ୟୁରୋପୀୟ ଦେଶରେ ଶରଣ ଖୋଜୁଛନ୍ତି ହସିନା, ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ

କେଉଁ ଦେଶରେ ଶରଣ ନେବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ? ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ ହେଉଥିବା କୁହାଯାଉଛି ।

Sheikh Hasina

କେଉଁ ଦେଶରେ ଶରଣ ନେବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ? ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ ହେଉଥିବା କୁହାଯାଉଛି । ଫଳରେ ଏବେ ଭାରତରେ ଅପେକ୍ଷା କରି ରହିଛନ୍ତି ହସିନା । ଦେଶରେ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଇସ୍ତଫା ଦେବାସହ ଦେଶ ଛାଡ଼ି ଭାରତ ଚାଲି ଆସିଥିଲେ ଶେଖ ହସିନା । ଏହାପରେ ସେ ୟୁରୋପରେ ଶରଣ ନେବାକୁ ଚେଷ୍ଟା ଚଳାଇଥିଲେ । ମାତ୍ର ବ୍ରିଟେନ ନିଜ ଦେଶରେ ତାଙ୍କୁ ଶରଣ ଦେବାକୁ ଇଚ୍ଛୁକ ନଥିବା କୁହାଯାଉଛି । ଏହା ମଧ୍ୟରେ ଏବେ ଆମେରିକା ମଧ୍ୟ ଶେଖ ହସିନାଙ୍କ ଭିସାକୁ ରଦ୍ଦ କରିଦେଇଛି ।

ଦୁଇ ଦେଶ ଦ୍ୱାରା ଶରଣ ନଦିଆଯିବା ଘଟଣାକ୍ରମ ଏପରି ଖବର ମଧ୍ୟରେ ଆସିଛି ଯେତେବେଳେ ପଶ୍ଚିମ ଦେଶ ସମେତ ଆମେରିକା ତାଙ୍କୁ ସତ୍ତାରୁ ହଟାଇବାକୁ ଚାହୁଁଥିବା କୁହାଯାଉଛି । ଶେଖ ହସିନା ଏବେ ଗାଜିଆବାଦ ନିକଟ ହିଣ୍ଡନ ଏୟାରବେସରେ ରହିଛନ୍ତି ।

ଅଧିକ ପଢନ୍ତୁ : ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଜାଳିଦେଲେ ଦୁର୍ବୃତ୍ତ, ଜିଅନ୍ତା ଜଳିଗଲେ ୨୪

ୟୁରୋପୀୟ ଦେଶରେ ଶରଣ ଖୋଜୁଛନ୍ତି ହସିନା

ଶେଖ ହସିନା ୟୁରୋପୀୟ ଦେଶରେ ଶରଣର ବିକଳ୍ପ ଖୋଜୁଛନ୍ତି । କିଛି ରିପୋର୍ଟ ଅନୁସାରେ ବ୍ରିଟେନ, ହସିନାଙ୍କୁ ଶରଣ ଦେବାକୁ ଇଚ୍ଛୁକ ନୁହେଁ । ମାତ୍ର ଅନ୍ୟ ଏକ ରିପୋର୍ଟ ଅନୁସାରେ ହସିନାଙ୍କ ଭଉଣୀ ରେହାନାଙ୍କ ପାଖରେ ବ୍ରିଟେନର ନାଗରିକତା ରହିଥିବାରୁ ସେ ଜଲଦି ବ୍ରିଟେନ ଅଭିମୁଖେ ଯାତ୍ରା କରିପାରନ୍ତି ।

ଶେଖ ହସିନାଙ୍କୁ ଦେଶରୁ ବାହାର କରିବାକୁ ବ୍ୟବସ୍ଥା କରିଥିଲା ସେନା

ସୋମବାର ଶେଖ ହସିନାଙ୍କୁ ଢାକାରୁ ବାହାରକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲା ସେନା । କାରଣ ତାଙ୍କର ସଂରକ୍ଷଣ ନୀତି ବିରୁଦ୍ଧରେ ସରକାର ବିରୋଧୀ ପ୍ରଦର୍ଶନ ସାଂଘାତିକ ରୂପ ନେଇଥିଲା ଓ ଗତ କିଛି ସପ୍ତାହ ଧରି ଇସ୍ତଫା ଦେବାପାଇଁ ତାଙ୍କ ଉପରେ ଚାପ ବଢୁଥିଲା । ବିରୋଧ ପ୍ରଦର୍ଶନ ବାଂଲାଦେଶରେ ହିଂସ୍ର ରୂପ ନେଇଥିଲା ଓ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଇସ୍ତଫାର କିଛି ଘଣ୍ଟା ପରେ ହିଁ ବିକ୍ଷୋଭ ପ୍ରଦର୍ଶନକାରୀ ଶେଖ ହସିନାଙ୍କ ବାସଭବନରେ ଧସେଇ ପଶିଥିଲେ ଓ ତାଙ୍କ ବାସଭବନରେ ଭଙ୍ଗାରୁଜା କରିଥିଲେ ।

ସୋମବାର ଭାରତ ପହଞ୍ଚିଥିଲେ ଶେଖ ହସିନ

ସୋମବାର ଭାରତ ପହଞ୍ଚିବା ପରେ ଶେଖ ହସିନା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବରିଷ୍ଠ ଅନ୍ୟ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ । ଭାରତ ପକ୍ଷରୁ ତାଙ୍କୁ ପୁରା ସୁରକ୍ଷା ଦେବାକୁ ଆଶ୍ୱାସନା ଦିଆଯାଇଛି । ଭାରତୀୟ ବାୟୁସେନା ତାଙ୍କର ବିମାନଯାତ୍ରା ଉପରେ ନଜର ରଖିଥିଲା ଓ ତାଙ୍କର ଯାତ୍ରା ସୁରକ୍ଷିତ କରିବା ପାଇଁ ରାଫେଲ୍ ଯୁଦ୍ଧବିମାନକୁ ପ୍ରସ୍ତୁତ ରଖାଯାଇଥିଲା ।

ବାଂଲାଦେଶରେ ଏବେବି ସ୍ଥିତି ଅସ୍ଥିର
ବାଂଲାଦେଶରେ ଏବେବି ସ୍ଥିତି ଅସ୍ଥିର ରହିଛି । ନୋବେଲ ପୁରସ୍କାର ବିଜେତା ଡ. ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ କରିବା ନେଇ ସେନା ପକ୍ଷରୁ ଘୋଷଣା କରାଯାଇଛି । ମଙ୍ଗଳବାର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସଂସଦରେ କହିଥିଲେ ଯେ, ହସିନା ଅଚାନକ ଇସ୍ତଫା ଦେବାପରେ ସୁରକ୍ଷିତ ଯାତ୍ରା ପାଇଁ ଭାରତ ସହ ସଂପର୍କରେ ଥିଲେ । 

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ! ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ିଲେନି...