ପୁଅକୁ ଜନ-ଗଣ-ମନ ଶିଖାଇଲେ କୋରିଆନ୍‌ ମହିଳା

ଭାରତର ସଂସ୍କୃତି, ପରମ୍ପରା ପ୍ରେମରେ ବିଦେଶୀ ।

ଭାରତ ପ୍ରେମରେ କୋରିଆନ୍‌ ମହିଳା

କୋରିଆରେ ଜନ-ଗଣ-ମନ ଗାନ । ବିଦେଶରେ ବି ଭାରତର ଜାତୀୟ ସଙ୍ଗୀତକୁ ସମ୍ମାନ। କେବଳ ଭାରତୀୟ ନୁହଁନ୍ତି, ବିଶ୍ୱର ଅନେକ ଦେଶରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଆମ ଦେଶର ସଂସ୍କୃତି ଏବଂ ସଭ୍ୟତାକୁ ବେଶ୍‌ ଭଲ ପାଆନ୍ତି । ଭାରତୀୟ ସଂସ୍କୃତିକୁ ପସନ୍ଦ କରୁଥିବାରୁ ଲୋକେ ଆଗାମୀ ପିଢ଼ିକୁ ମଧ୍ୟ ଏସମ୍ପର୍କରେ ଜଣାନ୍ତି । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ କୋରିଆନ୍‌ ମହିଳା ନିଜ ପୁଅକୁ ଭାରତୀୟ ଜାତୀୟ ସଂଗୀତ ଗାଇବା ଶିଖାଉଥିବା ଦେଖିବାକୁ ମିଳୁଛି ।

ଯେଉଁ କୋରିଆନ୍‌ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ତାଙ୍କ ନାଁ କିମ। ସେ କୋରିଆର, କିନ୍ତୁ ତାଙ୍କ ସ୍ୱାମୀ ଭାରତୀୟ । ତେଣୁ ସେ ପୁଅକୁ ଉଭୟ ଦେଶର ସଂସ୍କୃତି ଓ ପରମ୍ପରା ଶିଖାଇବାକୁ ଚାହୁଁଛନ୍ତି । ଏହି ଭାଇରାଲ୍ ଭିଡିଓ କ୍ଲିପ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ପାମ୍‌ କିମ୍‌ ଫରଏଭରରେ ଅପଲୋଡ୍ ହୋଇଛି । ଗତ ସପ୍ତାହରେ ସ୍ୱାଧୀନତା ଦିବସ ଅବସରରେ ଏହି ଭିଡିଓ ଅପଲୋଡ୍ କରାଯାଇଥିଲା । ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ୟୁଜର ଉଭୟ କିମ ଏବଂ ତାଙ୍କ ପୁଅକୁ ପ୍ରଶଂସା କରୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ କିମ ତାଙ୍କ ପୁଅକୁ ଭାରତର ଜାତୀୟ ସଂଗୀତ ଗାଇବାକୁ ପ୍ରୋତ୍ସାହିତ କରୁଛନ୍ତି । କିମ୍ ପ୍ରଥମେ କିଛି ଶବ୍ଦ ଉଚ୍ଚାରଣ କରୁଛନ୍ତି ଓ ତାଙ୍କ ପରେ ପରେ ପୁଅ ପୁନରାବୃତ୍ତି କରୁଛି । ଭାରତ ବାହାରେ ମଧ୍ୟ ଭାରତର ଜାତୀୟ ସଙ୍ଗୀତ ପ୍ରତି ଲୋକଙ୍କ ସମ୍ମାନ ସତରେ ଖୁବ୍‌ ହୃଦୟସ୍ପର୍ଶୀ ।

ସୋସିଆଲ ମିଡିଆ ୟୁଜରଙ୍କୁ ଏହି ଭିଡିଓ ଖୁବ୍‌ ପସନ୍ଦ ଆସିଛି । ଏହି ଭିଡିଓ ଅନ୍ୟ ବାପାମା’ ଏବଂ ପିଲାମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ଏହି ମହିଳା କହିଛନ୍ତି । ଭାଇରାଲ୍ ପୋଷ୍ଟକୁ ଏପର୍ଯ୍ୟନ୍ତ ଏକ ଲକ୍ଷ ୩୦ହଜାରରୁ ଅଧିକ ୟୁଜର ଲାଇକ୍‌ କରିଥିବା ସହ ହଜାର ହଜାର ମଜାଳିଆ ମନ୍ତବ୍ୟ ଦେଇଛନ୍ତି ।