ଆଣବିକ ବୋମାର ଜନକ
ଚାରିଆଡ଼େ ଯୁଦ୍ଧ ଘନଘଟା.. ଜୀବନ ବଞ୍ଚାଇବାକୁ ଚାଲିଛି ବିକଳ ପ୍ରୟାସ .. ଯୁଦ୍ଧ ଘୋଷଣା କରିବା ସହଜ କିନ୍ତୁ ଶାନ୍ତି ସ୍ଥାପନ ପାଇଁ ଧୈର୍ଯ୍ୟ ଓ ସାହସ ଲୋଡ଼ା.. ଯୁଦ୍ଧ ସବୁବେଳେ ନରସଂହାରର ପ୍ରତୀକ.. ବିଦ୍ୱେଷ, ବିଭୀଷିକାର ବିକଟାଳ ରୂପ ..। ଯେଉଁଠି ଯୁଦ୍ଧ ସେଇଠି ଯନ୍ତ୍ରଣା, ଅବସାଦ ଆଉ ଅନୁଶୋଚନା । ଯୁଦ୍ଧର ଜ୍ବାଳାରେ କେବଳ ଦୁଇ ଭୂଖଣ୍ଡ ନୁହଁ, ସାରା ଜଗତ ଯନ୍ତ୍ରଣା ଜର୍ଜରିତ ହୁଏ ।
ପୃଥିବୀ ନୈସର୍ଗିକ ଭ୍ରାତୃତ୍ୱ ବନ୍ଧନରେ ବନ୍ଧା, ବିଶ୍ୱବାସୀ ଏକ ବୃହତ୍ ପରିବାରର ଅନ୍ତେବାସୀ । ବିଡ଼ମ୍ବନାର ବିଷୟ ଆମେ ପୃଥିବୀବାସୀ ଶାନ୍ତି ପଥର ପଥିକ ନହୋଇ ଯୁଦ୍ଧରୂପକ ଅନଳରେ ଝାସ ଦେଉଛୁ । ମାନବଜାତି ପୃଥିବୀ ବିରୋଧରେ ଏକ ଆତ୍ମଘାତୀ ଯୁଦ୍ଧ ଘୋଷଣା କରିଦେଇଛି । ସ୍ୱାର୍ଥପର ମଣିଷର କ୍ରମାଗତ ଆକ୍ରମଣରେ ଆଜି ରକ୍ତାକ୍ତ ଆଉ ଲହୁଲୁହାଣ ହୋଇପଡ଼ିଛି ପୃଥିବୀ ମା’ ।
ବିଶ୍ୱରେ ବିଭିନ୍ନ ଦେଶରେ ଯୁଦ୍ଧ ଥମିବା ବଦଳରେ ନିତି ପ୍ରତିଦିନ ନୂଆ ଯୁଦ୍ଧ ଜନ୍ମ ନେଉଛି । ସଂଘର୍ଷ, ରକ୍ତପାତ, ହିଂସା ଆଉ ପ୍ରତିହିଂସା, ପରମାଣୁ ଅସ୍ତ୍ରର ଭୟରେ ସାରା ପୃଥିବୀ ଅସ୍ଥିରତା ଆଡ଼କୁ ଠେଲି ହୋଇଯାଉଛି । ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ନୀରିହଙ୍କ ହତ୍ୟା କରିଥିବା ଆତଙ୍କୀ ଓ ଆତଙ୍କର ଦେଶ ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ନିଆରା ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ।
ହେଲେ ଏହାରି ମଧ୍ୟରେ ନିଜ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ପାକିସ୍ତାନ ବାରମ୍ବାର ପରମାଣୁ ବୋମାର ଧମକ ଦେଇଆସିଛି, ଯେଉଁଥି ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ । କାରଣ ଭାରତ ଓ ପାକିସ୍ତାନ ଉଭୟ ଦେଶ ପରମାଣୁ ଅସ୍ତ୍ରଶସ୍ତ୍ରର ଅଧିକାରୀ, ଥରେ ପରମାଣୁ ଅସ୍ତ୍ରର ପ୍ରୟୋଗ ହେଲେ ସାରା ବିଶ୍ୱ ବିନାଶମୁହଁକୁ ଚାଲିଯିବ, ଜନବସତିର ଚିହ୍ନବର୍ଣ୍ଣ ରହିବ ନାହିଁ ।
ପରମାଣୁ ବୋମା ତିଆରି କରିଥିବା ବୈଜ୍ଞାନିକ
୧୯୪୫ ଜୁଲାଇ ମାସ.. ସକାଳ ସମୟ.. ନ୍ୟୁ ମେକ୍ସିକୋରେ ଏକ ଉଜ୍ଜଳ ଆଲୋକ ଆକାଶକୁ ବିଦୀର୍ଣ୍ଣ କରିପକାଇଥିଲା । ସେଦିନ ହୋଇଥିଲା ଟ୍ରିନିଟି ଟେଷ୍ଟ, ବିଶ୍ୱର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ । ଏହି ଐତିହାସିକ ମୂହୁର୍ତ୍ତ ପଛରେ ଥିବା ବ୍ୟକ୍ତି ଜଣକ ହେଲେ ଜେ.ରବର୍ଟ ଓପେନହାଇମର, ଯାହାଙ୍କୁ ପରମାଣୁ ବୋମାର ଜନକ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଏହି ବୈଜ୍ଞାନିକଙ୍କ କାହାଣୀ କେବଳ ବିଜ୍ଞାନର ବିଜୟ ସମ୍ପର୍କରେ ନୁହେଁ, ବରଂ ଅପାର ଅନୁତାପ ଓ ନୈତିକତା ପ୍ରତି ଏକ ବଡ଼ ପ୍ରଶ୍ନ ସୃଷ୍ଟି କରେ ।
ଟ୍ରିନିଟି ଟେଷ୍ଟ ସଫଳ ହେବାର ମାସେ ବି ହୋଇ ନ ଥିଲା, ଅଗଷ୍ଟ ୬ ଏବଂ ୯ରେ ଜାପାନର ହିରୋସିମା ଓ ନାଗାସାକି ଉପରେ ହୋଇଥିବା ପରମାଣୁ ବୋମା ଆକ୍ରମଣରେ ଥରିଯାଇଥିଲା ସମଗ୍ର ବିଶ୍ୱ। ଏହି ଦୁଇଟି ପରମାଣୁ ବୋମାର ଭୟାବହତା ଅନେକ ନିରୀହ ମଣିଷଙ୍କୁ ମାଟିରେ ମିଶାଇବା ସହିତ ସମଗ୍ର ବିଶ୍ୱର ଦୃଷ୍ଟିଭଙ୍ଗୀ ବଦଳାଇବାକୁ ବାଧ୍ୟ କରିଥିଲା, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଏହାର ବ୍ୟବହାର ହୋଇନାହିଁ । ରାତାରାତି ଲୋକପ୍ରିୟ ପାଲଟି ଯାଇଥିବା ରୋବର୍ଟ ଓପେନହାଇମର ସେହି ମାନବ ସଂହାର ପାଇଁ ନିଜକୁ ଦାୟୀ କରି ଗଭୀର ଭାବରେ ମର୍ମାହତ ହୋଇଥିଲେ।
ହିରୋସିମା ଏବଂ ନାଗାସାକିର ଧ୍ୱଂସ ପରେ ଏକ ମୁହୂର୍ତ୍ତ ଆସିଲା ଯେତେବେଳେ ଓପେନହାଇମର କହିଥିଲେ, ମୋ ହାତ ରକ୍ତରେ ରଞ୍ଜିତ। ତାଙ୍କର ସେହି କଥା ଏବେ ବି ବିଶ୍ୱକୁ ଚକିତ କରେ । କାରଣ ପରମାଣୁ ଆକ୍ରମଣ ପରେ ଓପେନହାଇମରଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା । ପରମାଣୁ ବୋମାର ଜନକ ଓପେନହାଇମର ନିଜକୁ ଦୋଷୀ ମାନିବା ସହ ବାକି ଜୀବନ ଅନୁତାପର ଅନଳରେ ଜଳୁଥିଲେ ।
ଓପେନହାଇମର କିଏ ?
୨୨ ଏପ୍ରିଲ୍ ୧୯୦୪ରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିବା ଜୁଲିୟସ୍ ରବର୍ଟ ଓପେନହାଇମର ଥିଲେ ଜଣେ ଅସାଧାରଣ ବୁଦ୍ଧିଜୀବୀ । ସେ ହାର୍ଭାର୍ଡରୁ ରସାୟନ ବିଜ୍ଞାନରେ ଡିଗ୍ରୀ, ଜର୍ମାନୀର ଗୋଟିଙ୍ଗେନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ପିଏଚଡି କରିବା ସହ କ୍ୱାଣ୍ଟମ୍ ମେକାନିକ୍ସରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସରଳ ଭାଷାରେ କହିବାକୁ ଗଲେ ସେ ଅତୁଳନୀୟ ପ୍ରତିଭାର ଅଧିକାରୀ ଥିଲେ ।
୧୯୪୨ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶୀର୍ଷରେ ଥିଲା, ଆମେରିକା ଆରମ୍ଭ କରିଥିଲା ମେନହଟନ ପ୍ରୋଜେକ୍ଟ । ଏହି ପ୍ରକଳ୍ପର ଲକ୍ଷ୍ୟ ଥିଲା ନାଜିମାନଙ୍କ ପୂର୍ବରୁ ଏକ ପରମାଣୁ ବୋମା ତିଆରି କରିବା । ଏହି ପ୍ରକଳ୍ପର କମାଣ ଥିଲା ବୈଜ୍ଞାନିକ ଓପେନହାଇମରଙ୍କ ହାତରେ, ସେ ମେକ୍ସିକୋର ଲସ୍ ଆଲାମୋସ୍ ଲାବୋରେଟୋରୀରେ ହଜାର ହଜାର ବୈଜ୍ଞାନିକଙ୍କୁ ଏକତ୍ର କରିଥିଲେ। ତା'ପରେ ୧୬ ଜୁଲାଇ ୧୯୪୫ରେ ଟ୍ରିନିଟିର ସଫଳ ପରୀକ୍ଷଣ ଇତିହାସ ସୃଷ୍ଟି କରିଥିଲା। ଏହି ମୁହୂର୍ତ୍ତ ତାଙ୍କ ପାଇଁ ବିଜୟ ଏବଂ ଭୟର ସମିଶ୍ରଣ ଥିଲା ।
ହିରୋସିମା-ନାଗାସାକି ପରେ ଅନୁତାପ...
୬ ଅଗଷ୍ଟ ୧୯୪୫ରେ ହିରୋସିମା ଉପରେ ଲିଟିଲ ବୟ ପରମାଣୁ ବୋମା ଏବଂ ୯ ଅଗଷ୍ଟରେ ନାଗାସାକି ଉପରେ ଫ୍ୟାଟ ମ୍ୟାନ ପରମାଣୁ ବୋମା ପକାଯାଇଥିଲା। ଏହି ଆକ୍ରମଣରେ ପ୍ରାୟ ୨ ଲକ୍ଷ ଲୋକ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୁଇ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା । ଏହି ଦୁଇ ବୋମା ମାଡ଼ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏକପ୍ରକାର ଶେଷ ହେଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ହେବା ସହିତ ଜାପାନ ଅଗଷ୍ଟ ୧୫ ତାରିଖରେ ଆତ୍ମସମର୍ପଣ କରିଥିଲା । ପ୍ରାରମ୍ଭରେ ଓପେନହାଇମର ଖୁସି ଖୁସି ବିଜୟ ଉତ୍ସବରେ ସାମିଲ ହୋଇଥିଲେ । ହେଲେ ନାଗାସାକି ଉପରେ ବୋମାମାଡ଼ ସାମରିକ ଦୃଷ୍ଟିକୋଣରୁ ଅନାବଶ୍ୟକ ଥିଲା ବୋଲି ସେ ହୃଦୟଙ୍ଗମ କରିଥିଲେ । ଅନ୍ୟପକ୍ଷରେ ପରମାଣୁ ବୋମାର ସଂହାରଲୀଳା ଦେଖି ଓପେନହାଇମର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ।
ଅକ୍ଟୋବର ୧୯୪୫ରେ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ଭେଟବେଳେ ଓପେନହାଇମର କହିଥିଲେ,‘ରାଷ୍ଟ୍ରପତି ମହୋଦୟ ମୋ ହାତ ରକ୍ତରେ ଜୁଡୁବୁଡୁ ’। କିନ୍ତୁ ଆମେରିକାର ରାଷ୍ଟ୍ରପତି ଆଶ୍ୱାସନା ଦେବାକୁ ଯାଇ କହିଥିଲେ ମୋ ହାତ ମଧ୍ୟ ରକ୍ତରେ ରଙ୍ଗୀନ । ପରମାଣୁ ବୋମା ଧ୍ୱଂସର ବୋଝକୁ ନିଜ କାନ୍ଧରେ ବୋହି ଦୁଃଖିତ ହୁଅନ୍ତୁ ନାହିଁ। ହେଲେ ପରେ ତତ୍କାଳୀନ ରାଷ୍ଟ୍ରପତି ଟ୍ରମ୍ୟାନ ରୋବର୍ଟ ଓପେନହାଇମରଙ୍କୁ କାନ୍ଦୁରା ବୈଜ୍ଞାନିକ କହି ଆଉ ରାଷ୍ଟ୍ରପତି ଭବନକୁ ପ୍ରବେଶ ନ କରିବାକୁ କଡା ନିର୍ଦ୍ଦେଶ ଜାରି କରିଥିଲେ।
ପରମାଣୁ ଅସ୍ତ୍ର ବିରୋଧରେ ସ୍ୱର ଉଠାଇଥିଲେ
ହିରୋସିମା ଏବଂ ନାଗାସାକିର ଧ୍ୱଂସ ଓପେନହାଇମରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା। ପରମାଣୁ ବୋମାର ବିଭୀଷିକା ଓ ନରସଂହାର ଦେଖି ଓପେନହାଇମେର ଏପରି ଭାଙ୍ଗିପଡିଥିଲେ ଯେ ଚାଲିବାରେ ଅସମର୍ଥ ହୋଇପଡିଥିଲେ। ପରମାଣୁ ବୋମାର ଧ୍ୱଂସଲୀଳା ପାଇଁ ନିଜକୁ ଦାୟୀ କରି ସେ ଅନେକ ଧର୍ମଗ୍ରନ୍ଥ ସବୁ ପଢିବାକୁ ଲାଗିଲେ। ହିନ୍ଦୁ ଧର୍ମର ସର୍ବୋଚ୍ଚ ପୁସ୍ତକ ଗୀତା ସବୁଠୁ ଅଧିକ ତାଙ୍କୁ ପ୍ରଭାବିତ କରିଥିଲା ଓ ତାଙ୍କ ଜୀବନର ଅନେକ ଦିନ ସେ ସଂସ୍କୃତ ପଢିବା ଓ ପଢ଼ାଇବାରେ ଅତିବାହିତ କରିଥିଲେ ।
ଅପରପକ୍ଷେ ଏହି ଘଟଣା ପରେ ସେ ପରମାଣୁ ଅସ୍ତ୍ର ପ୍ରସାର ବିରୋଧରେ ସ୍ପଷ୍ଟବାଦୀ ହୋଇଗଲେ। ୧୯୪୭ ମସିହାରେ ସେ ଆମେରିକାର ପରମାଣୁ ଶକ୍ତି କମିଶନର ସାଧାରଣ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହୋଇଥିଲେ ଏବଂ ଅନ୍ତର୍ଜାତୀୟ ନିୟନ୍ତ୍ରଣକୁ ସମର୍ଥନ କରିଥିଲେ। ସେ ପରମାଣୁ ବୋମା ଅପେକ୍ଷା ହଜାର ଗୁଣ ଅଧିକ ଧ୍ୱଂସକାରୀ ହାଇଡ୍ରୋଜେନ୍ ବୋମା ବିକାଶକୁ ବିରୋଧ କରିଥିଲେ। ତାଙ୍କର ଏହି ନୈତିକତା ତାଙ୍କ ପାଇଁ ଏକ ସମସ୍ୟା ହୋଇଗଲା। ୧୯୫୪ ମସିହାରେ ତାଙ୍କର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରିନିଆଯାଇଥିଲା। ସତ କହିବାକୁ ଗଲେ, ଏହା ତାଙ୍କ କ୍ୟାରିୟରର ଶେଷ ଥିଲା। ଓପେନହାଇମର ୧୯୬୦ ମସିହାରେ ଜାପାନ ଗସ୍ତ କରିଥିଲେ କିନ୍ତୁ ହିରୋସିମା କିମ୍ବା ନାଗାସାକି ଯାଇପାରିଲେ ନାହିଁ।
ଓପେନହାଇମରଙ୍କୁ ବୁଝିବା କାହିଁକି ଗୁରୁତ୍ୱପୂର୍ଣ୍ଣ ?
ଦୁଇ ପରମାଣୁ ଶକ୍ତିଶାଳୀ ଦେଶ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ରହିଛି, ବିଶ୍ୱର ଅନେକ ଦେଶ ସେମାନଙ୍କର ଚିନ୍ତା ପ୍ରକାଶ କରୁଛନ୍ତି। ଉଭୟ ଦେଶ ପାଖରେ ଶହ ଶହ ପରମାଣୁ ଅସ୍ତ୍ର ଅଛି ଏବଂ ବିଶ୍ୱ ଭୟ କରୁଛି ଯେ କୌଣସି ଭୁଲ ବୁଝାମଣା କିମ୍ବା ସଂଘର୍ଷ ଯୋଗୁଁ ବିନାଶ ଆରମ୍ଭ ହୋଇଯାଇପାରେ । ଭାରତ ଏହି ଯୁଦ୍ଧକୁ ବହୁତ ଯୁକ୍ତିଯୁକ୍ତ ଭାବରେ ଲଢ଼ୁଥିବା ବେଳେ,ପାକିସ୍ତାନ ନିରନ୍ତର ଧମକ ଦେବାରୁ ବିରତ ହେଉନାହିଁ।
ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ଆତଙ୍କୀ ଶିବିରକୁ ଧ୍ୱଂସ କରିଛି କିନ୍ତୁ ସାଧାରଣ ନାଗରିକଙ୍କର କୌଣସି କ୍ଷତି କରିନାହିଁ। ପାକିସ୍ତାନକୁ ମଧ୍ୟ ଏହି ସମୟରେ ଅତୀତରୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି । ଓପେନହାଇମର ୧୯୪୬ ମସିହାରେ କହିଥିଲେ ଯେ ପରମାଣୁ ବୋମା ଭବିଷ୍ୟତର ଯୁଦ୍ଧକୁ ଅସହ୍ୟ କରିଦେବ । କେବଳ ପରମାଣୁ ଅସ୍ତ୍ରର ନିୟନ୍ତ୍ରଣ ଏବଂ ସ୍ୱଚ୍ଛତା ହିଁ ମାନବଜାତିକୁ ରକ୍ଷା କରିପାରିବ ।
କ୍ଷମା ମାଗିପାରିଲେ ନାହିଁ ଓପେନହାଇମର
ଓପେନହାଇମର କେବେବି ଆନୁଷ୍ଠାନିକ ଭାବରେ ପରମାଣୁ ବୋମା ପାଇଁ କ୍ଷମା ମାଗିପାରିଲେ ନାହିଁ, କିନ୍ତୁ ତାଙ୍କ ବାକି ଜୀବନ ଅନୁତାପ ଏବଂ ସଂଶୋଧନ ପାଇଁ ଚେଷ୍ଟାରେ ପରିପୂର୍ଣ୍ଣ ଥିଲା। ୧୯୬୭ ମସିହାରେ ସେ ଗଳା କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ, କିନ୍ତୁ ତାଙ୍କ କାହାଣୀ ଆଜି ମଧ୍ୟ ଜୀବିତ ଅଛି । ତାଙ୍କ କାହାଣୀ ଆମକୁ ଶିକ୍ଷା ଦିଏ ଯେ ବିଜ୍ଞାନର ଶକ୍ତି ଯେପରି ସୃଜନଶୀଳ ହୋଇପାରେ, ସେହିପରି ବିନାଶକାରୀ ମଧ୍ୟ ହୋଇପାରେ । ଆଜି ସାରା ବିଶ୍ୱ ଭୟଭୀତ.. ଆମେ ତିଆରି କରିଥିବା ଅସ୍ତ୍ରକୁ ଆମେ ନିୟନ୍ତ୍ରଣ କରିପାରିବୁ ତ.. ସେଥିପାଇଁ ଯୁଦ୍ଧ ନୁହେଁ; ଶାନ୍ତି, ସଦ୍ଭାବନା ଓ ଭ୍ରାତୃଭାବନା ସହ ରହିବା ହିଁ ଏହାର ଉତ୍ତମ ବିକଳ୍ପ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747213389.jpeg)