ଛାତ୍ରୀଙ୍କ ପାଠପଢ଼ା ଉପରେ ତାଲିବାନୀ ଅଙ୍କୁଶ : ହାଇସ୍କୁଲରେ ପାଦ ରଖିପାରିବେନି ଆଫଗାନୀ ଝିଅ

ଛାତ୍ରୀଙ୍କ ପାଠପଢ଼ା ଉପରେ ତାଲିବାନୀ ଅଙ୍କୁଶ। ଉଚ୍ଚଶିକ୍ଷା ତ ଦୂରର କଥା, ହାଇସ୍କୁଲରେ ବି ପାଦ ରଖିପାରିବେନି ଆଫଗାନୀ ଝିଅ । ଷଷ୍ଠ ଶ୍ରେଣୀ ପରେ କୌଣସି ଛାତ୍ରୀ ଆଉ ସ୍କୁଲ ଯାଇପାରିବେ ନାହିଁ ବୋଲି ତାଲିବାନ ସରକାର ନିର୍ଦ୍ଦେଶ ଦେଇଛି

ସାଙ୍କେତିକ ଚିତ୍ର

ପୁରୁଣା ରାସ୍ତାରେ ତାଲିବାନ ସରକାର । କେବଳ ମହିଳା ଓ ପୁରୁଷଙ୍କ ପାଇଁ ଏକାଧିକ ଅଜବ ନିୟମ ନୁହେଁ, ତାଲିବାନକୁ ବିଶ୍ୱ ସ୍ତରରେ ପୁଣି ସମାଲୋଚନାର ଶିକାର ହେବାକୁ ପଡ଼ିଛି ଆଫନିସ୍ତାନର ଛାତ୍ରୀଙ୍କୁ ହାଇସ୍କୁଲ ଶିକ୍ଷାରୁ ବଞ୍ଚିତ କରିବାକୁ ନେଇ । ଅଳ୍ପ କିଛି କ୍ଷେତ୍ରରେ ନିଜର ନିଷ୍ପତ୍ତି ବି ବଦଳାଇଥିଲେ ସୁଦ୍ଧା ପୁରୁଣା ପ୍ରବୃତ୍ତି ଛାଡ଼ିନି । ଆଉ ତାଲିବାନ ଆଫଗାନିସ୍ତାନର ବୁଦ୍ଧ ମୂର୍ତ୍ତିର ସଂରକ୍ଷଣ କରିବ ବୋଲି ଘୋଷଣା କରିବା ଘଟଣା ତ ଲଙ୍କାରେ ହରିଶବ୍ଦ ଭଳି ହୋଇଛି ।

ଛାତ୍ରୀଙ୍କ ପାଠପଢ଼ା ଉପରେ ତାଲିବାନୀ ଅଙ୍କୁଶ। ଉଚ୍ଚଶିକ୍ଷା ତ ଦୂରର କଥା, ହାଇସ୍କୁଲରେ ବି ପାଦ ରଖିପାରିବେନି ଆଫଗାନୀ ଝିଅ । ଷଷ୍ଠ ଶ୍ରେଣୀ ପରେ କୌଣସି ଛାତ୍ରୀ ଆଉ ସ୍କୁଲ ଯାଇପାରିବେ ନାହିଁ ବୋଲି ତାଲିବାନ ସରକାର ନିର୍ଦ୍ଦେଶ ଦେଇଛି । ଗତ ମାର୍ଚ୍ଚ ୨୩ରେ ଦେଶରେ ସ୍କୁଲ ଖୋଲିଥିଲା । ତେବେ ଛାତ୍ରୀଙ୍କ ପୋଷାକକୁ ନେଇ ଅନେକ ଧାର୍ମିକ ସଂଗଠନ ବିରୋଧ କରିଥିଲେ । ଏହାପରେ ପୁଣିଥରେ ହାଇସ୍କୁଲ ସ୍ତରରେ ଶିକ୍ଷା ବନ୍ଦ କରି ଦିଆଯାଇଛି । ଏହି ନିଷ୍ପତ୍ତିକୁ ନେଇ ଦେଶ‍୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲେ ଅନେକ ମହିଳା ସଂଗଠନ।

ରାଜଧାନୀ କାବୁଲରେ ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସପ୍ତାହକ ମଧ୍ୟରେ ସ୍କୁଲ ଖୋଲାନଗଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଥିଲେ ମହିଳା ସଂଗଠନ । ସେପଟେ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ମଧ୍ୟ ତାଲିବାନର ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି । ଏହି ନିଷ୍ପତ୍ତି ବେଶୀଦିନ ତିଷ୍ଠିବ ନାହିଁ । ଆଫଗାନ ମହିଳା ସଶକ୍ତ ହେବାକୁ ଜାଣିଛନ୍ତି ବୋଲି କହିଛନ୍ତି ମଲାଲା ।.

ତାଲିବାନର ଏହି ନିଷ୍ପତ୍ତି ପରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆମେରିକା ଓ ଆଫଗାନିସ୍ଥାନ ମଧ୍ୟରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ବୈଠକକୁ ରଦ୍ଦ କରି ଦେଇଥିଲା ଆମେରିକା । ତେବେ ଆମେରିକାର ଏହି ନିଷ୍ପତ୍ତି ନେଇ ତାଲିବାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିଲା । ତାଲିବାନର କହିବା ଅନୁସାରେ ୧୯୯୬ରୁ ୨୦୦୧ ମଧ୍ୟରେ ଥିବା ଆଇନକୁ ସେମାନେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଛାତ୍ରୀ ଓ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ଅନୁମତି ନଥିବାବେଳେ ବର୍ତ୍ତମାନ ଏହାକୁ ସେମାନେ ପରିବର୍ତ୍ତନ କରିଛନ୍ତି । ଇସଲାମ ଆଇନ ଅନୁସାରେ ସେମାନେ ନୀତି ପ୍ରସ୍ତୁତ କରୁଥିବା କହିଛନ୍ତି ତାଲିବାନୀ ସରକାର । ୧୯୯୬ରୁ ୨୦୦୧ ମଧ୍ୟରେ ଛାତ୍ରୀଙ୍କ ଶିକ୍ଷା ଉପରେ କଟକଣା ଲଗାଇଥିଲା ତାଲିବାନ । ତେବେ ଆମେରିକା ଶାସନଭାର ହାତକୁ ନେବା ପରେ ଶିକ୍ଷାର ଅଗ୍ରଗତି ଘଟିଥିଲା ।.

ସେପଟେ ତାଲିବାନ ପୂର୍ବରୁ ଜାରି କରିଥିବା ଅନ୍ୟ ଏକ ଆଦେଶରେ ୟୁଟର୍ନ ଆଣିଛି । ଦେଶରେ ନାବାଳକଙ୍କୁ ସେନାରେ ଭର୍ତ୍ତି କରିବା ଉପରେ ଲାଗିଛି କଟକଣା। ତାଲିବାନୀ ଶାସକ ମୁଖ୍ୟ ମୁଲ୍ଲା ହେବତୁଲ୍ଲା ଅଖୁନ୍ଦଜାଦା ଏହି କଟକଣା ଲଗାଇଛନ୍ତି । ସେହିପରି ୨୧ ବର୍ଷ ପୂର୍ବେ ଆଫଗାନିସ୍ତାନର ବାମିୟାଁରେ ଥିବା ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଗୁଡିକୁ ନଷ୍ଟଭ୍ରଷ୍ଟ କରି ଦେଇଥିବା ତାଲିବାନ, ଏବେ ସେସବୁର ସୁରକ୍ଷା ଲାଗି ପ୍ରୟାସ ଆରମ୍ଭ କରିଛି । ଏହି ସମସ୍ତ ମୂର୍ତ୍ତି ଇସଲାମ ବିରୋଧି କହି ପୂର୍ବରୁ ନଷ୍ଟ କରି ଦେଇଥିଲା ତାଲିବାନ ।