ମାଡ଼ି ଆସିଲା ଭୟଙ୍କର ବରଫ ଝଡ଼ : ୧୮ରୁ ଅଧିକ ଲୋକଙ୍କ ମୃତ୍ୟୁ

ବିନା ବିଜୁଳିରେ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ, ଏୟାରପୋର୍ଟରେ ଫସି ରହିଛନ୍ତି ହଜାର ହଜାର ଲୋକ

Bomb Cyclone

ଆମେରିକାକୁ ଅସ୍ତବ୍ୟସ୍ତ କରୁଛି ଭୟଙ୍କର ବରଫ ଝଡ଼ । ଏଥିରେ ୧୮ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସାଢ଼େ ତିନି ଲକ୍ଷ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବିଜୁଳି ଗୁଲ୍‌ ହୋଇଯିବା ପରେ ଚାରିଆଡ଼େ ଅନ୍ଧାର ଖେଳିଯାଇଛି । ଏହି ବରଫଝଡର ମାତ୍ରା ଏତେ ଅଧିକ ରହିଛି ଯେ ଘର ଉପରେ ଧଳା ରଙ୍ଗର ଏକ ମୋଟା ଚାଦର ପରି ବରଫର ଆସ୍ତରଣ ହୋଇଯାଇଛି ।

ମଧ୍ୟ ଓ ପୂର୍ବ ଆମେରିକାର ଅନେକ ସହରରେ ଏବେ ଭୟଙ୍କର ଥଣ୍ଡା ସହ ବରଫ ଝଡ଼ ଜାରି ରହିଛି । ରାସ୍ତାଘାଟ, ଘରଦ୍ୱାର ଚାରିଆଡ଼େ ବରଫ ଚାଦର ଢ଼ାଙ୍କି ହୋଇଯାଇଛି । ଏପରି ସ୍ଥଳେ ଲୋକେ ଯିବା ଆସିବା ମଧ୍ୟ କରିପାରୁନାହାଁନ୍ତି । ନ୍ୟୁୟର୍କ ସହର ସମେତ ଅଧିକାଂଶ ରାଜ୍ୟରେ ଖ୍ରୀଷ୍ଟମାସ ଉତ୍ସବ ଫିକା ପଡିଛି । ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ଉପରେ ରହିଛି । ଥଣ୍ଡା ପବନ ଓ ତୁଷାରପାତ ଯୋଗୁଁ ନ୍ୟୁୟର୍କରେ ଏମରଜେନ୍ସି ପରିସ୍ଥିତି ଘୋଷଣା କରାଯାଇଛି ।

ବରଫ ଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ବିଦ୍ୟୁତ ଖଣ୍ଟ ସବୁ ଉପୁଡି ପଡିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତୁଷାର ଝଡ ବେଳେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ ବିଜୁଳି ଖୁଣ୍ଟି ଉପରେ ବରଫପାତ ଯୋଗୁଁ ବିଜୁଳି ସଂଯୋଗକୁ କାଟି ଦିଆଯାଇଛି ।

ବିଭିନ୍ନ ସହରରେ ଅନ୍ଧାର ଥିବା ବେଳେ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ପ୍ରତିକୂଳ ପାଗ ଯୋଗୁଁ ଉଡ଼ିପାରୁନି ବିମାନ । ଏଥିପାଇଁ ଏୟାରପୋର୍ଟରେ ହଜାର ହଜାର ଲୋକ ଫସି ରହିଛନ୍ତି । ଏପରି ସ୍ଥିତି ବର୍ତ୍ତମାନ ଲୋକଙ୍କ ଚିନ୍ତା ବଢାଇଛି ।