Advertisment

St Martin’s Island : ବାହ୍ୟଶକ୍ତି ଚାପରେ ବାଂଲାଦେଶ, ଆମେରିକାର ଦ୍ୱୀପ ଷଡ଼ଯନ୍ତ୍ର ସଫଳ

ଯେଉଁ ଦ୍ୱୀପ ପାଇଁ ଦିନେ ଶେଖ ହସିନା ଗାଦିଚ୍ୟୁତ ହୋଇଥିଲେ, ଏବେ ତାକୁ ଆମେରିକା ହାତକୁ ଟେକିଦେଇଛନ୍ତି ୟୁନୁସ ସରକାର । ଆମେରିକାର ଗୋଟି ସାଜିଛନ୍ତି ୟୁନୁସ୍ ।

ଅଦ୍ୟତନ ହୋଇଛି
Yunus

Yunus

Advertisment

ଦଙ୍ଗାଗ୍ରସ୍ତ ତଥା ଗୃହଯୁଦ୍ଧରେ ଲିପ୍ତ ବାଂଲାଦେଶରେ ବିଦେଶୀ ଶକ୍ତିର ହସ୍ତକ୍ଷେପ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ବୈଶ୍ୱିକ ସ୍ତରରେ ମହାଶକ୍ତି ବୋଲାଉଥିବା ଆମେରିକାର ଆଖି ପଡ଼ିଛି ବାଂଲାଦେଶର ଏକ ଦ୍ୱୀପ ଉପରେ । ନିଜ ସ୍ୱାର୍ଥସାଧନ ନିମନ୍ତେ ବିଭିନ୍ନ ଦେଶକୁ ପରସ୍ପର ସହ ଯୁଦ୍ଧ କରିବାକୁ ଉସକାଉଥିବା ଆମେରିକା ଅସମୟର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି । ଦେଶରୁ ବିତାଡ଼ିତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସନ୍ଦେହ ସତରେ ପରିଣତ ହେବାକୁ ଯାଉଛି । ବାଂଲାଦେଶରେ ହୋଇଥିବା ବିଦ୍ରୋହ ପଛରେ ବିଦେଶୀ ଶକ୍ତି ଅର୍ଥାତ ଆମେରିକାର ହାତ ଥିବା ଅତୀତରେ ଅନେକ ଥର ଦାବି କରିଥିଲେ ହସିନା । ସେତେବେଳେ ଆମେରିକା ଏହି ଦାବିକୁ ସମ୍ପୂର୍ଣ୍ଣ ଖାରଜ କରିଥିଲା।

Advertisment

ହେଲେ ପରେ ପରେ ଆମେରିକୀୟ ସରକାରଙ୍କ ଏକ ଗୁପ୍ତ ଦଲିଲ୍ ସାର୍ବଜନୀନ ହୋଇଥିଲା, ଯାହା ଦର୍ଶାଉଥିଲା ଶେଖ ହସିନାଙ୍କୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ଯୋଜନା ୨୦୧୯ ମସିହାରେ ଆରମ୍ଭ ହୋଇଥିଲା। କେବଳ ଏକ ଉପଯୁକ୍ତ ସୁଯୋଗ ପାଇଁ ଅପେକ୍ଷା କରିଥିଲା ଆମେରିକା । ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍ ବାଂଲାଦେଶର କ୍ଷମତାଭାର ସମ୍ଭାଳିବା ପରେ ଆମେରିକା ପ୍ରତି ଲୋକଙ୍କ ସନ୍ଦେହ ଆହୁରି ଗଭୀର ହୋଇଥିଲା। କାରଣ ମହମ୍ମଦ ୟୁନୁସଙ୍କୁ ଆମେରିକାର ବିଶ୍ୱସ୍ତ ବୋଲି ବିବେଚନା କରାଯାଏ।

ବାଂଲାଦେଶରୁ ଶେଖ୍ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି । ଦେଶରୁ ବିତାଡ଼ିତ ହେବା ପରେ ହସିନା ହେଲିକପ୍ଟର ଯୋଗେ ଭାରତ ପଳାଇ ଆସିଥିଲେ, ସେବେଠାରୁ ସେ ଭାରତରେ ଅଛନ୍ତି। ହସିନାଙ୍କୁ ଯେତେବେଳେ ବାଂଲାଦେଶ ଛାଡିବାକୁ ବାଧ୍ୟ କରାଯାଇଥିଲା, ତାଙ୍କ ଦେଶରେ ହୋଇଥିବା ବିଦ୍ରୋହ ପଛରେ ଆମେରିକାର ହାତ ଥିବା କଥା ସେ ଅଭିଯୋଗ କରିଥିଲେ । କାରଣ ବାଂଲାଦେଶର ଏକ ଦ୍ୱୀପରେ ସାମରିକ ଘାଟି ନିର୍ମାଣ କରିବାକୁ ଚାହୁଁଥଲା ଆମେରିକା, ହେଲେ ଏଥିରେ ରାଜି ହୋଇନଥିଲେ ଶେଖ ହସିନା । ଫଳସ୍ୱରୂପ ତାଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ରର ମୁଞ୍ଜି ବୁଣି ଦିଆଯାଇଥିଲା, ଆଉ ସେଥିରେ ସେମାନେ ସଫଳ ମଧ୍ୟ ହୋଇଥିଲେ । ନିକଟରେ ସେହି ଦ୍ୱୀପକୁ ପର୍ଯ୍ୟଟକଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ପୁଣି ଥରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

Advertisment

ସଦ୍ୟତମ ଖବର ଅନୁସାରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏହାକୁ ଆମେରିକା ହାତକୁ ଟେକିଦେବାକୁ ଯାଉଛନ୍ତି । ଆମେରିକାର ଲୋଲୁପ ଦୃଷ୍ଟି ଥିବା ଏହି ଦ୍ୱୀପର ନାମ ହେଲା ସେଣ୍ଟ ମାର୍ଟିନ୍ସ ଦ୍ୱୀପ, ଯାହାକୁ ବଙ୍ଗଳାରେ ନାରିକେଲ୍ ଜିଞ୍ଜିରା କିମ୍ବା ଦାରୁଚିନି ଦ୍ୱୀପ ମଧ୍ୟ କୁହାଯାଏ। କାରଣ ଏହି ଦ୍ୱୀପରେ ପ୍ରଚୁର ପରିମାଣରେ ନଡ଼ିଆ ଓ ଡାଲଚିନ ଗଛ ଦେଖିବାକୁ ମିଳେ । ବାଂଲାଦେଶର ଏହି ଛୋଟ ପ୍ରବାଳ ଦ୍ୱୀପଟି ବଙ୍ଗୋପସାଗରର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ। ସେଣ୍ଟ ମାର୍ଟିନ୍ସ ଦ୍ୱୀପ ମିଆଁମାର ସୀମା ସହିତ ମଧ୍ୟ ସଂଲଗ୍ନ । କ୍ଷେତ୍ରଫଳ ମାତ୍ର ୩ ବର୍ଗ କିଲୋମିଟର ହୋଇଥିଲେ ସୁଦ୍ଧା ବିଶେଷ ଭୌଗୋଳିକ ସ୍ଥିତି ଯୋଗୁଁ ଏହାର ସ୍ୱତନ୍ତ୍ର ରଣନୈତିକ ଗୁରୁତ୍ୱ ରହିଛି । ଏହି ଦ୍ୱୀପର ଜନସଂଖ୍ୟା ପ୍ରାୟ ୩ ହଜାର ୭ ଶହ । ଦ୍ୱୀପ ବାସିନ୍ଦାଙ୍କ ମୁଖ୍ୟ ଜୀବିକା ହେଉଛି ମାଛ ଧରିବା,ଧାନଚାଷ ଓ ନଡ଼ିଆ ଚାଷ । ଏଠାରୁ ଧାନ ଓ ନଡ଼ିଆ ମିଆଁମାରକୁ ରପ୍ତାନୀ ହୋଇଥାଏ ।

ହଜାର ହଜାର ବର୍ଷ ପୁରୁଣା ଦ୍ୱୀପର ଇତିହାସ

ସେଣ୍ଟ ମାର୍ଟିନ୍ସ ଦ୍ୱୀପର ଇତିହାସ ହଜାର ହଜାର ବର୍ଷ ପୁରୁଣା। ୫୦୦୦ ବର୍ଷ ପୂର୍ବରୁ ମଧ୍ୟ ଏହି ଦ୍ୱୀପର ଅସ୍ତିତ୍ୱ ଥିବା ବିଶ୍ୱାସ କରାଯାଏ । ଏହା ପୂର୍ବରୁ ଟେକନାଫ୍ ଉପଦ୍ୱୀପର ଏକ ଅଂଶ ଥିଲା ସେଣ୍ଟ ମାର୍ଟିନ୍ସ ଦ୍ୱୀପ। ସମୁଦ୍ର ପତ୍ତନ ବୃଦ୍ଧି ପାଇବା ଯୋଗୁଁ ଏହା ପୃଥକ ହୋଇଯାଇଥିଲା । ୧୮ ଶତାବ୍ଦୀରେ ଆରବ ବ୍ୟବସାୟୀମାନେ ଏଠାରେ ବସତି ସ୍ଥାପନ କରିବା ଆରମ୍ଭ କରିଥିଲେ ଓ ସେମାନେ ଏହାକୁ ଜଜିରା ନାମ ଦେଲେ। ୧୯୦୦ ମସିହାରେ ଏହାକୁ ବ୍ରିଟିଶ ଯୁଗରେ ବିଶାଳ ଭାରତ ଭୂଖଣ୍ଡରେ ସାମିଲ କରାଯାଇଥିଲା। ଡେପୁଟି କମିଶନର ମାର୍ଟିନଙ୍କ ନାମରେ ଏହାର ନାମକରଣ କରାଯାଇଥିଲା।

Advertisment

ଦ୍ୱୀପକୁ ନେଇ ବାଂଲାଦେଶ-ମିଆଁମାର ବିବାଦ

୧୯୪୭ ମସିହାରେ ବ୍ରିଟିଶ ଶାସନ କବଳରୁ ମୁକ୍ତ ହେବା ପରେ ବିଶାଳ ଭୂଖଣ୍ଡ ଭାରତର ବିଭାଜନ ହୋଇଥିଲା । ବିଭାଜନ ପରେ ଏହି ଦ୍ୱୀପ ପାକିସ୍ତାନର ଏକ ଅଂଶ ହୋଇଗଲା। ୧୯୭୧ ମସିହାର ମୁକ୍ତି ସଂଗ୍ରାମ ପରେ ଏହି ଦ୍ୱୀପ ବାଂଲାଦେଶ ହାତକୁ ଚାଲିଯାଇଥିଲା । ୧୯୭୪ ମସିହାରେ ବାଂଲାଦେଶ ଏବଂ ମିଆଁମାର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ଏହାକୁ ବାଂଲାଦେଶୀ ଅଞ୍ଚଳ ଭାବରେ ବିବେଚନା କରାଯାଇଥିଲା। ତଥାପି ଏହି ଦ୍ୱୀପକୁ ନେଇ ମିଆଁମାର ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥାଏ ।

ପର୍ଯ୍ୟଟକଙ୍କ ସୁଅ ଛୁଟେ

ଏହି ଦ୍ୱୀପରେ ପ୍ରଚୁର ପରିମାଣରେ ସାମୁଦ୍ରିକ କଇଁଛ ବାସ କରନ୍ତି। ଏଠାରେ ୧୫୩ ପ୍ରକାରର ସାମୁଦ୍ରିକ ଶୈବାଳ, ୬୬ ପ୍ରକାରର ପ୍ରବାଳ, ୨୪୦ ପ୍ରକାରର ମାଛ, ୧୨୦ ପ୍ରକାରର ପକ୍ଷୀ ଏବଂ ୨୯ ପ୍ରକାରର ସରୀସୃପ ଦେଖାଯାଆନ୍ତି। ୨୦୨୨ ମସିହାରେ ଏହି ଦ୍ୱୀପକୁ ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିଲା। ପ୍ରାୟ ୫୦୦୦-୬୦୦୦ ମତ୍ସ୍ୟଜୀବୀ ପରିବାର ଏଠାରେ ବାସ କରନ୍ତି। ଏହା ମୁଖ୍ୟତଃ ଏକ ପର୍ଯ୍ୟଟନ ଦ୍ୱୀପ। ଅକ୍ଟୋବରରୁ ଏପ୍ରିଲ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ୧୦,୦୦୦ ପର୍ଯ୍ୟଟକ ଏଠାକୁ ବୁଲାବୁଲି କରିବା ପାଇଁ ଆସନ୍ତି ।

ସୈନ୍ୟ ଆଡ୍ଡା ଚାହୁଁଥିଲା ଆମେରିକା

ଅନେକ ବର୍ଷ ଧରି ଏହି ଦ୍ୱୀପ ଉପରେ ଆମେରିକା ସରକାରଙ୍କ ଆଖି ଥିବା ଅନେକ ଥର କହିଛନ୍ତି ଶେଖ ହସିନା । ଆମେରିକା ସେଣ୍ଟ ମାର୍ଟିନ୍ସ ଦ୍ୱୀପରେ ଏକ ସାମରିକ ଘାଟି ନିର୍ମାଣ କରିବାକୁ ଯୋଜନା କରୁଥିଲା, ଯାହାଦ୍ୱାରା ବଙ୍ଗୋପସାଗରକୁ ନିୟନ୍ତ୍ରଣ କରାଯାଇପାରିବ। ଏହି ଦ୍ୱୀପକୁ ଆମେରିକା ହାତକୁ ଟେକିଦେଇଥିଲେ ସେ ହୁଏତ ଗାଦିଚ୍ୟୁତ ହୋଇନଥାନ୍ତେ, ତଥାପି ସେ ଦେଶର ସମ୍ପତ୍ତି ବିକ୍ରି କରିବାକୁ ମନା କରିଥିଲେ।

ଅବସ୍ଥିତି କାହିଁକି ଗୁରୁତ୍ୱପୂର୍ଣ୍ଣ?

ଏହି ଦ୍ୱୀପ ମିଆଁମାର ସୀମା ନିକଟରେ ଅବସ୍ଥିତ। ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଯୋଗୁଁ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିରେ ଚୀନକୁ ରୋକିବା ପାଇଁ ଏଠାରେ ଏକ ଘାଟି ଚାହୁଁଛି ଆମେରିକା ।

ଭାରତ ମହାସାଗରୀୟ କ୍ଷେତ୍ର ମଧ୍ୟରେ ଥିବା ବଙ୍ଗୋପସାଗର ଏକ ଗୁରୁତ୍ବପୂର୍ଣ୍ଣ ଭୌଗୋଳିକ ପ୍ରାଧାନ୍ୟ ବହନ କରେ । ବିଶେଷ ଭାବରେ ନୌବାହିନୀ ଯୁଦ୍ଧ ଏବଂ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଏହାର ବୈଶ୍ବିକ ପ୍ରଭାବ ରହିଛି । ଏହି ଉପସାଗର ଦକ୍ଷିଣ-ଏସିଆର ଅନେକ ଦେଶର ସୀମାକୁ ସଂଲଗ୍ନ କରିଛି । ଯେଉଁମାନଙ୍କ ମଧ୍ୟରୁ କେବଳ ଭାରତ ବ୍ୟତୀତ ଅନ୍ୟ ଅଧିକାଂଶ ଦେଶ ବର୍ତ୍ତମାନ ସମୟରେ ଆଭ୍ୟନ୍ତରୀଣ ଅସ୍ଥିରତାର ସାମ୍ନା କରୁଛନ୍ତି । ଏହି ଦ୍ୱୀପ ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ବାଂଲାଦେଶର ତିନି ପାର୍ଶ୍ୱରେ ଘେରି ରହିଛି ଭାରତ।

କ୍ଷମତା ଗତିଶୀଳତା, ଆଞ୍ଚଳିକ ସୁରକ୍ଷା ଏବଂ ଇଣ୍ଡୋ-ପାସିଫିକ ରଣନୈତିକ ସମୀକରଣ ପରିପ୍ରେକ୍ଷୀରେ ବଙ୍ଗୋପସାଗରରେ ଅନ୍ୟ ଏକ ସାମରିକ ବେସ ପ୍ରତିଷ୍ଠା କରି ଆମେରିକା ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି । ଏଠାରେ ଘାଟି ନିର୍ମାଣ କଲେ ମାଲକା ପ୍ରଣାଳୀ ଉପରେ ନଜର ରଖିପାରିବ ଆମେରିକା, ଯେଉଁଠାରୁ ଚୀନର ୮୦% ଶକ୍ତି ଆମଦାନୀ ହୁଏ। କେବଳ ଚୀନ ପାଇଁ ନୁହେଁ ଏଠାରେ ଆମେରିକାର ସୈନ୍ୟ ଆଡ୍ଡା ସ୍ଥାପନ ହେଲେ ଭାରତର ପୂର୍ବ ଭାଗରେ ଅସ୍ଥିରତା ବୃଦ୍ଧି ପାଇପାରେ। ଅର୍ଥାତ୍ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସିଧାସଳଖ ପ୍ରଭାବିତ ହେବେ।

ଦ୍ୱୀପ ବିକିଦେବେ କି ୟୁନୁସ ?

୧୨ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ସେଣ୍ଟ ମାର୍ଟିନ୍ ଦ୍ୱୀପ ସମ୍ପୂର୍ଣ୍ଣ ଭାବରେ ବାଂଲାଦେଶର ଏକ ଅଂଶ। ଏଠାରେ କୌଣସି ଆମେରିକୀୟ ଘାଟି ନିର୍ମାଣ କରାଯାଇ ନାହିଁ। କୌଣସି ସରକାରୀ ସ୍ଥାନାନ୍ତର ମଧ୍ୟ ହୋଇନାହିଁ। ଶେଖ୍ ହସିନାଙ୍କ ଇସ୍ତଫା ପରେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାରେ ଅଛି। ତଥାପି ସାମ୍ପ୍ରତିକ ରିପୋର୍ଟଗୁଡ଼ିକରେ ଦାବି ହେଉଛି, ଟ୍ରମ୍ପ ପ୍ରଶାସନକୁ ଖୁସି କରିବା ପାଇଁ ଚିଟାଗଙ୍ଗ ବନ୍ଦର, ମିଆଁମାରର ରାଖାଇନ୍ ରାଜ୍ୟର କରିଡର ଏବଂ ମାର୍ଟିନ୍ସ ଦ୍ୱୀପକୁ ଆମେରିକାକୁ ହସ୍ତାନ୍ତର କରିପାରନ୍ତି ୟୁନୁସ ସରକାର। ତେବେ ଏହି ରିପୋର୍ଟ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ, କେବଳ କଳ୍ପନାଜଳ୍ପନା କରାଯାଉଛି ।

ଦ୍ୱୀପର ଦେଶ ବାଂଲାଦେଶ

ସୂତ୍ର ଅନୁଯାୟୀ ବାଂଲାଦେଶରେ ପ୍ରାୟ ୭୦୦ ରୁ ୧,୦୦୦ ଦ୍ୱୀପ ରହିଛି । ଭୋଲା ହେଉଛି ବାଂଲାଦେଶର ସବୁଠାରୁ ବଡ଼ ଦ୍ୱୀପ, ଯାହାର କ୍ଷେତ୍ରଫଳ ପ୍ରାୟ ୩,୪୦୨ ବର୍ଗ କିଲୋମିଟର। ଜନସଂଖ୍ୟା ପ୍ରାୟ ୧.୭ ନିୟୁତ। ସେଣ୍ଟ ମାର୍ଟିନ୍ସ ଦ୍ୱୀପରେ ପ୍ରାୟ ୬୦୦୦ ମତ୍ସ୍ୟଜୀବୀ ବସବାସ କରନ୍ତି । ସେହିପରି ନିଜୁମ ଦ୍ୱୀପର ଜନସଂଖ୍ୟା ହେଲା ୮,୦୦୦ । ଅନ୍ୟାନ୍ୟ ଜନବସତି ଦ୍ୱୀପ ମଧ୍ୟରେ ସନ୍ଦ୍ୱୀପ, ମାନପୁରା ଏବଂ ମହେଶଖାଲି ଆଦିର ପ୍ରମୁଖ ନାମ ରହିଛି ।

ଅଧିକ ପଢ଼ନ୍ତୁ: ବୁଡିଲା ପାକିସ୍ତାନ; ୩୬ ଘଣ୍ଟାରେ ଗଲାଣି ୨୦୦ରୁ ଉର୍ଦ୍ଧ୍ବ ଜୀବନ

Bangladesh USA Muhammad Yunus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ