ୍ୟବହାର କରିଥିଲା। ପାଣ୍ଠି ଦେଇ ସେ ପାକିସ୍ତାନ ଯୋଦ୍ଧା ଏବଂ ପ୍ରଚାରକମାନଙ୍କୁ ପ୍ରସ୍ତୁତ କରୁଥିଲା।
ଏହିଠାରୁ ସାଉଦି ବ୍ୟବସ୍ଥାରେ ପାକିସ୍ତାନୀ ସୁନ୍ନି ମୌଳବାଦୀଙ୍କ ଅନୁପ୍ରବେଶ ଆରମ୍ଭ ହୋଇଥିଲା । ଆଇଏସଆଇ ଦ୍ୱାରା ପ୍ରଶିକ୍ଷିତ ଏହି ଲୋକମାନେ ସାଉଦି ଆରବର ମସଜିଦ ଏବଂ ମଦ୍ରାସାକୁ ଯିବା ଆରମ୍ଭ କଲେ ଏବଂ ସିଆ ବିରୋଧୀ, ସୁଫି ବିରୋଧୀ କଥା କହିବା ଆରମ୍ଭ କରିଥିଲେ।
ୟେମେନ ଗୃହଯୁଦ୍ଧକୁ ଜଟିଳ କରିବା ପଛରେ ପାକିସ୍ତାନର ହାତ ୨୦୧୫ ମସିହାରେ ଯେତେବେଳେ ଏହି ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ସାଉଦି ଆରବ ଏଥିରେ ହସ୍ତକ୍ଷେପ କରିଥିଲା। ଲକ୍ଷ୍ୟ ଥିଲା ଇରାନ ସହିତ ଜଡିତ ୟେମେନର ହୁତି ଗୋଷ୍ଠୀକୁ କ୍ଷମତାରୁ ଦୂରରେ ରଖିବା। ହୁତି କ୍ଷମତାକୁ ଆସିଲେ, ୟେମେନ ଇରାନ ହାତକୁ ଚାଲିଯିବ ବୋଲି ଭାବୁଥିଲା ସାଉଦି ଆରବ, କାରଣ ଉଭୟ ଦେଶ ହିଁ ସିଆ ବହୁଳ। ସାଉଦି ନିଜେ ଏକ ସୁନ୍ନି ଦେଶ। ସେ ହୁତିମାନଙ୍କୁ ରୋକିବା ପାଇଁ ୟେମେନରେ ବୋମାମାଡ଼ ଆରମ୍ଭ କରିଥିଲା।
ଏହିଠାରେ ଏଣ୍ଟ୍ରି ହୋଇଥିଲା ପାକିସ୍ତାନର । ସେତେବେଳେ ସାଉଦି, ପାକିସ୍ତାନ ସେନାଠାରୁ ସାହାଯ୍ୟ ମାଗିଲା। ତାଙ୍କ ପାଣ୍ଠି ଉପରେ ନିର୍ଭର କରୁଥିବା ଦେଶ ଏହାକୁ ମନା କରିବ ନାହିଁ ବୋଲି ସେମାନେ ନିଶ୍ଚିତ ଥିଲେ, କିନ୍ତୁ ସାହାଯ୍ୟ କରିବାକୁ ପାକିସ୍ତାନ ମନା କରିଦେଇଥିଲା । ହେଲେ ଏହା କେବଳ ଉପର ଠାଉରିଆ ଥିଲା। ପରଦା ପଛରେ ଏକ ଭିନ୍ନ ଖେଳ ଆରମ୍ଭ ହେଲା। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଏବଂ ସେନାର ଲୋକମାନେ ଚୁପଚାପ୍ ସାଉଦି ଆରବରେ ପହଞ୍ଚି ୟେମେନୀ ଯୋଦ୍ଧାମାନଙ୍କୁ ତାଲିମ ଦେଇଥିଲେ । ଏହାର ଅର୍ଥ ହେଉଛି ଯୁଦ୍ଧରେ ସାଉଦି ଆରବକୁ ସିଧାସଳଖ ସମର୍ଥନ କରିନଥିଲା ପାକିସ୍ତାନ, କିନ୍ତୁ ପଛରୁ ସମର୍ଥନ କରିଚାଲିଥିଲା। ପରିଣାମ ସ୍ୱରୂପ ୟେମେନରେ ଯୁଦ୍ଧ ଅଧିକ ଜଟିଳ ହୋଇଗଲା।
ସିଆ ଏବଂ ସୁନ୍ନି ସମ୍ପ୍ରଦାୟର ସାଧାରଣ ଲୋକମାନେ ମଧ୍ୟ ନିଜ ନିଜ ମଧ୍ୟରେ ଲଢ଼ିବା ଆରମ୍ଭ କରିଦେଲେ ଏବଂ ସମଗ୍ର ଦେଶ ଧ୍ୱଂସ ହୋଇଗଲା। ସାମଗ୍ରିକ ଭାବରେ ଧର୍ମ ନାମରେ ପାକିସ୍ତାନ କେବଳ ଭାରତରେ ନୁହେଁ ବରଂ ଆଫଗାନିସ୍ତାନ, ଇରାନ, ସାଉଦି ଆରବ ଏବଂ ୟେମେନରେ ମଧ୍ୟ ତାର ଆତଙ୍କବାଦୀମାନଙ୍କୁ ବିସ୍ତାର କରିଥିଲା। କିନ୍ତୁ ପାକିସ୍ତାନର ନିଜସ୍ୱ ଅବସ୍ଥା ଏତେ ଖରାପ ଯେ ନକହିବା ଭଲ। ଏପରି ସ୍ଥିତିରେ ଅନ୍ୟ ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ ସେ କେଉଁଠାରୁ ଟଙ୍କା ପାଉଛି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠେ । ପାକିସ୍ତାନକୁ କିଏ ଯୋଗାଏ ପାଣ୍ଠି।
ସରକାର ପ୍ରତିବର୍ଷ ସେନା ବ୍ୟତୀତ ISI ଖର୍ଚ୍ଚ ପାଇଁ ପାଣ୍ଠି ପ୍ରଦାନ କରେ । ଏହାର ଏକ ଅଂଶ ଏହି ଗୁପ୍ତ କାର୍ଯ୍ୟକଳାପରେ ଲାଗିଥାଏ । ଏହି ପାଣ୍ଠିରୁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ଆଡ୍ଡାସ୍ଥଳୀ ଚଳେ ଏବଂ ଅସ୍ତ୍ରଶସ୍ତ୍ର ଇତ୍ୟାଦି କିଣାଯାଏ।
ପାକିସ୍ତାନ ଧର୍ମ ନାମରେ ଆରବ ଦେଶ ଗୁଡ଼ିକରୁ ପାଣ୍ଠି ଯୋଗାଡ଼ କରିଆସୁଛି । ସାଉଦି ଆରବ, ୟୁଏଇ ଏବଂ କତାରରୁ ଦାନ ନାମରେ ଆସୁଥିବା ଟଙ୍କା ଦାନ ପାଇଁ ଖର୍ଚ୍ଚ ହୁଏ ନାହିଁ, ବରଂ ଏହାର ଏକ ଅଂଶ ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଏବଂ ସିପାହ-ଏ-ସହାବା ଭଳି ଆତଙ୍କବାଦୀ ଗୋଷ୍ଠୀକୁ ଯାଏ। ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ରର ଚୋରା ଚାଲାଣ ମଧ୍ୟ ଟଙ୍କା ରୋଜଗାରର ଏକ ମାଧ୍ୟମ । ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱାରୁ ନିଶାଦ୍ରବ୍ୟ ଚୋରା ଚାଲାଣ ହୁଏ, ଯାହା ଭାରତ ବ୍ୟତୀତ ମଧ୍ୟପ୍ରାଚ୍ୟ ଏବଂ ୟୁରୋପକୁ ମଧ୍ୟ ପହଞ୍ଚେ ।
ଏହି ଚୋରା ଚାଲାଣରୁ ମିଳୁଥିବା ଟଙ୍କା ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ ହୁଏ । ଚୀନ୍ ପରି ଆହୁରି ଅନେକ ଦେଶ ପାକିସ୍ତାନରେ ପ୍ରଚୁର ପରିମାଣରେ ନିବେଶ କରିଛନ୍ତି । ବେଜିଂ ଆତଙ୍କବାଦୀଙ୍କୁ ସିଧାସଳଖ ପାଣ୍ଠି ଦେଇ ନଥାଇପାରେ, କିନ୍ତୁ ଏହାର ଟଙ୍କା କୌଣସି ପ୍ରକାରେ ପାକିସ୍ତାନର ସାମରିକ ଏବଂ ଗୁଇନ୍ଦା ସେବା ପର୍ଯ୍ୟନ୍ତ ପହଞ୍ଚୁଛି, ଯେଉଁମାନେ ଆତଙ୍କବାଦୀଙ୍କୁ ପୋଷଣ କରିଚାଲିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746256291.jpg)