Astrospeak
  • Live TV
  • Read In English

Trump's Immigration New Rule: ଟ୍ରମ୍ପ ପ୍ରଶାସନର ନୂଆ ନିୟମ, ଟେନସନରେ ପ୍ରବାସୀ ଭାରତୀୟ

୧୯୪୦ ମସିହାର ଏକ ଆଇନ ଅନୁଯାୟୀ ଯୁକ୍ତରାଷ୍ଟ୍ରରେ ପ୍ରବାସୀମାନଙ୍କୁ ପଞ୍ଜୀକରଣ କରିବାକୁ ବାଧ୍ୟ କରାଯାଇଥିଲା, କିନ୍ତୁ ଏହାକୁ କେବେ ବି ସ୍ଥିର ଭାବରେ ଲାଗୁ କରାଯାଇ ନଥିଲା। ହେଲେ ଏବେ ନୂତନ ନିୟମ ଗୁଡ଼ିକ କଡ଼ାକଡ଼ି କରି ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି । ହେଲେ ଏଇଠି ପ୍ରଶ୍ନ ଉଠେ କାହାକୁ ସରକାରଙ୍କ ପାଖରେ ପଞ୍ଜୀକରଣ କରିବାକୁ ପଡିବ? ଭାରତୀୟ H-1B ଏବଂ ଗ୍ରୀନକାର୍ଡ ଧାରକମାନଙ୍କୁ ମଧ୍ୟ ପଞ୍ଜୀକରଣ କରିବାକୁ ପଡିବ କି ?

ଟ୍ରମ୍ପଙ୍କ କଡ଼ା ନିୟମ
ଟ୍ରମ୍ପଙ୍କ କଡ଼ା ନିୟମ

ଆମେରିକାରେ ଟ୍ରମ୍ପଙ୍କ ରାଜ ଆରମ୍ଭ ହେବା ପରଠାରୁ ପ୍ରତିଦିନ କିଛି ନା କିଛି ନିୟମ ପରିବର୍ତ୍ତନ ହେଉଛି । ନୀତିଗତ ପରିବର୍ତ୍ତନରେ ସମସ୍ତ ପ୍ରବାସୀଙ୍କୁ ସବୁବେଳେ ପରିଚୟପତ୍ର ବହନ କରିବାକୁ ବାଧ୍ୟତାମୂଳକ କରିଛି ଟ୍ରମ୍ପ ପ୍ରଶାସନ । ଫଳରେ ଆମେରିକାରେ ଥିବା ସମସ୍ତ ପ୍ରବାସୀ, ଯେଉଁମାନେ ସେଠାରେ ଆଇନଗତ ଭାବରେ କାର୍ଯ୍ୟ କରୁଛନ୍ତି କିମ୍ବା ଅଧ୍ୟୟନ ଭିସାରେ ଅଛନ୍ତି, ସେମାନଙ୍କୁ ଏବେ 24x7 ସେମାନଙ୍କର ଆଇନଗତ ସ୍ଥିତିର ପ୍ରମାଣ ବହନ କରିବାକୁ ପଡ଼ିବ । ଆମେରିକାର ଏକ କୋର୍ଟ ଏହି ବିବାଦୀୟ ନିୟମ ଲାଗୁ କରିବାକୁ ଅନୁମତି ଦେବା ପରେ ଟ୍ରମ୍ପ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଆମେରିକାରେ ଅବୈଧ ପ୍ରବାସୀମାନଙ୍କୁ ସରକାରଙ୍କ ନିକଟରେ ପଞ୍ଜୀକରଣ କରି ନିଜ ପାଖରେ କାଗଜପତ୍ର ରଖିବାକୁ ପଡ଼ିବ ବୋଲି ପୂର୍ବରୁ ଏହି କୋର୍ଟ ରାୟ ଶୁଣାଇଥିଲେ । ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ Protecting the American People Against Invasion'ର ଏକ ଅଂଶ, ଏହି ନିୟମ ଏପ୍ରିଲ ୧୧ ରେ କାର୍ଯ୍ୟକାରୀ ହୋଇଛି । ଅବୈଧ ପ୍ରବାସୀଙ୍କୁ ଦମନ କରିବା ଏବଂ ବେଆଇନ ଭାବରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଦେଶାନ୍ତର କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଇଥିବା ଦ୍ରୁତ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ । ଦ ଏଲିୟନ ରେଜିଷ୍ଟ୍ରେସନ ରିକ୍ୱାରମେଣ୍ଟ (ARR) ୧୯୪୦ ମସିହାର ଏଲିଏନ୍ ପଞ୍ଜୀକରଣ ଆଇନରୁ ଆରମ୍ଭ ହୋଇଛି ।

୧୯୪୦ ମସିହାର ଏକ ଆଇନ ଅନୁଯାୟୀ ଯୁକ୍ତରାଷ୍ଟ୍ରରେ ପ୍ରବାସୀମାନଙ୍କୁ ପଞ୍ଜୀକରଣ କରିବାକୁ ବାଧ୍ୟ କରାଯାଇଥିଲା, କିନ୍ତୁ ଏହାକୁ କେବେ ବି ସ୍ଥିର ଭାବରେ ଲାଗୁ କରାଯାଇ ନଥିଲା। ହେଲେ ଏବେ ନୂତନ ନିୟମ ଗୁଡ଼ିକ କଡ଼ାକଡ଼ି କରି ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି । ହେଲେ ଏଇଠି ପ୍ରଶ୍ନ ଉଠେ କାହାକୁ ସରକାରଙ୍କ ପାଖରେ ପଞ୍ଜୀକରଣ କରିବାକୁ ପଡିବ? ଭାରତୀୟ H-1B ଏବଂ ଗ୍ରୀନକାର୍ଡ ଧାରକମାନଙ୍କୁ ମଧ୍ୟ ପଞ୍ଜୀକରଣ କରିବାକୁ ପଡିବ କି? ନୂଆ ନିୟମରେ କ’ଣ ରହିଛି ? ଆସନ୍ତୁ ନୂତନ ପଞ୍ଜୀକରଣ ନିୟମ ସମ୍ପର୍କରେ ଜାଣିବା..

ନୂତନ ପଞ୍ଜୀକରଣ ନିୟମ

ନୂତନ ରିକ୍ୱାରମେଣ୍ଟ ମୁଖ୍ୟତଃ ଅବୈଧ କିମ୍ବା ଦଲିଲ ନଥିବା ପ୍ରବାସୀମାନଙ୍କୁ ପ୍ରଭାବିତ କରିବ । ୧୪ ବର୍ଷରୁ ଅଧିକ ବୟସର ସମସ୍ତ ଅଣନାଗରିକ, ଯେଉଁମାନେ ଆମେରିକାରେ ୩୦ ଦିନ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ରୁହନ୍ତି, ସେମାନଙ୍କୁ ଫର୍ମ G-325R ପୂରଣ କରି ସରକାରଙ୍କ ନିକଟରେ ପଞ୍ଜୀକରଣ କରିବାକୁ ପଡିବ। ବାପାମା’ଙ୍କୁ ୧୪ ବର୍ଷରୁ କମ୍ ବୟସର ପିଲାମାନଙ୍କର ପଞ୍ଜୀକରଣ କରିବାକୁ ପଡିବ।

ଏହାବ୍ୟତୀତ ଏପ୍ରିଲ ୧୧ କିମ୍ବା ତା'ପରେ ଆମେରିକାରେ ପହଞ୍ଚିଥିବା ଲୋକଙ୍କୁ ଆଗମନର ୩୦ ଦିନ ମଧ୍ୟରେ ପଞ୍ଜୀକରଣ କରିବାକୁ ପଡିବ। ଯେଉଁମାନେ ପଞ୍ଜୀକରଣ କରିବାରେ ବିଫଳ ହୁଅନ୍ତି, ସେମାନଙ୍କୁ ଜରିମାନା, ଜେଲଦଣ୍ଡ କିମ୍ବା ଉଭୟ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଯେଉଁମାନେ ଠିକଣା ପରିବର୍ତ୍ତନ କରୁଛନ୍ତି, ସେମାନଙ୍କୁ ୧୦ ଦିନ ମଧ୍ୟରେ ସୂଚନା ଦେବାକୁ ପଡ଼ିବ , ନଚେତ୍ ସେମାନଙ୍କୁ ୫,୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡ଼ିପାରେ । ଏହା ସହିତ ୧୪ ବର୍ଷ ପୂରି ଥିବା ପ୍ରବାସୀ ପିଲାମାନଙ୍କୁ ସରକାରଙ୍କ ନିକଟରେ ପୁନଃପଞ୍ଜୀକରଣ କରିବାକୁ ପଡିବ ଏବଂ ୧୪ ବର୍ଷ ବୟସ ପୂରା ହେବାର ୩୦ ଦିନ ମଧ୍ୟରେ ସେମାନଙ୍କର ଫିଙ୍ଗରପ୍ରିଣ୍ଟ ଦାଖଲ କରିବାକୁ ପଡିବ।

H-1B ଭିସା, ଗ୍ରୀନକାର୍ଡ ଧାରକଙ୍କ ପାଇଁ ନିୟମ

ବୈଧ ଭିସା (କାର୍ଯ୍ୟ କିମ୍ବା ଅଧ୍ୟୟନ) କିମ୍ବା ଗ୍ରୀନକାର୍ଡ ଧାରଣ କରିଥିବା ବ୍ୟକ୍ତିମାନଙ୍କୁ ପୂର୍ବରୁ ପଞ୍ଜିକୃତ ବୋଲି ବିବେଚନା କରାଯାଏ, ସେଥିପାଇଁ ସେମାନଙ୍କୁ ପୁନର୍ବାର ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ। ତେଣୁ ଭାରତୀୟ ନାଗରିକ କିମ୍ବା H-1B ଭିସା ଥିବା ଆନ୍ତର୍ଜାତୀୟ ଛାତ୍ର, ଯାହାଙ୍କ ମଧ୍ୟରୁ ଅଧିକାଂଶ ଭାରତ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡିବ ନାହିଁ। ତଥାପି ସେମାନଙ୍କୁ ୨୪ ଘଣ୍ଟା ନିଜ ପାଖରେ ସମସ୍ତ ଡକ୍ୟୁମେଣ୍ଟ ରଖିବାକୁ ପଡିବ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଚରାଗଲେ ସେଗୁଡ଼ିକୁ ଦେଖାଇବାକୁ ପଡିବ। ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସମସ୍ତ ଅଣନାଗରିକଙ୍କୁ ସର୍ବଦା ଏହି ଡକ୍ୟୁମେଣ୍ଟ (ପଞ୍ଜିକରଣ ପ୍ରମାଣ) ସାଙ୍ଗରେ ରଖିବାକୁ ପଡିବ। ପ୍ରଶାସନ ଗୃହ ସୁରକ୍ଷା ବିଭାଗ (DHS)କୁ ପ୍ରବର୍ତ୍ତନର ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛି। ନିୟମ ପାଳନ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି DHS ସଚିବ କ୍ରିଷ୍ଟି ନୋଏମ ଏକ ବିବୃତ୍ତିରେ କହିଛନ୍ତି। ବର୍ତ୍ତମାନ ଆମେରିକାରେ ପ୍ରାୟ ୫.୪ ମିଲିୟନ ଭାରତୀୟ ଅଛନ୍ତି। ୨୦୨୨ ତଥ୍ୟ ଅନୁଯାୟୀ ଆମେରିକାରେ ୨,୨୦,୦୦୦ ଅବୈଧ ଭାରତୀୟ ପ୍ରବାସୀ ଅଛନ୍ତି। ଏହା ମୋଟ ଅବୈଧ ପ୍ରବାସୀ ସଂଖ୍ୟାର ୨%।

ପଞ୍ଜୀକରଣ ଆମେରିକାରେ ରହିବା ପାଇଁ ଅନୁମତିର ଗ୍ୟାରେଣ୍ଟି ଦିଏ କି ?

ପଞ୍ଜୀକରଣ ପରେ ମଧ୍ୟ ଆମେରିକାରେ ରହିବା ପାଇଁ ଅନୁମତିର ଗ୍ୟାରେଣ୍ଟି ଦିଏ ନାହିଁ । ଏହି ପଞ୍ଜୀକରଣ କେବଳ ସରକାର ଆପଣଙ୍କ ଉପସ୍ଥିତି ସମ୍ପର୍କରେ ଅବଗତ ଥିବା ନେଇ କରାଯାଉଛି । ଏଥିରୁ ଯଦି ଜଣାପଡ଼େ଼ କୌଣସି ବ୍ୟକ୍ତି ପାଖରେ ଉପଯୁକ୍ତ ଆଇନଗତ କାଗଜପତ୍ର ନାହିଁ, ତେବେ ବ୍ୟକ୍ତିଙ୍କୁ ଦେଶାନ୍ତର କରିବା ପାଇଁ ପଦକ୍ଷେପ ନିଆଯିବ। ପଞ୍ଜୀକରଣ ଫର୍ମରେ ଠିକଣା, ଆପଣଙ୍କ ଏବଂ ଆପଣଙ୍କ ପରିବାରର ବ୍ୟକ୍ତିଗତ ସୂଚନା ଏବଂ ପ୍ରବାସ ସ୍ଥିତି ପଚରାଯାଏ। ଫର୍ମରେ ଏକ ବିଭାଗ ମଧ୍ୟ ଅଛି ଯାହା ଦ୍ୱାରା ଜଣେ ବ୍ୟକ୍ତି କୌଣସି ଅପରାଧ କରିଛନ୍ତି କି ନାହିଁ ତାର ବିବରଣୀ ଦେବାକୁ ବାଧ୍ୟ । ସୂଚନା ଆଧାରରେ ଜଣେ ବ୍ୟକ୍ତିଙ୍କୁ ଅପରାଧ ପାଇଁ ଅଭିଯୁକ୍ତ କରାଯାଇପାରେ।

ଯେଉଁମାନେ ପଞ୍ଜୀକରଣ କରିବାରେ ବିଫଳ ହୁଅନ୍ତି, ସେମାନଙ୍କୁ ଜରିମାନା କିମ୍ବା ୬ ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ।

କେବଳ ଏତିକି ନୁହେଁ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏମ୍ପଲୟମେଣ୍ଟ ବେସଡ ଫିପ୍‌ଥ ପ୍ରିଫରେନ୍ସ ((EB-5) କାଟାଗୋରୀରେ ମଧ୍ୟ ହ୍ରାସ ଦେଖିବାପାଇଁ ମିଳିଛି । EB-5 ଅଣସଂରକ୍ଷିତ ବର୍ଗରେ ଭାରତ ଛଅ ମାସ ପଛକୁ ଚାଲିଯାଇଛି । ଏହାର ଅର୍ଥ ହେଉଛି ଏବେ ଗ୍ରୀନ କାର୍ଡ ପାଇବାରେ ଆହୁରି ବିଳମ୍ବ ହେବ। ପୂର୍ବରୁ ଏହି ବର୍ଗ କାର୍ଯ୍ୟକ୍ଷମ ଥିଲା, ଯାହା ଭାରତୀୟମାନଙ୍କୁ ବିନା ବିଳମ୍ବରେ ଗ୍ରୀନ କାର୍ଡ ପାଇଁ ଆବେଦନ କରିବାର ଅନୁମତି ଦେଉଥିଲା । ଏବେ କେବଳ ମେ ୧, ୨୦୧୯ ପ୍ରାୟରିଟି ଡେଟ ଥିବା ଲୋକଙ୍କୁ ଏକ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ । ଅବଶିଷ୍ଟ ଆବେଦନକାରୀ ବର୍ଦ୍ଧିତ ବକେୟା କାମ ଯୋଗୁ ଫସି ରହିବେ ।

ଏମ୍ପଲୟମେଣ୍ଟ ବେସଡ ଫାଷ୍ଟ ପ୍ରିଫରେନ୍ସ (EB1) ବର୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ । ଭାରତ ପାଇଁ EB1 କଟଅଫ୍ ତାରିଖ ରହିଛି ଫେବୃଆରୀ ୨୦୨୨ । ଚୀନ୍ ପାଇଁ ଏହା ନଭେମ୍ବର ୮, ୨୦୨୨, ଅନ୍ୟ ସମସ୍ତ ଦେଶ ପାଇଁ ଈ୧ ବର୍ଗ ଏବେ ବି ସକ୍ରିୟ ଅଛି। ଏମ୍ପଲୟମେଣ୍ଟ ବେସଡ ସେକେଣ୍ଡ ପ୍ରିଫରେନ୍ସ (EB2) ବର୍ଗରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତର କଟଅଫ୍ ତାରିଖ ୧ ଜାନୁଆରୀ ୨୦୧୩ ସ୍ଥିର ରହିଥିବା ବେଳେ ଚୀନର EB2 କଟଅଫ୍ ତାରିଖ ୧ ଅକ୍ଟୋବର, ୨୦୨୦।

ଏଗୁଡ଼ିକ ବ୍ୟତୀତ, ଅନ୍ୟ ସମସ୍ତ ଦେଶ ପାଇଁ EB2 କଟଅଫ୍ ୨୨ ଜୁନ୍, ୨୦୨୩ ରହିଛି । ଏମ୍ପଲୟମେଣ୍ଟ ବେସଡ ଥାର୍ଡ ପ୍ରିଫରେନ୍ସ (EB3) ବର୍ଗ ପାଇଁ ଭାରତର କଟଅଫ୍ ତାରିଖ ଏପ୍ରିଲ ୧୫, ୨୦୧୩ ପର୍ଯ୍ୟନ୍ତ ସାମାନ୍ୟ ବୃଦ୍ଧି କରାଯାଇଛି । ଚୀନ୍ ପାଇଁ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହା ନଭେମ୍ବର ୨୦୨୦ରେ ଅଛି। ଆମେରିକାର ଅନ୍ୟ ସମସ୍ତ ଦେଶ ପାଇଁ EB3 କଟଅଫ୍ ତାରିଖ ଜାନୁଆରୀ ୧, ୨୦୨୩ ରେ ସ୍ଥିର ରହିଛି । ଅନ୍ୟାନ୍ୟ ଶ୍ରମିକ ବର୍ଗରେ ଭାରତ ପାଇଁ EB3ର କଟଅଫ୍ ତାରିଖ ଏପ୍ରିଲ ୧୫, ୨୦୧୩ ରହିଛି । ଚୀନ୍ ପାଇଁ କଟଅଫ୍ ତାରିଖ ହେଉଛି ଏପ୍ରିଲ୍ ୨୦୧୭ । ଅନ୍ୟ ଦେଶଗୁଡ଼ିକ ପାଇଁ EB3 କଟଅଫ୍ ତାରିଖ ହେଉଛି ୨୦୨୧। ଏମ୍ପଲୟମେଣ୍ଟ ବେସଡ ଫୋର୍ଥ ପ୍ରିଫରେନ୍ସ ବା EB4ବର୍ଗ ସମସ୍ତ ଦେଶ ପାଇଁ 'ଅନୁପଲବ୍ଧ '। ଏହି ଆର୍ଥିକ ବର୍ଷ ପାଇଁ ଏହି ବର୍ଗର ସମସ୍ତ ପ୍ରବାସୀ ଭିସା ବ୍ୟବହାର ସରିଛି ।