ବାଙ୍ଗଲାଦେଶରେ ହିନ୍ଦୁ ଧର୍ମସ୍ଥାନ ଉପରେ ଆକ୍ରମଣ : ଜଣେ ଗୁରୁତର, ଅନେକ ଆହତ

ବାଙ୍ଗଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲି ଅଞ୍ଚଳ ସ୍ଥିତ ଏକ ଇସ୍କନ୍ ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଇସ୍କନ୍ କର୍ତ୍ତୃପକ୍ଷ ନିଜେ ଏକ ଟୁଇଟ୍ ମାଧ୍ୟମରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି

ବାଙ୍ଗଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି

News Summary

ଇସ୍କନ୍ ମନ୍ଦିର ଭାଙ୍ଗିଲେ ଦୁର୍ବୃତ୍ତ

ବାଙ୍ଗଲାଦେଶର ଅନେକ ସ୍ଥାନରେ ଦୁର୍ଗା ପୂଜା ପଣ୍ଡାଲଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସୁଛି

ଢ଼ାକା : ବାଙ୍ଗଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲି ଅଞ୍ଚଳ ସ୍ଥିତ ଏକ ଇସ୍କନ୍ ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଇସ୍କନ୍ କର୍ତ୍ତୃପକ୍ଷ ନିଜେ ଏକ ଟୁଇଟ୍ ମାଧ୍ୟମରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଆକ୍ରମଣରେ ଜଣେ ଭକ୍ତଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବୁଧବାର କୋମିଲା ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ଖବର ଆସିଥିଲା ।

'ବାଂଲାଦେଶର ନୋଆଖାଲିରେ ISKCON ମନ୍ଦିର ଏବଂ ଭକ୍ତଙ୍କ ଉପରେ ହିଂସାତ୍ମକ ଆକ୍ରମଣ କଥା ଇସ୍କନ୍ କର୍ତ୍ତୃପକ୍ଷ ଟ୍ୱିଟ୍ କରିଛନ୍ତି । ମନ୍ଦିରରେ ଅନେକ କ୍ଷୟକ୍ଷତି ହେବା ସହ ଜଣେ ଭକ୍ତଙ୍କ ଅବସ୍ଥା ଗୁରୁତର ରହିଛି । ଧାର୍ମିକ ସ୍ଥଳରେ ହିଂସାକାଣ୍ଡ ଘଟାଇଥିବାରୁ ନ୍ୟାୟ ପ୍ରଦାନ ପାଇଁ ତଥା ସମସ୍ତ ହିନ୍ଦୁଙ୍କ ସୁରକ୍ଷା ଲାଗି ବାଂଲାଦେଶ ସରକାରଙ୍କୁ ନିବେଦନ କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ । ତେବେ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜେ ଶେଖ ହସିନା କହିଛନ୍ତି ।

ଚଳିତ ସପ୍ତାହରେ ଦଶହରା ଅବସରରେ ବାଙ୍ଗଲାଦେଶର ଅନେକ ସ୍ଥାନରେ ଦୁର୍ଗା ପୂଜା ପଣ୍ଡାଲଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଥିଲା । କୋମିଲା ସହରର ନାନୁଆର ଡିଗି ନିକଟରେ ଥିବା ଦୁର୍ଗା ପୂଜାରେ କୁରାନର ଅପମାନ ହୋଇଥିବା ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା । ଆଉ ସେବେଠାରୁ ବାଙ୍ଗଲାଦେଶରେ ହିଂସା ଆରମ୍ଭ ହୋଇଛି । ହିନ୍ଦୁ ଧର୍ମସ୍ଥାନ ଉପରେ ଆକ୍ରମଣ ହେବା ସହ ବର୍ତ୍ତମାନ ସମୟରେ ISKCON ମନ୍ଦିର ଭଙ୍ଗାରୁଜା ହୋଇଥିବା ଖବର ଆସିଛି ।

କୋମିଲା ହିଂସା ପରେ ଚାନ୍ଦପୁରର ହାଜିଗଞ୍ଜ, ଚଟଗାଁର ବଂଶଖାଲିରେ ଏବଂ କକ୍ସର ବଜାରର ପେକୁଆରେ ଭଙ୍ଗାରୁଜା ଘଟଣା ଘଟିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ହିଂସାକାଣ୍ଡରେ ଲୋକଙ୍କ ମୃତାହତ ଖବର ପରେ ୨୨ ଟି ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଥିଲା । ଏହି ପ୍ରସଙ୍ଗରେ ଗୁରୁବାର ଦିନ ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ବାଂଲାଦେଶ ସରକାର ତୁରନ୍ତ ପ୍ରତିକ୍ରିୟା ରଖିଛନ୍ତି।