Espionage
ସୋସିଆଲ୍ ମିଡିଆରେ ବନ୍ଧୁତା କରୁଛନ୍ତି ପାକ୍ ଯୁବତୀ । ଗୁଇନ୍ଦାଗିରି କରି ହାସଲ କରୁଛନ୍ତି ଭାରତୀୟଙ୍କ ଠାରୁ ତଥ୍ୟ । ସେନାବାହିନୀ କର୍ମଚାରୀଙ୍କୁ ବି ହାତେଇ ନେଇଯାଉଛନ୍ତି ତଥ୍ୟ । ଏମିତି ପୁଣି ଏକ ଘଟଣା ଘଟିଛି ହରିୟାଣାରେ । ଅପରେସନ ସିନ୍ଦୂର ସମୟରେ ବି ସେନାବାହିନୀର ତଥ୍ୟ ଲିକ୍ କରିଥିଲେ ବିଶାଲ ଯାଦବ ନାମକ ଜଣେ କର୍ମଚାରୀ । ଏହି କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଛି ।
ଦିଲ୍ଲୀ ସେନାବାହିନୀ ମୁଖ୍ୟାଳୟରେ କାର୍ଯ୍ୟରତ ଏହି କର୍ମଚାରୀ ଅପରେସନ ସିନ୍ଦୂର ତଥ୍ୟ ପାକିସ୍ତାନକୁ ଲିକ୍ କରି ପାଇଥିଲେ ୫୦ ହଜାର ଟଙ୍କା । ଏହା ଅଭିଯୁକ୍ତ ସ୍ୱୀକାର କରିଥିବା ପୋଲିସ୍ କହିଛି । ବିଶାଲ୍ ଡକୟାର୍ଡ ନିର୍ଦ୍ଦେଶାଳୟରେ ଜଣେ ଅପର୍ ଡିଭିଜନ୍ କ୍ଲର୍କ ବା ୟୁଡିସି ଭାବେ କାମ କରନ୍ତି । ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ହୋଇଥିବା ସିରିଜ୍ ଆକ୍ରମଣ ସଂପର୍କରେ ସେ କିଛି ନିର୍ଦ୍ଧିଷ୍ଟ ତଥ୍ୟ ଦେଇଥିଲେ ।
ହରିୟାଣାର ପୋଲିସ ଆଇଜି ବିଷ୍ଣୁକାନ୍ତ ଗୁପ୍ତା କହିଛନ୍ତି, ବିଶାଲ ପାକିସ୍ତାନୀ ଯୁବତୀଙ୍କୁ କିଛି ସମ୍ୱେଦନଶୀଳ ତଥ୍ୟ ଦେଇଥିଲେ । ତାଙ୍କୁ ଗିରଫ କରାଯାଇଛି । ଏବେ ଏକାଧିକ ଏଜେନ୍ସୀ ଏହା ଉପରେ ତଦନ୍ତ କରୁଛନ୍ତି । ସେ ଅପରେସନ ସିନ୍ଦୂର ବେଳେ ୫୦ ହଜାର ଟଙ୍କା ପାଇଥିବା ବେଳେ ମୋଟରେ ୨ ଲକ୍ଷ ଟଙ୍କା ପାଇଛନ୍ତି । କିଛି ପେମେଣ୍ଟ କ୍ରିପ୍ଟୋକରେନ୍ସୀ ଜରିଆରେ ମଧ୍ୟ ହୋଇଛି ।
ଜଣେ ଭାରତୀୟ ମହିଳା ପ୍ରିୟା ଶର୍ମା ବୋଲି ପରିଚୟ ଦେଇ ବନ୍ଧୁତା କରିଥିଲେ ଏହି ପାକିସ୍ତାନୀ ଯୁବତୀ । ପ୍ରଥମେ ଫେସବୁକରେ ବିଶାଲଙ୍କୁ ପଠାଇଥିଲେ ଫ୍ରେଣ୍ଡ ରିକୁଏଷ୍ଟ । ଏହା ପରେ ଦୁଇଜଣଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ହୋଇଥିଲା । ପରେ ଦୁଇଜଣ ହ୍ୱାଟସଆପ୍ ଓ ଟେଲିଗ୍ରାମରେ ଯୋଗାଯୋଗ କରିଥିଲେ । ପ୍ରଥମେ ବିଶାଳ ସେନାବାହିନୀ ସଂପର୍କରେ ଛୋଟମୋଟ ଖବର ଦେଇଥିଲେ । ପାକିସ୍ତାନୀ ଯୁବତୀଜଣକ ସେତେବେଳେ ୫-୬ ହଜାର ଟଙ୍କା ଦେଉଥିଲେ । ପରେ ସେ କ୍ଲାସିଫାଏଡ ଡିଫେନ୍ସ ଡାଟା ମାଗିଥିଲେ । ଏଥିପାଇଁ ସେ ଅଧିକ ଅର୍ଥ ଦେବା ଆରମ୍ଭ କରିଥିଲେ । ଟଙ୍କା ଲୋଭରେ ବିଶାଲ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସେୟାର କରିଥିଲେ ବୋଲି କହିଛନ୍ତି ପୋଲିସ ଆଇଜି । ବିଶାଲଙ୍କ ସୋସିଆଲ ମିଡିଆ ହାଣ୍ଡଲ୍ ମନିଟର କରାଯିବା ପରେ ତାଙ୍କର ପାକିସ୍ତାନୀ ହାଣ୍ଡଲରଙ୍କ ସହ ସଂପର୍କ ଥିବା ଜଣାପଡିଥିଲା ।
ଏହି କର୍ମଚାରୀ ଜଣକ ପ୍ରାୟ ସମୟରେ ଅନଲାଇନ ଗେମ୍ ଖେଳୁଥିଲେ । ଏହି କାରଣରୁ ସେ ଗୁପ୍ତଚରଙ୍କ ଟ୍ରାପରେ ପଡିଯାଇଥିବା ସନ୍ଦେହ କରାଯାଉଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Espionage_1750946712.jpg)