ଶ୍ରୀଲଙ୍କା ଅର୍ଥନୀତିରେ ଢାଞ୍ଚାଗତ ତ୍ରୁଟି ରହିଥିବା ବେଳେ, କୌଣସି ସରକାର ଏହାକୁ ସୁଧାରିବାକୁ ଚେଷ୍ଟା କରିନାହାନ୍ତି । ବରଂ ସାମୟିକ ଭାବେ ଏହାର ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିଛନ୍ତି। ଫଳରେ ସମସ୍ୟା କ୍ରମାଗତ ଭାବେ ଜଟିଳ ହେବା ସହ ମହାଦ୍ରୁମର ଆକାର ଧାରଣ କରିଛି। ଗଲା ୧୫ ବର୍ଷ ହେବ ଶ୍ରୀଲଙ୍କାରେ ଶାସନ କ୍ଷମତାରେ ଥିବା ଦଳ ଋଣ କରି ଖର୍ଚ୍ଚ ଭରଣା କରୁଥିବା ବେଳେ ଋଣ ପରିଶୋଧର ବ୍ୟବସ୍ଥା କରିନାହାନ୍ତି। ସେହିପରି ବିଦେଶରୁ ଋଣ କରି ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି କରାଯାଇଥିବା ବେଳେ ରତ୍ପାନୀ ବୃଦ୍ଧି ଦ୍ୱାରା କିଭଳି ବୈଦେଶିକ ମୁଦ୍ରା ଆୟ କରାଯିବ ସେଥିପ୍ରତି ଧ୍ୟାନ ଦେଇନାହାନ୍ତି
ବର୍ତ୍ତମାନ ସମୟରେ ଶ୍ରୀଲଙ୍କାରେ ପର୍ଯ୍ୟାପ୍ତ କାଗଜ ଓ କାଳି ନଥିବାରୁ ସ୍କୁଲ ପରୀକ୍ଷା ଓ ଖବର କାଗଜ ମୁଦ୍ରଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡ଼ିଛି । କେବଳ ଅନଇନରେ ଖବରକାଗଜ ପଢ଼ି ହେଉଛି । ବହୁ ଖବରକାଗଜ ପୃଷ୍ଠା ସଂଖ୍ୟା ହ୍ରାସ କରିଛନ୍ତି । ପରୀକ୍ଷା ସ୍ଥଗିତ ରହିବା ଫଳରେ ୪୫ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ବିଦେଶୀ ମୁଦ୍ରା ନଥିବାରୁ କାଗଜ ଓ କାଳି ଆମଦାନୀ ହୋଇପାରୁନାହିଁ । ସେପଟେ ଅତ୍ୟାବଶ୍ଯକ ସାମଗ୍ରୀ ଦର ବି ଆକାଶଛୁଆଁ ହୋଇଛି ।
ଦେଶରେ ମୁଦ୍ରାସ୍ଫୀତି ଫେବ୍ରୁଆରୀରେ ୧୭.୫ ପ୍ରତିଶତରେ ପହଞ୍ଚିଛି । ଡାଲି , ଚାଉଳଠୁ ଆରମ୍ଭ କରି ଚିନି ଓ କ୍ଷୀର କିଣିବା ଉପରେ ବି ସରକାରଙ୍କୁ କଟକଣା ଲଗାଇବାକୁ ପଡିଛି । ଉଦାହରଣ ସ୍ୱରୂପ, ଆଗରୁ ପ୍ରତି ପରିବାର ଦିନକୁ ଏକ ଲିଟର କ୍ଷୀର କିଣୁଥିବା ବେଳେ, ଏବେ ଏହାକୁ ୪୦୦ ଗ୍ରାମକୁ କମାଇ ଦିଆଯାଇଛି । ଦେଶର ଅଧିକାଂଶ ସହରରେ ଦିନକୁ ଅତି କମରେ ୫ ଘଣ୍ଟା ବିଦ୍ୟୁତ୍ କାଟ୍ କରାଯାଉଛି ।.
କୋଭିଡ୍ ପରଠାରୁ ଶ୍ରୀଲଙ୍କା ଅର୍ଥନୀତି ଅଧିକ ଦୁର୍ବଳ ହୋଇପଡିଛି । ଚୀନ୍ ସହିତ ଶ୍ରୀଲଙ୍କାର ଋଣ ବ୍ୟବସ୍ଥା ବି ଏହାର ଅଧଃପତ୍ତନ ଲାଗି ଅନଂକାଂଶରେ ଦାୟୀ । ଚୀନ୍ ଠାରୁ ଶ୍ରୀଲଙ୍କା ପ୍ରାୟ ୫ ବିଲିୟନ ଡଲାରରୁ ଅଧିକ ଋଣ ନେଇଛି । ତେବେ ଅତି କମ୍ ଆମଦାନୀ ହେଉଥିବା ବନ୍ଦର, ବିମାନ ବନ୍ଦର ଓ ତାପଜ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ ଭଳି ପ୍ରକଳ୍ପରେ ଏହି ଅର୍ଥକୁ ବିନିଯୋଗ କରାଯାଇଛି । ଶ୍ରୀଲଙ୍କା ଅର୍ଥନୀତି ମୁଖ୍ୟ ଉପରେ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ ।
ତେବେ ୨୦୧୭ ବୋମା ବିସ୍ଫୋରଣ ପରେ ଦେଶକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲା । ଅନ୍ୟପକ୍ଷରେ ୨୦୨୦ରେ କୋଭିଡ୍ ସଂକ୍ରମଣ ଶ୍ରୀଲଙ୍କା ପଯର୍ୟଟନ ଶିଳ୍ପର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଏପଟେ ଚଳିଚ ବର୍ଷ ଆରମ୍ଭରୁ ଋଷିଆ-ୟୁକ୍ରେନ ବିବାଦ ଓ ପରେ ଯୁଦ୍ଧ, ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ।