ଖାଲି ତାତି ବା ଗ୍ରୀଷ୍ମ ପ୍ରବାହ କାହିଁକି, ଆଗକୁ ସ୍ଥିତି ସଂଗୀନ କରିବାକୁ ଯାଉଛି ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦୈବୀ ଦୁର୍ବିପାକର ତୀବ୍ରତା ଓ ଅବଧି ବଢ଼ୁଥିବା, ଅଧିକ ଅଞ୍ଚଳ ପ୍ରଭାବିତ ହେଉଥିବା ଏବଂ ବାର୍ଷିକ ହାରାହାରି ସଂଖ୍ୟା ବଢ଼ୁଥିବା ମିଳିତ ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି । ଆକଳନ କରାଯାଇଛି, ଏହି ଧାରା ଜାରି ରହିଲେ ୨୦୩୦ ବେଳକୁ ଦିନକୁ ଗୋଟିଏରୁ ଅଧିକ ଦୁର୍ବିପାକର ସାମ୍ନା କରିବ ବିଶ୍ୱ ।
ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ । ଅର୍ଥାତ୍ ପ୍ରତିଦିନ ଏକାଧିକ ଦୁର୍ବିପାକର ସମ୍ମୁଖୀନ ହୋଇପାରେ ବିଶ୍ୱ । ଏଭଳି ଚାଞ୍ଚଲ୍ୟକର ଆକଳନ କରିଛି ମିଳିତ ଜାତିସଂଘ । ୨୦୧୫ ବେଳେ ପୃଥିବୀରେ ବର୍ଷକୁ ହାରାହାରି ୪୦୦ ଦୁର୍ବିପାକ ଘଟୁଥିଲା । ତେବେ ଯଦି ଏବେଠୁ ଜଳବାୟୁ ପରିବର୍ତ୍ତନ ଉପରେ ରୋକ୍ ନଲାଗେ ଓ ବର୍ତ୍ତମାନର ଧାରା ବଜାୟ ରହେ, ତେବେ ୨୦୩୦ ବେଳକୁ ବର୍ଷକୁ ଦୁର୍ବିପାକ ସଂଖ୍ୟା ୫୬୦କୁ ବୃଦ୍ଧି ପାଇବ ଏବଂ ଏହାଦ୍ୱାରା ଜୀବନ ଜୀବିକାକୁ ପ୍ରଭାବିତ ହେବ ବୋଲି ୟୁଏନ୍ ରିପୋର୍ଟରେ ଆଶଙ୍କା କରାଯାଇଛି ।
ତେବେ ଏଥିରେ କେବଳ ଝଡ଼ବାତ୍ୟା, ବନ୍ୟା, ମରୁଡ଼ି, ଗ୍ରୀଷ୍ମ ପ୍ରବାହ ଓ ଜଙ୍ଗଲ ନିଆଁ ଭଳି ପାଣିପାଗ ସଂପର୍କିତ ଦୁର୍ବିପାକ ନୁହେଁ, ମହାମାରୀ ଓ ରାସାୟନିକ ଦୁର୍ଘଟଣା ଭଳି ବିପର୍ଯ୍ୟୟକୁ ମଧ୍ୟ ସାମିଲ କରାଯାଇଛି । ୨୦୦୧ ଓ ୨୦୩୦ ମଧ୍ୟରେ ତୁଳନା କଲେ, ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସଂଖ୍ୟା ୩ଗୁଣ ବଢ଼ିବ ଏବଂ ମରୁଡ଼ି ୩୦ ପ୍ରତିଶତ ଅଧିକ ହେବ ବୋଲି ପୂର୍ବାନୁମାନ ହୋଇଛି ।
ଦୁର୍ବିପାକ ଯୋଗୁଁ ଗଭୀର ଭାବେ ପ୍ରଭାବିତ ହେବ ଭାରତ । ରିପୋର୍ଟରେ ଦର୍ଶାଯାଇଛି ଯେ, ଦୁର୍ବିପାକର କୁପରିଣାମ ଗରିବଙ୍କ ଉପରେ ଅଧିକ ପଡ଼ୁଛି ଏବଂ ଅଧିକରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବାର ଆଶଙ୍କା ରହିଛି । ତେଣୁ ବିକାଶଶୀଳ ଦେଶ ମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେବ । ଭାରତ, ବାଂଲାଦେଶ, ପାକିସ୍ତାନ, ଇଣ୍ଡୋନେସିଆ, ମିଆଁମାର, ଫିଲିପିନ୍ସ, ଭିଏତନାମ ଆଦି ଏସିଆ-ପାସିଫିକ୍ ଅଞ୍ଚଳର ଦେଶ ଗୁଡ଼ିକ ଅଧିକ ଦୁର୍ବିପାକ ପ୍ରବଣ ଏବଂ ଏହାର ଅଧିକାଂଶ ଜନସଂଖ୍ୟା ଗରିବ । ଏହିସବୁ ଦେଶ ଦୁର୍ବିପାକ ଯୋଗୁଁ ବର୍ଷକୁ ହାରାହାରି ଜିଡିପିର ୧.୬ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥାନ୍ତି ବୋଲି ୟୁଏନ୍ ରିପୋର୍ଟ କହିଛି ।