Kirana hills
ଅପରେସନ ସିନ୍ଦୂର କେବଳ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଉପଯୁକ୍ତ ଜବାବ ନୁହେଁ ବରଂ ଭାରତର ସୈନ୍ୟ କ୍ଷମତାର ସାହସିକ ପ୍ରଦର୍ଶନ । ଏହା ରାଜନୈତିକ, ସାମାଜିକ, ରଣନୈତିକ ଇଛାଶକ୍ତିର ପ୍ରତୀକ । ସୀମାରେ ଅସ୍ତ୍ରବିରତି ଲାଗୁ ହୋଇଛି, ହେଲେ ଅପରେସନ୍ ସିନ୍ଦୂର ଏବେ ବି ଜାରି ରହିଛି ବୋଲି ଭାରତୀୟ ବାୟୁ ସେନା ସ୍ପଷ୍ଟ କରିଛି । କାରଣ ଆତଙ୍କବାଦ ପରି ଏକ ଗମ୍ଭୀର ସମସ୍ୟା ଥରକରେ ସମାଧାନ ହୋଇଯିବ ନାହିଁ । ଆତଙ୍କବାଦ ଓ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଦୀର୍ଘସୂତ୍ରୀ ଅପରେସନ ଆରମ୍ଭ କରିବାକୁ ପଡ଼ିବ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ପଷ୍ଟ ଘୋଷଣା ପରେ ସୀମାପାର ଆତଙ୍କବାଦ ଏବଂ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଥିବା ଦ୍ୱନ୍ଦ୍ୱ ଏକ ପ୍ରକାର ଦୂର ହୋଇଛି । ଭାରତ ଆତଙ୍କବାଦ ସହିତ ଯେକୌଣସି ପ୍ରକାରର ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଆତଙ୍କବାଦ ଭିତ୍ତିଭୂମି ଭାଙ୍ଗିବାକୁ ଚେତାବନୀ ଦେଇଛି ପାକିସ୍ତାନକୁ । ବିଶ୍ୱ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଅପରେସନ ସିନ୍ଦୂର ଏକ ନୂତନ ମାନଦଣ୍ଡ ପାଲଟିଛି।
ଅପରେସନ ସିନ୍ଦୂରର ଉଦ୍ଦେଶ୍ୟ ଥିଲା ଆତଙ୍କବାଦୀ ଏବଂ ସେମାନଙ୍କର ଆଡ୍ଡାଗୁଡ଼ିକୁ ଚିହ୍ନଟ କରି ଧ୍ୱଂସ କରିବା ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଦଣ୍ଡ ଦେବା । ଏହି ଲକ୍ଷ୍ୟ ଅନେକ ପରିମାଣରେ ପୂରଣ ହୋଇଛି । ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚି ପଛରୁ ଛୁରୀ ମାରିବା ପାକିସ୍ତାନର ପୁରୁଣା । କିନ୍ତୁ ଏଥର ସଜାଗ, ସତର୍କ ଓ ଦମ୍ଭର ସହ ପ୍ରତିଟି ଆକ୍ରମଣର ପ୍ରତିଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା ।
ଇତିହାସ ସାକ୍ଷୀ ପାକିସ୍ତାନ, ଲଗାତାର ଭାରତ ବିରୋଧରେ ଚଳାଇଥିବା ଆତଙ୍କବାଦରୁ ନିବୃତ୍ତ ହେଉନାହିଁ କିନ୍ତୁ ମୋଦି ସରକାର ଏସବୁର ସାମରିକ ସମାଧାନ ପାଇଁ ପ୍ରସ୍ତୁତ। ବର୍ତ୍ତମାନ ପାକ ସରକାରଙ୍କ ମୁଣ୍ଡରୁ ଆତଙ୍କବାଦ ସମର୍ଥନର ଭୂତ ଓହ୍ଲାଇବାର ଆବଶ୍ୟକତା ରହିଛି, କାରଣ ପଡ଼ୋଶୀ ଦେଶର ରାଜନୈତିକ, ଆର୍ଥିକ ଏବଂ ସାମାଜିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି ।
ପାକିସ୍ତାନ ଚଳାଉଥିବା ଆତଙ୍କବାଦ ବିରୋଧରେ ପ୍ରତିଶୋଧ ନେବାକୁ ଯାଇ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପଡ଼ୋଶୀ ଦେଶର ଅନେକ ବାୟୁସେନା ଘାଟି ଏବଂ ଅନ୍ୟାନ୍ୟ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା। ପରେ ପାକିସ୍ତାନର ପ୍ରତିଆକ୍ରମଣ ପରେ ଭାରତୀୟ ସେନା ଏହାର ମଧ୍ୟ ଉଚିତ ଜବାବ ଦେଇଥିଲା ଏବଂ ଅନେକ ସାମରିକ ଘାଟିକୁ ଟାର୍ଗେଟ କରିଥିଲା।
ଏହି ସମୟରେ ଏକ କ୍ଷେପଣାସ୍ତ୍ର କିରାନା ହିଲ୍ସକୁ ଟାର୍ଗେଟ କରିଥିଲା ବୋଲି କୁହାଯାଉଛି, ଯାହାକୁ ପାକିସ୍ତାନର ପରମାଣୁ ସ୍ଥଳ ବୋଲି ବିବେଚନା କରାଯାଏ। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ପାକିସ୍ତାନ କେବଳ ଗୋଟିଏ ସ୍ଥାନରେ ପରମାଣୁ ଅସ୍ତ୍ରଶସ୍ତ୍ର ରଖିନାହିଁ, ତଥାପି କିରାନା ହିଲ୍ସ ଏଥିମଧ୍ୟରୁ ଗୋଟିଏ ବୋଲି ବିଶ୍ୱାସ କରାଯାଏ । ବୁଲେଟିନ ଅଫ ଦି ଆଟମିକ୍ ସାଇଣ୍ଟିଷ୍ଟ ନାମକ ଏକ ଏନଜିଓ ଦ୍ୱାରା ୨୦୨୩ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କିରାନା ହିଲ୍ସ ଏବଂ ଆଖପାଖ ଅଞ୍ଚଳକୁ ସବକ୍ରିଟିକାଲ ନ୍ୟୁକ୍ଲିୟର ଟେଷ୍ଟ ସାଇଟ ଭାବରେ ଚିହ୍ନଟ କରାଯାଇଛି ।
ଏବେ କିରାନା ହିଲ୍ସକୁ ନେଇ ଏତେ ଚର୍ଚ୍ଚା କାହିଁକି ?
ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷ ଭିତରେ କିରାନା ହିଲ୍ସକୁ ନେଇ ଲୋକଙ୍କ ଆଗ୍ରହ ବଢ଼ିଯାଇଛି । ଭାରତ କିରାନା ହିଲ୍ସ ଉପରେ ଆକ୍ରମଣ କରିଥିବା ନେଇ ଏକ୍ସ ପ୍ଲାଟଫର୍ମରେ ଚର୍ଚ୍ଚା ଚାଲିଛି, କାରଣ ଏଠାରେ ପାକିସ୍ତାନର ଅନେକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ଜଣେ ସାମ୍ବାଦିକ ପ୍ରେସ ବ୍ରିଫିଂ ସମୟରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ । ହେଲେ ଏୟାର ମାର୍ଶାଲ ଏ.କେ. ଭାରତୀ ପ୍ରେସ ବ୍ରିଫିଂରେ ଏକଥାକୁ ଅସ୍ୱୀକାର କରିଥିଲେ । ଭାରତ ପକ୍ଷରୁ କିରାନା ହିଲ୍ସକୁ ଟାର୍ଗେଟ କରାଯାଇ ନଥିବା ସ୍ପଷ୍ଟ କରିଥିଲେ । ସବୁଠାରୁ ରୋଚକ କଥା ହେଉଛି, ଏୟାର ମାର୍ଶାଲ ଭାରତୀ କିରାନା ହିଲ୍ସରେ ପରମାଣୁ ଅସ୍ତ୍ରଶସ୍ତ୍ରର ଅସ୍ତିତ୍ୱ ସମ୍ପର୍କରେ ଜାଣିନଥିବା କହିଥିଲେ ।
କିରାନା ହିଲ୍ସକୁ ନେଇ ଗୁଜବ
ବର୍ତ୍ତମାନ ପାକିସ୍ତାନର କିରାନା ହିଲ୍ସ ସମ୍ପର୍କରେ ଅନେକ ପ୍ରକାରର ଗୁଜବ ଚାଲିଛି, ସେଠାରେ ଥିବା ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷତିଗ୍ରସ୍ତ ହୋଇଛି ଏବଂ ବିକିରଣ ମଧ୍ୟ ବ୍ୟାପିବାରେ ଲାଗିଛି ବୋଲି କିଛି ଲୋକ ଦାବି କରୁଛନ୍ତି । ତଥାପି ଏପର୍ଯ୍ୟନ୍ତ ପରମାଣୁ ବିକିରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ଏହି ଚର୍ଚ୍ଚା ପରେ ଲୋକମାନେ ଅନୁମାନ କରୁଛନ୍ତି ପାକିସ୍ତାନ ଏଠାରେ ପରମାଣୁ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରିଥିଲା, ଯଦିଓ ଏହା ଆଦୌ ସତ୍ୟ ନୁହେଁ। କାରଣ କୌଣସି ବି ଦେଶ ତାର ପରମାଣୁ ଅସ୍ତ୍ରକୁ ଗୋଟିଏ ସ୍ଥାନରେ ଗଚ୍ଛିତ କରେ ରଖେନାହିଁ ।
ଆମେରିକୀୟ ଏୟାରକ୍ରାଫ୍ଟକୁ ନେଇ ମଧ୍ୟ ଗୁଜବ
ଏହି ଗୁଜବରେ ଘିଅ ଢାଳିଥିଲା Flightradar24 ଭଳି ଫ୍ଲାଇଟ୍ ଟ୍ରାକର୍ସ, ଯେତେବେଳେ ପାକିସ୍ତାନ ଆକାଶସୀମାରେ ଏକ US Beechcraft B350 ଏରିଆଲ୍ ମାପ ପ୍ରଣାଳୀ (AMS) ବିମାନ ଦେଖାଯାଇଥିଲା । ଟେଲ ନମ୍ବର N111SZ ଥିବା ଏହି ବିମାନଟି ଆମେରିକାର ଶକ୍ତି ବିଭାଗର ନୌବାହିନୀର ଏକ ଅଂଶ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡିଓଆକ୍ଟିଭ୍ ଲିକ୍ ଚିହ୍ନଟ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି।
ପୂର୍ବରୁ B350 AMS ଫୁକୁସିମା ବିପର୍ଯ୍ୟୟ ପରି ଘଟଣାରେ ବ୍ୟବହୃତ ହୋଇସାରିଛି ଏବଂ ଏହା ଗାମା-ରେ ସେନ୍ସର ଏବଂ ରିଅଲ୍-ଟାଇମ୍ ମ୍ୟାପିଂ ଉପକରଣ ସହିତ ସଜ୍ଜିତ। ଏହାର ଉପସ୍ଥିତି ପ୍ରଶ୍ନ ଉଠାଇଥିଲା, ପାକିସ୍ତାନରେ ରେଡିଓଆକ୍ଟିଭ ଉପାଦାନର କୌଣସି ଲିକେଜ୍ ତଦନ୍ତ ପାଇଁ ଆମେରିକା ଏହାକୁ ନିୟୋଜିତ କରିଥିଲା କି? କିନ୍ତୁ ପାକିସ୍ତାନର ମଧ୍ୟ ସମାନ ଏକ ବିମାନ ରହିଛି, ଯାହା ଆମେରିକା ତାକୁ ଦେଇଛି । ତେଣୁ ଅନେକ ଦାବି କରିଥିଲେ, ଏହା ଏକ ଆମେରିକୀୟ ବିମାନ ନୁହେଁ ବରଂ ଏକ ପାକିସ୍ତାନୀ ବିମାନ ।
ଅନ୍ୟପକ୍ଷରେ ପାକିସ୍ତାନ ଆକାଶସୀମାରେ ଦେଖାଯାଇଥିବା ବିମାନଟି ଆମେରିକୀୟ ନା ପାକିସ୍ତାନୀ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆମେରିକାର ବୈଦେଶିକ ବିଭାଗ ବର୍ତ୍ତମାନ ଏପରି ଗୁଜବକୁ ଖାରଜ କରିଛି। ପୂର୍ବତନ CIA ଅଧିକାରୀ ଏବଂ ବର୍ତ୍ତମାନର ରେଣ୍ଡ କର୍ପୋରେସନ ବିଶେଷଜ୍ଞ ଡେରେକ ଗ୍ରସମ୍ୟାନ୍ ଦାବି କରିଥିଲେ, ବାୟୁସେନା ଘାଟି ଉପରେ ଭାରତର ଆକ୍ରମଣ ପାକିସ୍ତାନର ପରମାଣୁ କମାଣ୍ଡକୁ ବିପଦରେ ପକାଇଥିଲା । କିନ୍ତୁ ଏ ମନ୍ତବ୍ୟକୁ ଭାରତ କିମ୍ବା ଆମେରିକା ଆନୁଷ୍ଠାନିକ ଭାବରେ ସ୍ୱୀକାର କରିନାହାଁନ୍ତି ।
କିରାନା ହିଲ୍ସ କେଉଁଠି ଏବଂ ଏହା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି?
କିରାନା ହିଲ୍ସ ପାକିସ୍ତାନର ସରଗୋଧା ଜିଲ୍ଲାରେ ଅବସ୍ଥିତ, ଏହା ଏକ ବିଶାଳ ପଥୁରିଆ ପର୍ବତମାଳା ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ। ବାଦାମୀ ରଙ୍ଗର ଭୂଭାଗ କାରଣରୁ ଏହାକୁ ବ୍ଲାକ ମାଉଣ୍ଟେନ ମଧ୍ୟ କୁହାଯାଏ । ଏହା ରାବୱା ସହର ଏବଂ ସରଗୋଧା ସହର ମଧ୍ୟରେ ବିସ୍ତୃତ, ଯାହା ମୁସଫ ବାୟୁସେନା ଘାଟିର ଏକ ଅଂଶ। ଏବେ କିରାନା ହିଲ୍ସ ଉପରେ ଚର୍ଚ୍ଚା ହେବା ପଛରେ ମଧ୍ୟ ଗୁଢ଼ ରହସ୍ୟ ରହିଛି । କାରଣ ମୁସଫ ସେହି ଏୟାରବେସ ମଧ୍ୟରୁ ଗୋଟିଏ, ଯାହା ଉପରେ ଭାରତ ପ୍ରଥମେ ଆକ୍ରମଣ କରିଥିଲା । ଏଠାରେ ରହିଛି ପାକିସ୍ତାନ ବାୟୁସେନାର କମାଣ୍ଡ ମୁଖ୍ୟାଳୟ ଏବଂF-16, JF-16 ର ବିଭିନ୍ନ ସ୍କ୍ୱାର୍ଡନ ମଧ୍ୟ ଏଠାରେ ଅବସ୍ଥିତ।
ରିପୋର୍ଟ ଅନୁଯାୟୀ, କିରାନା ହିଲ୍ସରେ ୧୦ ରୁ ଅଧିକ ଭୂତଳ ସୁଡ଼ଙ୍ଗ ଅଛି, ଏହି ସୁଡ଼ଙ୍ଗ ଗୁଡ଼ିକ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ପାଇଁ ବ୍ୟବହୃତ ହେଉଥିବା ଅନୁମାନ କରାଯାଏ। ଏହା ବ୍ୟତୀତ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଗୁଡ଼ିକର ବହୁତ ନିକଟରେ ଅବସ୍ଥିତ କିରାନା ହିଲ୍ସ, ଯେପରିକି ସରଗୋଧା ବାୟୁସେନା ଘାଟି, ଯାହା ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ । ଖୁଶାବ ପରମାଣୁ କମ୍ପ୍ଲେକ୍ସ (ପ୍ରାୟ ୭୫ କିଲୋମିଟର ଦୂରରେ) ମଧ୍ୟ ଏହି ପାହାଡ଼ ପାଖରେ ରହିଛି, ତେଣୁ ଏହାକୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଭାବରେ ବିବେଚନା କରାଯାଏ।
୨୦୨୩ ମସିହାରେ ବୁଲେଟିନ୍ ଅଫ୍ ଦି ଆଟମିକ୍ ସାଇଣ୍ଟିଷ୍ଟସର ଏକ ରିପୋର୍ଟରେ କୁହାଯାଇଥିଲା, କିରାଣା ହିଲ୍ସ ଏକ ସବକ୍ରିଟିକାଲ ନ୍ୟୁକ୍ଲିୟର ଟେଷ୍ଟିଂ ସ୍ପଟ, ଯାହାକୁ ୧୯୮୩ ରୁ ୧୯୯୦ ପର୍ଯ୍ୟନ୍ତ ପରମାଣୁ କାର୍ଯ୍ୟକ୍ରମ ବିକଶିତ କରିବା ପାଇଁ ବ୍ୟବହାର କରିଥିଲା ପାକିସ୍ତାନ । ସେହି ସ୍ଥାନରେ ସମ୍ଭବତଃ ଗୋଳାବାରୁଦ ସଂରକ୍ଷଣ କ୍ଷେତ୍ର , TEL (ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚର) ଗ୍ୟାରେଜ ଏବଂ ଅତି କମରେ ୧୦ଟି ଭୂତଳ ସଂରକ୍ଷଣ ସୁବିଧା ରହିଛି ।
ଐତିହାସିକ ତଥ୍ୟ ଦର୍ଶାଉଛି, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୯୭୦ ମସିହାରେ ଏହି ପାହାଡ଼ଗୁଡ଼ିକୁ ପ୍ରତିରକ୍ଷା ସ୍ଥଳ ଭାବରେ ଅଧିଗ୍ରହଣ କରିଥିଲା ଏବଂ ଏକ ରାଡାର ଷ୍ଟେସନ୍ ପ୍ରତିଷ୍ଠା କରିଥିଲା ଯାହା ଆଜି ମଧ୍ୟ ବ୍ୟବହୃତ ହେଉଛି। ୧୯୮୩ ରୁ ୧୯୯୦ ମଧ୍ୟରେ ଯେତେବେଳେ ପାକିସ୍ତାନ ଦ୍ୱାରା ପରମାଣୁ ପରୀକ୍ଷଣ ପ୍ରସ୍ତୁତି ସମ୍ପର୍କରେ ଆମେରିକୀୟ ଉପଗ୍ରହଗୁଡ଼ିକ ଚିହ୍ନଟ କରିଥିଲେ, ସେତେବେଳେ ଏହି ପାହାଡ଼କୁ ନେଇ ଚର୍ଚ୍ଚା ହୋଇଥିଲା । ଚୀନ୍ ଦ୍ୱାରା ଯୋଗାଇ ଦିଆଯାଇଥିବା M-11 କ୍ଷେପଣାସ୍ତ୍ର ସେଠାରେ ଗଚ୍ଛିତ ଥିବା କୁହାଯାଉଥିବାରୁ ଏହାର ଗୁରୁତ୍ୱ ରହିଛି।
ପାକିସ୍ତାନର ପରମାଣୁ ଠିକଣା
ବିବିସିର ଏକ ରିପୋର୍ଟ ଅନୁଯାୟୀ, ସିନ୍ଧ ପ୍ରଦେଶରେ ଅବସ୍ଥିତ ଆକୋ ସାମରିକ ଘାଟିରେ ମଧ୍ୟ ପରମାଣୁ ଅସ୍ତ୍ରଶସ୍ତ୍ର ରଖିଥାଇପାରେ ପାକିସ୍ତାନ । ଏହା ଭାରତୀୟ ସୀମାଠାରୁ ମାତ୍ର ୧୪୫ କିଲୋମିଟର ଦୂରରେ ଅବସ୍ଥିତ। ଏହା ବ୍ୟତୀତ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଗୁଜରାନୱାଲାରେ ଏକ କ୍ଷେପଣାସ୍ତ୍ର ଡିପୋ ମଧ୍ୟ ଅଛି। ଭାରତୀୟ ସୀମାଠାରୁ ଏହି ଘାଟିର ଦୂରତା ମାତ୍ର ୬୦ କିଲୋମିଟର।
ପାକିସ୍ତାନର ଖୁଜଦାରରେ ମଧ୍ୟ ଏକ କ୍ଷେପଣାସ୍ତ୍ର ଆଡ୍ଡା ଥିବା କୁହାଯାଏ। ଏଠାରେ ଅନେକ ଭୂତଳ ଗୋଦାମ ମଧ୍ୟ ଅଛି ବୋଲି କୁହାଯାଏ। ସିନ୍ଧ ପ୍ରଦେଶରେ ଅବସ୍ଥିତ ପାନୋ ଆକିଲ ସାମରିକ ଘାଟିରେ ପାକିସ୍ତାନର ଅନେକ ଘାତକ କ୍ଷେପଣାସ୍ତ୍ର ରଖାଯାଇଛି। ଏହା ପରେ ସରଗୋଧାର ସେହି କିରାନା ପାହାଡ଼ ଆସେ, ଯେଉଁଠାରେ ପରମାଣୁ ଅସ୍ତ୍ରର କ୍ଷତି ହୋଇଥିବା ରିପୋର୍ଟ କରାଯାଇଛି। ଯଦିଓ ଏହି ସମସ୍ତ ଖବର ରିପୋର୍ଟ ଉପରେ ଆଧାରିତ, କୌଣସି ଦେଶର ପରମାଣୁ ଘାଟି ବିଷୟରେ ସଠିକ୍ ସୂଚନା ସଂଗ୍ରହ କରିବା ବହୁତ କଷ୍ଟକର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747376651.jpeg)