ବିଜିନେସ୍ କ୍ଲାସରେ ମହିଳାଙ୍କ ସହ ଦୁଷ୍କର୍ମ ! ନ୍ୟୁଜର୍ସିରୁ ଲଣ୍ଡନ୍ ଯାଉଥିଲା ବିମାନ

ଯାତ୍ରୀମାନେ ଶୋଇଥିବା ସମୟରେ ଏହାର ସୁଯୋଗ ନେଇ ମହିଳାଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ୟୁନାଇଟେଡ୍ ଏୟାରଲାଇନ୍ସର ବିମାନରେ ଏହି ଘଟଣା ଘଟିଛି ।

ସାଙ୍କେତିକ ଚିତ୍ର

ମଝି ଆକାଶରେ ମହିଳାଙ୍କ ସହ ଦୁଷ୍କର୍ମ । ଆମେରିକାର ନ୍ୟୁଜର୍ସିରୁ ଲଣ୍ଡନ ଯାଉଥିବା ବିମାନରେ ବିଜିନେସ୍‌ କ୍ଲାସରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ବ୍ରିଟେନରୁ ଗିରଫ କରାଯାଇଛି । ତେବେ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ଯାତ୍ରୀମାନେ ଶୋଇଥିବା ସମୟରେ ଏହାର ସୁଯୋଗ ନେଇ ମହିଳାଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ୟୁନାଇଟେଡ୍ ଏୟାରଲାଇନ୍ସର ବିମାନରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣା ଘଟିବା ପରେ ପୀଡିତା ନିଜ ସହ ହୋଇଥିବା କୁକର୍ମ ସମ୍ପର୍କରେ ବିମାନ କର୍ମଚାରୀଙ୍କୁ କହିଥିଲେ । ଏହା ପରେ ବିମାନ କର୍ମଚାରୀମାନେ ବ୍ରିଟେନ ପୋଲିସକୁ ଖବର ଦେଇଥିଲେ । ନ୍ୟୁ ଜର୍ସିରୁ ଲଣ୍ଡନକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ପ୍ରାୟ ୭ ଘଣ୍ଟା ସମୟ ଲାଗେ ।

ବିମାନଟି ବ୍ରିଟେନର ହିଥ୍ରୋରେ ଅବତରଣ କରିବା ପରେ ବିମାନରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ ପୋଲିସ୍ ଏବଂ ପୀଡିତାଙ୍କୁ ରେପ୍ କାଉନସେଲିଂ ସୁଟକୁ ନିଆଯାଇଥିଲା । ଏହାସହ ପୋଲିସ୍‌ କର୍ମଚାରୀ ମାନେ ବିମାନର ଫୋରେନସିକ୍ ପରୀକ୍ଷା ମଧ୍ୟ କରିଥିଲେ । ଗତ ସପ୍ତାହ ସୋମବାର ଦିନ ଏହି ଘଟଣା ଘଟିଥିବା କୁହାଯାଉଛି। ଉଭୟ ପୀଡିତା ଏବଂ ଅଭିଯୁକ୍ତଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡ଼ିଛି ।

ଅଭିଯୁକ୍ତ ଜଣକ ବ୍ରିଟେନର ବାସିନ୍ଦା ଏବଂ ପୀଡିତା ମହିଳା ମଧ୍ୟ ବ୍ରିଟେନରେ ରୁହନ୍ତି । ଦି ସନ୍ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଏବଂ ପୀଡିତା ବିଜିନେସ୍‌ କ୍ଲାସର ଭିନ୍ନ ଭିନ୍ନ ସିଟରେ ବସିଥିଲେ । ତେବେ ବିମାନରେ ବସିବା ପୂର୍ବରୁ ଉଭୟେ ପୂର୍ବରୁ ପରିଚିତ ନଥିଲେ । କିନ୍ତୁ ଘଟଣା ଦିନ ପୀଡିତା ଏବଂ ଅଭିଯୁକ୍ତ ଲାଉଞ୍ଜରେ ଏକାଠି ମଦ୍ୟପାନ କରୁଥିବା ଜଣାପଡ଼ିଛି ।

ଅଭିଯୁକ୍ତକୁ ଗିରଫ କରିବା ସହ ମାମଲାରେ ତଦନ୍ତ ଜାରି ରହିଛି ବୋଲି ବ୍ରିଟିଶ୍‌ ପୋଲିସ୍ କହିଛି । ଉଡ଼ାଣ ସମୟରେ ଯୌନ ନିର୍ଯାତନା ଘଟଣା ବିରଳ ବୋଲି ସେ କହିଛନ୍ତି । ତେବେ କିଛି ରିପୋର୍ଟ ଅନୁସାରେ ନିକଟ ଅତୀତରେ ଆମେରିକାରେ ବିମାନରେ ଯୌନ ହିଂସା ବୃଦ୍ଧି ପାଇଛି।