ଆତ୍ମହତ୍ୟା ରୋକିବ ଫ୍ୟାନ୍‌ : ଓଜନ ବଢ଼ିଲେ ତଳକୁ ଖସିବ ସ୍ୱତନ୍ତ୍ର ପଙ୍ଖା

ଅବସରପ୍ରାପ୍ତ ପ୍ରଫେସରଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ଫ୍ୟାନରେ ଅତ୍ମହତ୍ୟା କରିବାକୁ ଚେଷ୍ଟା କଲେ ସେ ତିଆରି କରିଥିବା ଫ୍ୟାନ୍ ତଳକୁ ଖସି ଆସିବ।

ଫ୍ୟାନ ରୋକିବ ଆତ୍ମହତ୍ୟା

ଫ୍ୟାନ ରୋକିବ ଆତ୍ମହତ୍ୟା । ଦିନକୁ ଦିନ ଦେଶରେ ଆତ୍ମହତ୍ୟା ପରି ଘଟଣା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଏକ ପଙ୍ଖାର ଉଦ୍ଭାବନ ହୋଇଛି । ଆଉ ଏପରି ସ୍ୱତନ୍ତ୍ର ପଙ୍ଖା ତିଆରି କରିଛନ୍ତି ଇନ୍ଦୋରର ଅବସରପ୍ରାପ୍ତ ପ୍ରଫେସର ପିକେ ଚାନ୍ଦେ । ବଜାରରେ ମିଳୁଥିବା ସାଧାରଣ ଫ୍ୟାନରେ ସେ ଏକ ଭିନ୍ନ ପ୍ରକାର ଟେକ୍ନୋଲୋଜିର ପ୍ରୟୋଗ କରି ନୂତନ ଭାବେ ବିକଶିତ କରିଛନ୍ତି ।

ଫ୍ୟାନରେ ଲାଗିଥିବା ରଡକୁ ବଦଳାଇ ଏଥିରେ ଏକ ନୂତନ ପ୍ରକାରର ରଡ ଲଗାଯାଇଛି । ଯାହାକୁ  SEEM ସେଫ୍ ଇଜି ଇଫେକେଟିଭ୍ ମେଣ୍ଟେନାନ୍ସ ଟେକନୋଲଜି ବୋଲି କହିଛନ୍ତି ପ୍ରଫେସର ଚାନ୍ଦେ । ଏହା ଦ୍ୱାରା ଯଦି ଜଣେ ପଙ୍ଖାରେ ଝୁଲିବାକୁ ଚେଷ୍ଟା କରେ ତେବେ ଏହି ରଡ ଆପେ ଆପେ ତଳକୁ ଖସି ଆସିବ । ଫଳରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯିବ । 

ସେହିଭଳି ଏହି ଫ୍ୟାନର ଆଉ ଏକ ବିଶେଷତ୍ୱ ହେଉଛି ଯେ ଏହାର ସହଜ ରକ୍ଷଣାବେକ୍ଷଣ ବ୍ୟବସ୍ଥା । ଫ୍ୟାନ୍ ଏବଂ ଏହାର ପତାରେ ଯଦି ଅଳନ୍ଧୁ ଲାଗେ, ଏହାକୁ ସହଜରେ ସଫା କରିହେବ । କାରଣ ଏହି ରଡ ଦ୍ୱାରା ଫ୍ୟାନ ପ୍ରାୟ ୫ ଫୁଟ ତଳକୁ ଖସି ଆସିବ ଯାହା ଫଳରେ ସଫା କରିବାକୁ ଆଉ ଚେୟାର କି ଟେବୁଲ୍ ଉପରେ ଚଢିବାକୁ ପଡ଼ିବ ନାହିଁ । ତେବେ ଏହି ଟେକ୍ନୋଲୋଜି ଦ୍ୱାରା ଫ୍ୟାନର କାର୍ଯ୍ୟକ୍ଷମତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।