ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଜାଳିଦେଲେ ଦୁର୍ବୃତ୍ତ, ଜିଅନ୍ତା ଜଳିଗଲେ ୨୪

ଜୀବନ୍ତ ଜଳିଗଲା ୨୪ ଜୀବନ । ଆୱାମୀ ଲିଗ୍ ପାର୍ଟିର ଜଣେ ନେତାଙ୍କ ମାଲିକାନାରେ ଥିବା ଏହ ହୋଟେଲରେ ଦୁର୍ବୃତ୍ତ ଲଗାଇଲେ ନିଆଁ ।

Bangladesh crisis

ଅଶାନ୍ତ ବାଂଲାଦେଶ, ସବୁଠି ଜଳୁଛି ଅସନ୍ତୋଷର ନିଆଁ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାସହ ଶେଖ ହସିନା ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ତଥାପି ଥମୁନି ହିଂସା । ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହସିନାଙ୍କ ଆୱାମୀ ଲିଗ୍ ପାର୍ଟିର ନେତା । ମଙ୍ଗଳବାର ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସମସ୍ତକୁ ସ୍ତବ୍ଦ କରିଦେଇଛି ।

ଆୱାମୀ ଲିଗ୍ ପାର୍ଟିର ଜଣେ ନେତାଙ୍କ ମାଲିକାନାରେ ଥିବା ଏହ ହୋଟେଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଜୀବନ୍ତ ଜଳିଯାଇଛି ୨୪ ଜୀବନ । ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ହସ୍ପିଟାଲ ସୂତ୍ରରୁ ଏହି  ସୂଚନା ମିଳିଛି । ୨୪ଜଣଙ୍କ ମଧ୍ୟରେ ଜଣେ ଇଣ୍ଡୋନେସିଆ ନାଗରିକ ଥିବା ମଧ୍ୟ କୁହାଯାଉଛି ।

ଅଧିକ ପଢନ୍ତୁ : କିଏ ଏହି ଛାତ୍ରନେତା, ଯିଏ ଶେଖ ହସିନାଙ୍କ ବିରୋଧରେ ନେଉଥିଲେ ଆନ୍ଦୋଳନର ନେତୃତ୍ୱ

ଜବିର ଇଣ୍ଟରନ୍ୟାସନାଲ ନାମକ ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିଲେ । ଏହି ହୋଟେଲ ସ୍ଥାନୀୟ ଜୋସର ଜିଲ୍ଲାର ଜିଲ୍ଲା ଆୱାମୀ ଲିଗ୍ ସାଧାରଣ ସଂପାଦକ ସାହିନ ଚକଲଦରଙ୍କ ନାମରେ ରହିଥିବା କୁହାଯାଉଛି । ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଜଣେ ଇଣ୍ଡୋନେସିଆ ନାଗରିକ ରହିଛନ୍ତି । ୨୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜସର ଜେନେରାଲ ହସ୍ପିଟାଲର ଡାକ୍ତର ସ୍ପଷ୍ଟ କରିଛନ୍ତି । ହୋଟେଲ ଭିତରୁ ଆହୁରି ମୃତଶରୀର ବାହାରିବା ନେଇ ହୋଟେଲ କର୍ମଚାରୀ ଆଶଙ୍କା କରୁଛନ୍ତି । 

ସୂଚନା ଅନୁସାରେ କିଛି ଦୁର୍ବୁତ୍ତ ଆୱାମୀ ଲିଗ୍(AL) ଶାସନକୁ ବିରୋଧ କରି ହୋଟେଲର ତଳ ମହଲାରେ ନିଆଁ ଲଗାଇଦେଇଥିଲେ। ଏହାପରେ ଅନ୍ୟ ମହଲାକୁ ସଙ୍ଗେ ସଙ୍ଗେ ନିଆଁ ବ୍ୟାପୀ ଯାଇଥିଲା । ଏପରି ହିଂସା ଘଟଣା ବାଂଲାଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ସୂଚନା ରହିଛି । ଆୱାମୀ ଲିଗର ନେତାଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ହିଂସା ଘଟାଉଛନ୍ତି ଆନ୍ଦୋଳନକାରୀ । କେବଳ ସେତିକି ନୁହେଁ ଆନ୍ଦୋଳନକାରୀ ଆଇନକୁ ହାତକୁ ନେବା ସହ ସରକାରୀ କାର୍ଯ୍ୟାଳୟରେ ପଶି ଆତଙ୍କରାଜ ଚଳାଇଉଛନ୍ତି ଓ ଅନେକ ସରକାରୀ ସମ୍ପତ୍ତି ନଷ୍ଟ କରି ଲୁଟି ନେଉଥିବା ସୂଚନା ଆସିବାରେ ଲାଗିଛି ।

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ! ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ିଲେନି...