ଲୁଡୁ ଖେଳୁ ଖେଳୁ ହୋଇଗଲା ପ୍ରେମ ! ପିଲାଛୁଆ ଛାଡ଼ି ପାକିସ୍ତାନ ପଳାୟନ କରିବା ସମୟରେ ଧରିଲା ପୋଲିସ୍

ଅନଲାଇନ୍‌ରେ ଲୁଡୁ ଖେଳୁ ଖେଳୁ ପ୍ରେମରେ ପଡ଼ିଗଲେ ମହିଳା । ପ୍ରେମିକଙ୍କୁ ପାଇବାକୁ ସୀମା ସରହଦ ପାର କରିଯିବାକୁ ଚାହୁଁଥିଲେ ।

ଲୁଡୁ ଖେଳୁ ଖେଳୁ ହୋଇଗଲା ପ୍ରେମ

 ଲୁଡୁ ଖେଳୁ ଖେଳୁ ପାକିସ୍ତାନୀ ଯୁବକଙ୍କୁ ହୃଦୟ ଦେଇ ବସିଲେ ଭାରତୀୟ ବିବାହିତ ମହିଳା । ପିଲାଛୁଆ ଛାଡ଼ି ପ୍ରେମିକ ପାଖକୁ ଉଡ଼ିଯିବାକୁ ମନ ଚାହିଁଲା । ବିବାହିତ ହୋଇଥିବା ସତ୍ତ୍ୱେ ପରିବାର କଥା ଭୁଲି ଗଲେ, କୁନି କୁନି ପିଲା ପର ହୋଇଗଲେ ,ଶତ୍ରୁ ଦେଶକୁ ଚାଲିଯିବାକୁ ବାହାରିପଡ଼ିଲେ । ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ଜଣେ ବିବାହିତା ମହିଳା ଅନଲାଇନ୍ ଲୁଡୁ ଖେଳିବା ସମୟରେ ପାକିସ୍ତାନରେ ରହୁଥିବା ଅଲୀ ନାମକ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇଥିଲା । ଖେଳ ଖେଳୁ ଖେଳୁ ଉଭୟେ ପରସ୍ପରକୁ ଭଲ ପାଇ ବସିଲେ । ଆଉ ତାପରେ ମହିଳା ଜଣକ ତାଙ୍କ ଶାଶୂ ଏବଂ ପିଲାଙ୍କୁ ଛାଡି ପାକିସ୍ତାନ ଚାଲିଯିବାକୁ ମନସ୍ଥ କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଅମୃତସରର ଜାଲିଆନାୱାଲାବାଗ ଅଞ୍ଚଳରୁ ଧରିନେଇଥିଲା । ମହିଳା ଜାଲିଆନାୱାଲାବାଗ ନିକଟ ଅଟ୍ଟାରୀ ଯିବା ପାଇଁ ପଚରାଉଚରା କରୁଥିବାବେଳେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ସନ୍ଦେହ ହୋଇଥିଲା । ଘଟଣାଟି ସାମ୍ନାକୁ ଆସିବା ପରେ ମହିଳାଙ୍କୁ ପଚରାଉଚରା କରାଯାଇଥିଲା । ବର୍ତ୍ତମାନ ମହିଳାଙ୍କୁ ଧରିବା ପରେ ସମ୍ପର୍କୀୟଙ୍କୁ ଅମୃତସରଙ୍କୁ ଡକାଇ ତାଙ୍କୁ ହସ୍ତାନ୍ତର କରିଛନ୍ତି।

ମାତ୍ର ମାସ ପୂର୍ବରୁ ଅନଲାଇନରେ ଲୁଡ଼ୁ ଖେଳୁଥିବାବେଳେ ପାକିସ୍ତାନର ଜଣେ ଯୁବକ ଅଲୀଙ୍କ ସହ ବନ୍ଧୁତା ହୋଇଥିବା ପୋଲିସ୍‌କୁ କହିଛନ୍ତି ମହିଳା । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହୋଉଥିଲା । ଚାଟିଂରୁ କଥାବାର୍ତ୍ତା ଆଉ ତା’ପରେ ପ୍ରେମ । ପାକିସ୍ତାନ ଯୁବକଙ୍କ ପ୍ରେମରେ ଏକପ୍ରକାର ପାଗଳିନୀ ହୋଇଯାଇଥିଲେ ମହିଳା ଜଣକ । ଅନ୍ୟପଟେ ପାକିସ୍ତାନୀ ଯୁବକ ବିବାହିତା ମହିଳାଙ୍କୁ ଭେଟିବା ପାଇଁ ଅଟ୍ଟାରୀ ସୀମାକୁ ଡାକିଥିଲେ। କୌଣସି ପ୍ରକାରେ ଅଟ୍ଟାରୀ ସୀମାରେ ପହଞ୍ଚିବା ପରେ ସାଥୀରେ ପାକିସ୍ତାନ ନେଇଯିବେ ବୋଲି ପ୍ରତିଶ୍ରତି ଦେଇଥିଲେ ।

ଆଉ ଏଥିପାଇଁ ପ୍ରେମ ପାଗଳିନୀ ମହିଳା ଜଣକ ନିଜ ପରିବାର ଏବଂ ଦୁଇ କୁନି ପିଲାମାନଙ୍କୁ ଘରେ ଛାଡି ବୁଧବାର ଅପରାହ୍ନରେ ପାକିସ୍ତାନ ଅଭିମୁଖେ ବାହାରି ପଡ଼ିଥିଲେ । ଜାଲିଆନାୱାଲାବାଗରେ ପହଞ୍ଚିବା ପରେ ବିବାହିତା ମହିଳା ଜଣକ ଅଟ୍ଟାରୀ ଯିବାକୁ ଏକ ଅଟୋ ଖୋଜିବା ଆରମ୍ଭ କରିଥିଲେ । ଏହି ସମୟରେ ଅମୃତସର ପୋଲିସ ତାଙ୍କୁ ଧରି ନେଇଥିଲା । ପଚରାଉଚରା କରିବା ପରେ ବିବାହିତ ମହିଳା ଅନଲାଇନ୍ ବନ୍ଧୁତା ବନ୍ଧୁତା ସମ୍ପର୍କରେ ପୋଲିସ୍‌କୁ ଗୋଟି ଗୋଟି କରି ସବୁକଥା କହିଥିଲେ । ପାକିସ୍ତାନୀ ଯୁବକଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରୁଥିବା ଜଣାଇଥିଲେ।

ମହିଳା ଜଣକ ପରିବାର ଛାଡି ଦୁଇ ଦିନ ପୂର୍ବରୁ ଘରୁ ବାହାରି ଆସିଥିଲେ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ବୁଧବାର ଦିନ ଘରୁ ପଳାଇ ଆସିବା ପରେ ଶାଶୂଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଉ ଏହାରି ଭିତରେ ଗୁରୁବାର ଦିନ ଅମୃତସର ପୋଲିସ ଜାଲିଆନାୱାଲାବାଗ ଅଞ୍ଚଳର ମହିଳାଙ୍କୁ ଧରିଥିଲା । ତେବେ ଏ ସମ୍ପର୍କରେ ପୋଲିସ ଷ୍ଟେସନର କୌଣସି ଲିଖିତ ଅଭିଯୋଗ ଦେଇନଥିଲେ ପରିବାର ଲୋକେ । ଏବେ ମହିଳାଙ୍କୁ ସମ୍ପର୍କୀୟଙ୍କ ସହ ଘରକୁ ପଠାଇ ଦେଇଛି ପୋଲିସ୍ ।