ବିବାଦରେ ଇସ୍କନ୍; ଅଦିନିଆ ରଥଯାତ୍ରା ଆୟୋଜନ, ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ପ୍ରତିକ୍ରିୟା

ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା ।

ISKON

ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା । ଏନେଇ ଇସ୍କନର ହ୍ୟୁଷ୍ଟନ ଶାଖା ୱେବସାଇଟରେ ସୂଚନା ଦିଆଯାଇଛି । ଆସନ୍ତା ନଭେମ୍ବର ୩ରେ ଶ୍ରୀଜିଉ ମାନଙ୍କ ସ୍ନାନ ଯାତ୍ରା ଓ ନଭେମ୍ବର ୯ ତାରିଖରେ ରଥଯାତ୍ରା କରାଯିବ ବୋଲି ଉଲ୍ଲେଖ ରହିଛି ।

ତେବେ ଏହି ଇସ୍କନର ଏହି ଅଦିନିଆ ସ୍ନାନ ଓ ରଥଯାତ୍ରା ଆୟୋଜନ ସଂପର୍କରେ ଜଣାପଡ଼ିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ବିରୁଦ୍ଧରେ ଯାଇ ଇସ୍କନ ପକ୍ଷରୁ ପୂର୍ବରୁ ଅନେକ ବାର ଏଭଳି ଅଦିନିଆ ରଥଯାତ୍ରା କରାଯାଇଥିଲା । ଏହାକୁ ଗଜପତି ମହାରାଜା ଦୃଢ ବିରୋଧ କରିଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିର୍ଦ୍ଧାରିତ ପୂଣ୍ୟତିଥି ବ୍ୟତିରେକ ଅନ୍ୟ ସମୟରେ ଅନୁଷ୍ଠିତ ନହେଉ ବୋଲି ଗତ ୨୦୧୯ ସେପ୍ଟେମ୍ବରରେ ବାର୍ତ୍ତା ଦେଇଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହୋଇଥାଏ । ତେଣୁ ଏହି ଦିନ ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ଓ ଅନୁଷ୍ଠାନ ମାନେ ଏହି ପୂଣ୍ୟ ତିଥି ମାନଙ୍କରେ ହିଁ ରଥଯାତ୍ରା ପାଳନ କରିବା ପାଇଁ ବାର୍ତ୍ତାରେ କହିଥିଲେ ଗଜପତି ।

ଶ୍ରୀମନ୍ଦିରର ମହାନ ପରମ୍ପରା ଓ ଶାସ୍ତ୍ରୀୟ ଘୋଷଣା ଉଲଂଘନ କରି ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରା ଅନୁଷ୍ଠିତ କରିବେ ନାହିଁ ବୋଲି ଗଜପତି ଦର୍ଶାଇଥିଲେ । ଗଜଗତି ମହାରାଜାଙ୍କ ଏହି ବାର୍ତ୍ତା ପରେ ଇସ୍କନ ଇଣ୍ଡିଆ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିରେ ଯେଉଁ ତିଥିରେ ରଥଯାତ୍ରା ପଡ଼ୁଛି ସେହି ତିଥି ବ୍ୟତିରେକ ଅନ୍ୟ ସମୟରେ ରଥଯାତ୍ରା ନକରିବାକୁ ସଂକଳ୍ପ କରାଯାଇଥିଲା ।

ଏନେଇ ଗତ ୨୦୨୧ ଅଗଷ୍ଟ ମାସରେ ଇସ୍କନ ପକ୍ଷରୁ ଚିଠି ଲେଖି ଗଜପତି ମହାରାଜାଙ୍କୁ ଅବଗତ କରାଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଇସ୍କନ ପକ୍ଷରୁ ଏହି ସଂକଳ୍ପ ସତ୍ତ୍ୱେ ପୁଣି କେମିତି ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଛି । ଇସ୍କନ ନିଜକୁ ଅନ୍ତର୍ଜାତୀୟ ସଂସ୍ଥା ବୋଲି ଦାବି କରୁଥିବା ବେଳେ କିଭଳି ଶ୍ରୀଜଗନ୍ନାଥ ପରମ୍ପରା ଭଙ୍ଗ କରି ଆମେରିକାରେ କିଭଳି କରାଯାଉଛି ଅଦିନିଆ ରଥଯାତ୍ରା ଆୟୋଜନ ।

ଇସ୍କନ ପକ୍ଷରୁ ହୋଇଥିବା ସଂକଳ୍ପକୁ ତାଙ୍କର ଆମେକାରେ ଥିବା ସଂସ୍ଥା ଖାତିର କରୁନାହାନ୍ତି କି ? ଆମେରିକା ହ୍ୟୁଷ୍ଟନରେ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।