ମାନବ ଏବଂ ପ୍ରକୃତି ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ରହିଛି । ପ୍ରକୃତିର କୋଳରେ ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପାଳିତ ହୁଏ । ପ୍ରାକୃତିକ ପରିବେଶ ହିଁ ମଣିଷ ଜୀବନର ଆଧାରଶୀଳା । ଏହି ଆଧାର ବିନା ମଣିଷ ବଂଚିବା ଅସମ୍ଭବ । ସକାଳର ସୂର୍ଯ୍ୟୋଦୟ ଠାରୁ ଚନ୍ଦ୍ରର ସୁଶୀତଳ କିରଣ, ଶୁଦ୍ଧବାୟୁର ନିଶ୍ୱାସପ୍ରଶ୍ୱାସଠାରୁ ବିଶୁଦ୍ଧ ଜଳପାନ ଭିତରେ ନିତିଦିନର ଜୀବ ଓ ଜୀବନ ନିୟନ୍ତ୍ରିତ । ହେଲେ ମନୁଷ୍ୟର ଦାୟିତ୍ୱହୀନତା ପାଇଁ ଶୋଷଣର ଶିକାର ହେଉଛି ପ୍ରକୃତି । ମାନବ ସମାଜ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ଛିଡ଼ା ହୋଇଛି। ପ୍ରକୃତି କ୍ରମଶଃ ରୁଦ୍ରରୂପ ଧାରଣ କରୁଛି। ବନ୍ୟା, ବାତ୍ୟା, ଭୂମିକମ୍ପ, ଘଡଘଡି ଓ ଅଜଣା ମହାମାରୀ ଜୀବନ ଭିତରକୁ ପଶି ଆସୁଛି । ପୁଣି ଥରେ ପ୍ରକୃତି ନିଜର କରାଳ ରୂପ ଦେଖାଇଛି ।
ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଅପରାହ୍ନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ୭.୭ ତୀବ୍ରତାଯୁକ୍ତ ଭୂମିକମ୍ପର କେନ୍ଦ୍ର ଥିଲା ମିଆଁମାର, କିନ୍ତୁ ଏହା ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଧ୍ୱଂସର ତାଣ୍ଡବଲୀଳା ରଚିଛି । ଭୂମିକମ୍ପ ଯୋଗୁଁ ହଠାତ ଥରି ଉଠିଥିଲା ମାଟି.. ଆଖି ପିଛୁଳାକେ ଭୁଷୁଡ଼ି ଗଲା ନିର୍ମାଣଧୀନ କୋଠା.. ଆଉ କ୍ଷଣିକ ଭିତରେ ଧ୍ବଂସର ଖେଳ ଖେଳିଥିଲା ପ୍ରକୃତି । କେଉଁଠି ବିଶାଳ ପୋଲ ଭାଙ୍ଗିଯାଇଛି ତ ପୁଣି କେଉଁଠି ରାସ୍ତା ଫାଟି ଆଁ କରିଛି । ମାଟି ତଳେ ଅନେକ ଲୋକ ଫସି ରକ୍ଷା କରିବାକୁ ଚିତ୍କାର କରୁଥିବା ବେଳେ ଲୁହଭରା ଆଖିରେ ଆପଣାର ଲୋକଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ସମ୍ପର୍କୀୟ ।
Also Read
ବ୍ୟାଙ୍କକରେ ରହୁଥିବା ଜଣେ ଭାରତୀୟ ନାଗରିକ ପ୍ରେମ କିଶୋର ମହାନ୍ତି ଭୂମିକମ୍ପ ସମୟର ଛାତିଥରା କାହାଣୀ ବଖାଣିଛନ୍ତି । ଭୂମିକମ୍ପ ସମୟରେ ସେ ତାଙ୍କ ଝିଅର ସ୍କୁଲ ଅଡିରଟୋରିୟମରେ ବସିଥିଲେ । ସ୍କୁଲରେ ଏକ କାର୍ଯ୍ୟକ୍ରମ ଥିବାରୁ ପିଲାଙ୍କ ଭିତରେ ଉତ୍ସାହ ସ୍ପଷ୍ଟ ଦେଖାଯାଉଥିଲା, ଆଉ ଅଭିଭାବକମାନେ ମଧ୍ୟ ନିଜ ନିଜ ପିଲାଙ୍କୁ ଉତ୍ସାହିତ କରିବାକୁ ସେଠାରେ ରୁଣ୍ଡ ହୋଇଥିଲେ । ହେଲେ ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଚାରିଆଡ଼େ ଭୟ ଖେଳି ଯାଇଥିଲା । ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଖାଲି ସ୍ଥାନକୁ ଦୌଡ଼ିଥିଲେ ।
ସେ କହିଛନ୍ତି, ମୋତେ ଲାଗିଲା ମୋ ମୁଣ୍ଡ ତୀବ୍ର ବେଗରେ ଘୁରୁଛି । ଉପରେ ଥିବା ଲାଇଟ, ଫ୍ୟାନ ସବୁ ଶୁଖିଲା ପତ୍ର ପରି ହଲୁଥାଏ । ଏହି କ୍ଷଣି ଜୀବନ ଚାଲିଯିବ ପରି ଲାଗୁଥିଲା । ହଠାତ ସ୍କୁଲ କର୍ତ୍ତୃପକ୍ଷ ବାହାରକୁ ଯିବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସୁଉଚ୍ଚ ଅଟ୍ଟାଳିକା ଥିବା ସ୍ଥାନରୁ ଦୂରେଇ ଖାଲି ସ୍ଥାନକୁ ଯିବାପାଇଁ କୁହାଯାଇଥିଲା । ସେତେବେଳକୁ ଆଖପାଖ ବିଲ୍ଡିରେ ଥିବା ସ୍ୱିମିଂ ପୁଲର ପାଣି ଭୂମିକମ୍ପ ଝଟକାରେ ଝରଣା ପାଣି ପରି ବହିବାରେ ଲାଗିଥିଲା ।
ସହରରେ ଭୟର ବାତାବରଣ
ସହରର ଇଣ୍ଟରକଣ୍ଟିନେଣ୍ଟାଲ ବ୍ୟାଙ୍କକ ହୋଟେଲର ଉଚ୍ଚ ମହଲାରେ ନିର୍ମିତ ସୁଇମିଂ ପୁଲରୁ ପାଣି ଖସିଯିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିଶୋର ମହାନ୍ତି ଏବଂ ତାଙ୍କ ପରିବାର ବ୍ୟାଙ୍କକର ସୁଖମୁବିତ ଅଞ୍ଚଳରେ ରୁହନ୍ତି, ଯେଉଁଠାରେ ବହୁ ପ୍ରବାସୀ ସମ୍ପ୍ରଦାୟ ବସବାସ କରନ୍ତି । "ଏହା ଭୟାନକ ଥିଲା। ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ରହୁଥିବା ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକଙ୍କର ପତ୍ତା ମିଳୁନି, କାହାର ମା’ ମାଟି ତଳେ ଦବି ଯାଇଛି, ତ କିଏ ଛୁଆକୁ ଖୋଜୁଛି ।
ସେ କହିଛନ୍ତି, “ମୁଁ ମୋ ଜୀବନରେ ଏତେ ବଡ଼ ଭୂକମ୍ପ କେବେ ଦେଖି ନାହିଁ । ଭୂମିକମ୍ପ ଯୋଗୁଁ ସହର ଏକପ୍ରକାର ଠପ ହୋଇଯାଇଛି। ସରକାରୀ କାର୍ଯ୍ୟାଳୟ ପାଇଁ ନିର୍ମାଣ କରାଯାଉଥିବା ୩୦ ମହଲା କୋଠା ଭୁଶୁଡ଼ି ପଡ଼ିଛି ଏବଂ ଏଥିରେ ଅତି କମରେ ୪୩ ଜଣ ଶ୍ରମିକ ମାଟି ତଳେ ପୋତି ହୋଇଯାଇଛନ୍ତି । ବ୍ୟାଙ୍କକରେ ଏଭଳି ଭୂକମ୍ପ ଏକ ଭୟାନକ ଅନୁଭୂତି ଦେଇଛି। ବର୍ତ୍ତମାନ ବ୍ୟାଙ୍କକର ମେଟ୍ରୋ ଏବଂ ରେଳ ସେବା ବନ୍ଦ ରହିଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
ଦୂତାବାସ ଜାରି କରିଛି ନମ୍ବର
ଥାଇଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରି କରି କହିଛି, ବ୍ୟାଙ୍କକ ଏବଂ ଥାଇଲ୍ୟାଣ୍ଡର ଅନ୍ୟାନ୍ୟ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ଦୂତାବାସ ଥାଇ ଅଧିକାରୀଙ୍କ ସହଯୋଗରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଭାରତୀୟ ନାଗରିକଙ୍କ ସହ ଏପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ। ଜରୁରୀକାଳୀନ ସ୍ଥିତିରେ ଥାଇଲ୍ୟାଣ୍ଡର ଭାରତୀୟ ନାଗରିକମାନେ ଜରୁରୀକାଳୀନ ନମ୍ବର +୬୬ ୬୧୮୮୧୯୨୧୮ ସହିତ ଯୋଗାଯୋଗ କରିପାରିବେ ।
ବିଶେଷଜ୍ଞଙ୍କ ଅନୁଯାୟୀ, ଥାଇଲ୍ୟାଣ୍ଡ ସାଧାରଣତଃ ଭୂମିକମ୍ପ ପ୍ରବଣ ଅଞ୍ଚଳ ନୁହେଁ, କିନ୍ତୁ ମିଆଁମାର ଏବଂ ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ ଗତିବିଧି ଏହା ଉପରେ ପ୍ରଭାବ ପକାଛି । ଥାଇଲ୍ୟାଣ୍ଡ ପ୍ରଶାସନ ସମସ୍ତ କୋଠା ଯାଞ୍ଚ ଆରମ୍ଭ କରିଛି ଏବଂ ଜରୁରୀକାଳୀନ ପରିଚାଳନା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପର ଅପଡେଟ
- ମିଆଁମାର ଏବଂ ପଡୋଶୀ ଥାଇଲ୍ୟାଣ୍ଡରେ ୭.୭ ଏବଂ ୭.୨ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ବିଲଡିଂ, ବ୍ରିଜ୍ ଏବଂ ବୌଦ୍ଧ ମଠଗୁଡ଼ିକ ନଷ୍ଟ ହୋଇଯାଇଛି । ମିଆଁମାରରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ସହରରେ ବ୍ୟାପକ କ୍ଷତି ହୋଇଥିବା ସ୍ପଷ୍ଟ । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି, ଏଠାରେ ଭୂମିକମ୍ପ ଯୋଗୁଁ ନିର୍ମାଣାଧୀନ ଏକ ଉଚ୍ଚ ମହଲା କୋଠା ଭୁଶୁଡି ପଡିଛି।
- ମିଆଁମାରରେ ଶୁକ୍ରବାର ୭.୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଛି, ଯାହାର ପ୍ରଭାବ ଦେଶ ଭିତରେ ସୀମିତ ନରହି ଦକ୍ଷିଣପୂର୍ବ ଏସିଆକୁ ଥରାଇ ଦେଇଛି । କେବଳ ମିଆଁମାରରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଅନ୍ୟ ପାଖାପାଖି ୮୦୦ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
- ତେବେ ଆଗାମୀ ସମୟରେ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମିଆଁମାରରେ ଅନେକ ବଡ଼ ଭୂକମ୍ପ ହୋଇଛି। ମିଆଁମାରରେ ହେଉଛି ବିଶ୍ବରେ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଗୃହଯୁଦ୍ଧ, ଉତ୍କଟ ଖାଦ୍ୟ ସଙ୍କଟ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ମିଆଁମାରରେ ଦୁଃଖ ବଢ଼ାଇ ଦେଇଛି ଏହି ଭୂମିକମ୍ପ ।
- ଥାଇଲାଣ୍ଡ ତୁଳନାରେ ମିଆଁମାରରେ ଭୂମିକମ୍ପ ଅନୁଭୂତ ହେବା ଅପେକ୍ଷାକୃତ ସାଧାରଣ କଥା । ୧୯୩୦ରୁ ୧୯୫୬ ମଧ୍ୟରେ ସାଝାଇଂଗ ଫଲ୍ଟ ପାଖରେ ୭.୦ ତୀବ୍ରତାର ୬ଟି ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା,ଯାହା ଦେଶର ମଧ୍ୟଭାଗ ଦେଇ ଅନୁଭୂତ ହୋଇଥିଲା । ଥାଇଲାଣ୍ଡ ଭୂମିକମ୍ପ ପ୍ରବଣ ଅଞ୍ଚଳ ହୋଇନଥିବାରୁ ଏଠାରେ ବଡ଼ ବଡ଼ ଅଟ୍ଟାଳିକା ଭୂକମ୍ପ ଝଟକାକୁ ପ୍ରତିହତ କଲାପରି ଡିଜାଇନ କରାଯାଇ ନାହିଁ । ଏଥିପାଇଁ ଏଠାରେ ଥିବା ଅଟ୍ଟାଳିକାଗୁଡ଼ିକରେ ବହୁ କ୍ଷତି ଘଟିଛି ।
ରିଲିଫ୍ ସାମଗ୍ରୀ ପଠାଇଲା ଭାରତ
ଭୂମିକମ୍ପ ପରେ ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ମିଆଁମାରକୁ ୧୫ ଟନରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନାର ସି-୧୩୦ଜେ ବିମାନ ଜରିଆରେ ରିଲିଫ୍ ପ୍ୟାକେଜ୍ ପଠାଇଛି ଭାରତ । ଯେଉଁଥିରେ ତମ୍ବୁ, ଶୋଇବା ବ୍ୟାଗ, କମ୍ବଳ, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ, ଜଳ ବିଶୋଧକ, ସ୍ବାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ପାରାସିଟାମଲ, ଆଣ୍ଟିବାୟୋଟିକ, ସିରିଞ୍ଜ, ଗ୍ଲୋଭସ ଏବଂ ବ୍ୟାଣ୍ଡେଜ ଭଳି ଜରୁରୀ ଔଷଧ ରହିଛି। ଏହା ସହ ଇଣ୍ଡୋନେସିଆ ରାଷ୍ଟ୍ରପତି ମଧ୍ୟ ଭୟଙ୍କର ଭୂମିକମ୍ପରେ କ୍ଷତିଗ୍ରସ୍ତ ମିଆଁମାର ଏବଂ ଥାଇଲ୍ୟାଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି।
ଆଫଗାନିସ୍ତାନରେ ଭୂମିକମ୍ପ
ଏପଟେ ଆଫଗାନିସ୍ତାନରେ ଆଜି ସକାଳୁ ସକାଳୁ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଏବଂ ୪.୩ ରହିଛି। ସ୍ଥାନୀୟ ସମୟ ସକାଳ ୪:୫୧ ଏବଂ ୫:୧୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁ ଲୋକମାନେ ଘର ଛାଡିବାକୁ ବାଧ୍ୟ ହୋଇଥିଲେ। କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ। ଏହା ପୂର୍ବରୁ ମାର୍ଚ୍ଚ ୨୧ରେ ଆଫଗାନିସ୍ତାନରେ ୪.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।